ମୁମ୍ବାଇ: ଶିଳ୍ପପତି ହର୍ଷ ଗୋଏଙ୍କାଙ୍କ ଟ୍ବିଟର ଟାଇମ୍‌ଲାଇନ୍ ସର୍ବଦା ମଜାଦାର ଫଟୋ ଓ ଭିଡିଓରେ ଭରପୂର ଥାଏ। ଯଦି କୌଣସି କଥା ତାଙ୍କ ମନକୁ ଛୁଏଁ, ତେବେ ସେ ତାହାକୁ ତୁରନ୍ତ ତାଙ୍କ ଟାଇମ୍‌ଲାଇନ୍‌ ସ୍ଥାନ ଦେଇଥା’ନ୍ତି। ନିକଟରେ ସେ ଛାଡ଼ିଥିବା ଏକ ଅନନ୍ୟ ଚୀନୀ ସହରର ଭିଡିଓ କ୍ଳିପିଂ ଖୁବ୍ ପ୍ରସାରିତ ହେବାରେ ଲାଗିଛି। ରଙ୍ଗବେରଙ୍ଗର ଉକ୍ତ ଦର୍ଶନୀୟ ସହରଟି ସ୍ଥାନର ଉପଯୋଗକୁ ପ୍ରୋତ୍ସାହିତ କରିବା ସହ ଉଭୟ ପାରମ୍ପରିକ ଓ ପାଶ୍ଚାତ୍ୟ ଶୈଳୀର ଅଟ୍ଟାଳିକାର ମିଶ୍ରଣର ଏକ ଝଲକ ପ୍ରଦାନ କରୁଛି। ଚୀନ୍‌ର ଚୋଙ୍ଗକିଙ୍ଗ ଲିନ୍‌ଶି ଭାବେ ପରିଚିତ ଉକ୍ତ ସହରଟିର ବୈଶିଷ୍ଟ୍ୟ ହେଉଛି ଏହା ୪୦୦ ମିଟର ଦୀର୍ଘ ଏକ ପୋଲ ଉପରେ ହିଁ ନିର୍ମିତ। ଆକାଶମାର୍ଗରୁ ଉତ୍ତୋଳନ କରାଯାଇଥିବା ଫଟୋରୁ ଜଣାପଡୁଛି ସତେ ଯେପରି ଉକ୍ତ ସହରଟି ଅନ୍ୟତମ ବୈଷୟିକ ଚମତ୍କାର।

Advertisment

‘ଏଠାରେ ବସବାସ କରିବାକୁ କଳ୍ପନା କର’ ବୋଲି ଶୀର୍ଷକ ଥିବା ଏହି ଭିଡିଓ କ୍ଳିପିଂରେ ସଂପୃକ୍ତ ପୋଲ ଉପରେ ବିଭିନ୍ନ ଆକୃତିର ରଙ୍ଗିନ କୋଠାଗୁଡ଼ିକ ଜଳାଶୟ ଉପରେ ଆକାଶକୁ ଚାହିଁ ରହି ଅନନ୍ୟ ଶୋଭା ବହନ କରୁଛନ୍ତି। ଏକ ମନୋରମ ପ୍ରାକୃତିକ ଦୃଶ୍ୟରେ ପରିବେଷ୍ଟିତ ଏହି ସହରଟି ଏକ ସୁଦୃଶ୍ୟ ପର୍ବତଶ୍ରେଣୀ ମଧ୍ୟରେ ଅବସ୍ଥିତ। ଏଥି ସହିତ ଘରଗୁଡ଼ିକ ଗୋଟିଏ ଧାଡ଼ିରେ ନିର୍ମିତ ହୋଇଥିବାରୁ କୌଣସି କୋଠା ବା ଦୃଶ୍ୟ ମଝିରେ କୌଣସି ନଭଶ୍ଚୁମ୍ବୀ ଅଟ୍ଟାଳିକା ପ୍ରତିବନ୍ଧକ ସାଜୁନାହିଁ। ଚୋଙ୍ଗକିଙ୍ଗ ଲିନ୍‌ଶିର ମନୋରମ ଦୃଶ୍ୟକୁ ବାନ୍ଧି ରଖିଥିବା ଉକ୍ତ ଭିଡିଓଟି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାର ଖୁବ୍ ସମୟ ଭିତରେ ହଜାର ହଜାର ଅନୁଗାମୀ ଉପଭୋଗ କରିସାରିଲେଣି ଏବଂ ରୋଚକ ମନ୍ତବ୍ୟମାନ ମଧ୍ୟ ଛାଡ଼ିବାରେ ଲାଗିଛନ୍ତି।