ବାପା-ମାଆଙ୍କୁ ଅଣଦେଖା କଲେ ଦଣ୍ଡିତ ହେବେ ପିଲା; ଘରୁ ତଡ଼ା ଖାଇବେ, ସଂପତ୍ତିରୁ ବେଦଖଲ ହେବେ

ନୂଆଦିଲ୍ଲୀ: ଆଉ ଚଳନ୍ତି ଦେବତାଙ୍କ ଅସମ୍ମାନ କଲେ ମୁକୁଳିବାର ବାଟ ନାହିଁ। ଆମେ କହୁଛୁ ବାପା-ମାଆଙ୍କ କଥା। ଏଣିକି ସେମାନଙ୍କୁ ଅଣଦେଖା କରି ଖସି ପାରିବେନି ପୁଅ-ବୋହୂ। ଯଦି ପିଲାମାନେ ବେପରୁଆ ହୋଇ ସେମାନଙ୍କ ବାପାମାଆଙ୍କ ପ୍ରତି ଅଣଦେଖା ମନୋଭାବ ପ୍ରଦର୍ଶନ କରନ୍ତି ତେବେ ଘରୁ ବେଦଖଲ ହେବେ ଓ ସମ୍ପତ୍ତି‌ରୁ କୌଣସି ଭାଗ ମିଳିବ ନାହିଁ। ଏପରିକି ପୂର୍ବରୁ ଦେଇଥିବା ଭାଗକୁ ମଧ୍ୟ ବାପା-ମାଆ ଚାହିଁଲେ ଫେରାଇ ନେଇ ପାରିବେ।

ବାପା-ମାଆଙ୍କୁ ଚଳନ୍ତି ଈଶ୍ବରର ଆଖ୍ୟା ଦିଆଯାଇଛି। ସେମାନଙ୍କ ସେବା କରିବା ଅର୍ଥାତ ସ୍ବୟଂ ଭଗବାନଙ୍କ ସେବା କରିବା ସହ ସମାନ। ମାତ୍ର କିଛି ସନ୍ତାନ ଏଭଳି ବି ଅଛନ୍ତି, ଯେଉଁମାନେ କି ବାପା-ମାଆଙ୍କ ସେବା କରିବା ତ ଦୂରର କଥା ସେମାନଙ୍କୁ ଆଡ଼ ଆଖିରେ ବି ଚାହୁଁନାହାନ୍ତି। ଏଭଳି ଉଦ୍ଧତ ପିଲାମାନଙ୍କୁ ବାଟକୁ ଆଣିବାକୁ ଓ ଅସହାୟ ବୃଦ୍ଧ ବାପା-ମାଆଙ୍କୁ ସୁରକ୍ଷା ଦେବାକୁ ଆମ ଦେଶର ନ୍ୟାୟିକ ବ୍ୟବସ୍ଥାରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଅନେକ ନିୟମ ରହିଛି।

ଯଦି କୌଣସି ସନ୍ତାନ ନିଜ ବାପା-ମାଆଙ୍କୁ ଅଣଦେଖା କରେ ତେବେ ସେ ପୈତୃକ ସଂପତ୍ତିରୁ ବଞ୍ଚିତ ହେବା ସହ ବାପା-ମାଆ ଚାହିଁଲେ ତାଙ୍କୁ ଘରୁ ମଧ୍ୟ କାଢ଼ି ଦେଇପାରିବେ। ବାପା-ମାଆ ଚାହିଁଲେ ତାଙ୍କୁ ଅସମ୍ମାନ କରୁଥିବା ପୁଅ-ବୋହୂ, ଝିଅ-ଜ୍ବାଇଁ କିମ୍ବା ନାତି-ନାତୁଣୀଙ୍କୁ ଘରୁ କାଢ଼ିପାରିବେ ଓ ସଂପତ୍ତିରୁ ବେଦଖଲ କରିପାରିବେ। ସେହିପରି ଯଦି ପିଲାମାନଙ୍କ ନାଁରେ ପୂର୍ବରୁ ବାପା-ମାଆ ସଂପତ୍ତି କରି ଦେଇଛନ୍ତି ତେବେ ତାହାକୁ ସେ ଫେରାଇ ନେଇପାରିବେ। ଏହା କେବଳ ସେମାନଙ୍କ ଅର୍ଜିତ କିମ୍ବା ପୈତୃକ ସଂପତ୍ତିରେ ନୁହେଁ, ବରଂ ବାପା-ମାଆଙ୍କ ନାଁରେ ଥିବା ଅନ୍ୟାନ୍ୟ ସଂପତ୍ତିରେ ମଧ୍ୟ ଲାଗୁ ହେଉଛି।

ବାପାମାଆ ସେମାନ‌ଙ୍କ ସଂପତ୍ତିକୁ ଯାହାକୁ ବି ଚାହିଁଲେ ଦାନ କରିପାରନ୍ତି। ସନ୍ତାନମାନେ ଏଥିରେ ସେମାନଙ୍କର ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ। ରେଜିଷ୍ଟ୍ରେସନ୍‌ ଆକ୍ଟ ଅନୁଯାୟୀ, ଅଚଳ କବଲା କରିବା ନିହାତି ଜରୁରୀ। ଯଦି ବାପା ଏ ନେଇ ପଞ୍ଜିକରଣ କରି ନଥିବେ ତେବେ ପିଲାମାନେ ଚାହିଁଲେ କୋର୍ଟରେ ଚ୍ୟାଲେଞ୍ଜ କରିପାରିବେ।

ସମ୍ବନ୍ଧିତ ଖବର