ଭୂପୃଷ୍ଠରୁ ଜଳ ବାଷ୍ପୀଭୂତ ହୋଇ ଉପରକୁ ଉଠିଗଲା ପରେ ତାହା ମେଘଖଣ୍ଡ ଆକାରରେ ଆକାଶରେ ଘୂରି ବୁଲୁଥାଏ। ସାଧାରଣତଃ ଭୂପୃଷ୍ଠରୁ ୬,୫୦୦ ଫୁଟରୁ ୧୩,୦୦୦ ଫୁଟ ଉଚ୍ଚରେ ଏହି ମେଘଖଣ୍ଡଗୁଡ଼ିକ ସୃଷ୍ଟି ହୋଇଥା’ନ୍ତି। ସାମାନ୍ୟ ପବନରେ ଆକାଶରେ କ୍ଷିପ୍ର ବେଗରେ ଭାସମାନ ହେଉଥିବା ଉକ୍ତ ମେଘଖଣ୍ଡଗୁଡ଼ିକୁ ଦେଖିଲେ ସତେ ଯେପରି ପକ୍ଷୀର ପର ପରି ସେଗୁଡ଼ିକ ହାଲୁକା ହୋଇଥିବ ବୋଲି ଏକ ଧାରଣା ମନକୁ ଆସିଥାଏ। ଏପରିକି ତାହା ଏକ ପତଳା ଫର୍ଦ୍ଦ ପରି ମଧ୍ୟ ଆମକୁ ଜଣାପଡୁଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ମାତ୍ର ବାସ୍ତବରେ ତାହା ସେପରି ନୁହେଁ। ଗୋଟିଏ ଗୋଟିଏ ମେଘ ଖଣ୍ଡର ହାରାହାରି ଓଜନ ଲକ୍ଷ ଲକ୍ଷ ପାଉଣ୍ଡ୍ ବୋଲି ଜାଣିଲେ ତାହା ଆଶ୍ଚର୍ଯ୍ୟ ଲାଗିପାରେ, ମାତ୍ର ତାହା ବାସ୍ତବ। ସେହିପରି ଏହା ଆକାଶରେ ଏପାରି ସେପାରି ଦୀର୍ଘ ବାଟ ଯାଏ ବ୍ୟାପିଥିବା ଭଳି ଜଣାପଡୁଥିବା ବେଳେ ଏହା ପତଳା ଆସ୍ତରଣ ପରି ନହୋଇ କିମି. କିମି. ବହଳର ହୋଇଥାଏ। ସେଥିପାଇଁ ତ ବେଳେ ବେଳେ ଦୀର୍ଘ ସମୟ ଧରି ବର୍ଷା ହେଉଥିବାର ନଜିର ରହିଛି। କାରଣ ମେଘଖଣ୍ଡମାନଙ୍କରେ ଏତେ ପରିମାଣରେ ଜଳ ଗଚ୍ଛିତ ହୋଇ ରହିଥାଏ ଯେ ତାହା ଏତେ ଶୀଘ୍ର ବୃଷ୍ଟିପାତରେ ସରିନଥାଏ। ପର୍ଯ୍ୟାୟ କ୍ରମେ ତାହା ଶୀତଳ ହୋଇ ଧୀରେ ଧୀରେ ବର୍ଷାବିନ୍ଦୁ ଆକାରରେ ଭୂପୃଷ୍ଠରେ ପତିତ ହୋଇଥାଏ।