ଗୋଲାପୀ ଏବଂ ଶାଗୁଆ ଦିଶୁଛି ଚୀନ୍‌ର ‘ମୃତ ସାଗର’

ନୂଆଦିଲ୍ଲୀ: ଦେଶର ‘ମୃତ ସାଗର’ ରୂପେ ପରିଚିତ ଚୀନ୍‌ର ସାଙ୍ଗ୍‌ଜି ପ୍ରଦେଶର ସମ୍ପୂର୍ଣ୍ଣ ସ୍ଥଳଭାବରେ ଥିବା ଏକ ଲବଣହ୍ରଦର ଜଳ ଅବିଶ୍ୱସନୀୟ ଭାବେ ଗୋଲାପୀ ଏବଂ ଶାଗୁଆ ପାଲଟି ଯିବାରୁ ସେଠାରେ ପର୍ଯ୍ୟଟକମାନଙ୍କ ଗହଳି ଲାଗିଛି।

୫୦୦ ନିୟୁତ ବର୍ଷ ପୁରୁଣା ୟୁନ୍‌ଚେଙ୍ଗ୍‌ ହ୍ରଦର ଗୋଟିଏ ପାଖ ଶାଗୁଆ ଏବଂ ଆର ପାଖଟି ଗୋଲାପୀ ଦିଶୁଛି। ହ୍ରଦ ପାଇଁ ଏହା ଏକ ସ୍ୱାଭାବିକ ଘଟଣା। ଏକ ପ୍ରକାର ଶୈବାଳ କୁହାଯାଉଥିବା ଅଣୁଜୀବ ‘ଡୁନାଲାଇଲା ସାଲିନା’ରୁ ବାହାରୁ ଥିବା ରାସାୟନିକ ପଦାର୍ଥ ଯୋଗୁଁ ୧୨୦ ବର୍ଗ କିଲୋମିଟରବିଶିଷ୍ଟ ହ୍ରଦର ଗୋଟିଏ ପଟ ଉଜ୍ଜ୍ୱଳ ଗୋଲାପୀ ଏବଂ ଆର ପଟ ଗାଢ଼ ଶାଗୁଆ ପାଲଟି ଯାଉଛି।

ହ୍ରଦରେ ଏ ଦୁଇଟି ରଙ୍ଗ ବହୁ ବର୍ଷ ଧରି ରହୁଛି। କେବଳ ଶୀତଦିନେ ହ୍ରଦ ଶୁଖି ଆସୁଥିବାରୁ ଏଥିରୁ ରଙ୍ଗ ଉଭେଇ ଯାଏ। ସୋଡିୟମ୍‌ ସଲଫେଟ୍‌ ଥିବା ବିଶ୍ୱର ତିନୋଟି ସ୍ଥଳଭାଗ ହ୍ରଦ ମଧ୍ୟରେ ୟୁନ୍‌ଚେଙ୍ଗ୍‌ ହ୍ରଦ ଅନ୍ୟତମ।

ଏକା ଶିଉଳି ଯୋଗୁଁ ରକ୍ତବର୍ଣ୍ଣ ଧାରଣ କରି ଗତବର୍ଷ ଏହି ହ୍ରଦ ଆଲୋଚ୍ୟ ବିଷୟ ହୋଇଥିଲା। ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ହଜାର ହଜାର ଅନିସନ୍ଧିତ୍ସୁ ପର୍ଯ୍ୟଟକ ଆସିଥିଲେ।

 

ସମ୍ବନ୍ଧିତ ଖବର