ବୈଜ୍ଞାନିକମାନଙ୍କ ବିଶ୍ବାସ ଯେ ଲବଣାକ୍ତ ଜଳ ବା ଲୁଣିଆ ପାଣି ନବୀକରଣଯୋଗ୍ୟ ଶକ୍ତିର ଏକ ଭରସାଯୋଗ୍ୟ ଉତ୍ସ ହୋଇପାରିବ। ‘ଓସ୍ମୋସିସ୍’ ପ୍ରକ୍ରିୟାକୁ ବିନିଯୋଗ କରି ଜାପାନ ପୃଥିବୀର ଦ୍ବିତୀୟ ଦେଶ ଭାବେ ଏକ ଓସ୍ମୋଟିକ୍ ପାଵାର ପ୍ଲାଣ୍ଟ ସ୍ଥାପନ କରିଛି। ଫୁକୁଓକା ସହରରେ ଏ ମାସ କାର୍ଯ୍ୟକ୍ଷମ ହୋଇଥିବା ଏହି ଶକ୍ତି କେନ୍ଦ୍ର ପ୍ରତି ବର୍ଷ ୮ ଲକ୍ଷ ୭୦ ହଜାର କିଲୋଵାଟ୍ ଆଵାର ବିଜୁଳି ଉତ୍ପାଦନ କରିବ, ଯାହା ପାଖାପାଖି ୨୯୦ଟି ଜାପାନୀ ବାସଗୃହକୁ ଶକ୍ତି ଯୋଗାଇପାରିବ। ତେବେ ଏହି ଶକ୍ତି କେନ୍ଦ୍ରର ପ୍ରଥମ କାମ ହେଉଛି ଫୁକୁଓକାର ଲୁଣିଆ ପାଣିକୁ ମଧୁର ପାନୀୟ ଜଳରେ ରୂପାନ୍ତରିତ କରୁଥିବା ଡିସାଲିନେସନ୍ ପ୍ଲାଣ୍ଟକୁ ଶକ୍ତି ଯୋଗାଇବା। ଏହା ସଫଳ ହେଲେ ଏହି ନୂଆ ପାଵାର ପ୍ଲାଣ୍ଟ ପ୍ରଯୁକ୍ତି ସମଗ୍ର ପୃଥିବୀରେ ବ୍ୟାପକ ଭାବେ ବିନିଯୁକ୍ତ ହେବାର ସମ୍ଭାବନା ରହିଛି।
ସୌର ଓ ପବନ ଶକ୍ତି ପାଣିପାଗ ନିର୍ଭରଶୀଳ ଏବଂ ଦିନର ନିର୍ଦ୍ଦିଷ୍ଟ ଅବଧିରେ ଶକ୍ତି ଉତ୍ପାଦନ କରୁଥିବାବେଳେ ଓସ୍ମୋଟିକ୍ ଶକ୍ତି କେନ୍ଦ୍ର ନିରନ୍ତର ବିଜୁଳି ଉତ୍ପନ୍ନ କରିପାରିବ। ଆଗକୁ ଅଧିକ ସଂଖ୍ୟକ ଓସ୍ମୋଟିକ୍ ପାଵାର ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ଏହା ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ମଧ୍ୟ ସହାୟକ ହେବ।
ପୃଥିବୀର ସର୍ବପ୍ରଥମ ଓସ୍ମୋଟିକ୍ ପାଵାର ପ୍ଲାଣ୍ଟ ୨୦୨୩ ମସିହାରେ ଡେନ୍ମାର୍କରେ ସ୍ଥାପିତ ହୋଇଥିଲା। ଏହାକୁ ପରବର୍ତ୍ତୀ ପିଢ଼ିର ନବୀକରଣଯୋଗ୍ୟ ବିଜୁଳି ଉତ୍ସ ଭାବେ ଅଭିହିତ କରାଯାଉଛି, ଯାହା ପାଣିପାଗ ବା ସମୟ ଦ୍ବାରା ପ୍ରଭାବିତ ହୋଇ ନଥାଏ। ଏଥିରୁ ଅଙ୍ଗାରକାମ୍ଳ ଭଳି ପ୍ରଦୂଷକ ଗ୍ୟାସ୍ ମଧ୍ୟ ଉତ୍ପନ୍ନ ହୁଏ ନାହିଁ। ଏହି ଶକ୍ତି କେନ୍ଦ୍ରରେ ବିନିଯୁକ୍ତ ଓସ୍ମୋସିସ୍ ହେଉଛି ଏକ ପ୍ରାକୃତିକ ପ୍ରକ୍ରିୟା, ଯେଉଁଥିରେ ଜଳ କମ୍ ସାନ୍ଦ୍ରତା ବିଶିଷ୍ଟ ଦ୍ରବଣରୁ ଅଧିକ ସାନ୍ଦ୍ରତା ବିଶିଷ୍ଟ ଦ୍ରବଣ ଆଡ଼କୁ ଏକ ଝିଲ୍ଲି ଦେଇ ପ୍ରବାହିତ ହୋଇଥାଏ। ଏଥିରେ ମଧୁରଜଳ ଓ ଲବଣାକ୍ତ ଜଳର ଆସ୍ତରଣ ମଧ୍ୟରେ ଏକ ବିଶେଷ ଧରଣର ଝିଲ୍ଲି ରହିଥାଏ। ଲବଣାକ୍ତ ଜଳ ଆସ୍ତରଣ ଉପରେ ସାମାନ୍ୟ ଚାପ ପ୍ରୟୋଗ କରାଯାଏ। ସମୟକ୍ରମେ ମଧୁରଜଳ ଆସ୍ତରଣରୁ ଜଳ ଲବଣାକ୍ତ ଜଳ ଆଡ଼କୁ ପ୍ରବାହିତ ହୋଇଥାଏ। ଏହି ପ୍ରକ୍ରିୟାରେ ଜଳର ଚାପ ବୃଦ୍ଧି ପାଇବା ଯୋଗୁଁ ଟର୍ବାଇନ ବୁଲି ବିଜୁଳି ଶକ୍ତି ଉତ୍ପନ୍ନ ହୋଇଥାଏ। ସୌର ଓ ପବନ ଶକ୍ତି ପାଣିପାଗ ନିର୍ଭରଶୀଳ ଏବଂ ଦିନର ନିର୍ଦ୍ଦିଷ୍ଟ ଅବଧିରେ ଶକ୍ତି ଉତ୍ପାଦନ କରୁଥିବାବେଳେ ଓସ୍ମୋଟିକ୍ ଶକ୍ତି କେନ୍ଦ୍ର ନିରନ୍ତର ବିଜୁଳି ଉତ୍ପନ୍ନ କରିପାରିବ। ତେବେ ଏ ଦିଗରେ କେତେକ ବୈଷୟିକ ବାଧକ ମଧ୍ୟ ରହିଛି। ଉଦାହରଣ ସ୍ବରୂପ ପ୍ଲାଣ୍ଟକୁ ଜଳ ଯୋଗାଇବା ଓ ଝିଲ୍ଲିରେ ସୃଷ୍ଟି ହେଉଥିବା ଘର୍ଷଣ ଦ୍ବାରା ବିପୁଳ ପରିମାଣର ଶକ୍ତି ଅପଚୟ ହୋଇଥାଏ। ଶକ୍ତି ଅପଚୟ ହ୍ରାସ ପାଇଁ ଗବେଷଣା ଜାରି ରହିଛି। ଏହା ସମ୍ଭବ ହେଲେ ଆଗକୁ ଅଧିକ ସଂଖ୍ୟକ ଓସ୍ମୋଟିକ୍ ପାଵାର ପ୍ଲାଣ୍ଟ ପ୍ରତିଷ୍ଠା ହୋଇ ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ସହାୟକ ହେବ ବୋଲି ଜାପାନୀ ବିଶେଷଜ୍ଞମାନେ ଆଶା କରୁଛନ୍ତି।