ୟୁନେସ୍କୋର ବୈଶ୍ବିକ ଶିକ୍ଷା ନିରୀକ୍ଷଣ (ଜିଇଏମ୍) ରିପୋର୍ଟ ଅନୁଯାୟୀ, ଉଷ୍ମତା, ବନାଗ୍ନି, ବନ୍ୟା, ମରୁଡ଼ି, ରୋଗ ଓ ସମୁଦ୍ର ପତ୍ତନ ବୃଦ୍ଧି ଆଦି ଘଟଣା ଶିକ୍ଷା ଫଳାଫଳକୁ ପ୍ରଭାବିତ କରୁଛି ଏବଂ ଏହାଦ୍ବାରା ଏ ଦଶନ୍ଧିରେ ହାସଲ ହୋଇଥିବା ଶିକ୍ଷାଗତ ଅଗ୍ରଗତି ବ୍ୟର୍ଥ ହୋଇଯିବାର ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନ କାରଣରୁ ଅଧିକାଂଶ ନିମ୍ନ ଓ ମଧ୍ୟମ ଆୟବର୍ଗ ଦେଶରେ ପ୍ରତିବର୍ଷ ଅନେକ ଶିକ୍ଷାନୁଷ୍ଠାନ ବନ୍ଦ ହେବାରେ ଲାଗିଛି। ଫଳସ୍ବରୂପ, ବର୍ଷକୁ ବର୍ଷ ଶିକ୍ଷଣ କ୍ଷତି ହେଉଛି ଏବଂ ବିଦ୍ୟାଳୟ ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବରେ ଶିକ୍ଷା ଭିତ୍ତିଭୂମି ନଷ୍ଟ ହେବା ସହିତ ଛାତ୍ର, ଅଭିଭାବକ ଓ ବିଦ୍ୟାଳୟର କର୍ମଚାରୀଙ୍କ ଜୀବନହାନି ଘଟୁଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଲୋକଙ୍କ ବିସ୍ଥାପନ ହେଉଛି ଏବଂ ପରୋକ୍ଷରେ ତାହା ଶିକ୍ଷା ଭିତ୍ତିଭୂମି ଉପରେ ନକାରାତ୍ମକ ପ୍ରଭାବ ପକାଉଛି।
ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବରେ ଶିକ୍ଷା ଭିତ୍ତିଭୂମି ନଷ୍ଟ ହେବା ସହିତ ଛାତ୍ର, ଅଭିଭାବକ ଓ ବିଦ୍ୟାଳୟର କର୍ମଚାରୀଙ୍କ ଜୀବନହାନି ଘଟୁଛି।
ବିଗତ ୨୦ ବର୍ଷ ମଧ୍ୟରେ ଅତି କମ୍ରେ ୭୫ ପ୍ରତିଶତ ଚରମ ପାଣିପାଗ ଘଟଣାରେ ଅନେକ ବିଦ୍ୟାଳୟ ବନ୍ଦ ହୋଇଯାଇଛି, ଯାହା ଦ୍ବାରା ୫୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ। ବନ୍ୟା ଓ ଘୂର୍ଣ୍ଣିବଳୟ ସମେତ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟାଇ ବିଦ୍ୟାଳୟଗୁଡ଼ିକୁ ନଷ୍ଟ କରିଦେଇଛି। ସେହିପରି ଉତ୍ତାପ ସଂସ୍ପର୍ଶରେ ଆସିବା ଦ୍ବାରା ପିଲାମାନଙ୍କର ଶିକ୍ଷା ଫଳାଫଳ ଉପରେ କ୍ଷତିକାରକ ପ୍ରଭାବ ପଡ଼ିଥାଏ। ୧୯୬୯ରୁ ୨୦୧୨ ମଧ୍ୟରେ ୨୯ଟି ଦେଶର ଜନଗଣନା ଓ ଜଳବାୟୁ ତଥ୍ୟର ବିଶ୍ଳେଷଣରୁ ଏହା ସ୍ପଷ୍ଟ ହୋଇଛି ଯେ, ପ୍ରସବ ବେଳେ ଓ ପ୍ରାରମ୍ଭିକ ଜୀବନକାଳରେ ହାରାହାରି ତାପମାତ୍ରା ଠାରୁ ଅଧିକ ଉତ୍ତାପ ସଂସ୍ପର୍ଶରେ ଆସୁଥିବା ଦକ୍ଷିଣ ଏସିଆର ଶିଶୁମାନେ କମ୍ ସମୟ (ବର୍ଷ) ପାଇଁ ବିଦ୍ୟାଳୟ ଯାଆନ୍ତି। ଚୀନରେ ଉଚ୍ଚ ତାପମାତ୍ରା କାରଣରୁ ଉଭୟ ହାଇସ୍କୁଲ ଓ ସ୍ନାତକ ସ୍ତରୀୟ ପ୍ରବେଶିକା ପରୀକ୍ଷାରେ ଉପସ୍ଥାନ ହାର କମ୍ ରହୁଛି। ସେହିପରି ଆମେରିକାରେ ଶୀତତାପ ନିୟନ୍ତ୍ରଣ ବିନା ୧ ଡିଗ୍ରି ସେଲ୍ସିଅସ୍ ତାପମାତ୍ରା ଅଧିକ ଥିବା ଶିକ୍ଷା ବର୍ଷରେ ଫଳାଫଳ ୧ ପ୍ରତିଶତ କମ୍ ରହୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/school.jpg)
