ଶିଳ୍ପପତିଙ୍କ ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

ଆଜି ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ଦେଶର ବିଶିଷ୍ଟ ଶିଳ୍ପପତିମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କିଛି ପ୍ରଶ୍ନ କରିଥିଲେ ଓ ସେ ତାହାର ଅତି ସୁନ୍ଦର ଉତ୍ତର ଦେଇଥିଲେ। ସେହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଏଠାରେ ଉପସ୍ଥାପନ କରାଯାଇଛି:

ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲ୍: ପ୍ରଶ୍ନ: ମାନ୍ୟବର ମୁଖ୍ୟମନ୍ତ୍ରୀ, ଆମେ ଶିଳ୍ପ ବିଷୟରେ ବହୁତ ଆଲୋଚନା କଲେଣି। ଓଡ଼ିଶାରେ ଏମିତି ଅନ୍ୟ କ’ଣ ଅଛି ତାହା ଜଣାଇବେ କି? ଯେମିତି କି, ପ୍ରାକୃତିକ ସମ୍ପଦରେ ଭରପୂର ଓଡ଼ିଶାର ଚିଲିକା ଦ୍ରହ, ବେଳାଭୂମି, ପର୍ଯ୍ୟଟନ। ଆପଣଙ୍କର ଏମିତି କିଛି ଯୋଜନା ରହିଛି ଓ ଆପଣ ଏଭଳି କ’ଣ କରିବେ ଯେଉଁଥି ପାଇଁ ସାରା ଦୁନିଆ ଏଠାକୁ ଆସିବାକୁ ଉତ୍ସାହିତ ହୋଇପଡ଼ିବ? ପର୍ଯ୍ୟଟନକୁ ନେଇ କିଛି ଯୋଜନା ଅଛି କି?

ମୁଖ୍ୟମନ୍ତ୍ରୀ: ବାସ୍ତବରେ, ବହୁତ ସୁଯୋଗ ରହିଛି। ଆମର ଐତିହାସିକ ମନ୍ଦିର, ୫୦୦ କିଲୋମିଟରର ଲମ୍ବା ସମୂଦ୍ର କୂଳ ରହିଛି। ଚିଲିକା ହ୍ରଦ, ସୁନ୍ଦର ବେଳାଭୂମି ଓ ବନ୍ୟଜନ୍ତୁ ପାର୍କ ଅଛି। ପର୍ଯ୍ୟଟନ କ୍ଷେତ୍ର ପାଇଁ ଆମେ କଠିନ ପରିଶ୍ରମ କରୁଛୁ।

ଜେଏସ୍‌ଡବ୍‌ଲ୍ୟୁ ମୁଖ୍ୟ ସଜ୍ଜନ ଜିନ୍ଦଲ: ଓଡ଼ିଶା ରାଜ୍ୟକୁ ଆପଣ କେତେ ଗୁରୁତ୍ବ ଦେଉଛନ୍ତି? ଦକ୍ଷତା ବିକାଶକୁ ଆପଣ ଅଧିକ ଗୁରୁତ୍ବ ଦେଉଛନ୍ତି କି?
ମୁଖ୍ୟମନ୍ତ୍ରୀ: ଦକ୍ଷତା ବିକାଶ ପାଇଁ ଆମର ଏକ ବଢ଼ିଆ ନୀତି ଅଛି। ସିଙ୍ଗାପୁର ସହିତ ଆମର ସହଭାଗିତା ଅଛି। ‘ଆପଣ ଓଡ଼ିଶାରେ ଦକ୍ଷତା ହାସଲ କରିଛନ୍ତି କି?’ ଲୋକମାନେ ଯେଭଳି ଏହି ପ୍ରଶ୍ନ ପଚାରିବେ ସେଥିପାଇଁ ଆମେ କଠିନ ପରିଶ୍ରମ କରୁଛୁ।

ଆପୋଲୋ ହସ୍ପିଟାଲ୍‌ର ଜେଏମ୍‌ଡି ସଙ୍ଗିତା ରେଡ୍ଡି: ସାରା ରାଜ୍ୟ ପାଇଁ ଆପଣଙ୍କ ପରିବେଶ ନୀତି କ’ଣ ରହିଛି? ଆପଣଙ୍କ ସ୍ବାସ୍ଥ୍ୟ ନୀତି କିଭଳି ରହିଛି?
ମୁଖ୍ୟମନ୍ତ୍ରୀ: ପରିବେଶ ଦୃଷ୍ଟିରୁ ଓଡ଼ିଶାର ଲୋକମାନେ ଗଛକୁ ଭଲ ପାଆନ୍ତି। ଓଡ଼ିଶା ହେଉଛି ଅନ୍ୟତମ ରାଜ୍ୟ ଯେଉଁଠାରେ ଜାତୀୟ ହାର ଠାରୁ ଅଧିକ ଗଛ ରହିଛି। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆମର ଏକ ଉତ୍ତମ ନୀତି ରହିଛି। କେନ୍ଦ୍ରର ସ୍ବାସ୍ଥ୍ୟ ନୀତିରେ କେବଳ ବିପିଏଲ ଲୋକଙ୍କୁ ସୁବିଧା ମିଳୁଥିବା ବେଳେ ଆମର ସ୍ବାସ୍ଥ୍ୟ ନୀତିରେ ସବୁ ଲୋକଙ୍କ ପାଇଁ ସୁବିଧା ରହିଛି।

ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନି: ଆଗାମୀ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ପୁଞ୍ଜିନିବେଶ ପାଇଁ ଆପଣଙ୍କ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକ କ’ଣ? କ୍ରୀଡ଼ା ଓ ଶିକ୍ଷା ପ୍ରତି ଆପଣଙ୍କ ଦୁର୍ବଳତା ରହିଛି। ଏହି ଦୁଇ କ୍ଷେତ୍ରରେ ଶିଳ୍ପ କିଭଳି ଭାଗିଦାରୀ ହୋଇପାରିବ, ଜଣାଇବେ କି?
ମୁଖ୍ୟମନ୍ତ୍ରୀ: ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିପାରୁଥିବା ପ୍ରାକୃତିକ ସମ୍ବଳ ଭିତ୍ତିକ ଶିଳ୍ପକୁ ଗୁରୁତ୍ବ ଦେଉଛୁ। ଏହା ବ୍ୟତୀତ ଅନ୍ୟ କ୍ଷେତ୍ରଗୁଡ଼ିକୁ ମଧ୍ୟ ଗୁରୁତ୍ବ ଦେଉଛୁ। କ୍ରୀଡ଼ା ହେଉଛି ଯୁବବର୍ଗ ପାଇଁ ଓ ଯୁବବର୍ଗ ହେଉଛନ୍ତି ଭବିଷ୍ୟତ। ତେଣୁ କ୍ରୀଡ଼ାରେ ପୁଞ୍ଜିନିବେଶ ହେଉଛି ଯୁବପିଢ଼ିଙ୍କ ଉପରେ ନିବେଶ। ସୁଟିଂ ଇନଷ୍ଟିଚ୍ୟୁଟ୍ ପାଇଁ ମୁଁ କୁମାର ମଙ୍ଗଳମ୍ ବିର୍ଲାଙ୍କୁ ଧନ୍ୟବାଦ ଦେଉଛି। ମୁଁ ଆଶା କରୁଛି ଯେ ଏହା ଶ୍ରେଷ୍ଠ ଖେଳାଳୀ ସୃଷ୍ଟି କରିବ।

ସମ୍ବନ୍ଧିତ ଖବର