ନୂଆଦିଲ୍ଲୀ: ଚୀନର ଏକ କମ୍ପାନିକୁ ଫାଇଦା ମିଳିବାରୁ ଦୁଇ ଅଧିକାରୀ ନିଜ କର୍ମଚାରୀଙ୍କୁ ଏକ ଅଦ୍ଭୁତ ଶୈଳୀରେ ସମ୍ମାନ କରିଛନ୍ତି। ଦୁଇ ଅଧିକାରୀ ସେମାନଙ୍କ କର୍ମଚାରୀଙ୍କୁ ମଞ୍ଚକୁ ଡାକି ସେମାନଙ୍କ ପାଦ ଧୋଇଥିଲେ। କମ୍ପାନିର ପ୍ରେସିଡେଣ୍ଟ ଓ ଜଣେ ମହିଳା ଅଧିକାରୀ ନଭେମ୍ବର ୨ରେ କର୍ମଚାରୀଙ୍କୁ ସେମାନଙ୍କ ଭଲ କାମ ପାଇଁ ଏଭଳି ଭାବେ ସମ୍ମାନିତ କରିଛନ୍ତି।
ଚୀନର ଏକ କସମେଟିକ୍ କମ୍ପାନିକୁ ଚଳିତ ବର୍ଷ ଫାଇଦା ହୋଇଛି। କମ୍ପାନି ଏଥିପାଇଁ ଏକ ପାର୍ଟିର ଆୟୋଜନ କରିଥିଲା। ଯେଉଁଠାରେ କମ୍ପାନି ମାଲିକ ୮ଜଣ କର୍ମଚାରୀଙ୍କ ପାଦ ଧୋଇ ସେମାନଙ୍କୁ ସମ୍ମାନିତ କରିଥିଲେ। ସୋସିଆଲ ମିଡିଆରେ ଏହି ଘଟଣାର ଫଟୋ ଓ ଭିଡିଓ ଖୁବ୍ ଭାଇରାଲ ହୋଇଛି। କମ୍ପାନି ଟପ୍ ସେଲ୍ସ ଷ୍ଟାଫ୍ଙ୍କୁ ମଞ୍ଚକୁ ଡକାଇ ଚୌକିରେ ବସାଇ ସେମାନଙ୍କ ଜୋତା ଓ ମୋଜା ଓହ୍ଲାଇ ପାଦ ଧୋଇଥିଲେ। ଏହି କର୍ମଚାରୀ କମ୍ପାନିର ସାମଗ୍ରୀର ନିଶ୍ଚିତ ହୋଇଥିବା ଲକ୍ଷ୍ୟରୁ ଅଧିକ ବିକ୍ରି କରିଥିଲେ। ଏହା ଦ୍ୱାରା କମ୍ପାନିକୁ ଫାଇଦା ବି ହୋଇଛି।
କମ୍ପାନିର ମାଲିକଙ୍କ କହିବାନୁସାରେ, କର୍ମଚାରୀଙ୍କୁ ଆଓ୍ଵାର୍ଡ ଅଫ ଦ ଇୟର ସମସ୍ତ କମ୍ପାନି ଦେଇଥାଆନ୍ତି। କିନ୍ତୁ ଭଲ କାମ କରୁଥିବା କର୍ମଚାରୀଙ୍କ ପ୍ରତି ଆମର ଏଭଳି ପ୍ରୟାସ କର୍ମଚାରୀଙ୍କୁ ଆଗକୁ ସେଭଳି ଭଲ କାମ କରିବାର ପ୍ରେରଣା ଯୋଗାଇବ।