ପାଣିପାଗ ପରିବର୍ତ୍ତନ ବଢ଼ାଇପାରେ ଓଜୋନ୍ ସ୍ତର: ବଢ଼ିବ ଶ୍ବାସରୋଗର ଆଶଙ୍କା

ଜଳବାୟୁ ପରିବର୍ତ୍ତନ ଦ୍ବାରା ଉତ୍‌ପ୍ରେରିତ ଉଷ୍ମ ତାପମାତ୍ରା ୨୦୫୦ ମସିହା ସୁଦ୍ଧା ଭୂପୃଷ୍ଠରେ ଓଜୋନ୍ ସ୍ତରକୁ ଉଲ୍ଲେଖନୀୟ ଭାବେ ବଢ଼ାଇଦେବ ବୋଲି ଆମେରିକାର ଏକ ନୂତନ ଅନୁଧ୍ୟାନରୁ ଜଣାଯାଇଛି। ବାୟୁମଣ୍ଡଳରେ ଏହି ବର୍ଦ୍ଧିତ ଓଜୋନ୍ ସ୍ତର ବାୟୁର ଗୁଣବତ୍ତାକୁ ହ୍ରାସ କରି ଫୁସ୍‌ଫୁସ୍‌ ଓ ଶ୍ବାସକ୍ରିୟାରେ ସମସ୍ୟା ସୃଷ୍ଟି କରିବ ବୋଲି ଉତ୍ତର କାରୋଲିନା ବିଶ୍ବବିଦ୍ୟାଳୟର ଗବେଷକମାନେ ସତର୍କ କରାଇ ଦେଇଛନ୍ତି। ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅତିବାଇଗଣୀ ରଶ୍ମିର କୁପ୍ରଭାବରୁ ବାୟୁମଣ୍ଡଳରେ ଥିବା ପ୍ରାକୃତିକ ଓଜୋନ୍ ସ୍ତର ଆମକୁ ରକ୍ଷା କରିଥାଏ ବୋଲି ଆମେ ଜାଣୁ। ତେବେ ଭୂପୃଷ୍ଠରେ ନାଇଟ୍ରୋଜେନ୍ ଅକ୍ସାଇଡ୍ ସହ ମିଶି କିଛି ଅସ୍ଥିର ଜୈବ ଯୌଗିକ ବା ଭୋଲାଟାଇଲ୍ ଅର୍ଗାନିକ କମ୍ପାଉଣ୍ଡ୍ (ଭିଓସି) ଓଜୋନ୍ ବାଷ୍ପ ସୃଷ୍ଟି କରିଥା’ନ୍ତି।

ପ୍ରାକୃତିକ ଓଜୋନ୍ ସ୍ତର ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମିର କୁପ୍ରଭାବରୁ ଆମକୁ ରକ୍ଷା କରିଥାଏ ବୋଲି ଆମେ ଜାଣୁ। କିନ୍ତୁ ଭୂପୃଷ୍ଠର ନିକଟବର୍ତ୍ତୀ ହେଲେ ଓଜୋନ୍‌ ଗ୍ୟାସ୍‌ ମାରାତ୍ମକ ହୋଇଥାଏ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭୂପୃଷ୍ଠରେ ଓଜୋନ୍ ମାତ୍ରା ବଢୁଥିବାରୁ ଶ୍ବାସରୋଗର ଆଶଙ୍କା ବୃଦ୍ଧି ପାଇବ ବୋଲି କୁହାଯାଉଛି

ଏହି ଭିଓସିଗୁଡ଼ିକ ସାଧାରଣତଃ ବିଭିନ୍ନ ପ୍ରକାର ରାସାୟନିକ ରଙ୍ଗ, କୀଟନାଶକ, ନିର୍ମାଣ ସାମଗ୍ରୀ ଓ ସଫେଇ ସାମଗ୍ରୀରୁ ନିର୍ଗମନ ହୋଇଥାଏ। ଜୀବାଶ୍ମ ଇନ୍ଧନ ଜଳିବା ଦ୍ବାରା ନାଇଟ୍ରୋଜେନ୍ ଅକ୍ସାଇଡ୍ ସୃଷ୍ଟି ହୋଇଥାଏ। ବିଶେଷ କରି ବାହାର ଅପେକ୍ଷା ଘର ଭିତରେ ଏହି ଭିଓସିର ମାତ୍ରା କ୍ରମାଗତ ଭାବରେ ଅଧିକ ବୋଲି ଜଣାଯାଇଛି। ସୁତରାଂ ଆମ ସ୍ବାସ୍ଥ୍ୟ ଉପରେ ଏହାର ସ୍ବଳ୍ପମିଆଦୀ ଓ ଦୀର୍ଘମିଆଦୀ ପ୍ରଭାବ ପଡ଼ି ଆସୁଛି। ସାଧାରଣତଃ ବାୟୁ ପ୍ରଦୂଷଣର ମାତ୍ରା ଅଧିକ ଥିବା ଇଲାକାରେ ତାପମାତ୍ରା ବଢ଼ିବା ସହ ଓଜୋନ୍ ସ୍ତର ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି। ଜଳବାୟୁ ପରିବର୍ତ୍ତନ ସହ ଓଜୋନ୍ ପ୍ରଦୂଷଣ ବୃଦ୍ଧି ଜଡ଼ିତ ବୋଲି ପୂର୍ବ ଅଧ୍ୟୟନମାନଙ୍କରୁ ସ୍ପଷ୍ଟ ହୋଇଥିବା ବେଳେ ଏହି ନୂତନ ଗବେଷଣା ଭୂପୃଷ୍ଠସ୍ତରୀୟ ବାୟୁମଣ୍ଡଳରେ ଓଜୋନ୍ ମାତ୍ରାର ଉପସ୍ଥିତି ସହ ମାନବ ସ୍ବାସ୍ଥ୍ୟ ଉପରେ ତାହାର କୁପ୍ରଭାବ ସମ୍ପର୍କରେ ଆଲୋକପାତ କରିଛି।

ସମ୍ବନ୍ଧିତ ଖବର