ଫୁଲବାଣୀ: ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଚଳିତବର୍ଷ ପ୍ରଥମ ଥର କନ୍ଧମାଳ ଜିଲ୍ଲାର ଏକ ପ୍ରମୁଖ ଜଳପ୍ରପାତ କାଟ୍ରାମାଲାର ଜଳଉତ୍ସ ଶୁଖି ଯାଇଛି। କାଟ୍ରାମାଲା ଜଳପ୍ରପାତଟି ଏକ ବିଶାଳ ଜଳପ୍ରପାତ ଭାବେ ବର୍ଷତମାମ୍ ପାହାଡ଼ରୁ ତଳକୁ ଝରି ମନୋରମ ଦୃଶ୍ୟ ସୃଷ୍ଟି କରିଥାଏ। କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ୍ ଓ ଫିରିଙ୍ଗିଆ ବ୍ଲକ୍ ମଧ୍ୟସ୍ଥଳରେ ଅବସ୍ଥିତ ଏହି ଜଳପ୍ରପାତଟି କାଟ୍ରାମାଲା ନାମକ ଏକ ଜଙ୍ଗଲୀ ନଦୀ ଦ୍ବାରା ସୃଷ୍ଟି ହୋଇଛି। ଏହି ନଦୀରେ ଅନ୍ୟାନ୍ୟ ଜଙ୍ଗଲୀ ସ୍ରୋତ ମିଶି ଏହାକୁ ଏକ ବିଶାଳ ଜଳସ୍ରୋତରେ ପରିଣତ କରିଛନ୍ତି। ଫଳରେ ଏହା ବର୍ଷର ସବୁ ଋତୁରେ ପ୍ରବାହିତ ହୋଇଥାଏ। କିନ୍ତୁ ଚଳିତବର୍ଷ କାଟ୍ରାମାଲା ଜଳପ୍ରପାତ ଶୁଖିଯିବା ସମସ୍ତଙ୍କୁ ଚକିତ କରିଛି। ବିଶିଷ୍ଟ ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀଙ୍କ କହିବା ଅନୁସାରେ, ଭୂତଳ ଜଳସ୍ତର ହ୍ରାସ ଏବଂ ଜଙ୍ଗଲ କ୍ଷୟ ଏହାର ପ୍ରମୁଖ କାରଣ।
କାଟ୍ରାମାଲା ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦ୍ବାରା ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ। ଏହାକୁ ଲାଗି ରହିଥିବା କନ୍ଧ ଜନଜାତି ବସତିଗୁଡ଼ିକ ମଧ୍ୟ ଏଠାକାର ଅନ୍ୟତମ ଆକର୍ଷଣ। କାଟ୍ରାମାଲାରୁ ନିର୍ଗତ ଜଳ ବୌଦ୍ଧ ଜିଲ୍ଲାକୁ ପ୍ରବାହିତ ହୋଇ ମହାନଦୀରେ ପଡ଼ିଥାଏ। କନ୍ଧମାଳ ଜିଲ୍ଲାର ଅନେକ ନଦୀ ଓ ଜଳସ୍ରୋତ ମହାନଦୀକୁ ପୁଷ୍ଟ କରିଥାଏ। କିନ୍ତୁ କାଟ୍ରାମାଲା ଭଳି ବିଶାଳ ଜଳସ୍ରୋତ ଶୁଖିଯିବା ଫଳରେ ମହାନଦୀ ମଧ୍ୟ ପ୍ରଭାବିତ ହୋଇଛି। ଫୁଲବାଣୀ ସହରରୁ ୩୦ କିଲୋମିଟର ଦୂରରେ ଏହି କାଟ୍ରାମାଲା ଜଳପ୍ରପାତ ଅବସ୍ଥିତ। ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏହି ଜଳପ୍ରପାତର ଭୀମକାନ୍ତ ଦୃଶ୍ୟ ଯେତିକି ମନଲୋଭା ଅନୁରୂପ ଭାବେ ଏହାର ନିମ୍ନ ପ୍ରଦେଶରେ ଥିବା ଜଳକୁଣ୍ଡଟି ସେତିକି ଆକର୍ଷଣୀୟ। ଏହି ଜଳକୁଣ୍ଡରେ ଥିବା ନାନା ପ୍ରଜାତିର ମାଛ ହିଁ ଏଠାକାର ବିଶେଷତ୍ବ। ଏଠାରେ ଥିବା ମାଛଗୁଡ଼ିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। କାଟ୍ରାମାଲା ଜଳକୁଣ୍ଡର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ପେଞ୍ଜେଇ ଠାକୁରାଣୀ। ବନଦେବୀ ପେଞ୍ଜେଇଙ୍କର କୌଣସି ମନ୍ଦିର ନାହିଁ। କାଟ୍ରାମାଲା ଜଳକୁଣ୍ଡ ନିକଟରେ ଥିବା ଏକ ପଥରକୁ ପେଞ୍ଜେଇ ଠାକୁରାଣୀ ଭାବେ ପୂଜା କରାଯାଇଥାଏ। ପ୍ରତିବର୍ଷ ଜ୍ୟେଷ୍ଠମାସରେ ମା’ ପେଞ୍ଜେଇଙ୍କର ବାର୍ଷିକ ପୂଜା ହୋଇଥାଏ। ଏଠାରେ ବହୁ ସଂଖ୍ୟାରେ ଛେଳି, କୁକୁଡ଼ା ବଳି ଭୋଗ ଲାଗି ହୋଇଥାଏ। ପ୍ରତିବର୍ଷ ନଭେମ୍ବରରୁ ମାର୍ଚ୍ଚ ମାସ ମଧ୍ୟରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ମାତ୍ର ଚଳିତବର୍ଷ କାଟ୍ରାମାଲା ଜଳପ୍ରପାତ ଶୁଖିଯିବା ଫଳରେ ପର୍ଯ୍ୟଟକ ହତାଶ ହୋଇ ପଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/02/B2OCICI239Npg9OLbNaO.jpg)