ବିଶ୍ବବ୍ୟାପି ଖାଦ୍ୟଶସ୍ୟର ଅପ୍ରତ୍ୟାଶିତ ମୂଲ୍ୟବୃଦ୍ଧି ପଛରେ ଜଳବାୟୁ ପରିବର୍ତ୍ତନ ! କାରଣ କହିଲେ ଗବେଷକ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ହେତୁ କେବଳ ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଉଛି ତାହା ନୁହେଁ, ଏହା ମଣିଷର ଆର୍ଥିକ ଅବସ୍ଥା ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଉଛି। ସଂପ୍ରତି ବିଭିନ୍ନ ଅନୁଧ୍ୟାନରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ୨୦୨୧ ନଭେମ୍ବରରେ ଭାରତର ପାଇକାରୀ ମୁଦ୍ରାସ୍ଫୀତି ହାର ୧୪.୨୩%ରେ ପହଞ୍ଚି ୩ ଦଶନ୍ଧି ମଧ୍ୟରେ ସର୍ବାଧିକ ଭାବେ ରେକର୍ଡ କରିଥିଲା। ଅବଶ୍ୟ ପର ମାସରେ ତାହା ୧୩.୫୬%କୁ ହ୍ରାସ ପାଇଥିବା କଥା ୨୦୨୨ ଜାନୁଆରିରେ ସରକାର ଜାରି କରିଥିବା ତଥ୍ୟାବଳୀରୁ ଜଣାପଡ଼ିଛି। କିନ୍ତୁ, ଏହା ଆଦୌ ସୁସମ୍ବାଦ ନୁହେଁ।

ବଜାରରେ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି କରାଉଥିବାରୁ ‘ହୋଲ୍‌ସେଲ୍‌ ପ୍ରାଇସ୍‌ ଇଣ୍ଡେକ୍ସ୍‌’ (ଡବ୍ଲୁପିଆଇ) ସବୁବେଳେ ଚିନ୍ତାର କାରଣ ‌ହୋଇ ରହିଛି। ତା’ଠାରୁ ନକାରାତ୍ମକ କଥା ହେଲା, କ୍ରମାଗତ ଦରଦାମ ବୃଦ୍ଧି। ଗତ ୯ ମାସ ଧରି ଅର୍ଥାତ୍‌ ୨୦୨୧ ଡିସେମ୍ବର ଯାଏଁ ‘ଡବ୍ଲୁପିଆଇ’ କ୍ରମାଗତ ୨ ଅଙ୍କରେ ବୃଦ୍ଧି ପାଇଛି। ୨୦୨୨ ମାର୍ଚ ୩୦ ପର୍ଯ୍ୟନ୍ତ ଏହି ଅବସ୍ଥା ଲାଗି ରହିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।

Image Courtesy of Down to Earth

କିନ୍ତୁ, ସରକାର ଇନ୍ଧନ ଉପରୁ ଟିକସ ହ୍ରାସ କରିଥିଲେ ମଧ୍ୟ ଡିସେମ୍ବର ମାସର ମୁଦ୍ରାସ୍ଫୀତି ଥିଲା ଅପ୍ରତ୍ୟାଶିତ। କାହିଁକି ମୁଦ୍ରାସ୍ଫୀତି ଏତେ ବଢ଼ିଲା? ଅନୁଶୀଳନ କରି ଦେଖାଯାଇଛି ଯେ, ବିଶେଷ କରି ପନିପରିବା ଏବଂ କେତେକ ଖାଦ୍ୟଶସ୍ୟର ଦର ବୃଦ୍ଧି ହିଁ ମୁଦ୍ରାସ୍ଫୀତିର ସାମଗ୍ରିକ କାରଣ। ଅନେକ ରାଜ୍ୟରେ ଋତୁକାଳୀନ ପନିପରିବା ଦର ମଧ୍ୟ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଥିଲା। ଏସବୁ ଜଳବାୟୁ ପରିବର୍ତ୍ତନ ଜନିତ ଅସ୍ବାଭାବିକ ପାଣିପାଗ କାରଣରୁ ହିଁ ଘଟୁଛି। ଅସ୍ବାଭାବିକ ପାଣିପାଗ ଜନିତ ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି କେବଳ ଭାରତରେ ନୁହେଁ ସମଗ୍ର ବିଶ୍ବରେ ଅନୁଭୂତ ହୋଇଛି।

୨୦୨୨ ଜାନୁଆରି ୭ରେ ‘ଫୁଡ୍‌ ଆଣ୍ଡ୍‌ ଏଗ୍ରିକଲ୍‌ଚୁରାଲ୍‌ ଅର୍ଗାନାଇଜେସନ୍‌’ର ‘ଫୁଡ୍‌ ପ୍ରାଇସ୍‌ ଇଣ୍ଡେକ୍ସ୍‌’ ଦର୍ଶାଉଛି ଯେ, ପୂର୍ବ ବର୍ଷ ଅପେକ୍ଷା ଗତବର୍ଷର ହାରାହାରି ଦରବୃଦ୍ଧି ୨୮% ଅଧିକ, ଯେଉଁଥି ଲାଗି ଗତ ଏକ ଦଶନ୍ଧି ମଧ୍ୟରେ ବୃଦ୍ଧି ହାର ରେକର୍ଡ ସୃଷ୍ଟି କରିଛି।

‘ଫୁଡ୍‌ ଆଣ୍ଡ୍‌ ଏଗ୍ରିକଲ୍‌ଚୁରାଲ୍‌ ଅର୍ଗାନାଇଜେସନ୍‌’ର ବରିଷ୍ଠ ଅର୍ଥନୀତିଜ୍ଞ ଅବ୍‌ଦୁଲ୍‌ ରେଜା ଆବ୍ବାସିଆନ୍‌ କହନ୍ତି, ‘‘ମୁଖ୍ୟତଃ ଜଳବାୟୁ ଅବସ୍ଥା ସାମ୍ପ୍ରତିକ ଖାଦ୍ୟ ସାମଗ୍ରୀ ଦର ବୃଦ୍ଧିର କାରଣ। ଅସ୍ବାଭିକ ପାଣିପାଗ ଯୋଗୁଁ ଶସ୍ୟ ନଷ୍ଟ ହୋଇଗଲା। ତେଣୁ, ଯୋଗାଣ ସମ୍ଭବପର ନ ହେବାରୁ ବଜାରରେ ବ୍ୟାପକ ପନିପରିବା ମିଳିଲା ନାହିଁ।’’

୨୦୧୯ ଜାନୁଆରି ଠାରୁ ପନିପରିବା ଦର ୫୦.୧୯% ବୃଦ୍ଧି ପାଇଛି। ଗ୍ରାମାଞ୍ଚଳରେ ପନିପରିବା ଦର ୪୫.୫୬% ବୃଦ୍ଧି ପାଇଥିବା ବେଳେ ନଗରାଞ୍ଚଳରେ ୫୯.୩୧% ବୃଦ୍ଧି ପାଇଛି। ଏଣୁ ଏହା ସ୍ପଷ୍ଟ ହୋଇଛି ଯେ ଜଳବାୟୁ ପରିବର୍ତ୍ତନ ହେତୁ କେବଳ ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଉଛି ତାହା ନୁହେଁ, ଏହା ମଣିଷର ଆର୍ଥିକ ଅବସ୍ଥା ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଉଛି।

ସମ୍ବନ୍ଧିତ ଖବର