କରୋନାର ତୃତୀୟ ତରଙ୍ଗ ବୋଲି ନିର୍ଦ୍ଦିଷ୍ଟ କିଛି ନାହିଁ। ଦେଶରେ ମୋଟ ଜନ ସଂଖ୍ୟାର ୭୦-୮୦% ଟିକାକରଣ ନହେବା ପର୍ଯ୍ୟନ୍ତ ସଂକ୍ରମଣ ଜାରି ରହିବ। ବର୍ତ୍ତମାନ ସୁଦ୍ଧା ୧୦-୧୫% ମାତ୍ର ଟିକାକରଣ ହୋଇଛି। ଆଗାମୀ ଦିନରେ ଭୂତାଣୁ ସଂକ୍ରମଣ ରୋକିବାର ମାଧ୍ୟମ ହେଉଛି ୨ଟି। ପ୍ରଥମତଃ ଯେଉଁମାନେ ବର୍ତ୍ତମାନ ସଂକ୍ରମିତ ହୋଇଛନ୍ତି, ସେମାନେ ନିକଟ ଭବିଷ୍ୟତରେ ଅର୍ଥାତ୍ ଆଗାମୀ ୬ ମାସ ମଧ୍ୟରେ ସଂକ୍ରମିତ ହେବାର ସମ୍ଭାବନା କମ୍। ସେହିପରି ଯେଉଁମାନେ ଟିକା ନେଇଛନ୍ତି ସେମାନେ ସଂକ୍ରମିତ ହେଲେ ବି ଗୁରୁତର ହେବାର ଆଶଂକା କମ୍। ତେଣୁ ଏହି ଉଭୟ ବର୍ଗକୁ ମିଶାଇ ଯଦି ଡିସେମ୍ବର ସୁଦ୍ଧା ଜନସଂଖ୍ୟାର ୭୦% ପର୍ଯ୍ୟନ୍ତ ପହଞ୍ଚିଯିବ ତା'ହେଲେ ବି ପୁନଃସଂକ୍ରମଣ ବ୍ୟାପିବା ଆଶଂକା ରହିବ ନାହିଁ।
ତେବେ ଆମେ ଏପର୍ଯ୍ୟନ୍ତ ସେଭଳି ସ୍ଥିତିରେ ପହଞ୍ଚି ପାରି ନାହୁଁ। ଡିସେମ୍ବର ସୁଦ୍ଧା ୧୮ ବର୍ଷରୁ ଅଧିକ ବୟସର ୮୦% ଲୋକଙ୍କ ଟିକାକରଣ ସଂପୂର୍ଣ୍ଣ କରିବାକୁ ଭାରତ ସରକାରଙ୍କ ଲକ୍ଷ୍ୟ ରହିଛି। ବର୍ତ୍ତମାନ ଟିକାର ଉପଲବ୍ଧତା ବଢ଼ିବାରେ ଲାଗିଛି। ସରକାର ବିଶ୍ବ ବଜାରରୁ ଟିକା ଆଣିବାକୁ ଯାଉଛନ୍ତି। ବିଦେଶୀ ଟିକା ଆସିଲା ପରେ ଭାରତୀୟ ଲୋକଙ୍କ ଉପରେ ପରୀକ୍ଷାମୂଳକ ପ୍ରୟୋଗ ହେଉଥିଲା। କିନ୍ତୁ ଏହି ସର୍ତ୍ତକୁ ସରକାର ଉଠାଇ ନେଇଛନ୍ତି। ତେଣୁ ମଡର୍ନା, ଭାଇଜର୍ ଭଳି ବିଦେଶୀ ଟିକା ଗୁଡ଼ିକ ସିଧାସଳଖ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଦିଆଯାଇ ପାରିବ। ତେଣୁ ଆଗାମୀ ମାସେରୁ ଦେଢ଼ ମାସ ମଧ୍ୟରେ ଭାରତରେ ୧୨ ବର୍ଷରୁ ଅଧିକ ବର୍ଗର ଟିକାକରଣ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ସେହିପରି ୨ ବର୍ଷରୁ ଊର୍ଧ୍ବ ଶିଶୁଙ୍କୁ ଦେବା ପାଇଁ ଭାରତୀୟ ଟିକା କୋଭାକ୍ସିନ୍ର ବି ପରୀକ୍ଷାମୂଳକ ପ୍ରୟୋଗ ଆରମ୍ଭ ହୋଇଯାଇଛି। ତା'ର ରିପୋର୍ଟ ଆସିବା ପରେ ଅଗଷ୍ଟ ବେଳକୁ ଏହି ଭାରତୀୟ ଟିକା ବି ଶିଶୁ ମାନଙ୍କୁ ଦିଆଯିବା ସମ୍ଭାବନା ରହିଛି।
ଏହାଛଡ଼ା ବୟସ୍କ ମାନଙ୍କ ଟିକାକରଣ ବଢ଼ିଲେ ବି ଛୋଟ ପିଲାଙ୍କ ସଂକ୍ରମଣର ଆଶଂକା ସେହି ଅନୁପାତରେ କମିବ। କାରଣ ପିଲାମାନେ ଘରେ ଥିବା ବୟସ୍କଙ୍କଠାରୁ ହିଁ ସଂକ୍ରମିତ ହେଉଛନ୍ତି। ତେଣୁ ଟିକାକରଣ ନହେବା ପର୍ଯ୍ୟନ୍ତ ବୟସ୍କ ମାନଙ୍କୁ ଅଧିକ ସତର୍କ ରହିବାକୁ ହେବ। ଦ୍ବିତୀୟ ତରଂଗରେ ବହୁ ସଂଖ୍ୟାରେ ଛୋଟ ପିଲା ଆକ୍ରାନ୍ତ ହେବା ପରେ ହିଁ ତୃତୀୟ ତରଂଗରେ ଶିଶୁଙ୍କ ପ୍ରଭାବିତ ହେବା କଥା ଉଠିଲା। ତେବେ ଯଦି ଆମେ ପରିସଂଖ୍ୟାନର ଉପଯୁକ୍ତ ଅନୁଶୀଳନ କରିବା ତା'ହେଲେ ଜାଣି ପାରିବା ଯେ ପ୍ରଥମ ତରଂଗବେଳେ ଭାରତରେ ସର୍ବାଧିକ ଦୈନିକ ସଂକ୍ରମଣ ୧ ଲକ୍ଷ ପର୍ଯ୍ୟନ୍ତ ଥିଲାବେଳେ ଦ୍ବିତୀୟ ତରଙ୍ଗରେ ତାହା ୪ ଲକ୍ଷ ଛୁଇଁଥିଲା। ସେହି ଅନୁପାତରେ ପ୍ରଥମ ତରଙ୍ଗବେଳେ ଦୈନିକ ୫ ହଜାର ପିଲା ସଂକ୍ରମିତ ହୋଇଥିଲାବେଳେ ଦ୍ବିତୀୟ ତରଂଗରେ ଏହା ୨୦ ହଜାର ପହଞ୍ଚିଥିଲା। କିନ୍ତୁ ସଂକ୍ରମିତ ଶିଶୁଙ୍କ ପ୍ରତିଶତ ସେହି ୫% ହିଁ ରହିଥିଲା।
ତେଣୁ ବାସ୍ତବତା ଏହା ଯେ ବୟସ୍କମାନେ ଯେତେ ଅଧିକ ମାତ୍ରାରେ ସଂକ୍ରମିତ ହେବେ ଛୋଟ ପିଲାଙ୍କ ସଂକ୍ରମଣ ବି ସେହି ଅନୁପାତରେ ବଢ଼ିବ। ତେଣୁ ପିଲା ମାନଙ୍କୁ କରୋନାରୁ ରକ୍ଷା କରିବାର ମନ୍ତ୍ର ହେଲା ବୟସ୍କମାନେ ନିଜକୁ ସୁରକ୍ଷିତ ରଖନ୍ତୁ। ଯେତେବେଳେ ଯେଉଁ ଟିକା ଉପଲବ୍ଧ ହେଲେ ବି ଅତି କମ୍ରେ ଗୋଟିଏ ଡୋଜ୍ ହେଲେ ନିଅନ୍ତୁ। ପିଲାଙ୍କ ଟିକାକରଣ ଯଥାଶୀଘ୍ର ସମ୍ଭବ ଆରମ୍ଭ କରାଯାଉ। ସମସ୍ତେ କରୋନାର ମୌଳିକ ନିୟମ ଗୁଡ଼ିକୁ ପାଳନ କରନ୍ତୁ। ଲକ୍ଡାଉନ୍, ସଟ୍ଡାଉନ୍ ଭଳି କଟକଣା ଗୁଡ଼ିକ ସଂପୂର୍ଣ୍ଣ ନ ଉଠାଇ କିଛିିକିଛି ଜାରି ରଖାଯାଉ।
ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ
ଭିମ୍ସାର୍, ବୁର୍ଲା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/ccdddd.jpg)