୪୦ ହଜାରରୁ ଅଧିକ ଲୋକଙ୍କ କଙ୍କାଳରୁ ସଂଗ୍ରହ ହୋଇଥିବା ହାଡ଼ରେ ତିଆରି ହୋଇଛି ଏହି ଚର୍ଚ୍ଚ

ନୂଆଦିଲ୍ଲୀ: ଦୁନିଆରେ ଏମିତି ଏକ କଳାତ୍ମକ ଚର୍ଚ୍ଚ ରହିଛି ଯାହାକି ୪୦ହଜାରରୁ ଅଧିକ ଲୋକଙ୍କ କଙ୍କାଳରୁ ସଂଗୃହୀତ ହାଡରୁ ତିଆରି ହୋଇଛି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହି ଚର୍ଚ୍ଚକୁ ଲୋକେ ‘ଚର୍ଚ୍ଚ ଅଫ ବୋନସ’ ଭାବେ ନାମିତ କରିଛନ୍ତି । ତେବେ ଏହି ଚର୍ଚ୍ଚ ତିଆରିର କାହାଣୀ ଅତି ରୋଚକ।

ୟୁରୋପୀ ଦେଶ ଚେକ ଗଣରାଜ୍ୟର ରାଜଧାନୀ ପ୍ରାଗରେ ୧୮୭୦ ମସିହାରେ ନିର୍ମିତ ହୋଇଥିଲା ଏହି ଆକର୍ଷଣୀୟ ଚର୍ଚ୍ଚ। ଏହାକୁ ମାନବ ଅସ୍ଥିରେ ଅତି କଳାତ୍ମକ ଭାବରେ ସଜା ଯାଇଥିଲା। ୪୦,୦୦୦ରୁ ଅଧିକ ମାନବ କଙ୍କାଳକୁ ଏଠାରେ ଯେପରି ଭାବେ ଖଞ୍ଜା ଯାଇଛି ଯେ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ।

ଏହି ଚର୍ଚ୍ଚର ମୁଖ୍ୟ ଫାଟକରେ ତିନିଟି ବିଶେଷ ପ୍ରକାର କଙ୍କାଳ ରହିଛି, ଯାହା ଲୋକଙ୍କୁ ସ୍ବାଗତ କରିଥାଏ । ହାଡ ଦ୍ବାରା ସଜ୍ଜିତ ଏହାର କାନ୍ଥଗୁଡ଼ିକ ବିଶେଷ କରି ଲୋକଙ୍କୁ ଆକର୍ଷିତ କରିଥାଏ। ଏହି ଚର୍ଚ୍ଚରେ ମନୁଷ୍ୟର କଙ୍କାଳର ପ୍ରତ୍ୟେକ ଅଙ୍ଗର ହାଡ ବ୍ୟବହାର କରାଯାଇଛି। ଲୋକଙ୍କ ମୃତ୍ୟୁ ପରେ ସେମାନଙ୍କ ମୃତଦେହକୁ ଏଠାରେ ସମାଧି ଦିଆଯାଇଛି। ସେହି ସମୟରେ ଏହି ସ୍ଥାନର ମାଟିକୁ ଲୋକମାନେ ଅତ୍ୟନ୍ତ ପବିତ୍ର ବୋଲି ମାନୁଥିଲେ।

କୁହାଯାଉଛି କି, ଚତୁର୍ଦ୍ଦଶ ଏବଂ ପଞ୍ଚଦଶ ଶତାବ୍ଦୀରେ ମହାମାରୀ ପ୍ଲେଗ ଏବଂ ଯୁଦ୍ଧ ଯୋଗୁ ବହୁ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏତେ ସଂଖ୍ୟଙ୍କ ଲୋକଙ୍କ ଏକାଠି ମୃତ୍ୟୁ ହୋଇଯିବା ପରେ ସେମାନଙ୍କୁ ସମାଧି ଦେବା ପାଇଁ କୌଣସି ସ୍ଥାନ ନ ଥିଲା। ତେଣୁ ‌ସେଠାକାର ଲୋକଙ୍କ ମନରେ ଏମିତି ଏକ ଚିନ୍ତାଧାରା ଆସିଥିଲା। ପରେ ଏହି କାର୍ଯ୍ୟକୁ ସାଧୁ ତଥା ଧର୍ମଯାଜକମାନଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା।

ସମ୍ବନ୍ଧିତ ଖବର