ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ବିଭିନ୍ନ ସ୍ତରରେ ଦେଖିବାକୁ ମିଳୁଛି। ଚିନ୍ତାର ବିଷୟ ହେଲା ସମଗ୍ର ବିଶ୍ୱରେ ଥିବା ଗ୍ଲେସିୟର ତରଳିବା ଆରମ୍ଭ କରିଛି। ଦିନକୁ ଦିନ ବଢ଼ୁଥିବା ପ୍ରଦୂଷଣ ଏବଂ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଇଁ ଗ୍ଲେସିୟର ତରଳୁଥିବା ବେଳେ ଏବେ ହିମାଳୟାନ ଗ୍ଲେସିୟରରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖାଯାଇଛି। ହିମାଳୟାନ ଗ୍ଲେସିୟର ହଠାତ୍ ନିଜର ମୁଖ୍ୟ ମାର୍ଗ ବଦଳାଇଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି। ଏ ସଂକ୍ରାନ୍ତରେ ଗବେଷଣା କରୁଥିବା ବୈଜ୍ଞାନିକମାନେ ଜଳବାୟୁ ପରିବର୍ତ୍ତନ ଏବଂ ଭୂପୃଷ୍ଠର ଗଠନଶୈଳୀରେ ପରିବର୍ତ୍ତନ ପାଇଁ ଏଭଳି ହୋଇଥିବା କହିଛନ୍ତି।
ଭାରତୀୟ ଗବେଷକମାନେ ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲାରେ ଥିବା କାଳୀ ଗଙ୍ଗା ଉପତ୍ୟକାରେ ଏକ ଗ୍ଲେସିୟରକୁ ନେଇ ଅଧ୍ୟୟନ କରୁଥିବା ବେଳେ ଏହା ସାମ୍ନାକୁ ଆସିଛି। ଉଭୟ ଜଳବାୟୁ ଏବଂ ଭୂପୃଷ୍ଠରେ ପରିବର୍ତ୍ତନ ହେତୁ ଗ୍ଲେସିୟର ହଠାତ୍ ଏହାର ସାଧାରଣ ଗତିପଥକୁ ବଦଳାଇ ଦେଇଥିବା କହିଛନ୍ତି ଅନୁସନ୍ଧାନକାରୀ। ଏହି ଘଟଣା ପରେ ଏହା ସ୍ପଷ୍ଟ ହୋଇଛି ଯେ, କେବଳ ଜଳବାୟୁ ନୁହେଁ ଭୂପୃଷ୍ଠର ଗଠନରେ ପରିବର୍ତ୍ତନ ମଧ୍ୟ ଗ୍ଲେସିୟର ତରଳିବା ଏବଂ ଗତିପଥ ବଦଳାଇବା ପାଇଁ ଦାୟୀ। ଏହା ସହ ଏହି ଅନୁସନ୍ଧାନରୁ ଗତ ଫେବ୍ରୁଆରି ୭ରେ ଚମୋଲିରେ ଘଟିଥିବା ଘଟଣା ପାଇଁ ମଧ୍ୟ ଜଳବାୟୁ ପରିବର୍ତ୍ତନ ଏବଂ ଭୂପୃଷ୍ଠରେ ପରିବର୍ତ୍ତନ ଦାୟୀ ବୋଲି ସ୍ପଷ୍ଟ ହୋଇଛି।
/sambad/media/post_attachments/wp-content/uploads/2021/11/t-197.jpg)
ଫେବ୍ରୁଆରି ୭ରେ ଉତ୍ତରାଖଣ୍ଡର ଚମୋଲିରେ ହଠାତ ଗ୍ଲାସିୟର ଫାଟିବାରୁ ଅଚାନକ ବନ୍ୟା ଆସିବା ସହ ୨୦୦ଲୋକ ନିଖୋଜ ହୋଇଯାଇଥିଲେ। ପରେ ଅନେକ ଦିନ ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ବି ନିଖୋଜ ଲୋକଙ୍କର ସନ୍ଧାନ ମିଳି ନଥିଲା। ଏହି ଘଟଣା ପରେ ଗ୍ଲେସିୟର ନିଜର ଗତିପଥ ବଦଳାଇଥିବାରୁ ଏଭଳି ହୋଇଥିବା ନେଇ ବିଶେଷଜ୍ଞମାନେ କହିଥିବା ବେଳେ ଆଜି ଏହା ସ୍ପଷ୍ଟ ହୋଇଛି। ହିମାଳୟାନ ଗ୍ଲେସିୟର ହଠାତ୍ ନିଜର ମୁଖ୍ୟ ମାର୍ଗ ବଦଳାଇବା ସ୍ଥାନୀୟ ଲୋକଙ୍କୁ ଏକ ସତର୍କ ଘଣ୍ଟି ଦେଇଛି।
ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ, ହିମାଳୟ ଏକ ସକ୍ରିୟ ପାର୍ବତ୍ୟ ସୀମା ହୋଇଥିବା ସହ ଅତ୍ୟନ୍ତ ଦୁର୍ବଳ। ଏଠାରେ ସଂପ୍ରତି ପୃଥିବୀପୃଷ୍ଠର ଗଠନଶୈଳୀରେ ପରିବର୍ତ୍ତନ ଏବଂ ଜଳବାୟୁ ପରିବର୍ତ୍ତନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି । ୱାଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ହିମାଳୟ ଜିଓଲୋଜି (ଡବ୍ଲୁଏଚଜି)ର ବୈଜ୍ଞାନିକଙ୍କ ଏକ ଦଳ ଦ୍ୱାରା କରାଯାଇଥିବା ନୂତନ ଅଧ୍ୟୟନ ‘ଜିଓ ସାଇନ୍ସ ଜର୍ନାଲ୍’ରେ ପ୍ରକାଶିତ ହୋଇଛି। ସାଟେଲାଇଟ ଫଟୋକୁ ବ୍ୟବହାରକରି ଗ୍ଲେସିୟର ନିଜର ଗତିପଥ ବଦଳାଇଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି।