ଖଗଡ଼ିଆ: ଆପଣ ନିଶ୍ଚିତ ଭାବରେ ଦୈନିକ ଖବରକାଗଜ ଓ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ଭାରତ ଏବଂ ଚୀନ୍ ସୀମାରେ ଶତ୍ରୁତାର ଖବର ଦେଖିଥିବେ ଏବଂ ଶୁଣିଥିବେ। ହେଲେ ଚୀନର ଯୁବତୀ ଓ ଭାରତୀୟ ଯୁବକଙ୍କ ପ୍ରେମ କାହାଣୀ ଦୁଇ ଦେଶ ମଧ୍ୟରେ ଥିବା ଶତ୍ରୁତାକୁ ଫିକା କରି ଦେଇଛି ଯେପରି। ପୂର୍ବରୁ ବି ଦେଶକୁ ଅନେକ ବିଦେଶିନୀ ବୋହୂ ମିଳିଛନ୍ତି। ଭାରତୀୟ ଯୁବକଙ୍କ ପ୍ରେମରେ ପଡ଼ି ଅନେକ ବିଦେଶିନୀ ନିଜ ଦେଶ ଛାଡ଼ି ଭାରତ ଆସିବାର ଉଦାହରଣ ରହିଛି।

Advertisment

ଆମେ କହୁଛୁ ଜଣେ ବିବାରୀ ବାବୁ ରାଜୀବ ଓ ଚାଇନିଜ୍‌ ବୋହୂ ଲୁଇ ଡାନଙ୍କ ବିଷୟରେ। ଯିଏକି ପ୍ରେମ ପାଇଁ ଦେଶ-ଦେଶ ମଧ୍ୟର ଶତ୍ରୁତା ଭୁଲି ବିବାହ ପରି ଏକ ବଡ଼ ବନ୍ଧନରେ ବାନ୍ଧି ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଖଗଡ଼ିଆ ଜିଲ୍ଲାର ବବୁଆଗଞ୍ଜର ଯୁବକ ରାଜୀବ କୁମାର ଗତ ୧୦ ବର୍ଷ ଧରି ଚୀନରେ ରହୁଥିଲେ। ରାଜୀବ କହିଛନ୍ତି ଯେ ସେ ଚୀନର ଭାଷା, ସାହିତ୍ୟ ଏବଂ ସାଂସ୍କୃତିକ ଅଧ୍ୟୟନରେ ମାଷ୍ଟର ଡିଗ୍ରୀ ପଢ଼ିଛନ୍ତି। ଏହି ସମୟ ମଧ୍ୟରେ ଚୀନର ରାଜଧାନୀ ବେଜିଂର ବାସିନ୍ଦା ଲୁଇ ଡାନ୍ ମଧ୍ୟ ସେହି କଲେଜରେ ପାଠ ପଢୁଥିଲେ। ଉଭୟ ଅଧ୍ୟୟନ ସମୟରେ ପ୍ରେମରେ ପଡ଼ିଥିଲେ।

ଯେତେବେଳେ ସେମାନଙ୍କ ମଧ୍ୟରେ ପ୍ରେମ ବଢ଼ିଗଲା। ସେମାନେ ଏହି ସଂପର୍କକୁ ଏକ ନାମ ଦେବାକୁ ଚିନ୍ତା କ‌ଲେ। ତା’ପରେ ଦୁହେଁ ନିଜ ନିଜ ପରିବାର ସଦସ୍ୟଙ୍କୁ ବିବାହ ପାଇଁ ରାଜି କରାଇଲେ। ଚୀନର ଯୁବତୀଙ୍କ ସହ ବିବାହ ବିଷୟରେ ଶୁଣିବା ପରେ ରାଜୀବଙ୍କ ପରିବାର ସଦସ୍ୟ ପ୍ରଥମେ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ତେବେ ସେ ନିଜ ପୁଅର ସୁଖ ପାଇଁ ତାଙ୍କ ସମ୍ମତି ଦେଇଥିଲେ। ସେହିପରି ବେଜିଂର ବାସିନ୍ଦା ଲୁଇ ଡେନ ତାଙ୍କ ପରିବାର ଏବଂ କିଛି ବିଶେଷ ବ୍ୟକ୍ତିଙ୍କ ସହ ସୋମବାର ଖଗଡ଼ିଆ ପହଞ୍ଚିଥିଲେ। ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ଦୁହିଁଙ୍କ ବିବାହ ହୋଇଛି।