ନୂଆଦିଲ୍ଲୀ: ବାପା ଓ ମା’ମାନେ ନିଜନିଜ ସନ୍ତାନମାନଙ୍କୁ ‌ଯେମିତି ଶିକ୍ଷା ଦେଇଥାଆନ୍ତି ପିଲମାନେ ବଡ଼ ହେବାପରେ ସେଭଳି ବ୍ୟବହାର ଦେଖାଇଥାଆନ୍ତି। କିଛିଟା ବାପା ଓ ମା’ମାନେ ନିଜ ପିଲାର ସମସ୍ତ ଦୋଷ ଓ ତ୍ରୁଟିକୁ ଅଣଦେଖା କରି ଦେଇଥାଆନ୍ତି। ଆଉ କିଛି ବାପା ଓ ମା’ମାନେ ନିଜର ପିଲାଙ୍କୁ ସ୍ନେହ କରିବା ସହିତ ସେମାନଙ୍କୁ ଭୁଲ କଲେ ଆକଟ କରି ଠିକ ବାଟ ଦେଖାଇଥାଆନ୍ତି।

Advertisment

ନିକଟରେ ଚୀନରୁ ଏକ ପ୍ରେରଣାଦାୟକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଦମ୍ପତି ନିଜର ପିଲାକୁ ଉଚିତ ଶିକ୍ଷା ଦେବା ପାଇଁ ଦେଇଥିବା ଦଣ୍ଡ ଚର୍ଚ୍ଚାରେ ରହିଛି।

ଚୀନରେ ଜଣେ ୮ବର୍ଷର ଶିଶୁ ରାସ୍ତାରେ ଗୀତ ଗାଇ ଗିଟାର ବଜାଇ ଟଙ୍କା ଏକାଠି କରୁଛି। ଉକ୍ତ ଶିଶୁ ନିକଟରେ ଏକ ପୋଷ୍ଟ ଲଗାଯାଇଛି। ଯେଉଁଥିରେ ଲେଖାହୋଇଛି, ‘ମୁଁ ସ୍କୁଲର କାନ୍ଥ ଅପରିଷ୍କାର କରିଥିଲି। ତେଣୁ ଜରିମାନା ସ୍ବରୂପ ସ୍କୁଲ ୩,୫୦୦ଟଙ୍କା ଦେବାକୁ ମୋ ବାପା ଓ ମା’ଙ୍କୁ ନୋଟିସ ପଠାଇଥିଲା। ଏହି ଜରିମାନା ଟଙ୍କା ଏକାଠି କରିବାକୁ ମୋର ଏ ପ୍ରତିଭା ଦେଖାଉଛି। ’

ଏହି ଘଟଣାକୁ ନେଇ ଶିଶୁ ବାପା ହୁଆଙ୍ଗ କହିଛନ୍ତି, ‘ମୋ ପୁଅ ସ୍କୁଲ‌ରେ ନୂଆକରି ରଙ୍ଗ ହୋଇଥିବା କାନ୍ଥକୁ ଅପରିଷ୍କାର କରି ଦେଇଥିଲା। ଏହାପରେ ସ୍କୁଲ କର୍ତ୍ତୁପକ୍ଷଙ୍କ ନିକଟରୁ ଆମ ପାଖକୁ ୩୫୦୦ଟଙ୍କା ପୈଠ କରିବାର ନୋଟିସ ଆସିଥିଲା।

ଏହି ଟଙ୍କା ପୈଠ ପାଇଁ ଆମର ଯତେଷ୍ଟ ସାମର୍ଥ ଥିଲ। କିନ୍ତୁ ଯଦି ଏହି ଟଙ୍କା ଆମେ ଦେଇ ଦେଇଥାଆନ୍ତୁ ପୁଅ ତାର ଦୋଷ କ’ଣ ଜାଣି ପାରି ନଥାଆନ୍ତା। ତେଣୁ ତାକୁ ତାର ଦୋଷ ସହିତ ଟଙ୍କା ରୋଜଗାର କରିବା କେତେ କଷ୍ଟ ତାହା ଜଣାଇବା ପାଇଁ ମୁଁ ଏକ ନିଷ୍ପତ୍ତି ନେଇଥିଲି।

ମୁଁ ପୁଅକୁ କହିଥିଲି ସ୍କୁଲ ଯେତିକି ଟଙ୍କା ପୈଠ କରିବାକୁ କହିଛି ତାହା ତୁ ନିଜେ ଯୋଗାଡ଼ କରିବୁ। ଏଥିପାଇଁ ତତେ ରାସ୍ତାରେ ଗିଟର ବଜାଇ ଗୀତ ଗାଇବାକୁ ହେବ। ଯେତେଦିନ ପର୍ଯ୍ୟନ୍ତ ତୁ ୩୫୦୦ଟଙ୍କା ସଂଗ୍ରହ କରିନାହିଁ ତୁ ସେପରି କରୁଥିବ। ପୁଅ ବି ମୋ କଥାରେ ରାଜି ହୋଇଯାଇଥିଲା। ତିନିଦିନରେ ସେ  ତାର ପ୍ରତିଭା ଜରିଆରେ ୩୫୦୦ଟଙ୍କାରୁ ଅଧିକ ଟଙ୍କା ରୋଜଗାର କରିବା ସହିତ ନିଜର ଦୋଷ ବୁଝି ସାରିଥିଲା।

ମୋର ବିଶ୍ବାସ ସେ ଆଗକୁ ଏପରି ଭୁଲ କଦାପି କରିବ ନାହିଁ। ପିଲାଙ୍କୁ ତାଙ୍କ ଦୋଷ ତ୍ରୁଟି ଜଣାଇ ବଡ଼ କରିବା ଦ୍ବାରା ଭବିଷ୍ୟତରେ ସେମାନେ ଜଣେ ଭଲ ମଣିଷଟିଏ ‌ହୋଇ ପାରି ଥାଆନ୍ତି। ’