ଜଳବାୟୁ ପରିବର୍ତ୍ତନ ସଂକଟକୁ ଉତ୍କଟ କରିବାରେ ଦରିଦ୍ର ଲୋକମାନଙ୍କର ଅବଦାନ ସର୍ବନିମ୍ନ, କିନ୍ତୁ ସେଇମାନେ ହିଁ ତାହାର ସର୍ବାଧିକ କୁପ୍ରଭାବ ଭୋଗ କରୁଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ବିଶ୍ବ ସ୍ତରରେ ବିଭିନ୍ନ ଅନୁଦାନ ପ୍ରକଳ୍ପ କାର୍ଯ୍ୟ କରୁଛି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକଙ୍କୁ ଜଳବାୟୁ ସଂକଟର କୁପ୍ରଭାବରୁ ମୁକ୍ତ କରିବା। କିନ୍ତୁ ଦୁଃଖର ବିଷୟ ଯେ ବିଗତ ଦୁଇ ଦଶନ୍ଧିରେ ଜଳବାୟୁ ଅନୁଦାନର ମାତ୍ର ୩.୫% ଦରିଦ୍ର ଲୋକଙ୍କ ଲାଗି ବିନିଯୋଗ ହୋଇଛି।
କପ୍ ୨୯ ସମ୍ମିଳନୀରେ ଉପସ୍ଥାପିତ ଏକ ରିପୋର୍ଟରେ ୨୨ଟି ଜଳବାୟୁ ପାଣ୍ଠି ଦ୍ବାରା କାର୍ଯ୍ୟକାରୀ ୩,୪୨୮ଟି ପ୍ରକଳ୍ପର ଅଧ୍ୟୟନ କରାଯାଇଥିଲା। ସେଥିରୁ ୨୨୫ଟି ପ୍ରକଳ୍ପ ସହରାଞ୍ଚଳ ଉପରେ କେନ୍ଦ୍ରିତ ହୋଇଥିବା ବେଳେ ମାତ୍ର ୭୪ଟି ପ୍ରକଳ୍ପ ସହରାଞ୍ଚଳର ଦରିଦ୍ରମାନଙ୍କ ଲାଗି ଉଦ୍ଦିଷ୍ଟ ଥିଲା। ୨୦୦୩ରୁ ୨୦୨୩ ମଧ୍ୟରେ ବିଶ୍ବସ୍ତରୀୟ ଜଳବାୟୁ ପାଣ୍ଠିଗୁଡ଼ିକ ଦ୍ବାରା ସମୁଦାୟ ୩୩.୪ ବିଲିଅନ୍ ଡଲାର୍ ଅନୁମୋଦନ ହୋଇଥିବା ବେଳେ ସେଥିରୁ ମାତ୍ର ୧.୨ ବିଲିଅନ୍ ଡଲାର୍ ବା ୩.୫% ଅନୁଦାନ ସହରୀ ଦରିଦ୍ରଙ୍କ ଲାଗି ଖର୍ଚ୍ଚ ହୋଇଥିଲା।
ବର୍ତ୍ତମାନ ସମୟରେ ବିଶ୍ବର ପ୍ରାୟ ୧୦୦ କୋଟି ଲୋକ ବସ୍ତିରେ ବସବାସ କରୁଛନ୍ତି। ଏହି ସଂଖ୍ୟା ୨୦୩୦ ବେଳକୁ ଦୁଇଗୁଣ ହୋଇଯାଇଥିବ ବୋଲି ଅନୁମାନ କରାଯାଉଛି। ଏମାନଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ (ଯେପରିକି ଗ୍ରୀଷ୍ମ ଲହରି, ମରୁଡ଼ି, ବନ୍ୟା, ଜଳ ଓ ଖାଦ୍ୟ ସଂକଟ) ପଡ଼ିବାର ଆଶଙ୍କା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏସବୁର ମୁକାବିଲା ଲାଗି ଜଳବାୟୁ ଅନୁଦାନ ବୃଦ୍ଧି ପାଇବା ଅପରିହାର୍ଯ୍ୟ। ଏଥିପାଇଁ ଅନୌପଚାରିକ ବସତିଗୁଡ଼ିକୁ ଜାତୀୟ ନୀତିମାନଙ୍କରେ ଅଗ୍ରାଧିକାର ପ୍ରଦାନ କରିବା ଓ ସ୍ଥାନୀୟ ସଂଗଠନ ଓ ସହରୀ ଗୋଷ୍ଠୀମାନଙ୍କ ସହିତ ସଘନ ଆଲୋଚନା କରିବା ଏ ଦିଗରେ ସହାୟକ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି। ଜଳବାୟୁ ଅନୁଦାନ ହାସଲର ପଥ ସୁଗମ ହେଲେ ସହରୀ ଦରିଦ୍ରମାନେ ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ନିଜକୁ ସୁରକ୍ଷିତ ରଖିପାରିବେ।