ସ‌ା‌ଧାରଣରେ ଗୋଟିଏ ଧାରଣା ରହିଛି ଯେ ନୀଳାଦ୍ରିବିଜେ ହେଉଛି ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାର ଅନ୍ତିମ ପର୍ବ ଏବଂ ଏହି ପର୍ବର ମଧୁର ପରିସମାପ୍ତି ରସଗୋଲା ଭୋଗ ସହିତ ହୋଇଥାଏ। କିନ୍ତୁ ପ୍ରକୃତରେ ଦେଖିଲେ- ଶ୍ରୀଗୁଣ୍ଡିଚାଯାତ୍ରାର ପୂର୍ବବର୍ତ୍ତୀ ସ୍ନାନଯାତ୍ରା ଓ ଅଣସର, ଏବଂ ନୀଳାଦ୍ରିବିଜେର ପରବର୍ତ୍ତୀ ଚିତାଲାଗି ନୀତି ମଧ୍ୟ ରଥଯାତ୍ରା ସହିତ ଜଡ଼ିତ। ବାହୁଡ଼ାଯାତ୍ରାର ପୋଡ଼ପିଠା ଓ ନୀଳାଦ୍ରି ବିଜେର ରସଗୋଲା ପରି, ଚିତଉପିଠା ଏହି ନୀତିର ସ୍ବତନ୍ତ୍ର ଭୋଗ। ଜ୍ୟେଷ୍ଠପୂର୍ଣ୍ଣମୀର ସ୍ନାନଯାତ୍ରା ସହିତ ଶ୍ରାବଣ ଅମାବାସ୍ୟାର ଏହି ନୀତି ଘନିଷ୍ଠ ଭାବରେ ସଂପର୍କିତ। କାରଣ, ସ୍ନାନବେଦୀରେ ସ୍ନାନ ସମୟରେ ଯେଉଁ ତିନି ରତ୍ନଚିତା ତିନିଠାକୁରଙ୍କ ମସ୍ତକରେ ଥାଏ, ସେହି ତିନି ରତ୍ନଚିତା ଦୀର୍ଘ ଦେଢ଼ ମ‌ାସ ପରେ, ଶ୍ରାବଣ ଅମାବାସ୍ୟା ଦିନ ହିଁ ତିନିଠାକୁରଙ୍କ ମସ୍ତକରେ ପୁଣି ଲାଗିହୁଏ। ଆଉ ଏକ ସ୍ନାନଯାତ୍ରା ପର୍ଯ୍ୟନ୍ତ ସେହି ଚିତା ଠାକୁରଙ୍କର ମସ୍ତକରେ ରହିଥାଏ।

Advertisment

ସମସ୍ତଙ୍କୁ ଜଣା, ଯେ ସ୍ନାନବେଦୀରେ ସ୍ନାନନୀତି ପରେ ତିନିଠାକୁରଙ୍କର ହାତୀବେଶ ହୁଏ। ହାତୀବେଶ ଉଲାଗି ପରେ, ସେଦିନ ରାତିରେ ସେମାନେ ଅଣସର ଘରକୁ ଯାଆନ୍ତି। ସେଠାରେ ତିନିବାଡ଼ର ଦଇତା ସେବକ ଠାକୁରମାନଙ୍କ ମୁଖମଣ୍ଡଳର ରାହୁରେଖା ଓ କପାଳର ରତ୍ନଚିତାକୁ ଉଲାଗି କରି ଭଣ୍ଡାରମେକାପଙ୍କ ଜରିଆରେ ତଢ଼ଉକରଣ ଓ ଦେଉଳକରଣଙ୍କୁ ଦିଅନ୍ତି। ଚାଙ୍ଗଡ଼ା ମେକାପଙ୍କଠାରୁ ଅଣାଯାଇଥିବା ଶ୍ରୀକପଡ଼ାରେ ସେହି ଚିତାକୁ ଭଲ ଭାବରେ ଗୁଡ଼ାଇ ମଦନମୋହନଙ୍କ ମୁଦରେ ମୁଦ କରାଯାଏ। ତାହାପରେ ତାହାକୁ ନେଇ ଭଣ୍ଡାର ‌ଘରେ ରଖାଯାଏ। ଶ୍ରାବଣ ଅମାବାସ୍ୟା ଦିନ ତାହାକୁ ବିିଧିମତେ ଆଣି ପୋଦାର (ବଣିଆ) ସେବକଙ୍କ ଦ୍ବାରା ମାର୍ଜନ କରାଯାଇ ତିନିଠାକୁରଙ୍କ ମସ୍ତକରେ ଲାଗି କରାଯାଏ।

ତିନିଠାକୁରଙ୍କ ମସ୍ତକର ଏହି ଚିତା ଅତ୍ୟନ୍ତ ମୂଲ୍ୟବାନ। ଏହାକୁ, ‘ରତ୍ନଚିତା’ କୁହାଗଲେ ମଧ୍ୟ, ପ୍ରକୃତରେ ଏହା ରତ୍ନଖଚିତ ସୁବର୍ଣ୍ଣ ଚିତା। ‘ଶ୍ରୀମନ୍ଦିର ସ୍ବତ୍ବଲିପି’ରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ଏହି ଚିତାକୁ ଯଥାକ୍ରମେ ‘ହୀରାଚିତା’, ‘ନୀଳାଚିତା’ ଓ ‘ମାଣିକ୍ୟଚିତା’ କୁହାଯାଇଛି। ଅନ୍ୟତ୍ର, ଏହାର ନାମ ‘ଧଳା’, ‘ନୀଳ’ ଓ ‘ନାଲି’ ଚିତା ବୋଲି ଉଲ୍ଲେଖ ଅଛି। କିନ୍ତୁ ପ୍ରକୃତରେ ଶ୍ରୀଜଗନ୍ନାଥଙ୍କ ଚିତାକୁ ‘ଧଳା’ ଚିତା ଏବଂ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଚିତାକୁ ‘ନୀଳ’ (ସବୁଜ) ଚିତା କୁହାଯିବା ଯଥାର୍ଥ। କାରଣ, ଶ୍ରୀଜଗନ୍ନାଥଙ୍କ ଚିତାର ମଝିରେ ଗୋଟିଏ ବଡ଼ ‘ହୀରା’ ଖଞ୍ଜାଯାଇଥିବାରୁ ଏହା ଧଳା ଚିତା ଏବଂ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଚିତାର ମଝିରେ ଗୋଟିଏ ଲେଖାଏଁ ବଡ଼ ‘ମର୍କତ’ ଖଞ୍ଜା ଯାଇଥିବାରୁ ଏହା ‘ନୀଳ’ (ସବୁଜ) ଚିତା।
ତଥ୍ୟ ଅନୁସାରେ, ଶ୍ରୀଜଗନ୍ନାଥଙ୍କ ଚିତାର ମଝିରେ, ଅର୍ଥାତ୍‌ ନାୟକ ଭାବରେ ଗୋଟିଏ ବଡ଼ ହୀରା ରହିଛି। ତାହାକୁ ଘେରି ରହିଛି ସାତଟି ବେଢ଼ ଏବଂ ସେହି ସାତ ବେଢ଼ରେ ଛୋଟ ଛୋଟ ରତ୍ନପଥର ଖଞ୍ଜାଯାଇଛି। ସେଥିରେ ଅଛି ହୀରା, ମାଣିକ୍ୟ, ପାନ୍ନା ଓ ଓପାଲ। ସପ୍ତମ ବେଢ଼ର ଶୀର୍ଷରେ ପାନପତ୍ର ଆକୃତିର ଏକ ବଡ଼ ବ୍ରହ୍ମଜ୍ୟୋତି ହୀରା ରହିଛି। ଏହା ମଧ୍ୟ ସେହି ଚିତାର ଶୀର୍ଷ।

ସେହିପରି, ଶ୍ରୀବଳଭଦ୍ରଙ୍କ ଚିତାର ମଝିରେ, ଅର୍ଥାତ୍ ନାୟକ ଭାବରେ ରହିଛି ଏକ ବଡ଼ ମର୍କତ ମଣି। ତାହାକୁ ଘେରି ରହିଛି ପାଞ୍ଚଟି ବେଢ଼ ଏବଂ ସେହି ପାଞ୍ଚ ବେଢ଼ରେ ଛୋଟ ଛୋଟ ହୀରା, ମାଣିକ୍ୟ, ମର୍କତ, ପାନ୍ନା ଓ ନୀଳା ଖଞ୍ଜାଯାଇଛି। ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ଚିତା ପରି, ଦେବୀ ସୁଭଦ୍ରାଙ୍କ ଚିତାର ମଝିରେ ନାୟକ ଭାବରେ ରହିଛି ଏକ ବଡ଼ ମର୍କତ ମଣି ଏବଂ ତାହାକୁ ଘେରି ରହିଛି ତିନିଟି ବେଢ଼। ସେହି ତିନି ବେଢ଼ରେ ହୀରା, ମାଣିକ୍ୟ ଓ ମର୍କତ ଆଦି ଖଞ୍ଜା ଯାଇଛି। ଏହି ଦୃଷ୍ଟିରୁ ତିନି ଠାକୁରଙ୍କ ମସ୍ତକର ତିନି ରତ୍ନଚିତା ଦୁର୍ମୂଲ୍ୟ। ସେଥିପାଇଁ, ଠାକୁରମାନେ ସ୍ନାନବେଦୀରୁ ଅଣସର ଘରକୁ ଯିବା ପରେ, ସେମାନଙ୍କ ମସ୍ତକରୁ ଏହି ତିନି ରତ୍ନଚିତାକୁ ଖୋଲି ନେଇ ଯତ୍ନର ସହ ସାଇତି ରଖାଯାଏ। ଅଣସର ଓ ନବ‌େଯୗବନ ଦର୍ଶନ ପରେ, ଠାକୁରମାନେ ପହଣ୍ଡି ହୋଇ ରଥକୁ ଆସିଲେ, ସେମାନଙ୍କର ମସ୍ତକରେ ‌େସାଲରେ ତିଆରି କାରୁକାର୍ଯ୍ୟପୂର୍ଣ୍ଣ ତିନିଟି ଚିତା ଲାଗି କରାଯାଏ। ନୀଳାଦ୍ରିବିଜେରେ ସେମାନେ ରତ୍ନବେଦୀକୁ ଫେରିବା ପରେ, ଶ୍ରାବଣ ଅମାବାସ୍ୟା ଦିନ ହିଁ ସେମାନଙ୍କୁ ପୁଣି ସେହି ରତ୍ନଖଚିତ ସୁବର୍ଣ୍ଣ ଚିତା ଲାଗି କରାଯାଏ।

ପୁରାଣ ମତରେ, ଶ୍ରାବଣ ଅମାବାସ୍ୟା‌ର ରହିଛି ବିଶେଷ ଗୁରୁତ୍ବ। କାରଣ, ପୌରାଣିକ ଉପାଖ୍ୟାନ ଅନୁସାରେ, ଦେବତା ଓ ଅସୁରଙ୍କ ଦ୍ବାରା ଯେଉଁ କ୍ଷୀରସମୁଦ୍ର ମନ୍ଥନ ହୋଇଥିଲା, ସେଥିରୁ ଏହି ଶ୍ରାବଣ ଅମାବାସ୍ୟା ଦିନ ହିଁ ଐରାବତ ହସ୍ତୀ ଓ ଅନେକ ରତ୍ନ ବାହାରିଥିଲା। ଐରାବତ ହସ୍ତୀକୁ ଇନ୍ଦ୍ର ନେବାବେଳେ, ଭଗବାନ ବିଷ୍ଣୁ ରତ୍ନଗୁଡ଼ିକୁ ନେଇଥିଲେ। ସେଥିପାଇଁ ପୁରାଣ ମତରେ, ଶ୍ରାବଣ ଅମାବାସ୍ୟା ଦିନ ରତ୍ନଧାରଣ କରିବା ଶୁଭ। ଏ ଦୃଷ୍ଟିରୁ ଏହିଦିନ ହିଁ ଠାକୁରମାନଙ୍କୁ ଚିତାଲାଗି କରାଯାଇଥାଏ। ଏହି ଶୁଭ ଅବସରରେ ଯେଉଁ ବିଶେଷ ଭୋଗ କରାଯାଏ, ସେଥି ମଧ୍ୟରେ ଥାଏ ‘ଘିଉଡ଼ି’ ଓ ‘ଚିତଉ ପିଠା’। ଏହା ଶ୍ରୀମନ୍ଦିରର ଏକ ଏକ ପର୍ବାଣୀ ଭୋଗ। ଏଥିରେ ୧୧ ଓଳି ବଡ଼ ଚିତଉ ଓ ୩୦ ଓଳି ସାନ ଚିତଉ ଲାଗି ହୁଏ। ଶ୍ରୀମନ୍ଦିରର ଏହି ପରମ୍ପରା ଅନୁସାରେ, ଶ୍ରାବଣ ଅମାବାସ୍ୟା ଦିନ ଓଡ଼ିଶାର ଘରେ ଘରେ ଗୃହଦେବତାମାନଙ୍କୁ ମଧ୍ୟ ଚିତଉ ପିଠା ଭୋଗ କରାଯାଏ।