ଏକ ସର୍ବେକ୍ଷଣ ଅନୁଯାୟୀ ଭାରତରେ ସ୍କୁଲ ଓ କଲେଜ ଯାଉଥିବା ବିଦ୍ୟାର୍ଥୀ ପରିବେଶକୁ ନେଇ ଅତ୍ୟନ୍ତ ଉଦ୍ବେଗଗ୍ରସ୍ତ। ୯୪ ପ୍ରତିଶତ ଛାତ୍ରଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବ ପଡ଼ିଛି ବୋଲି ଏଥିରେ ପ୍ରକାଶ ପାଇଛି। ତାପମାତ୍ରା ବୃଦ୍ଧି ଓ ଚରମ ପାଣିପାଗ ଘଟଣା ଯୋଗୁଁ ସେମାନଙ୍କ ଦୈନନ୍ଦିନ ଜୀବନ, ଶିକ୍ଷା ଓ ମାନସିକ ସ୍ବାସ୍ଥ୍ୟ ବ୍ୟାହତ ହୋଇଛି ବୋଲି ସେମାନେ କହିଛନ୍ତି। ଅନେକଙ୍କ ପାଇଁ ଏହି ଆହ୍ବାନ ଭବିଷ୍ୟତର ଆଶଙ୍କା ହୋଇ ନାହିଁ, ବରଂ ତାହାକୁ ବର୍ତ୍ତମାନର ବାସ୍ତବତା ବୋଲି ସେମାନେ ଅନୁଭବ କରୁଛନ୍ତି। ଏକଦା ଶୀତଳ ଅନୁଭୂତ ହେଉଥିବା ସ୍ଥାନରେ ଏବେ ଅସହ୍ୟ ଗରମ ହେଉଛି, ଫଳରେ ଫ୍ୟାନ୍ କି କୁଲର୍ କି ଏସି ବିନା ଚଳିବା କଷ୍ଟକର।
ଜଳବାୟୁ ଆହ୍ବାନର ମୁକାବିଲାରେ କ୍ୟାରିଅର୍ କରୁଛନ୍ତି ଭାରତୀୟ ଛାତ୍ର
ମେଘ ଅମଳ ବା କ୍ଳାଉଡ୍ସିଡିଂକୁ ଆୟତ୍ତ କରିବା, ସହରାଞ୍ଚଳ ବାୟୁ ପ୍ରଦୂଷଣ ହ୍ରାସ କରିବାଠାରୁ ଆରମ୍ଭ କରି ବନାଗ୍ନିକୁ ଶୀଘ୍ର ଲିଭାଇବା ଓ ପ୍ରଶାନ୍ତ ମହାସାଗରୀୟ ଆବର୍ଜନାକୁ ସଫାକରିବା ପାଇଁ ଉପାୟ ବାହାର କରିବା ଯାଏ, ଭାରତୀୟମାନେ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟଗୁଡ଼ିକରେ ‘ଜିଓଇଞ୍ଜିନିଅରିଂ’ ପାଠ୍ୟକ୍ରମରେ ନାମ ଲେଖାଇବାରେ ଲାଗିଛନ୍ତି। ସେଗୁଡ଼ିକରେ ବିଶେଷ କରି ଜଳବାୟୁ ପରିବର୍ତ୍ତନ ଓ ପରିବେଶ ଜନିତ ଆହ୍ବାନକୁ ମୁକାବିଲା କରିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରାଯାଇଥାଏ। ସୌର ଜିଓଇଞ୍ଜିନିଅରିଂ, କାର୍ବନ୍ କାପ୍ଚରିଂ ଓ ସାମୁଦ୍ରିକ ପ୍ରଦୂଷଣ ପରିଚାଳନା ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମଗୁଡ଼ିକ ଏବେ ବିବିଧ ଭାରତୀୟ ଗୋଷ୍ଠୀକୁ ଆକର୍ଷିତ କରୁଛି। ବିଭିନ୍ନ ଏକାଡେମିକ୍ ହବ୍ରୁ ଶୀର୍ଷ ସଫଳତା ଲାଭ କରୁଥିବା ଷ୍ଟେମ୍ (ବିଜ୍ଞାନ, ଜ୍ଞାନକୌଶଳ, ଯାନ୍ତ୍ରିକ ଓ ଗଣିତ) ସ୍ନାତକଧାରୀମାନେ ଜିଓଇଞ୍ଚିନିଅରିଂ ପ୍ରତି ବେଶୀ ଆକର୍ଷିତ ହେଉଥିବା ଦେଖାଯାଇଛି। କେରଳ, ତାମିଲନାଡୁ ଓ କର୍ଣ୍ଣାଟକ ଭଳି ରାଜ୍ୟରୁ ବହୁ ଛାତ୍ରଛାତ୍ରୀ ଏଥିପାଇଁ ଅଷ୍ଟ୍ରେଲିଆ ଯାଉଛନ୍ତି। ଲୋକପ୍ରିୟ ପାଠ୍ୟକ୍ରମଗୁଡ଼ିକ ମଧ୍ୟରେ ‘ଏନ୍ଭାଏରନ୍ମେଣ୍ଟାଲ ଆଣ୍ଡ୍ ଜିଓଟେକ୍ନିକାଲ ଇଞ୍ଜିନିଅରିଂ’ ଓ ‘ଡିଜାଷ୍ଟର୍ ମିଟିଗେସନ୍’ ଆଦି ରହିଛି। ବିଦ୍ୟାର୍ଥୀମାନେ ଜଳବାୟୁ ଯାନ୍ତ୍ରିକ ଜ୍ଞାନ, ମେଘ ଅମଳ,ପ୍ଲାଷ୍ଟିକ ପ୍ରଦୂଷଣ ପରିଚାଳନା, ମହାସାଗର ପରିମଳ ଓ ସଂରକ୍ଷଣ ପାଇଁ ଉନ୍ନତ କୌଶଳ, ବିପର୍ଯ୍ୟୟ ପରିଚାଳନା, ବନାଗ୍ନି ନିୟନ୍ତ୍ରଣ ଓ ମରୁଡ଼ି ପରିଚାଳନା ପରି ବିବିଧ ପରିବର୍ତ୍ତନଶୀଳ କ୍ଷେତ୍ର ଉପରେ ଧ୍ୟାନ ଦେଉଛନ୍ତି। ବିଶେଷ କରି କୃତ୍ରିମ ବୁଦ୍ଧିମତ୍ତା ପରିଚାଳିତ ଜଳବାୟୁ ବିଶ୍ଳେଷଣ ଏବଂ ସ୍ଥାୟୀ ସହରୀ ଯୋଜନା ପରି ଅଗ୍ରଣୀ କ୍ଷେତ୍ରଗୁଡ଼ିକ ଅଧିକ ଧ୍ୟାନ ଆକର୍ଷଣ କରୁଛି। ବିଦେଶରେ ପାଠ୍ୟକ୍ରମ ସାରି ଅନେକ ଛାତ୍ର ଅନ୍ତର୍ଜାତୀୟ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖିଥିବା ବେଳେ କେତେକ ବିଶ୍ବସ୍ତରୀୟ ଅଭିଜ୍ଞତା ହାସଲ କରି ଭାରତକୁ ଫେରିବାକୁ ପସନ୍ଦ କରୁଛନ୍ତି। କାରଣ ଭାରତର ସବୁଜ ପରିବର୍ତ୍ତନରେ ସହଯୋଗ କରିବାକୁ ସଂପୃକ୍ତ ବିଦ୍ୟାର୍ଥୀମାନଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ଏହାଦ୍ବାରା ପ୍ରଦୂଷଣ ନିୟନ୍ତ୍ରଣ, ବର୍ଜ୍ୟବସ୍ତୁ ପରିଚାଳନା ଓ ଅକ୍ଷୟ ଶକ୍ତିରେ ସୁଯୋଗ ବିସ୍ତାର ହୋଇ ଏକ ଅର୍ଥପୂର୍ଣ୍ଣ ପ୍ରଭାବ ପକାଉଥିବା ଜଣାଯାଇଛି।
ଦିଲ୍ଲୀ ସ୍ଥିତ ସେଣ୍ଟର୍ ଫର୍ ସାଇନ୍ସ ଆଣ୍ଡ୍ ଏନ୍ଭାଏରନ୍ମେଣ୍ଟ୍ର ପର୍ଯ୍ୟାବରଣ ଶିକ୍ଷା ବିଭାଗ ଦ୍ବାରା ୧୪ରୁ ୨୫ ବର୍ଷ ବୟସର ୧,୯୩୧ ଜଣ ସାମିଲ ହୋଇଥିବା ଏହି ସର୍ବେକ୍ଷଣରୁ ଏଭଳି ନିର୍ଯାସ ମିଳିଛି। ସେମାନଙ୍କ ଅଞ୍ଚଳରେ ୫ରୁ ୭ ବର୍ଷ ହେଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ ସେମାନେ ଅନୁଭବ କରୁଛନ୍ତି ବୋଲି ୮୮ ପ୍ରତିଶତ ଅଂଶଗ୍ରହଣକାରୀ କହିଛନ୍ତି। ଖରାପ ଜଳବାୟୁ ଯୋଗୁଁ ସେମାନଙ୍କ ମାନସିକ ଚାପ ବା ଉତ୍କଣ୍ଠା ବଢ଼ିଛି ବୋଲି ସର୍ବେକ୍ଷଣର ଅର୍ଦ୍ଧେକ ଅଂଶଗ୍ରହଣକାରୀ କହିଛନ୍ତି। ତେବେ ଏହି ଆହ୍ବାନର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ସେମାନଙ୍କୁ ପ୍ରେରଣା ମିଳିଥାଏ ବୋଲି ୨୨ ପ୍ରତିଶତଙ୍କର ମତ। ସେହିପରି ଭବିଷ୍ୟତର ଆହ୍ବାନ ପାଇଁ ନିଜକୁ ପ୍ରସ୍ତୁତ କରିବା ପାଇଁ ଅଧିକ ବ୍ୟାପକ ଓ ବ୍ୟାବହାରିକ ଜଳବାୟୁ ଶିକ୍ଷାର ଆବଶ୍ୟକତା ଉପରେ ଅର୍ଦ୍ଧାଧିକ ଛାତ୍ର ଗୁରୁତ୍ବାରୋପ କରିଛନ୍ତି। ତେବେ ଏଭଳି ଆହ୍ବାନ ସତ୍ତ୍ବେ ପୁନର୍ବ୍ୟବହାରକ୍ଷମ ଶକ୍ତି ଓ ବର୍ଜ୍ୟ ପରିଚାଳନା ପରି ବ୍ୟକ୍ତିଗତ ପଦକ୍ଷେପ କିଛି ସକାରାତ୍ମକ ପ୍ରଭାବ ପକାଇବ ବୋଲି ଅଧିକାଂଶ ଯୁବକ ଆଶା ରଖିଛନ୍ତି। ସେହିପରି ଉତ୍ସାହଜନକ ଭାବେ ବହୁ ସଂଖ୍ୟାରେ ଯୁବକଯୁବତୀ ସବୁଜ କ୍ୟାରିଅର ଉପରେ ନଜର ରଖିଥିବା ଜଣାଯାଇଛି। ୫୦ ପ୍ରତିଶତ ଉତ୍ତରଦାତାଙ୍କର ଏଭଳି ଚାକିରି କରିବା ସମ୍ଭାବନା ଅଧିକ, ଯାହା ପରିବେଶ ପାଇଁ ସହାୟକ ହୋଇପାରିବ ବୋଲି ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/07/60DEyu9PryDJTLGg90mH.jpg)