ଉତ୍ତର-ପୂର୍ବ ରାଜ୍ୟମାନଙ୍କର ନାଗରିକଙ୍କୁ ଦେଶର ବିଭିନ୍ନ ସ୍ଥାନରେ ଦୈନନ୍ଦିନ ଭେଦଭାବ ଓ ଘୃଣା ରଞ୍ଜିତ ମନ୍ତବ୍ୟର ଶିକାର ହେବାକୁ ପଡ଼ିଥାଏ। ମୁଖମଣ୍ଡଳରେ ମଙ୍ଗୋଲୋଏଡ୍ ବୈଶିଷ୍ଟ୍ୟର ଉପସ୍ଥିତି ଯୋଗୁଁ ସେମାନଙ୍କ ପ୍ରତି ଯେଉଁ ଏକ ଆକ୍ଷେପମୂଳକ ଶବ୍ଦ ପ୍ରୟୋଗ କରାଯାଏ ତାହା ହେଉଛି- ‘ଚିଙ୍କି’। ଏହି ବର୍ଣ୍ଣବୈଷମ୍ୟଧର୍ମୀ ଆକ୍ଷେପର ଶରବ୍ୟ ହୋଇଆସିଥିଲେ ଗୀତିକାର ତଥା ସଂଗୀତ ନିର୍ଦ୍ଦେଶକ ସୋନୁ ବାରୋଇ। ଏହି ଆକ୍ଷେପକୁ ଏକ ଅସ୍ତ୍ରରେ ପରିଣତ କରି ସୋନୁ ‘ଚିଙ୍କି’ ଗୀତଟି ପ୍ରସ୍ତୁତ କରିଛନ୍ତି।
ଏହି ଭାଇରାଲ୍ ରାପ୍ ଗୀତରେ କଣ୍ଠଦାନ କରି ରାତାରାତି ପ୍ରସିଦ୍ଧି ଅର୍ଜନ କରିଛନ୍ତି କୁଞ୍ଜା ଖ୍ବାଇରାକପାମ ନାମ୍ନୀ ଜଣେ ପିଏଚ୍ଡି ଛାତ୍ରୀ। ଏହାର ଭିଡିଓରେ ଉତ୍ତର-ପୂର୍ବ ଭାରତର ଆଠଟି ରାଜ୍ୟର ଆଠ ଜଣ ମହିଳା ପାରମ୍ପରିକ ବସ୍ତ୍ରରେ ଅଭିନୟ କରିଛନ୍ତି। ଏହି ଇଂରେଜୀ ଗୀତର ପଦଗୁଡ଼ିକରେ ଛୋଟ ଆଖି, ଚୀନୀଙ୍କ ସହ ସାଦୃଶ୍ୟ ନେଇ ବିଦ୍ରୂପର ଶକ୍ତିଶାଳୀ ପ୍ରତିବାଦ ଶୁଣିବାକୁ ମିଳିଛି। ଉତ୍ତର-ପୂର୍ବ ରାଜ୍ୟମାନଙ୍କର ସଂସ୍କୃତି ଓ ଐତିହ୍ୟକୁ ନେଇ ସଚେତନତା ପ୍ରସାର ପାଇଁ ମଧ୍ୟ ଏହି ଗୀତରେ ଉଦ୍ୟମ କରାଯାଇଛି। ଆମ ଦେଶର ନାଗରିକ ହୋଇ ସୁଦ୍ଧା ଏକ ବିଶାଳ ଗୋଷ୍ଠୀକୁ ଚୀନୀ ବା ନେପାଳୀ କହିବାର ପ୍ରବୃତ୍ତି ନିଶ୍ଚିତ ଭାବେ କ୍ଷୋଭର ବିଷୟ। ‘ଚିଙ୍କି’ ଗୀତ ସେ ଧାରାକୁ ବଦଳାଇବା ଦିଗରେ ଏକ ବିନମ୍ର ନିବେଦନ। ଆଶା କରିବା ଯେ ଏହି ଗୀତଟି ବିଦ୍ବେଷଧର୍ମୀ ଆକ୍ଷେପ କରୁଥିବା ଲୋକମାନଙ୍କର ମନ ପରିବର୍ତ୍ତନ କରିବାରେ ସହାୟକ ହେବ।