ଚୀନ୍‌ର ହେଫେଇ ସ୍ଥିତ ଚୀନ୍‌ ବିଜ୍ଞାନ ଓ ପ୍ରଯୁକ୍ତି ବିଶ୍ବବିଦ୍ୟାଳୟର ଗବେଷକମାନେ ନିକଟରେ ଏଭଳି ଏକ କ୍ବାଣ୍ଟମ୍‌ ପ୍ରସେସିଂ ୟୁନିଟ୍‌ (କ୍ୟୁପିୟୁ) ବିକଶିତ କରିଛନ୍ତି, ଯାହା ବିଶ୍ବର ସବୁଠୁ ଶକ୍ତିଶାଳୀ ସୁପରକମ୍ପ୍ୟୁଟର ଅପେକ୍ଷା ଶହେ ନିୟୁତ କୋଟି (୧୦ର ୧୫ ଘାତ) ବା ଏକ କ୍ବାଡ୍ରିଅନ୍‌ ଗୁଣ ଦ୍ରୁତତର ବୋଲି ଦାବି କରାଯାଉଛି। ‘ଜୁକୋଙ୍ଗଝି ୩.୦’ ନାମକ ଏହି ୧୦୫-କ୍ୟୁବିଟ୍‌ ଚିପ୍‌ରେ ସୁପରକଣ୍ଡକ୍ଟିଙ୍ଗ୍‌ କ୍ୟୁବିଟ୍‌ସ ବ୍ୟବହୃତ ହୋଇଛି, ଯାହା କ୍ବାଣ୍ଟମ୍‌ କମ୍ପ୍ୟୁଟିଂ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି। ଗତ ଡିସେମ୍ବର ମାସରେ ଗୁଗଲ୍ ଦ୍ବାରା ନିର୍ମିତ କମ୍ପ୍ୟୁଟର ‘ଵିଲୋ କ୍ୟୁପିୟୁ’ର କାର୍ଯ୍ୟଦକ୍ଷତାକୁ ବୈଜ୍ଞାନିକମାନେ ସର୍ବୋତ୍ତମ କ୍ବାଣ୍ଟମ୍‌ ପ୍ରଦର୍ଶନ ବୋଲି ସ୍ବୀକାର କରିଥିବା ବେଳେ ‘ଜୁକୋଙ୍ଗଝି ୩.୦’ ତାହାଠାରୁ ଏକ ନିୟୁତ ଗୁଣ ଅଧିକ ଦ୍ରୁତତର।

Advertisment

ଏହା ଏକ ୩୨ ସ୍ତରୀୟ ୮୩-କ୍ବିବିଟ୍‌ ରାଣ୍ଡମ୍‌ ସର୍କିଟ୍‌ ସାମ୍ପଲିଂ(ଆର୍‌ସିଏସ୍‌) କାର୍ଯ୍ୟକୁ କେଇ ସେକେଣ୍ଡ୍‌ରେ ପୂରା କରିଦେଇପାରୁଛି। ସେହିପରି ବିଶ୍ବର ଦ୍ବିତୀୟ ଦ୍ରୁତତମ ସୁପରକମ୍ପ୍ୟୁଟର ‘ଫ୍ରଣ୍ଟିଅର’କୁ ସମାନ କାର୍ଯ୍ୟ କରିବା ପାଇଁ ୫୯୦ କୋଟି ବର୍ଷ ଲାଗିଯିବ ବୋଲି ଗଣନା କରାଯାଇଛି। ଏଥିରୁ ‘ଜୁକୋଙ୍ଗଝି ୩.୦’  କେତେ ଦ୍ରୁତକ୍ଷମ, ତାହା ସହଜରେ ଅନୁମେୟ। ଚୀନୀ ବୈଜ୍ଞାନିକମାନଙ୍କ କହିବାନୁସାରେ, ଏହି ଉଦ୍ୟମ କେବଳ କ୍ବାଣ୍ଟମ୍‌ କମ୍ପ୍ୟୁଟିଂର ସୀମାକୁ ପରିବ୍ୟାପ୍ତ କରିନାହିଁ, ବରଂ ଏଥି ସହିତ ଏକ ନୂତନ ଯୁଗର ମୂଳଦୁଆ ପକାଇଛି, ଯେଉଁଠି କ୍ବାଣ୍ଟମ୍‌ ପ୍ରସେସରଗୁଡ଼ିକ ବାସ୍ତବ-ବିଶ୍ବ ଆହ୍ବାନର ମୁକାବିଲାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ।