ଯୁବକଙ୍କ ମସ୍ତିଷ୍କରେ ୧୭ବର୍ଷ ଧରି ରହିଥିବା ପୋକକୁ ସୁରକ୍ଷିତ ଅସ୍ତ୍ରୋପଚାର କରି ବାହାର କଲେ ଡାକ୍ତର

ନୂଆଦିଲ୍ଲୀ: ଚାଇନାର ଜଣେ ବ୍ୟକ୍ତିଙ୍କ ମସ୍ତିଷ୍କରୁ ଏକ ୫ ଇଞ୍ଚର ପୋକ ବାହାରିଛି। ଏହି ପୋକଟି ତାଙ୍କ ମୁଣ୍ଡରେ ଗତ ୧୭ବର୍ଷ ହେଲା ରହିଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ୬ ବର୍ଷ ବୟସରେ ତାଙ୍କ ଗୋଡ଼ ଅଚଳ ହୋଇଯାଇଥିଲା। ତେଣୁ ଚିକିତ୍ସା ପାଇଁ ପରିବାରଲୋକ ତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ। ଚିକିତ୍ସା ପରେ ଡାକ୍ତର କହିଥିଲେ ଶିଶୁଟି ସାପ କିମ୍ବା ସିଝି ନଥିବା ମାଂସ ଖାଇଥିବାରୁ ସଂକ୍ରମଣ ହୋଇଯାଇଛି। ଦୀର୍ଘ ୧୭ବର୍ଷ ପରେ ବ୍ୟକ୍ତିଙ୍କ ମସ୍ତିଷ୍କରେ ପୋକ ଥିବା ଜଣାପଡ଼ିଥିବା ପରେ ଗତ ମଙ୍ଗଳବାର ଚାଇନାର ଜିଆଙ୍ଗସୁ ଅନ୍ତର୍ଗତ ଏକ ଡାକ୍ତରଖାନାରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ପୋକ ବାହାର କରାଯାଇଥିଲା।

ପିଲାଦିନରେ ହାତ ଏବଂ ପାଦ ସମସ୍ୟା ଭୋଗିବା ପରେ ଚେନ୍‌ଙ୍କ ଅନୁଭବ ହୋଇଥିଲା ତାଙ୍କର ପିତାମାତାଙ୍କ ପରି ତାଙ୍କର ଜନ୍ମଗତ‌ ସମସ୍ୟା ଅଛି। କିନ୍ତୁ ସିଟି ସ୍କାନ୍‌ ପରେ ଡାକ୍ତରମାନେ ତାଙ୍କ ମସ୍ତିଷ୍କରେ ଏକ ପୋକ ଥିବା କହିଥିଲେ। ଏହି ରୋଗର ନାମ ସ୍ପାରଗାନୋସି ମାନସୋନି ବୋଲି କୁହାଯାଏ। ଯାହା ଏକ ବିରଳ ପାରାସିଟିକ ବ୍ୟାଧି ଅଟେ । ତେବେ ଏହି ସଂକ୍ରମଣ କିପରି ହେଲା ତାହା ଏଯାବତ ସ୍ପଷ୍ଟ ହୋଇ ପାରି ନାହିଁ।

ଡାକ୍ତରଙ୍କ କହିବାନୁସାରେ, ଏଭଳି ସଂକ୍ରମଣ ଅପରିଷ୍କାର ପାଣି ପିଇବା, ସିଝି ନଥିବା ମାଂସ ଖାଇବା ଦ୍ୱାରା ହୋଇଥାଏ। ଅସ୍ତ୍ରୋପଚାର ପରେ ଚେନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଅସ୍ତ୍ରୋପଚାର ପରେ ଚେନ୍‌ଙ୍କ ମସ୍ତିଷ୍କରୁ ବାହାରିଥିବା ଏହି ପୋକଟି ୫ ଇଞ୍ଚ ଆକାରର ଥିଲା । ୧୭ ବର୍ଷ ପର୍ଯ୍ୟନ୍ତ ମସ୍ତିଷ୍କରେ ଏଭଳି ପୋକ ସହିତ ଜଣେ ଜୀବିତ ରହିବା ପ୍ରଥମ ଘଟଣା । ଏହାପୂର୍ବରୁ ଏପ୍ରିଲରେ ୨୩ ବର୍ଷ ବୟସ୍କା ମହିଳାଙ୍କ ମସ୍ତିଷ୍କରୁ ୬ ଇଞ୍ଚର ଏକ ପୋକ ବାହାର କରାଯାଇଥିଲା।

ସମ୍ବନ୍ଧିତ ଖବର