ଝିଅମାନଙ୍କର ପ୍ରଥମ ଋତୁସ୍ରାବ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡୁଛି ବୋଲି ଏକ ନୂତନ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି। ଅଧିକ ଆର୍ଦ୍ର ପରିବେଶ ଯୋଗୁଁ ଋତୁସ୍ରାବ ଶୀଘ୍ର ଆରମ୍ଭ ହେଉଥିବା ବେଳେ ଉଚ୍ଚ ତାପମାତ୍ରା ସହ ବିଳମ୍ବିତ ଋତୁସ୍ରାବ ଜଡ଼ିତ ବୋଲି ନର୍ଥ ସାଉଥ୍ ବିଶ୍ବବିଦ୍ୟାଳୟ ଓ ବାଂଲାଦେଶର ଗବେଷକମାନେ ଜାଣିପାରିଛନ୍ତି। ସେମାନେ ୧୯୯୨-୯୩ ଓ ୨୦୧୯-୨୦ ମଧ୍ୟରେ ‘ଡେମୋଗ୍ରାଫିକ୍ ଆଣ୍ଡ୍ ହେଲ୍‌ଥ ସର୍ଭେ’(ଡିଏଚଏସ୍‌) ମାଧ୍ୟମରେ ସଂଗୃହୀତ ତଥ୍ୟ ଏବଂ ‘ନାସା’ର ଜଳବାୟୁ ତଥ୍ୟ ସମେତ ୧୯୯୨ର ୨୩,୦୦୦ରୁ ଅଧିକ ପ୍ରତିକ୍ରିୟା ଓ ୨୦୧୯ର ୪୫,୩୦୦ ପ୍ରତିକ୍ରିୟାକୁ ବିଶ୍ଳେଷଣ କରି ଏପରି ନିଷ୍କର୍ଷରେ ପହଞ୍ଚିଛନ୍ତି। 

Advertisment

ପ୍ଲସ୍‌ ଗ୍ଲୋବାଲ୍ ପବ୍ଲିକ୍ ହେଲ୍‌ଥ ଜର୍ଣ୍ଣାଲରେ ପ୍ରକାଶିତ ଏହି ବିଶ୍ଳେଷଣ ଅନୁଯାୟୀ, ଭାରତର ଅଧିକାଂଶ ରାଜ୍ୟର ଝିଅଙ୍କର କମ୍ ବୟସରେ ଋତୁସ୍ରାବ ଆରମ୍ଭ ହେଉଛି। କେବଳ ମହାରାଷ୍ଟ୍ରରେ ଋତୁସ୍ରାବ ବିଳମ୍ବରେ ଆରମ୍ଭ ହେଉଥିବା ଜଣାପଡ଼ିଛି। ଗବେଷକମାନେ ଆହୁରି କହିଛନ୍ତି ଯେ ବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ସାରା ବିଶ୍ୱରେ ଝିଅମାନଙ୍କ ମଧ୍ୟରେ କମ୍‌ ବୟସରେ ଋତୁସ୍ରାବ ଆରମ୍ଭ ହୋଇଛି। ଏପରି ପରିବର୍ତ୍ତନ ପଛରେ ଜଳବାୟୁ ପରିବର୍ତ୍ତନ ଓ ବାୟୁ ପ୍ରଦୂଷଣ ଆଦି ପରିବେଶଗତ କାରଣ ରହିଛି। କ୍ରମବର୍ଦ୍ଧିଷ୍ଣୁ ଆର୍ଦ୍ରତା ସାଧାରଣତଃ ଅନ୍ତର୍ନିହିତ ସ୍ୱାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ଆଣି ଆଗୁଆ ଋତୁସ୍ରାବର କାରଣ ସାଜୁଛି। ଅପରପକ୍ଷେ, ମହାରାଷ୍ଟ୍ରରେ ଉଷ୍ମତା ସଂସ୍ପର୍ଶରେ ଦୀର୍ଘ ସମୟ ରହିବା କାରଣରୁ ଋତୁସ୍ରାବ ଆରମ୍ଭ ବିଳମ୍ବିତ ହେଉଛି ବୋଲି ଗବେଷକମାନେ କହିଛନ୍ତି। ଏ ପରିପ୍ରେକ୍ଷୀରେ ସେମାନେ ସ୍ୱାସ୍ଥ୍ୟ ଉପରେ ଜଳବାୟୁ ପ୍ରଭାବର ନିରନ୍ତର ନିରୀକ୍ଷଣ ପାଇଁ ଆହ୍ୱାନ କରିଛନ୍ତି ଯାହା ଋତୁସ୍ରାବ ସମୟରେ ପରିବେଶଗତ ପରିବର୍ତ୍ତନର ପ୍ରଭାବକୁ ବୁଝିବା ଏବଂ ହ୍ରାସ କରିବା ପାଇଁ ଜରୁରି।