କେବଳ ଭାରତ ନୁହେଁ, ସମଗ୍ର ବିଶ୍ବେର ଜଣେ ସ୍ବନାମଧନ୍ୟ ପ୍ରତିରକ୍ଷା ରଣନୀତିକ ବିଶେଷଜ୍ଞ ଓ ଚିନ୍ତକ ଭାବେ ଓଡ଼ିଶାର ପ୍ରଫେସର୍ ଜଗନ୍ନାଥ ପଣ୍ଡା ବେଶ୍ ପରିଚିତ। ନିକଟରେ ଜାତୀୟ ସ୍ତରରେ ଭାରତର ପ୍ରତିରକ୍ଷା ରଣନୀତିକ ବିଶେଷଜ୍ଞ ଓ ଚିନ୍ତକମାନଙ୍କୁ ନେଇ େହାଇଥିବା ଏକ ସର୍ବେକ୍ଷଣରେ ବିଶ୍ବର ଶ୍ରେଷ୍ଠ ପାଞ୍ଚଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ସେ। ପରବର୍ତ୍ତୀ ପିଢ଼ିର ଭୂ-ପ୍ରତିରକ୍ଷା ଓ ରଣନୀତିକ ବିଶେଷଜ୍ଞ ତଥା ଚିନ୍ତକ ଭାବେ ଶ୍ରୀ ପଣ୍ଡା ୨୦୦୬ରୁ ୨୦୨୨ ପର୍ଯ୍ୟନ୍ତ ‘ମନୋହର ପାରିକର୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ଡିଫେନ୍ସ୍ ଷ୍ଟଡିଜ୍ ଆଣ୍ଡ୍ ଆନାଲିସିସ୍’ରେ ସାମରିକ ଓ ପ୍ରତିରକ୍ଷା ଗବେଷକ ଭାବେ ବରିଷ୍ଠ ନୀତିନିର୍ଦ୍ଧାରକ ରୂପେ କାର୍ଯ୍ୟ କରି ପ୍ରସିଦ୍ଧି ଅର୍ଜନ କରିବା ସହ ସଂପ୍ରତି ସ୍ବିଡେନ୍ସ୍ଥିତ ‘ଷ୍ଟକ୍େହାମ୍ ସେଣ୍ଟର୍ ଫର୍ ସାଉଥ୍ ଏସିଆନ୍ ଆଣ୍ଡ୍ ଇଣ୍ଡୋ ପାସିଫିକ୍ ଆଫେୟାର୍ସ’ର ମୁଖ୍ୟ ଭାବେ କାର୍ଯ୍ୟରତ। ନିକଟରେ ଓଡ଼ିଶା ଆସିଥିବା ବେଳେ ଶ୍ରୀ ପଣ୍ଡାଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଆମ ବରିଷ୍ଠ ପ୍ରତିନିଧି ବିଭୂତି ପତି
ଜଗନ୍ନାଥଙ୍କ ଜୟଯାତ୍ରା
ପ୍ରଫେସର୍ ଜଗନ୍ନାଥ ପଣ୍ଡା ବୃତ୍ତିଗତ କ୍ଷେତ୍ରରେ ସଫଳତାର ଶୀର୍ଷକୁ ଯିବା ସହ ଜଣେ ସ୍ତମ୍ଭକାର ଓ ବିଶ୍ଳେଷକ ଭାବେ ବହୁ ତଥ୍ୟମୂଳକ ପ୍ରବନ୍ଧ ରଚନା କରି ଖ୍ୟାତିଲାଭ କରିଛନ୍ତି। ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ପ୍ରଫେସର୍ ପଣ୍ଡାଙ୍କ ସ୍ତମ୍ଭ ‘ଦ ନେକ୍ସଟ୍ ପେଜ୍ ଅଫ୍ ଏସିଆ’ ବେଶ୍ ସୁନାମ ଅର୍ଜନ କରିଛି। ୨୦୨୫ରେ ପ୍ରଥମକରି ଆରମ୍ଭ ହୋଇଥିବା ‘ଷ୍ଟକ୍ହୋମ୍ ଫୋରମ୍ ଅନ୍ ହିମାଲୟ ଡାଏଲଗ୍’ର ସେ ପ୍ରତିଷ୍ଠାତା। ଦ ନ୍ୟାସ୍ନାଲ୍ ଇଣ୍ଟ୍ରେଷ୍ଟ୍, ଦ ଡିପ୍ଲୋମାଟ୍, ନିକ୍କେଇ ଏସିଅା, ଷ୍ଟିମ୍ସନ୍ ସେଣ୍ଟର୍ ୩୮ ନର୍ଥ ଭଳି ଅନେକ ଆନ୍ତର୍ଜାତିକ ପତ୍ରିକା ଓ ଜର୍ଣ୍ଣାଲ୍ରେ ପ୍ରକାଶିତ ଲେଖା ପାଇଁ ସେ ପୁରସ୍କୃତ ହୋଇଛନ୍ତି। ଦ ଷ୍ଟ୍ରାଟେଜିଷ୍ଟ୍, କୋରିଆ ଅନ୍ ପଏଣ୍ଟ୍, ଦ ଇଣ୍ଡିପେଣ୍ଡେନ୍ସ୍ (ୟୁକେ), ଏସିଆ ପାସିଫିକ୍ ବୁଲେଟିନ୍, ଦ ଷ୍ଟ୍ରେଟ୍ ଟାଇମ୍ (ସିଙ୍ଗାପୁର), ସାଉଥ୍ ଏସିଆନ୍ ଭଏସ୍ ଓ ପ୍ୟାକ୍ନେଟ୍ କମେଣ୍ଟ୍ରି ଭଳି ଗଣମାଧ୍ୟମରେ ତାଙ୍କ ଲେଖା ପାଇଁ ସେ ଅନେକ ପ୍ରଶଂସା ସାଉଁଟିଛନ୍ତି।
ପ୍ରଫେସର୍ ପଣ୍ଡାଙ୍କ ‘ଇଣ୍ଡିଆ-ଚାଇନା ରିଲେସନ୍ସିପ୍ ୨୦୧୭’ ଏବଂ ‘ଚାଇନା ପାଥ୍ ଟୁ ପାୱାର୍ ପାର୍ଟି ମିଲିଟାରି ଆଣ୍ଡ୍ ପଲିଟିକ୍ସ୍ ଅଫ୍ ଷ୍ଟେଟ୍ ଟ୍ରାନ୍ଜିସନ୍’ ଭଳି ପୁସ୍ତକ ବିଶ୍ବରେ ଆଦୃତ। ୨୦୨୫ର ‘ସ୍କେଲିଙ୍ଗ୍ ଇଣ୍ଡିଆ ଜାପାନ୍ କୋ-ଅପରେସନ୍ ଇନ୍ ଇଣ୍ଡୋ-ପାସିଫିିକ୍ ଆଣ୍ଡ୍ ବିୟଣ୍ଡ୍’ ତଥା ‘କୋରିଆନ୍ ପେନିନ୍ସୁଲା’ ଓ ‘ଇଣ୍ଡୋ-ପାସିଫିକ୍ ପାୱାର୍ ପଲିଟିକ୍ସ୍ ଷ୍ଟ୍ରେଟ୍ସ୍ ଷ୍ଟାଟସ୍ ସିକ୍ୟୁରିଟି’ ଭାରତ-ଜାପାନ୍-ଏସିଆ ତ୍ରିକୋଣୀୟତା ଏବଂ କୋରିଆ ଉପଦ୍ବୀପର ୨୦୩୨ର ଭବିଷ୍ୟତକୁ ନେଇ ତାଙ୍କର ବର୍ତ୍ତମାନର ପୁସ୍ତକ ଆଲୋଡ଼ନ ସୃଷ୍ଟି କରିଛି।
ଏସିଆନ୍ ପଲିଟିକ୍ସ୍ ଆଣ୍ଡ୍ ପଲିସି, ଜର୍ଣ୍ଣାଲ୍ ଅଫ୍ ଏସିଆନ୍ ଆଣ୍ଡ୍ ଆଫ୍ରିକାନ୍ ଷ୍ଟଡିଜ୍, ଏସିଆନ୍ ପର୍ସପେକ୍ଟିଭ୍, ଜର୍ଣ୍ଣାଲ୍ ଅଫ୍ କଣ୍ଟେମ୍ପରାରି ଚାଇନା ଓ ଷ୍ଟ୍ରାଟେଜିକ୍ ଆନାଲିସିସ୍ ଅନ୍ ଚାଇନା ରିପୋର୍ଟ, ରାଇଜିଂ ପାୱାର୍ସ, ଫ୍ଲେଚର୍ ସିକ୍ୟୁରିଟି ରିଭ୍ୟୁ, ପର୍ତ୍ତୁଗୀଜ୍ ଜର୍ଣ୍ଣାଲ୍ ଅଫ୍ ଇଣ୍ଟର୍ନ୍ୟାସନାଲ୍ ଆଫେୟାର୍ସ ଭଳି ପ୍ରଖ୍ୟାତ ପ୍ରତିରକ୍ଷା ଓ ସାମରିକ ଗବେଷଣା ପତ୍ରିକା ତାଙ୍କୁ ୨୦୨୩-୨୪ରେ ଅନେକ ପୁରସ୍କାରରେ ସମ୍ମାନିତ କରିଛନ୍ତି।
ସଙ୍ଗଳାଇଶାସନରୁ ସ୍ବିଡେନ୍
ଆନ୍ତର୍ଜାତୀକ ଖ୍ୟାତିସଂପନ୍ନ ପ୍ରତିରକ୍ଷା ଗବେଷକ ଓ ବିଶ୍ଳେଷକ ଜଗନ୍ନାଥ ପଣ୍ଡାଙ୍କ ଜନ୍ମ ପୁରୀ ଜିଲ୍ଲା ଗୁଡ଼ିଆପୋଖରୀସ୍ଥିତ ସଙ୍ଗଳାଇଶାସନ ଗ୍ରାମରେ। ସ୍ଥାନୀୟ ଗୋବିନ୍ଦପୁର ସ୍କୁଲରୁ ଶିକ୍ଷା େଶଷ କରି ସେ ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରୁ ଆଇ.ଏ. ଏବଂ ଭୁବନେଶ୍ବରର ବିଜେବି କଲେଜରୁ ରାଜନୀତି ବିଜ୍ଞାନ ଅନର୍ସରେ ବି.ଏ. ପାସ୍ କରନ୍ତି । ତା’ପରେ ଦିଲ୍ଲୀ ଚାଲିଯାଇ ଜେଏନ୍ୟୁରୁ ରାଜନୀତି ବିଜ୍ଞାନରେ ଏମ୍.ଏ. ପଢ଼ନ୍ତି। ଏହାପରେ ଇଣ୍ଟର୍ନ୍ୟାସନାଲ୍ ଷ୍ଟଡିଜ୍ରେ ଗବେଷଣା କରି ଡକ୍ଟରେଟ୍ ଉପାଧି ହାସଲ କରନ୍ତି। ଏହି ସମୟରେ ସେ ଚୀନ୍, ଭାରତ ଓ ପାକିସ୍ତାନ ସମେତ ଦକ୍ଷିଣଏସୀୟ ରାଷ୍ଟ୍ରମାନଙ୍କର ସାମରିକ ସଂପର୍କ ଓ କୂଟନୈତିକ ରାଜନୀତି ଅଧ୍ୟୟନରେ ମନୋନିବେଶ କରନ୍ତି। ପରବର୍ତ୍ତୀ ସମୟରେ ପ୍ରତିରକ୍ଷା ରଣନୀତିକ ବିଶେଷଜ୍ଞ ଭାବେ ଅଧିକ ଗବେଷଣା କରନ୍ତି। ଏହି ଗବେଷଣା ତାଙ୍କୁ ପିପିଲିରୁ ନେଇ ଆମେରିକା, ରୁଷ୍, ଜର୍ମାନ୍, ଫ୍ରାନ୍ସ୍ ଓ ସ୍ବିଡେନ୍ ଆଦି ଦେଶରେ ପରିଚିତ କରାଏ। ପ୍ରଫେସର ଜଗନ୍ନାଥ ପଣ୍ଡା ବର୍ତ୍ତମାନ ସ୍ବିଡେନ୍ରେ ‘ଷ୍ଟକ୍େହାମ୍ ସେଣ୍ଟର୍ ଫର୍ ସାଉଥ୍ ଏସିଆନ୍ ଆଣ୍ଡ୍ ଇଣ୍ଡୋ ପାସିଫିକ୍ ଆଫେୟାର୍ସ’ର ମୁଖ୍ୟ ଭାବେ କାର୍ଯ୍ୟରତ। ଏହାସହିତ ସେ ବିଶ୍ବର ଅନେକ ପ୍ରତିରକ୍ଷା ଓ ସାମରିକ ଗବେଷଣା ସଂସ୍ଥାନର ଭିଜିଟିଙ୍ଗ୍ ପ୍ରଫେସର ଭାବେ ଦାୟିତ୍ବ ନିର୍ବାହ କରିବା ସହିତ ୟୁରୋପ୍-ଏସିଆ ସାମରିକ ଗବେଷଣା ସହଯୋଗର ନିର୍ଦ୍ଦେଶକ ଏବଂ ନେଦରଲ୍ୟାଣ୍ଡ୍ସ୍ର ‘ହେଗ୍ ସେଣ୍ଟର୍ ଫର୍ ଷ୍ଟ୍ରାଟେଜିକ୍ ଷ୍ଟଡିଜ୍’ରେ ଜଣେ ବରିଷ୍ଠ ସାମରିକ ବିଶେଷଜ୍ଞ ଭାବେ ଅବସ୍ଥାପିତ। ଦୃଢ଼ ଇଚ୍ଛାଶକ୍ତି ଏବଂ ଗବେଷଣା ପ୍ରତି ଆଗ୍ରହ ଜଣେ ଶିକ୍ଷାର୍ଥୀକୁ ବହୁ ଉପରକୁ ନେଇଥାଏ। ଜଣେ ଗଁା ସ୍କୁଲ୍ରେ ପାଠପଢୁ କିମ୍ବା ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନରେ ଶିକ୍ଷାଗ୍ରହଣ କରୁ; ସଫଳତା ପାଇଁ ଏକାଗ୍ରତା ନିତାନ୍ତ ଆବଶ୍ୟକ ବୋଲି କହନ୍ତି ଜଗନ୍ନାଥ ପଣ୍ଡା।
ଚୀନ୍-ପାକିସ୍ତାନ ବନ୍ଧୁତା ଆମ ପାଇଁ ମୁଣ୍ଡବିନ୍ଧା !
ଚୀନ୍, ପାକିସ୍ତାନ ଓ ଭାରତର ବୈଦେଶିକ କୂଟନୀତି ତଥା ପ୍ରତିରକ୍ଷା ଓ ସାମରିକ ନୀତିକୁ ନେଇ ଚିନ୍ତାପ୍ରକଟ କରି ପ୍ରଫେସର୍ ଜଗନ୍ନାଥ ପଣ୍ଡା ମତ ଦିଅନ୍ତି, ‘‘ବିଗତ ୧୦ ବର୍ଷ ଧରି ଭାରତର ବିଦେଶ ଓ ସାମରିକ ନୀତିକୁ ସମୀକ୍ଷା କଲେ ଦେଖାଯିବ ଚୀନ୍ ଓ ପାକିସ୍ତାନ ଭାରତ ଉପରେ ସର୍ବଦା ଚାପ ହୋଇ ରହିଛନ୍ତି ଓ ରହିବେ। ଏହି ଦୁଇ ଦେଶ ହେଉଛନ୍ତି ଭାରତେର ସମସ୍ୟା ସୃଷ୍ଟିକାରୀ ଶତ୍ରୁ ରାଷ୍ଟ୍ର। ଏଥିପାଇଁ ଭାରତୀୟ ବୈଦେଶିକ ଓ ରଣନୀତିର ଚିନ୍ତାଶୀଳ ବିଶେଷଜ୍ଞ ଏହାକୁ ନେଇ ସବୁବେଳେ ନୀତି ନିର୍ଦ୍ଧାରଣ କରୁଛନ୍ତି। ବର୍ତ୍ତମାନ ଭାରତର ବୈଦେଶିକ ଓ ସାମରିକ ନୀତିର ସବୁଠାରୁ ବଡ଼ ସଫଳତା ହେଉଛି କୌଣସି ପରିସ୍ଥିତିରେ ଚୀନ୍ ଭାରତ ସହିତ ସାଲିସ ନ କରି ଚୀନ୍ର ଭାଷାରେ ତାକୁ ଜବାବ ଦେଉଛି। ପାକିସ୍ତାନ ପରିପ୍ରେକ୍ଷୀରେ ଯଦି ଆମେ ଦେଖିବା ଭାରତ ପାଇଁ ପାକିସ୍ତାନ ହେଉଛି ବର୍ତ୍ତମାନ ‘ଏ କଣ୍ଟ୍ରି ଅଫ୍ ପାଷ୍ଟ୍’। କିନ୍ତୁ ଚୀନ୍-ପାକିସ୍ତାନର ମଧୁର ସଂପର୍କ ଭାରତର ବୈଦେଶିକ ଓ ସାମରିକ ନୀତି ପାଇଁ ଆହ୍ବାନ ପାଲଟିଛି। କାରଣ, ଚୀନ୍ ଆମର ମୁଖ୍ୟ ବୈଦେଶିକ, ସାମରିକ ଓ ବ୍ୟାବସାୟିକ ପ୍ରତିଦ୍ବନ୍ଦ୍ବୀ। ତେଣୁ ଚୀନ୍ ଓ ପାକିସ୍ତାନ ବନ୍ଧୁତାକୁ ନେଇ ବର୍ତ୍ତମାନ ସାମରିକ ରଣକୌଶଳ ଓ ବୈଦେଶିକ ନୀତି ପ୍ରସ୍ତୁତ ହେଉଛି।’’
ଚୀନ୍ ଓ ପାକିସ୍ତାନ ଭାରତ ଉପରେ ସର୍ବଦା ଚାପ ହୋଇ ରହିଛନ୍ତି ଓ ରହିବେ। ଏହି ଦୁଇ ଦେଶ ହେଉଛନ୍ତି ଭାରତେର ସମସ୍ୟା ସୃଷ୍ଟିକାରୀ ଶତ୍ରୁ ରାଷ୍ଟ୍ର। ଏଥିପାଇଁ ଭାରତୀୟ ବୈଦେଶିକ ଓ ରଣନୀତିର ଚିନ୍ତାଶୀଳ ବିଶେଷଜ୍ଞ ଏହାକୁ ନେଇ ସବୁବେଳେ ନୀତି ନିର୍ଦ୍ଧାରଣ କରୁଛନ୍ତି।
ପାକିସ୍ତାନ ରାସ୍ତାରେ ଯାଉଛି ବାଂଲାଦେଶ; ଭାରତ ଲାଗି ହୋଇପାରେ ବିପଦ
ଜଗନ୍ନାଥ ପଣ୍ଡାଙ୍କର ବର୍ତ୍ତମାନର ଗବେଷଣା ମୁଖ୍ୟତଃ ଭାରତ-ପ୍ରଶାନ୍ତ ମହାସାଗରୀୟ ଶକ୍ତି (ଚୀନ୍, ଜାପାନ୍, ଦକ୍ଷିଣ କୋରିଆ, ୟୁରୋପୀୟ ସଂଘ) ଚୀନ୍-ଭାରତ ସଂପର୍କ, ଚୀନ୍ ଓ ନାଟୋ ଓ ଭାରତ-ପ୍ରଶାନ୍ତ ମହାସାଗରରେ ୟୁରୋପୀୟ ସଂଘ ସହିତ ଭାରତର ସଂପର୍କ ଉପରେ କେନ୍ଦ୍ରିତ। ଏହି ପରିପ୍ରେକ୍ଷୀରେ ବାଂଲାଦେଶର ବର୍ତ୍ତମାନର ସ୍ଥିତିକୁ ନେଇ ଜଗନ୍ନାଥ ପଣ୍ଡା କହନ୍ତି, ‘‘ଦକ୍ଷିଣ ଏସିଆ ରାଷ୍ଟ୍ରସମୂହ ପାଇଁ ବାଂଲାଦେଶର ଅସ୍ଥିରତା ଏକ ବଡ଼ ସୁରକ୍ଷା ଆହ୍ବାନ ଭାବେ ମୁଣ୍ଡ ଟେକୁଛି। ବାଂଲାଦେଶର ସାଂପ୍ରତିକ ଦୃଶ୍ୟପଟ ଗୋଟିଏ ସୁରକ୍ଷିତ ଭବିଷ୍ୟତ ଦକ୍ଷିଣ ଏସିଆ ରାଷ୍ଟ୍ରସମୂହରେ ସୃଷ୍ଟି କରିବନାହିଁ। ସେଠାରେ କଠୋରପନ୍ଥୀ ଇସ୍ଲାମୀୟ ସଂଗଠନର ସକ୍ରିୟତା ସ୍ପଷ୍ଟ ପ୍ରମାଣ କରିଦେଉଛି ଯେ ଭବିଷ୍ୟତରେ ବାଂଲାଦେଶ ପାକିସ୍ତାନ ରାସ୍ତାରେ ଯିବାକୁ ଉଦ୍ୟତ। ସେଠାକାର ଅସ୍ଥାୟୀ ସରକାର ମୌଳବାଦୀ ଇସ୍ଲାମିକ୍ ଧାର୍ମିକ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେଉଛି। ଏଥିପାଇଁ ଭାରତର ସାମରିକ ଓ ବୈଦେଶିକ କୂଟନୀତି ନିଶ୍ଚିତ ଆହ୍ବାନର ସମ୍ମୁଖୀନ ହେବ।’’
ରୁଷ୍ ସହ ବନ୍ଧୁତ୍ବ ରହିବ, ଆମେରିକା ସହ ସଂପର୍କ ଆଗକୁ ବଢ଼ିବ
ବିଶ୍ବର ଦୁଇ ପ୍ରମୁଖ ଶକ୍ତି ଆମେରିକା ଓ ରୁଷ୍ ସହ ଭାରତର ସଂପର୍କ ନେଇ ପ୍ରଫେସର୍ ପଣ୍ଡା କହନ୍ତି, ‘‘ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କ ଦ୍ବିତୀୟ ପାଳିରେ ଭାରତ-ଆମେରିକାର ସାମରିକ, ବୈଦେଶିକ ଓ ବ୍ୟାବସାୟିକ ସୁ-ସଂପର୍କ ଅନେକ ପ୍ରସଙ୍ଗ ଉପରେ ନିର୍ଭରଶୀଳ। ବର୍ତ୍ତମାନ ଭିସା ପ୍ରସଙ୍ଗରେ ଟ୍ରମ୍ପ୍ଙ୍କ ଆଭିମୁଖ୍ୟ ଭାରତ-ଆମେରିକାର ସଂପର୍କକୁ ଟିକିଏ ତିକ୍ତ କରିଛି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତକୁ ଆମେରିକା କେତେ ଗୁରୁତ୍ବ ଦେଉଛି ତାହା ମଧ୍ୟ ସଂପର୍କର ଏକ ମାଧ୍ୟମ ପାଲଟିବ। ତେବେ ଭାରତ ଦୀର୍ଘବର୍ଷ ହେବ ଯୁକ୍ତରାଷ୍ଟ୍ର ଆମେରିକାଠାରୁ ନିଜର ସାମରିକ ସ୍ଥିତିକୁ ସୁଦୃଢ଼ କରିବାକୁ ‘କ୍ରିଟିକାଲ୍ ଟେକ୍ନୋଲଜି’ ପାଇବାକୁ ଅପେକ୍ଷା କରିଛି। ଅବଶ୍ୟ ଟ୍ରମ୍ପ୍-୦୧ରେ ଭାରତ-ଆମେରିକା ସାମରିକ ସଂପର୍କ ବେଶ୍ ସୁଦୃଢ଼ ହୋଇଥିଲା। କିନ୍ତୁ ଟ୍ରମ୍ପ୍-୦୨ରେ ଭାରତ-ଆମେରିକାର ସୁ-ସଂପର୍କ ମୁଖ୍ୟତଃ ‘କ୍ରିଟିକାଲ୍ ଟେକ୍ନୋଲଜି’ ପାଇବା ଉପରେ ଯଥେଷ୍ଟ ନିର୍ଭର କରୁଛି। ସେହିପରି ଯଦି ଆମେ ରୁଷ୍ ପରିପ୍ରେକ୍ଷୀରେ କହିବା, ତେବେ କୌଣସି ପରିସ୍ଥିତିରେ ଭାରତ ଓ ରୁଷ୍ର ବନ୍ଧୁତ୍ବ ପ୍ରଭାବିତ ହେବ ନାହିଁ। ଏହା ଏକ ଚିରସ୍ଥାୟୀ ସଂପର୍କ ଭାବେ ଅତୀତରୁ ରହିଆସିଛି ଏବଂ ଭବିଷ୍ୟତରେ ଜାରି ରହିବ। ଯଦିଓ ରୁଷ୍-ୟୁକ୍ରେନ୍ ଯୁଦ୍ଧର ପରିସମାପ୍ତି ଘଟିବ; କିନ୍ତୁ ଏହା ସ୍ଥାୟୀ ଶୀତଳ ଯୁଦ୍ଧ ହୋଇ ରହିବ। ଆଞ୍ଚଳିକ ସାର୍ବଭୌମତ୍ବ ଲାଗି ଯୁଦ୍ଧ ହୋଇଥିବାରୁ ଏହାର ସମାଧାନ ନାହିଁ। ’’