ଗତ ବର୍ଷ ତୁଳନାରେ ଜୁନ୍ ମାସରେ ଭାରତରେ ଚା’ ଉତ୍ପାଦନ ୯% ହ୍ରାସ ପାଇ ୧୩.୩୫ କୋଟି କିଲୋଗ୍ରାମ ହୋଇଛି। ଚା’ ଉତ୍ପାଦନରେ ଏହି ହ୍ରାସ ପାଇଁ ବୈଜ୍ଞାନିକମାନେ ପରିବର୍ତ୍ତନଶୀଳ ପାଣିପାଗ ଧାରାକୁ ଦାୟୀ କରିଛନ୍ତି। ଦେଶର ପ୍ରମୁଖ ଚା’ ଉତ୍ପାଦନକାରୀ ରାଜ୍ୟ ପଶ୍ଚିମବଙ୍ଗ, ଆସାମ ଓ ଉତ୍ତରପୂର୍ବ ଭାରତରେ ଜୁନ୍ ମାସରେ ଚା’ ଉତ୍ପାଦନ ଗତ ବର୍ଷର ୧୨.୧୫ କୋଟି କିଲୋଗ୍ରାମରୁ ହ୍ରାସ ପାଇ ୧୧.୨୫ କୋଟି କିଲୋଗ୍ରାମ ହୋଇଛି। ଦକ୍ଷିଣ ଭାରତରେ ମଧ୍ୟ ଚା’ ଉତ୍ପାଦନ ୨୫.୨୦ ନିୟୁତ କିଲୋଗ୍ରାମରୁ କମି ୨୦.୯୯ ନିୟୁତ କିଲୋଗ୍ରାମ ହୋଇଛି।

Advertisment

ସାମ୍ପ୍ରତିକ ବର୍ଷଗୁଡ଼ିକରେ ମୌସୁମି ଅନିୟମିତ ହେବା ସହ ଏହି ବର୍ଷ ଉତ୍ତର-ପୂର୍ବରେ ୨୪% କମ୍ ବର୍ଷା ହୋଇଛି। ଉଚ୍ଚ ତାପମାତ୍ରାଜନିତ ଶୁଷ୍କ ସ୍ଥିତି ଅମଳରେ ବାଧା ଉପୁଜାଇଛି। ଏହା ଭାରତର ଚା’ କ୍ଷେତକୁ ବିପଦରେ ପକାଇଛି ବୋଲି ଖାଦ୍ୟ ଏବଂ କୃଷି ସଂଗଠନ (ଏଫ୍‌ଏଓ)ର ଏକ ରିପୋର୍ଟ ଚେତାବନୀ ଦେଇଛି। ପୁଣି ଉଷ୍ମ ପରିସ୍ଥିତି ଚା’ ବଗିଚାରେ ମଶା, ପୋକ ଓ କବକ ଭଳି କୀଟପତଙ୍ଗର ପ୍ରସାର କରୁଛି। ଏହା ଉଭୟ ଉତ୍ପାଦନ ଓ ଗୁଣବତ୍ତାକୁ ହ୍ରାସ କରୁଛି। ଆସାମରେ ନିରନ୍ତର ଭାବେ ବୃଷ୍ଟିପାତ ହ୍ରାସ ପାଇ ୨୦୨୨ରେ ୧,୮୬୯.୪ ମିମି ହୋଇଛି, ଯାହା ହାରାହାରି ଠାରୁ ୧୩୪.୨ ମିମି କମ୍। ଏପରି ପରିବର୍ତ୍ତନ ଚା’ ଗଛଗୁଡ଼ିକୁ ପର୍ଯ୍ୟାପ୍ତ ପାଣିରୁ ବଞ୍ଚିତ କରି ମାଟିକୁ ନଷ୍ଟ କରୁଛି। ଏହି ଢାଞ୍ଚା ଜାରି ରହିଲେ ୨୦୫୫ ମସିହା ସୁଦ୍ଧା ଭାରତ ଏହାର ଚା’ କ୍ଷେତଗୁଡ଼ିକର ୪୦% ପର୍ଯ୍ୟନ୍ତ ହରାଇ ବସିବ ବୋଲି ଏଫ୍‌ଏଓ ପୂର୍ବାନୁମାନ କରିଛି। ବିଶ୍ୱର ଦ୍ୱିତୀୟ ବୃହତ୍‌ ଚା’ ଉତ୍ପାଦନକାରୀ ଭାବରେ ଭାରତ ଏକ କଠିନ ଆହ୍ବାନର ସମ୍ମୁଖୀନ ହେଉଛି। ଚା’ ଶିଳ୍ପ ସହିତ ଜଡ଼ିତ ଲକ୍ଷ ଲକ୍ଷ ଜୀବିକାକୁ ସୁରକ୍ଷା ଦେବା ପାଇଁ ଜଳବାୟୁ-ସ୍ଥାପକ କୃଷି ପ୍ରଣାଳୀ, ଜଳ ଉପଲବ୍‌ଧତା ଉନ୍ନତ କରିବା ଏବଂ ସ୍ଥାୟୀ କୃଷିର ଜରୁରୀ ଆବଶ୍ୟକତା ଉପରେ ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରିଛନ୍ତି।