ପିମ୍ପୁଡ଼ିମାନେ ଯଦି ସେମାନଙ୍କ ବସା ପାଖରେ ହୁଙ୍କା ଗଢ଼ନ୍ତି, ଆମ ପାଇଁ ତାହାର ଅର୍ଥ କିଛି ନଥାଏ। ମାତ୍ର ନୀଳଗିରି ପାହାଡ଼ର ତୋହବା ସମ୍ପ୍ରଦାୟ ସେଥିରୁ ଆସନ୍ନ ବର୍ଷାର ସୂଚନା ପାଇଥା’ନ୍ତି। ସେହିପରି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ଜରଵା ଜନଜାତି ମାଛମାନଙ୍କର ଗତିବିଧିକୁ ନିରୀକ୍ଷଣ କରି ବାତ୍ୟାର ଭୟାବହତା ପୂର୍ବାନୁମାନ କରିପାରନ୍ତି। ଏଭଳି ଗଭୀର ପ୍ରାକୃତିକ ସମ୍ପର୍କ ହିଁ ଅଧିକାଂଶ ଆଦିମ ଅଧିବାସୀଙ୍କୁ ଜଳବାୟୁ ପରିବର୍ତ୍ତନର ପ୍ରଭାବର ସମ୍ମୁଖୀନ ହେବାରେ ସାହାଯ୍ୟ କରିଥାଏ। ପ୍ରକୃତି ସହ ନିବିଡ଼ତା ସେମାନଙ୍କୁ ଜଳବାୟୁ ପରିବର୍ତ୍ତନ ଜନିତ ଚରମ ପ୍ରତିକୂଳ ପାଗର ବିପଦ ସମ୍ମୁଖରେ ମଧ୍ୟ ଛିଡ଼ା କରାଇଛି।
ଇଣ୍ଡିଜେନସ୍ ଵାର୍ଲଡ-୨୦୨୩ର ରିପୋର୍ଟ ଅନୁଯାୟୀ, ଭାରତରେ ୧୦.୪ କୋଟି ଆଦିମ ଅଧିବାସୀ ଅଛନ୍ତି, ଯାହା ଦେଶର ମୋଟ ଜନସଂଖ୍ୟାର ୮.୬ ପ୍ରତିଶତ। ସେମାନଙ୍କୁ ଏବେ ବନ୍ୟା, ଅପ୍ରତ୍ୟାଶିତ ବର୍ଷା, ବର୍ଦ୍ଧିତ ତାପମାତ୍ରା ଓ ଜଙ୍ଗଲହାନି ଆଦି ଆହ୍ବାନର ସମ୍ମୁଖୀନ ହେବାକୁ ପଡୁଛି। ଯୁଗ ଯୁଗ ଧରି ଜନଜାତି ସମ୍ପ୍ରଦାୟ ନିଜର ଜୀବନଧାରଣ ଓ ସାଂସ୍କୃତିକ ପ୍ରଥାର ପାଳନ ନିମନ୍ତେ ବନ୍ୟ ସମ୍ବଳ ଉପରେ ନିର୍ଭର କରି ଆସୁଛନ୍ତି। ମାତ୍ର ଜଙ୍ଗଲହାନି ସାଙ୍ଗକୁ ବିସ୍ତୃତ ଜମି ନଷ୍ଟ ସେମାନଙ୍କ ଅସ୍ତିତ୍ବ ପ୍ରତି ବିପଦ ସୃଷ୍ଟି କରୁଛି। ଗ୍ଲୋବାଲ ଫରେଷ୍ଟ ଵାଚ୍ର ଏକ ରିପୋର୍ଟ ଅନୁଯାୟୀ, ୨୦୦୨ରୁ ୨୦୨୩ ଭିତରେ ଭାରତର ୪,୧୪,୦୦୦ ହେକ୍ଟର ଆର୍ଦ୍ର ଜଙ୍ଗଲ ନଷ୍ଟ ହୋଇଯାଇଛି। ତେବେ ଜନଜାତିଙ୍କ ସହ ଆଲୋଚନା ବିନା ଜଙ୍ଗଲ କଟା ବଢ଼ି ଚାଲିଥିବାରୁ ସେମାନେ ବିସ୍ଥାପିତ ହେବା ସହ ସେମାନଙ୍କର ପାରମ୍ପରିକ ପ୍ରଥାଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସେହିପରି ବନ୍ୟା, ମରୁଡ଼ି ଓ ବାତ୍ୟା ଯୋଗୁଁ ସେମାନେ ବିସ୍ଥାପିତ ହେବାକୁ ବାଧ୍ୟ ହୋଇଥିବା ବେଳେ ସେମାନଙ୍କୁ ଖାଦ୍ୟ ଅସୁରକ୍ଷା ଓ ଭକ୍ଷଣ ଅଭ୍ୟାସରେ ପରିବର୍ତ୍ତନ ପରି ଦୁଇଟି ସଂକଟଜନକ ପରିଣତି ଭୋଗିବାକୁ ପଡୁଛି। ନଦୀ ମାଛ, ସ୍ଥାନୀୟ ଶସ୍ୟବୀଜ ଓ ଜଙ୍ଗଲ ଉତ୍ପାଦ ପରି ପାରମ୍ପରିକ ଖାଦ୍ୟ ଉତ୍ସରେ ହ୍ରାସ ହେତୁ ବଜାରରେ ଉପଲବ୍ଧ ଖାଦ୍ୟ ଉପରେ ସେମାନଙ୍କୁ ନିର୍ଭର କରିବାକୁ ପଡୁଛି, ଯେଉଁଥିରେ ପୋଷକତତ୍ତ୍ବ କମ୍ ରହୁଛି। ତେଣୁ ସେମାନେ ରୋଗରେ ଶୀଘ୍ର ଶିକାର ହେବା ସହ ତାଙ୍କ ଠାରେ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି।
ପର୍ଯ୍ୟାବରଣ ପ୍ରଣାଳୀର ପରିଚାଳନାରେ ଆଦିମ ସମ୍ପ୍ରଦାୟମାନେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥା’ନ୍ତି, ଯାହା ପ୍ରାକୃତିକ ସମ୍ବଳ ଓ ଜୈବବିବିଧତାକୁ ସଂରକ୍ଷିତ ରଖିଥାଏ। ମେଘାଳୟର ଖାସି ସମ୍ପ୍ରଦାୟ ବାଡ଼ିରେ ବଗିଚା କରି ଖାଦ୍ୟ ପାଇଁ ବନ୍ୟ ସମ୍ବଳକୁ ବଢ଼ାଇଥା’ନ୍ତି। ବିଷ୍ଣୋଇ ସମ୍ପ୍ରଦାୟ ବନ୍ୟଜନ୍ତୁ ସୁରକ୍ଷା ସମେତ ଜଳ ବଞ୍ଚାଇବା ଓ ବୃକ୍ଷରୋପଣ ଉପରେ ଗୁରୁତ୍ବ ଦେଇଥା’ନ୍ତି। ହିମାଚଳ ପ୍ରଦେଶର ଲାହୌଲ ସମ୍ପ୍ରଦାୟ ଥଣ୍ଡା ମରୁଭୂମିରେ ବରଫ ଜଳ ସଂଗ୍ରହ କରି ଶୀତଦିନେ କୃଷି ବଜାୟ ରଖିଥା’ନ୍ତି। ସେହିପରି ପୂର୍ବଘାଟ ପର୍ବତମାଳାର ଡଙ୍ଗରିଆ କନ୍ଧମାନେ ଜୈବଚାଷ ମାଧ୍ୟମରେ ଶୁଷ୍କ ପରିବେଶରେ ମଧ୍ୟ ବିଭିନ୍ନ ଫସଲ ଅମଳ କରିଥା’ନ୍ତି। ପଶ୍ଚିମଘାଟର ଇଲୁରାର ସମ୍ପ୍ରଦାୟ ପ୍ରାକୃତିକ କୀଟ ପରିଚାଳନା ଦ୍ବାରା ବିହନ ସଂରକ୍ଷଣ କରି ରଖିଥା’ନ୍ତି। ଏହି ଆଦିମ ଅଧିବାସୀମାନଙ୍କର ଦୃଢ଼ ସାମାଜିକ ସଂରଚନା ରହିଛି ଯାହା ସଂକଟ ବେଳେ ସହଯୋଗକୁ ପ୍ରୋତ୍ସାହିତ କରିଥାଏ। ଦିନକୁ ଦିନ ଖାଦ୍ୟାଭାବ, ଜୈବବିବିଧତାରେ ହ୍ରାସ ଓ ବିସ୍ଥାପନ ଆଦି ସମସ୍ୟା ବଢ଼ିଚାଲିଥିବା ବେଳେ ଏହି ଜନଜାତି ସମ୍ପ୍ରଦାୟମାନଙ୍କର ଶତାବ୍ଦୀ ଶତାବ୍ଦୀର ପ୍ରାଚୀନ ଜ୍ଞାନ ପ୍ରଣାଳୀ ହିଁ ନମନୀୟତା ଓ ଜଳବାୟୁ ସହ ଖାପ ଖୁଆଇବାରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିପାରିବ। ତେଣୁ ଜଳବାୟୁ ସମ୍ପର୍କିତ ଯୋଜନା ପ୍ରଣୟନରେ ସେମାନଙ୍କର ଆଭିମୁଖ୍ୟକୁ ଅନ୍ତର୍ଭୁକ୍ତ କରିବା ସହ ସ୍ଥାନୀୟ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ବାଞ୍ଛନୀୟ। ଆଧୁନିକ ଜ୍ଞାନକୌଶଳ ଦ୍ବାରା ଉଦ୍ଧୃତ ଉପାୟ ସହ ପ୍ରାଚୀନ ଆଦିବାସୀ ପ୍ରଥାଗୁଡ଼ିକୁ ସାମିଲ କଲେ ଏକ ଦୀର୍ଘସୂତ୍ରୀ ସମାଧାନ ବାଟ ଖୋଲିପାରିବ, ଯାହା ଉଭୟ ଜନଜାତି ସମ୍ପ୍ରଦାୟ ଓ ସାଧାରଣ ଲୋକଙ୍କର ହିତ ସାଧନ କରିବ।