ଆଜିର ଡିଜିଟାଲ ଯୁଗରେ ପିଲାମାନଙ୍କର ଅନ୍‌ଲାଇନ୍‌ ଦୁନିଆରେ ମଗ୍ନ ରହିବାର ଅଭ୍ୟାସ ବଢ଼ିବାରେ ଲାଗିଛି। ନିଜର ସନ୍ତାନସନ୍ତତି ଯେପରି ଡିଜିଟାଲ୍‌ ଉପଲବ୍‌ଧିର ଅପବ୍ୟବହାର ନ କରି ସୁରକ୍ଷିତ ତଥା ନିରାପଦ ରହିପାରିବେ, ତାହା ଅଭିଭାବକମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଏଭଳି କିଛି ଆପ୍‌ ରହିଛି ଯଦ୍ଦ୍ବାରା ପିଲାମାନଙ୍କ ଡିଜିଟାଲ ଉପକରଣ ବ୍ୟବହାରକୁ ନିରୀକ୍ଷଣ କରାଯିବା ସହ ତାହାର ସୁପରିଚାଳନା ଓ ନିୟନ୍ତ୍ରଣ କରାଯାଇପାରିବ। ଆଜି ସେଭଳି କିଛି ଆପ୍‌ ବାବଦରେ ଜାଣିବା...

Advertisment

‘ସ୍ପାଇବବଲ୍‌’ ହେଉଛି ଏପରି ଏକ ଆପ୍‌ ଯାହା ପିଲାଙ୍କ ମୋବାଇଲ୍‌ ଫୋନ୍‌ ବ୍ୟବହାର ଉପରେ ନିଘା ରଖିବା ସହ ତାହାର ସୁପରିଚାଳନା ମଧ୍ୟ କରିପାରିବ। ଏହାଦ୍ବାରା ଅଭିଭାବକମାନେ ନିଜ ଫୋନ୍‌ ମାଧ୍ୟମରେ ଗୋପନରେ ପିଲାଙ୍କର ଡିଜିଟାଲ୍‌ ବ୍ୟବହାରର ଗତିବିଧି ଲକ୍ଷ୍ୟ କରିପାରିବେ। ଏପରିକି କିଶୋରକିଶୋରୀମାନେ ସେମାନଙ୍କ ଫୋନ୍‌ରେ ଲେଖୁଥିବା ବାର୍ତ୍ତାକୁ ପଢ଼ିପାରିବା ସହ ସେମାନେ ପ୍ରତ୍ୟକ୍ଷରେ କାହା ସହ କଥା ହେଉଛନ୍ତି ତାହା ମଧ୍ୟ ଜାଣିହେବ। ଏଥି ସହିତ ପିଲାମାନେ ଖୋଲିଥିବା ବିଭିନ୍ନ ୱେବ୍‌ସାଇଟ୍‌ର ଇତିହାସ ମଧ୍ୟ ଜାଣିହେବ। ନିଜ ସନ୍ତାନର ଅବସ୍ଥିତିକୁ ଠଉରାଇବା ସହ ତାହାର ଫୋନ୍‌ ବ୍ୟବହାରକୁ ମଧ୍ୟ କାଟ୍‌ଛାଟ କରିହେବ ଏବଂ କୌଣସି ଆପ୍‌ କିମ୍ବା ୱେବସାଇଟ୍‌କୁ ନିଷିଦ୍ଧ କରାଯାଇପାରିବ।

‘ଏମ୍‌ସ୍ପାଇ’ ଆପ୍‌ରେ ଜଣେ ଅଭିଭାବକ ନିଜ ଫୋନ୍‌ ମାଧ୍ୟମରେ ନିଜ ପୁଅ ବା ଝିଅ ତା’ର ଫୋନ୍‌ରେ ପଠାଉଥିବା ବା ଲିଭେଇ ଦେଇଥିବା ବାର୍ତ୍ତାଗୁଡ଼ିକ ଜାଣିପାରିବେ। ଏଥି ସହିତ ଫେସ୍‌ବୁକ୍‌, ସ୍ନାପ୍‌ଚାଟ୍‌ କି ହ୍ବାଟ୍‌ସଆପ୍‌ ପରି ସାମାଜିକ ଗଣମାଧ୍ୟମରେ ସନ୍ତାନର ଗତିବିଧିକୁ ମଧ୍ୟ ଲକ୍ଷ୍ୟ କରିହେବ। ଏହା ବାଦ୍‌ ଏହି ଆପ୍‌ ଦ୍ବାରା କୌଣସି ୱେବ୍‌ସାଇଟ୍‌ର ନିର୍ଦ୍ଦିଷ୍ଟ ବିଭାଗ ବା ବିଷୟବସ୍ତୁକୁ ମଧ୍ୟ ନିଷିଦ୍ଧ କରାଯାଇପାରିବ। ସନ୍ତାନ ଫୋନ୍‌ ଧରି କୌଣସି ନିର୍ଦ୍ଦିଷ୍ଟ ଇଲାକାର ସୀମା ଡେଇଁଲେ ସତର୍କ ସୂଚନା ବି ମିଳିପାରିବ।

‘ୟୁମୋବିକ୍ସ’ ଆପ୍‌ ଦ୍ବାରା ପିଲାଙ୍କ ଅଗୋଚରରେ ସେମାନଙ୍କ ଜିପିଏସ୍‌ ଟ୍ରାକିଂ କରିହେବ। ନିର୍ଦ୍ଦିଷ୍ଟ ସମୟ ଓ ନିର୍ଦ୍ଦିଷ୍ଟ ସ୍ଥାନରେ ଫୋନ୍‌ ବ୍ୟବହାରରେ କଟକଣା ଲଗାଯାଇପାରିବା ସହ ନିଜ ସନ୍ତାନର ଫୋନ୍‌ରୁ କୌଣସି ୱେବ୍‌ସାଇଟ୍‌ ବା ବିଷୟବସ୍ତୁକୁ ମଧ୍ୟ ନିଷିଦ୍ଧ କରାଯାଇପାରିବ। ସେହିପରି ପିଲାଙ୍କ ଅଜାଣତରେ ସେମାନଙ୍କର ସମସ୍ତ ବାର୍ତ୍ତାକୁ ମଧ୍ୟ ପଢ଼ିହେବ।

‘ଆଇଜି’ ହେଉଛି ଅନ୍ୟତମ ଆପ୍‌ ଯହିଁରେ ପିଲାମାନେ ପଠାଉଥିବା ଓ ପାଉଥିବା ବାର୍ତ୍ତାଗୁଡ଼ିକୁ ଗୋପନରେ ପଢ଼ିହେବ। ପିଲାମାନେ ଖୋଲିଥିବା ସବୁ ୱେବ୍‌ସାଇଟ୍‌ର ଇତିହାସ ମଧ୍ୟ ଜାଣିପାରି ସମୟୋଚିତ ଆକଟ କରିହେବ। ଏଥି ସହିତ ପିଲାଙ୍କ ପାଇଁ କୌଣସି ଅନ୍‌ଲାଇନ୍‌ ଖେଳ, ୱେବ୍‌ସାଇଟ୍‌ କି ବଷୟବସ୍ତୁକୁ ମଧ୍ୟ ନିଷିଦ୍ଧ କରିହେବ। ପିଲାଙ୍କ ତତ୍କାଳ ଅବସ୍ଥିତି ବାବଦରେ ଜାଣିପାରି ମନକୁ ଶାନ୍ତ କରାଯାଇପାରିବ।

‘ବାର୍କ’ ହେଉଛି ଅନ୍ୟତମ ନିରାପତ୍ତା ଆପ୍‌, ଯାହା ସାହାଯ୍ୟରେ ପିଲାଙ୍କର ଅନ୍‌ଲାଇନ୍‌ ଗତିବିଧି ଉପରେ ନଜର ରଖାଯାଇପାରିବା ସହ ନିୟନ୍ତ୍ରଣ ମଧ୍ୟ କରିହେବ। ଏଆଇ ଜ୍ଞାନକୌଶଳ ଉପଯୋଗରେ ଏହି ଆପ୍‌ ଦେଇପାରୁଥିବା ସତର୍କ ସୂଚନା ଆଧାରରେ ପିଲାମାନଙ୍କ ବାର୍ତ୍ତାରୁ ସେମାନଙ୍କର ଅବସାଦ, ଡ୍ରଗ୍‌ ବ୍ୟବହାର, ସାଇବର ଠକେଇର ଶିକାର ଓ ଅନ୍ୟାନ୍ୟ ସମ୍ଭାବ୍ୟ ଆଶଙ୍କା ବାବଦରେ ଜାଣିହେବ। ସେହିପରି ଏହା ଆଇମେସେଜ୍‌, ଏସ୍‌ଏମ୍‌ଏସ୍‌, ହ୍ବାଟ୍‌ସଆପ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ପରି ଯୋଗାଯୋଗ ମାଧ୍ୟମକୁ ନିରୀକ୍ଷଣ କରି ପିଲାଙ୍କ ଭାବବିନିମୟର ସ୍ଥିତି ବିଷୟରେ ଅଭିଭାବକ ଅବଗତ ହୋଇପାରିବେ। ଅନ୍ୟ ଆପ୍‌ ପରି ଏଥିରେ ମଧ୍ୟ ନିର୍ଦ୍ଦିଷ୍ଟ ୱେବ୍‌ସାଇଟ୍‌ କି ବିଷୟବସ୍ତୁକୁ ନିଷେଧ କରାଯାଇପାରିବ।