‘‘ହଠାତ୍‌ ବହୁଲୋକଙ୍କ ଚିତ୍କାରରେ ମୋର ନିଦ ଭାଙ୍ଗିଗଲା। କ’ଣ ହେଲା ଦେଖିବାକୁ ଘରର ବାଲ୍‌କୋନିକୁ ଦୌଡ଼ିଗଲି। ଦେଖିଲି ପ୍ରାୟ ଅଧା କିଲୋମିଟର ଦୂରରେ ଥିବା ଖିରଗଙ୍ଗା ନଦୀର ଉପର ମୁଣ୍ଡରୁ ସୁ ସୁ ଗର୍ଜନ କରି ବନ୍ୟାଜଳ ମାଡ଼ି ଆସୁଛି। ମୁଁ କିଛି ବୁଝିପାରିଲି ନାହିଁ କ’ଣ କରିବି? ସହର ଆଡ଼କୁ କାଦୁଅ ଭଳି ପାଣି ମାଡ଼ି ଆସୁଥିଲା। ଦୂରରୁ ମୋତେ କେବଳ ପୁରୁଷ, ମହିଳା ଓ ଶିଶୁମାନଙ୍କ ଆର୍ତ୍ତ ଚିତ୍କାର ଶୁଣାଯାଉଥିଲା। ଚାହୁଁ ଚାହୁଁ ପାଣି ବନ୍ଧଭାଙ୍ଗି ସହର ଭିତରେ ପଶିଗଲା। ଏସବୁ ଆଖିପିଛୁଳାକେ ଘଟିଗଲା। ସେ ଦୃଶ୍ୟ ଦେଖି ମୋ ଦେହହାତ ଥରୁଥିଲା। କ’ଣ କରିବି ବୁଝି ପାରୁନଥିଲି।’’
ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ପୁରୁଣା ଧରାଲି ଗାଁର ବାସିନ୍ଦା ଜନୈକା ମହିଳା ମୀନାକ୍ଷି ଧୁମଲ୍‌ଙ୍କ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଅଗଷ୍ଟ ୫ ତାରିଖରେ ସେଠାରେ ଘଟିଥିବା ଅତର୍କିତ ଭୂସ୍ଖଳନ ଓ ବନ୍ୟା ସମୟର ଭୟଙ୍କର ଚିତ୍ର ବୟାନ କରୁଛି। ସେ ଅଞ୍ଚଳରେ ହୋଇଥିବା ବାଦଲଫଟା ବର୍ଷା ଯୋଗୁ ପର୍ବତପୃଷ୍ଠ ଧସି ତାହା ନଦୀପାଣିରେ ମିଶି କାଦୁଅ ବନ୍ୟାର  ରୂପ ନେଇଥିଲା। ବାଦଲଫଟା ବର୍ଷା ହେତୁ ବ୍ୟାପକ କ୍ଷୟକ୍ଷତି ଘଟିବା ବର୍ତ୍ତମାନ ଦେଶର ବିଭିନ୍ନ ଅଞ୍ଚଳକୁ ବ୍ୟାପିଲାଣି। ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଲଦାଖ, ଜମ୍ମୁକାଶ୍ମୀର, କେରଳ, କର୍ଣ୍ଣାଟକ, ତାମିଲନାଡୁ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ବାଦଲଫଟା ବର୍ଷାର ପ୍ରକୋପ ଦେଖିବାକୁ ମିଳିସାରିଲାଣି। ପ୍ରକୃତିର ଏହି ଭୟଙ୍କର କ୍ରୋଧରେ ହଜାର ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ କୋଟି କୋଟି ଟଙ୍କାର ଧନସଂପତ୍ତି ନଷ୍ଟ ହୋଇଛି। ପୁଣି ବ୍ୟାପକ ଅଞ୍ଚଳରେ ପ୍ରାକୃତିକ ସମ୍ପଦ ଧ୍ବଂସ ହୋଇଚାଲିଛି।

Advertisment

ଯଦି ଆମେ ନିକଟ ଅତୀତରେ ସଂଘଟିତ ବାଦଲଫଟା ବର୍ଷା ସଂପର୍କରେ ଅନୁଧ୍ୟାନ କରିବା ତେବେ ଦେଖିବା ହିମାଳୟ ପର୍ବତମାଳା ପାର୍ଶ୍ବରେ ଅବସ୍ଥିତ ରାଜ୍ୟସମୂହରେ ଏହା ଅଧିକ ହୋଇଛି। ଏଥିସହ ୨୦୦୦ ମସିହା ପରଠାରୁ ନିୟମିତ ବ୍ୟବଧାନରେ ବାଦଲଫଟା ବର୍ଷାର ତାଣ୍ଡବ ଦେଖିବାକୁ ମିଳୁଛି। ଭାରତୀୟ ହିମାଳୟ ଅଞ୍ଚଳ ଏକ ଅନନ୍ୟ ଭଙ୍ଗୁର ଭୌଗୋଳିକ ଅବସ୍ଥିତିରେ ରହିଛି। ଏହା ବାଦଲଫଟା ବର୍ଷାର ସମ୍ବେଦନଶୀଳତାକୁ ଯଥେଷ୍ଟ ଅଧିକ ବୃଦ୍ଧି କରିଥାଏ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସରକାର ଓ ପ୍ରଶାସନ ଏହା ବୁଝିବାକୁ ପ୍ରୟାସ କରୁନାହାନ୍ତି କିମ୍ବା ସ୍ପର୍ଶକାତର ଅଞ୍ଚଳକୁ ଚିହ୍ନଟ କରି ସେଠାରୁ ଜନବସତି ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରିନାହାନ୍ତି। ବାଦଲଫଟା ବର୍ଷା ବିତ୍ପାତ କ୍ରମାଗତ ଭାବେ କାୟା ବିସ୍ତାର କରିଚାଲିଛି। ଯଦି ଆମେ ଉପକୂଳ ଓଡ଼ିଶାର ୨୦୨୪-୨୫ ମୌସୁମୀ ବର୍ଷାର ମିଜାଜକୁ ଲକ୍ଷ୍ୟ କରିବା, ତେବେ ଦେଖିବା କଟକ ଓ ଭୁବନେଶ୍ବର ଭଳି ଅନ୍ୟ କେତେକ ସହରରେ ମଧ୍ୟ ବାଦଲଫଟା ବର୍ଷା ଦେଖାଗଲାଣି।  

ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ତାପମାତ୍ରା ବୃଦ୍ଧି ପ୍ରତି କ୍ରମାଗତ ଉଦାସୀନତା, ଚରମ ପାଣିପାଗ ଢାଞ୍ଚାର ପୂର୍ବାନୁମାନ କରିବାର ବିଫଳତା ଓ ବ୍ୟାପକ ପରିବେଶ ଅବକ୍ଷୟ କାରଣରୁ ଆଜି ଭାରତ‌େର ବାଦଲଫଟା ବର୍ଷା ବିପର୍ଯ୍ୟୟ ନିତିଦିନିଆ ଘଟଣା ପାଲଟିଗଲାଣି। ପୁଣି ଯୋଜନାହୀନ ଭାବେ ଜନବସତି ଗଢ଼ିଉଠିବା ଯୋଗୁ ବର୍ଷା ବିତ୍ପାତଜନିତ କ୍ଷୟକ୍ଷତି ବଢୁଛି। ଧାରୋଲି ଏହାର ଏକ ପ୍ରକୃଷ୍ଟ ଉଦାହରଣ। ଡୁନ୍ ବିଶ୍ବବିଦ୍ୟାଳୟର ଭୂବିଜ୍ଞାନ ବିଭାଗର ପ୍ରଫେସର୍‌ କହିଛନ୍ତି ଯେ ହିମାଳୟରୁ ଆସିଥିବା ଖିରଗଙ୍ଗା ନଦୀ ଧାରୋଲି ନିକଟରେ ଭାଗିରଥୀ ନଦୀରେ ମିଶିଥିଲା। ଏହା କୂଳରେ ବହୁ ପୂର୍ବରୁ ‌ଧାରୋଲି ଗାଁ ବସାଯାଇଥିଲା। ବେଶ୍‌ କିଛି ବର୍ଷ ତଳେ ବନ୍ୟା ଆସି ଖିରଗଙ୍ଗା ଗତିପଥ ପରିବର୍ତ୍ତନ କରିଥିଲା। ଫଳରେ ନଦୀଗର୍ଭରେ ଥିବା ଏକ ବିରାଟ ଅଞ୍ଚଳ  ସମତଳ ଭୂମିରେ ପରିଣତ ହୋଇଥିଲା। ଲୋକେ ସେଠି ଚାଷବାସ ଆରମ୍ଭ କରିଥିଲେ। ଏହାର କିଛି ବର୍ଷ ପରେ ଉକ୍ତ ଚାଷଜମିରେ ବସତି ସ୍ଥାପନ ହେଲା ଓ ଏହା ପର୍ଯ୍ୟଟନ କେନ୍ଦ୍ର ପାଲଟିଗଲା। ହୋଟେଲ୍‌ ଓ ଦୋକାନବଜାର ଖୋଲିଲା। କିନ୍ତୁ ଅଗଷ୍ଟ ୫ ତାରିଖରେ ଖିରଗଙ୍ଗାରେ ଯେଉଁ ବନ୍ୟାଜଳ ଆସିଲା ତାହା ନଦୀର ପୁରୁଣା ଗତିପଥ ଥିବା ଅଞ୍ଚଳ ଦେଇ ଭାଗିରଥୀକୁ ଚାଲିଗଲା। ଫଳରେ ନଦୀ ପୁଣି ଦିଗ ବଦଳାଇବା ପ୍ରକ୍ରିୟା ସଂପନ୍ନକଲା। ଫଳରେ ଧାରୋଲି ସହର ଧ୍ବସ୍ତ ହେଲା। ମାତ୍ର ପୁରୁଣା ଧାରୋଲି ଗ୍ରାମ ଅକ୍ଷୁଣ୍ଣ ରହିଲା। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ଆଗକୁ ଅଧିକ ଉଗ୍ର ହେବ ବୋଲି ବିଶେଷଜ୍ଞମାନେ ସତର୍କବାଣୀ କରିସାରିଲେଣି।  

ବାଦଲଫଟା ବର୍ଷା କ’ଣ?
ବାଦଲଫଟା ବର୍ଷା ହେଉଛି ଅତି ସ୍ବଳ୍ପ ସମୟ ମଧ୍ୟରେ ବିପୁଳ ପରିମାଣର ବୃଷ୍ଟିପାତ। ବେଳେ ବେଳେ ବର୍ଷା ସହିତ କୁଆପଥର ମାଡ଼ ଓ ବଜ୍ରପାତ ବି ହୋଇଥାଏ। ଏଥି ଯୋଗୁଁ ସହସା ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ବି ସୃଷ୍ଟିହୁଏ। ବାଦଲ ଫାଟିବା ଯୋଗୁଁ ସ୍ବଳ୍ପ ଅବଧିରେ ପ୍ରଚୁର ପରିମାଣର ବର୍ଷା ଜଳ ଭୂପୃଷ୍ଠକୁ ଆସେ। ପାଣିପାଗ ବିଶେଷଜ୍ଞଙ୍କ ମତାନୁସାରେ, କେତେକ ପରିସ୍ଥିତିରେ

 ଯେତେବେଳେ ଉତ୍ତପ୍ତ ବାୟୁ ପାର୍ବତ୍ୟ ଅଞ୍ଚଳରେ ଉପରକୁ ଉଠି ଥଣ୍ଡା ବାୟୁ ସହ ମିଶିଥାଏ, ‌େସ‌େତ‌େବଳେ ଜଳୀୟବାଷ୍ପ ହଠାତ୍ ଘନୀଭୂତ ହେବା ଫଳରେ ସ୍ବଳ୍ପ ସମୟ ମଧ୍ୟରେ ଅଧିକ ବୃଷ୍ଟିପାତ ହୋଇଥାଏ। ତେବେ ‘ବାଦଲ ଫାଟିବା’ ଶବ୍ଦଟି ଏହି ଧାରଣାରୁ ଉତ୍ପନ୍ନ ହୋଇଥିଲା ଯେ ମେଘର ଆକାର ପାଣିଭର୍ତ୍ତି ବେଲୁନ୍ ପରି ଏବଂ ଏହା ଫାଟିବା  ଫଳରେ ହଠାତ୍ ବିପୁଳ ପରିମାଣର ବୃଷ୍ଟି ହୁଏ। ପରବର୍ତ୍ତୀ କାଳରେ ମେଘ ଯେ ଏକ ପାଣିଭର୍ତ୍ତି ବେଲୁନ୍ ନୁହେଁ, ତାହା ପ୍ରତିପାଦିତ ପରେ ‘ବାଦଲଫଟା’ ଏକ ପ୍ରମାଦପୂର୍ଣ୍ଣ ଅଭିବ୍ୟକ୍ତି ବୋଲି ଜଣାପଡ଼ିଛି। ମାତ୍ର  ‘ବାଦଲଫଟା’ ଶବ୍ଦଟି ବ୍ୟବହାର ହୋଇଚାଲିଛି। ମୋଟାମୋଟି ଗୋଟାଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଅକସ୍ମାତ୍‌ ବ‌ା ଅପ୍ରତ୍ୟାଶିତ ଭାବେ ଘଟୁଥିବା ପ୍ରବଳ ଝଡ଼ବର୍ଷାକୁ ବାଦଲଫଟା ବର୍ଷା କୁହାଯାଉଛି। ଏହା ବନ୍ୟା, ଭୂସ୍ଖଳନ ଘଟାଇ ବ୍ୟାପକ ଧନଜୀବନ କ୍ଷତି କରିଥାଏ। ବାଦଲଫଟା ବର୍ଷାରେ ବୃଷ୍ଟିପାତର ହାର ଅତ୍ୟନ୍ତ ଅଧିକ।

ବର୍ଷାର ପରିମାଣ କେତେ?
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ୨୦ରୁ ୩୦ ବର୍ଗକିଲୋମିଟର୍‌ ଭଳି କ୍ଷୁଦ୍ର ଅଞ୍ଚଳରେ ଏକଘଣ୍ଟା ମଧ୍ୟରେ ୧୦୦ ମିଲିମିଟର୍‌ ବା ୪ ଇଞ୍ଚ୍‌ରୁ ଅଧିକ ବୃଷ୍ଟିପାତକୁ ବାଦଲଫଟା ବର୍ଷା ଭାବେ ଗଣାଯାଏ । ଏଭଳି ବର୍ଷା ମୁଖ୍ୟତଃ ପାର୍ବତ୍ୟ ବା ମରୁଭୂମି ଅଞ୍ଚଳରେ ସଂଘଠିତ ହୋଇଥାଏ। ବର୍ତ୍ତମାନ କିନ୍ତୁ ଏହା ଉପକୂଳ ଓ ସମତଳ ଅଞ୍ଚଳରେ ଦୃଶ୍ୟମାନ ହେଲାଣି। ଏହି ଶ୍ରେଣୀୟ ବର୍ଷା ବେଳେ ବୃଷ୍ଟିପାତ ବେଶ୍ ଦ୍ରୁତ, ତୀବ୍ର ଓ  ଘନୀଭୂତ ଆକାରରେ ହୋଇଥାଏ। ଯଦି ଏକ ଛୋଟ ଅଞ୍ଚଳରେ ଘଣ୍ଟାକ ମଧ୍ୟରେ ୧୦୦ ମିଲିମିଟର୍‌ ବର୍ଷା ହୁଏ, ତେବେ ଏହା ଫଳରେ ପ୍ରତି ବର୍ଗମିଟର୍‌  ଅଞ୍ଚଳରେ ୧୦୦ ଲିଟର୍‌ ପାଣି ଜମା କରିବ। ଯଦି ୨୦ ବର୍ଗକିଲୋମିଟର୍‌ ଅଞ୍ଚଳରେ ଏହା ସଂଘଠିତ ହୁଏ ତେବେ ମାତ୍ର ଘଣ୍ଟାଏ ବର୍ଷାରେ ସେ ଅଞ୍ଚଳରେ ପ୍ରାୟ ୨୦୦ ଲିଟର୍‌ ପର୍ଯ୍ୟନ୍ତ ପାଣି ଜମାହେବ ବୋଲି ଅାକଳନ କରାଯାଇଥାଏ।

କିପରି ସଂଘଟିତ ‌ହୁଏ?
ଜଳୀୟବାଷ୍ପ-ସମୃଦ୍ଧ ବାୟୁ ପର୍ବତରେ ବାଜି କିମ୍ବା ଭୂଖଣ୍ଡ ଗଠନ ଯୋଗୁଁ ଊର୍ଦ୍ଧ୍ବମୁଖୀ ହୁଏ। ଏହି ପ୍ରକ୍ରିୟା ପରେ ଏହା ଶୀତଳ ହୁଏ ଏବଂ ଜଳୀୟବାଷ୍ପ ଘନୀଭୂତ ହୋଇ ବାଦଲ ଗଠନକରେ। ଯଦି ଊର୍ଦ୍ଧ୍ବମୁଖୀ ବାୟୁ ଶକ୍ତିଶାଳୀ ହୋଇଥାଏ ତେବେ ତାହା ବର୍ଷା ବିନ୍ଦୁଗୁଡ଼ିକୁ ତଳକୁ ଖସାଇ ଦିଏନାହିଁ। ଫଳରେ ବାଦଲ ମଧ୍ୟରେ ଜଳବିନ୍ଦୁର ପରିମାଣ ବଢ଼ିଚାଲେ। ସମୟକ୍ରମେ ବାଦଲ ଜଳକଣା ଦ୍ବାରା ଅତିମାତ୍ରାରେ ସଂତୃପ୍ତ ହୋଇଯାଏ ଏବଂ ସ୍ବଳ୍ପ ସମୟ ଅବଧିରେ ବିପୁଳ ବର୍ଷା କରାଇଥାଏ, ଯାହାକୁ ବାଦଲଫଟା ବର୍ଷା କୁହାଯାଇଥାଏ। ଅନ୍ୟପକ୍ଷରେ ସ୍ଥାନ ଅଧାରିତ ପ୍ରାକୃତିକ ବୈଶିଷ୍ଟ୍ୟ ହେତୁ ବାଦଲଫଟା ବର୍ଷା ହେଉଥିବାରୁ ଏହା ସଂପର୍କରେ ପୂର୍ବାନୁମାନ କରିବା କଷ୍ଟକର।

ଭାରତରେ ଅଧିକ କାହିଁକି?
ଆମେ ଯଦି ବିଶ୍ବବ୍ୟାପୀ ବର୍ଷାର ଧାରାକୁ ଅନୁଶୀଳନ କରିବା ତେବେ ଦେଖିବାକୁ ପାଇବା ଏକବିଂଶ ଶତାବ୍ଦୀରେ ଭାରତରେ ଏଭଳି ଘାତକ ବର୍ଷା ଅଧିକ ସଂଖ୍ୟାରେ ହୋଇଛି। ୟୁରୋପ୍‌ ଓ ଆମେରିକାରେ ବାଦଲଫଟା ବର୍ଷାର ମାତ୍ରା ଆମ ତୁଳନାରେ ଯଥେଷ୍ଟ କମ୍। ଏସିଆ ମହାଦେଶରେ ଭାରତର ଦୁଇ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଓ ବାଂଲାଦେଶରେ ଏପରି ପ୍ରଳୟଙ୍କରୀ ବର୍ଷାର ଶିକାର ହୋଉଛନ୍ତି।      
  ହିମବାହ ସଂକୋଚନ ଓ ତୁଷାରକ୍ଷୟ କ୍ରମଶଃ ବୃଦ୍ଧି ପାଉଥିବା ହେତୁ ଏପରି ପ୍ରାକୃତିକ ବିପର୍ଯ୍ୟୟ ବଢ଼ିଚାଲୁଛି। ପୃଥିବୀର ଉତ୍ତାପ ବୃଦ୍ଧି ଯୋଗୁଁ ହିମାଳୟରେ ଥିବା ହିମବାହଗୁଡ଼ିକ ତରଳି ପାଣି ଆକାର‌େର ପ୍ରବାହିତ ହେଉଛନ୍ତି। ଏହା ପର୍ବତପୃଷ୍ଠକୁ ନରମ କରୁଛି। ମାଟି ଓ ପଥର ଆର୍ଦ୍ର ଅବସ୍ଥାରେ ରହୁଛି। ପୁଣି ଏହି ଜଳ ଉତ୍ତପ୍ତ ହୋଇ ବାଷ୍ପୀଭୂତ ହେଉଛି। ଫଳରେ ଆକାଶରେ ବୃହଦାକାରର ବାଦଲ ସୃଷ୍ଟି ହେଉଛି। ଏହି ମେଘଖଣ୍ଡ ପରସ୍ପର ସହ ଧକ୍କା ଖାଇବା ଦ୍ବାରା ପ୍ରବଳ ବର୍ଷା ହେଉଛି। ଏହାର ଅନ୍ୟ ଏକ କାରଣ ହେଉଛି କ୍ୟୁ‌ମ୍ୟୁଲସ୍‌ ଓ ନିମ୍ବସ୍‌ ମେଘ ଗଠନ। ଏହି ମେଘ ସବୁ ବିଶାଳ ଓ ସ୍ତମ୍ଭ ଆକାରର। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହକାଳରେ ଏପରି ବାଦଲ ଫାଟିବା ଘଟଣା ଅତି ସାଧାରଣ। ଏହି କାରଣରୁ ପାର୍ବତ୍ୟ ଅଞ୍ଚଳରେ ପ୍ରଳୟଙ୍କରୀ ବର୍ଷା ହେବା ସାଧାରଣ ଘଟଣା।

ମୃତ୍ୟୁର ପାଦଚିହ୍ନ
୧୮୯୪ରେ ପ୍ରଥମେ ବାଦଲଫଟା ବର୍ଷା ବିପର୍ଯ୍ୟୟ ରେକର୍ଡ କରାଯାଇଥିଲା ଏଥିରେ ଅଳକାନନ୍ଦା ଉପତ୍ୟକାର ପିପାଲ୍‌କୋଟି ଓ ହେଲୋଙ୍ଗ ମଧ୍ୟସ୍ଥ ବେଲାକୁଚି ତିରିଶଟି ଜନବସତି ସଂପୂର୍ଣ୍ଣ ଧୋଇଯିବା ସହ ଗୋହନା ହ୍ରଦ ନିଶ୍ଚିହ୍ନ ହୋଇଯାଇଥିଲା। ଏଥିରେ କୌଣସି ମୃତ୍ୟୁ ରେକର୍ଡ କରାଯାଇ ନାହିଁ।
 ୧୯୦୮ ସେପ୍‌ଟେମ୍ବର ୨୮‌େର ବାଦଲଫଟା ବର୍ଷା ‘ମେଘ ବିସ୍ଫୋରଣ’ ବୋଲି ନାମିତ ହୋଇଥିଲା। ଏଥିରେ ମୁସିନଦୀ ଜଳସ୍ତର ୩.୪ ମିଟରକୁ ବୃଦ୍ଧି ପାଇଥିଲା। ପ୍ରାୟ ୧୫,୦୦୦ ଲୋକ ପ୍ରାଣହରାଇବା ସହ ଅନ୍ୟୂନ ୮୦,୦୦୦ ଘର ନିଶ୍ଚିହ୍ନ ହୋଇଯାଇଥିଲା।
 ୧୯୯୭ ଅଗଷ୍ଟ ୧୭ରେ ବାଦଲଫଟା ବର୍ଷା ଯୋଗୁଁ ଉତ୍ତରାଖଣ୍ଡର ପିଥୋରଗଡ଼ସ୍ଥିତ କାଳୀ ଉପତ୍ୟକାରେ ୬୦ଜଣ କୈଳାସ ମାନସ‌େରାବର ଯାତ୍ରୀ, ୨୫୦ଜଣ ମାଲ୍‌ପା ଗ୍ରାମବାସୀ ଓ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରତିମା ବେଦୀଙ୍କର ମୃତ୍ୟୁ ହୋଇଥିଲା।
 ୨୦୦୩ ଜୁଲାଇ ୧୬ ଏବଂ ୨୦୦୪ ଜୁଲାଇ ୬ରେ ବାଦଲଫଟା ବର୍ଷା ଯୋଗୁଁ ଯଥାକ୍ରମେ ହିମାଚଳପ୍ରଦେଶର ସିଲାଗଡ଼ରେ ୪୦ଜଣ ଏବଂ ଉତ୍ତରାଖଣ୍ଡ ବଦ୍ରିନାଥ ମନ୍ଦିର ଅଞ୍ଚଳରେ ୭୦ଜଣଙ୍କର ମୃତ୍ୟୁ ହୋଇଥିଲା। 
 ୨୦୦୫ ଜୁଲାଇ ୨୬ରେ ମୁମ୍ବାଇ‌େର ବାଦଲଫଟା ବର୍ଷା ଯୋଗୁଁ ଅଳ୍ପ କେତେ ଘଣ୍ଟାରେ ୧,୦୦୦ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିଲେ।
 ୨୦୧୦ ଅଗ‌ଷ୍ଟ ୬ରେ ଲଦାଖ‌େର ବାଦଲଫଟା ବର୍ଷା ପ୍ରକୋପରେ ଲେହ୍‌ ସହର ସମେତ ୭୧ଟି ଗଁା ବନ୍ୟାପ୍ଳାବିତ ହେବ‌ା ସହ ୬ଜଣ ବିଦେଶୀ ପର୍ଯ୍ୟଟକ, ୨୫୫ଜଣ ସ୍ଥାନୀୟ ଲୋକ ମରିଥିଲେ ଏବଂ ୨୦୦ରୁ ଊର୍ଦ୍ଧ୍ବ ନିଖୋଜ ହୋଇଥିଲେ।
 ୨୦୧୧ ଅକ୍‌ଟୋବର ୪ରେ ପୁଣେ ସହରରେ ବାଦଲଫଟା ବର୍ଷା ମହାରାଷ୍ଟ୍ରର ୧୮୮ ବର୍ଷର ରେକର୍ଡ ଭାଙ୍ଗିଥିଲା। ଏଥିରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ଅନେ‌େକ ଗୁରୁତର ହୋଇଥିଲେ।
 ୨୦୧୧ ସେପ୍‌ଟେମ୍ବର ୧୫ରେ ଦିଲ୍ଲୀର ପାଲମ୍ ଅଞ୍ଚଳରେ ବାଦଲଫଟା ବର୍ଷା ଯୋଗୁଁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ପାଣି ଭର୍ତ୍ତି ହୋଇ ୮ ଘଣ୍ଟା ଧରି ଯାନବାହନ ଚଳାଚଳ ବାଧା ପାଇଥିଲା। ୧୯୫୯ ମସିହା ପରେ ଦିଲ୍ଲୀରେ ଏହା ଥିଲା ସର୍ବାଧିକ ବର୍ଷା ରେକର୍ଡ।
 ୨୦୧୩ ଜୁନ୍ ୧୫ ଏବଂ ସେପ୍‌ଟେମ୍ବର ୧୪ରେ ବାଦଲଫଟା ବର୍ଷା ଯୋଗୁଁ ରୁଦ୍ରପ୍ରୟାଗ ଜିଲ୍ଲାର ଉଖୀମଠ ଓ କେଦାରନାଥ ସମେତ ରାମ୍‌ବରା ଅଞ୍ଚଳରେ ଯଥାକ୍ରମେ ୧୪୯ଜଣ ଏବଂ ୫,୦୦୦ ଲୋକ ମରିଥିଲେ। ଉଖୀମଠରେ ଜଳବନ୍ଦୀ ହୋଇଥିବା ୮୪,୦୦୦ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନା ଏବଂ ଏନ୍‌ଡିଆର୍ଏଫ୍ ୪୫ଟି ହେଲିକ୍ୟାପ୍‌ଟର ନିୟୋଜିତ କରିଥିଲେ। ବାଦଲଫଟା ବର୍ଷା ଯୋଗୁଁ ନୁହେଁ, କେଦାରନାଥ ପାଖରେ ଥିବା ୨ଟି ହିମବାହ ‌ଭୁଶୁଡ଼ିବା କାରଣରୁ ଏପରି ହୋଇଥିଲା ବୋଲି କେତେକ ପରିବେଶବିତ୍ ଦର୍ଶାଇଥିଲେ। 
 ୨୦୧୫ ଡିସେମ୍ବର ୨ରେ ଚେନ୍ନାଇ ସହରରେ ବାଦଲ ଫାଟିବା ପରିସ୍ଥିତି ଉପୁଜି ୪୯.୪ ମିଲିମିଟର୍‌ ବୃଷ୍ଟିପାତ ଯୋଗୁଁ ୪୦୦ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିଲେ।
 ୨୦୨୩ ଡିସେମ୍ବର ୧୮ରେ ତୁଥ୍‌କୁଡ଼ି ଓ ତିରୁନେଲ୍‌ଭେଲି ଜିଲ୍ଲାରେ ଯଥାକ୍ରମେ ୯.୪୬ ଓ ୬.୩୬ ମିଲିମିଟର୍‌ ବାଦଲଫଟା ବର୍ଷାହୋଇ ଆକସ୍ମିକ ବନ୍ୟା ଯୋଗୁଁ ୪୦୦ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିଲେ।
 ୨୦୨୫ ଅଗଷ୍ଟ ୫ରେ ଉତ୍ତରକାଶୀର ଗାଙ୍ଗୋତ୍ରୀ ଅଞ୍ଚଳର ବାଦଲଫଟା ବର୍ଷା ବିପର୍ଯ୍ୟୟ ବିଶ୍ବକୁ ଆତଙ୍କିତ କରିଦେଇଛି। ବିପୁଳ ପ୍ରାକୃତିକ ସଂପଦ ଧ୍ବଂସସାଧନ ଇତିହାସରେ ଏହା ରେକର୍ଡ କରିଛି। ରିପୋର୍ଟ ଲେଖାହେବା ବେଳକୁ ନିଖୋଜଙ୍କ ସଂଖ୍ୟା ଶତାଧିକ ଥିବାବେଳେ ମୃତକଙ୍କ ସଂଖ୍ୟା ୧୫ ଜଣ ବୋଲି ଅସମର୍ଥିତ ସୂତ୍ରରୁ ପ୍ରକାଶ।