ନିକଟରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିଥିଲେ। ସେ ପୁରୀ ସମୁଦ୍ରକୂଳରେ କିଛି ସମୟ ବିତାଇବା ସହ ଜଳବାୟୁ ପରିବର୍ତ୍ତନ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଏନେଇ ‘ଏକ୍ସ’ରେ ଶ୍ରୀମତୀ ମୁର୍ମୁଙ୍କ ପୋଷ୍ଟ ପରେ ଭାରତ ସହ ଅନ୍ୟ ଦେଶଗୁଡ଼ିକରେ ଆରମ୍ଭ ହୋଇଯାଇଛି ମାନସମନ୍ଥନ। ଏମିତି କି ୟୁନାଇଟେଡ୍‌ ନେସନ୍‌ର ଏକ ରି​ପୋର୍ଟକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚା। ଯେଉଁଥିରେ ଦର୍ଶାଯାଇଛି; ପରିବାର ସଦସ୍ୟମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ସହ ଆବେଗିକ ବାତାବରଣ ସୃଷ୍ଟି ଦିଗରେ ​ଯେଉଁପରି ମହିଳାମାନଙ୍କ ବଡ଼ ଦାୟିତ୍ବ ରହିଛି, ଜଳବାୟୁ ପରିବର୍ତ୍ତନ ଭଳି ବିଶ୍ବ ସମସ୍ୟାର ମୁକାବିଲା ପାଇଁ ମଧ୍ୟ ସେହିପରି ଗୁରୁତ୍ବପୂର୍ଣ୍ଣ ଭୂମିକା ଅଛି। ତେବେ ଏଥିରେ ସଫଳ ହେବାକୁ ହେଲେ ମହିଳାମାନେ ଲିଙ୍ଗ, ଜାତି, ଧର୍ମ, ବର୍ଣ୍ଣ, ପରମ୍ପରା ଓ ଆୟ ପରି ବନ୍ଧନଗୁଡ଼ିକଠାରୁ ଊର୍ଦ୍ଧ୍ବରେ ରହିବାର କଳା ଶିଖିବା ଜରୁରୀ।

Advertisment

ବିଶ୍ବ ଜନସଂଖ୍ୟାର ଅର୍ଦ୍ଧେକ ହେଉଛନ୍ତି ମହିଳା ଓ ବାଳିକା। ହେଲେ ଜଳବାୟୁ ପରିବର୍ତ୍ତନ ଭଳି ଗୁରୁତର ସମସ୍ୟାର ମୁକାବିଲା ପାଇଁ ସେମାନେ ଆଗ୍ରହ ଦେଖାଉ ନାହାନ୍ତି କି ସରକାରୀ ଓ ବେସରକାରୀସ୍ତରରେ ପ୍ରସ୍ତୁତ ହେଉଥିବା ଯୋଜନା ସହ ସେମାନଙ୍କୁ ଯୋଡ଼ାଯାଉନି। ଜଙ୍ଗଲ ସୁରକ୍ଷା ଦିଗରେ ଆଦିବାସୀ ମହିଳାମାନେ ଯେପରି ସଂଘର୍ଷ କରୁଛନ୍ତି, ସହରର ଅାଭିଜାତ୍ୟସଂପନ୍ନ ମହିଳାମାନେ ମଧ୍ୟ ସେହି ପଦାଙ୍କ ଅନୁସରଣ କରିବା ଜରୁରୀ ହୋଇପଡ଼ିଛି। ସେହିପରି ଶ୍ରମଶକ୍ତିକୁ ଦେଖିଲେ ବିକାଶଶୀଳ ଦେଶଗୁଡ଼ିକରେ ପ୍ରାୟ ଅଧା ହେଉଛନ୍ତି ମହିଳା। ସେମାନଙ୍କ ପାଖରେ ମୋଟ୍‌ କୃଷି ଉତ୍ପାଦର ୨.୫ରୁ ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାର କ୍ଷମତା ରହିଛି। ଏହା ସହିତ ବିଶ୍ବର ୧୨ରୁ ୧୭ ପ୍ରତିଶତ ଭୋକିଲା ଲୋକଙ୍କ ପେଟକୁ ଦାନା ଦେବାର ସାମର୍ଥ୍ୟ ଅଛି। ତେଣୁ ଜଳବାୟୁ ପରିବର୍ତ୍ତନରେ କୃଷିକ୍ଷେତ୍ରକୁ ନେଇ ଥିବା ବିପଦ ଦୂର ପାଇଁ ମହିଳାମାନେ ସ୍ଥାୟୀ ତଥା ସୁରକ୍ଷିତ ଚାଷ ପ୍ରତି ଧ୍ୟାନ ଦେବା ଦରକାର।

ଜଳବାୟୁର ସୁରକ୍ଷା ପାଇଁ ସାମ୍ପ୍ରଦାୟିକ ସଦ୍‌ଭାବନାର ମଧ୍ୟ ଏକ ବଡ଼ ଦିଗ ରହିଛି। ଯେହେତୁ ମହିଳାମାନେ ସମ୍ପ୍ରଦାୟଗତ ବିଚାରଧାରାର ଏକ ପ୍ରମୁଖ ଅଂଶ, ସେମାନଙ୍କ ଗୋଟିଏ ଗୋଟିଏ ଆହ୍ବାନ ଅନେକ ସକରାତ୍ମକ ଦିଗକୁ ଉନ୍ମୋଚନ କରିବାରେ ସହାୟକ ହେବ। ଜଳବାୟୁ ପରିବର୍ତ୍ତନ ସମସ୍ତଙ୍କୁ ପ୍ରଭାବିତ କରିଥାଏ। ହେଲେ ପ୍ରଭାବ ସଭିଁଙ୍କ ଉପରେ ସମ ପରିମାଣରେ ପଡ଼େନାହିଁ। ବିକାଶଶୀଳ ଦେଶର ନାଗରିକମାନଙ୍କ ପାଇଁ ଏହା ବିଭିନ୍ନ ଦୃଷ୍ଟିକୋଣରୁ ବାଧକ।

ବିକଶିତ ଦେଶର ନାଗରିକମା​ନେ ପ୍ରଯୁକ୍ତିବିଦ୍ୟା ବଳରେ ତାକୁ ସହଜ ଭାବେ ଅତିକ୍ରମ କରିଯାଆନ୍ତି। କିନ୍ତୁ ସମସ୍ତଙ୍କ ପାଇଁ ସ୍ଥାୟୀ ବିକାଶ ବିପନ୍ନ ହୋଇପଡ଼େ। ତେଣୁ ଅଧିକ ପ୍ରଭାବିତ ହେଉଥିବା ମହିଳାମାନେ ଏ ଦିଗରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ତେବେ ଖୁସିର କଥା; ବିଶ୍ବର ସିଂହଭାଗ ମହିଳା ଏବେ ପରିବେଶ ବିଜ୍ଞାନ ପ୍ରତି ଆଗ୍ରହ ଦେଖାଉଛନ୍ତି। ୟୁନାଇଟେଡ୍‌ ନେସନ୍‌ ତଥ୍ୟ ଅନୁସାରେ; ବିଭିନ୍ନ ଦେଶର ସରକାରଗୁଡ଼ିକ ମହିଳାମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ‘ନ୍ୟାସ୍‌ନାଲ୍‌ କ୍ଲାଇମେଟ୍‌ ଆକ୍ସନ ପ୍ଲାନ୍‌’ ଓ ‘ନ୍ୟାସ୍‌ନାଲ୍‌ ଆଡପ୍‌ସନ୍‌ ପ୍ଲାନ୍‌’ ସହ ଯୋଡୁଛନ୍ତି। ସେହିପରି ‘ଜେଣ୍ଡର୍‌ ଆକ୍ସନ୍‌ ପ୍ଲାନ୍‌’କୁ ଦିଗ ଦେବା ପାଇଁ ‘ୟୁନାଇଟେଡ୍‌ ନେସନ୍‌ ଫ୍ରେମ୍‌ୱର୍କ କନ୍‌ଭେନ୍‌ସନ୍‌ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ୍‌’ ଗୁରୁତ୍ବ ଦେଉଛି। ଏପରି ସମୟରେ ଆଶା କରାଯାଇ ପାରିବ; ମହିଳାମାନେ ଅଧିକରୁ ଅଧିକ ଯତ୍ନବାନ ହେବେ ଏବଂ ପରିବର୍ତ୍ତନଶୀଳ ଜଳବାୟୁର ସନ୍ତୁଳନ ପାଇଁ ରକ୍ଷାକବଚ ସାଜିବେ।
-ରୁଦ୍ରରଂଜନ ଶେଜପଡ଼ା