ଇଂଲାଣ୍ଡର ସେଫିଲ୍‌ଡ ସ୍ଥିତ ଏକ ଷ୍ଟାର୍ଟ-ଅପ୍ କମ୍ପାନି ଏକ ପରିବେଶ ଅନୁକୂଳ ଇଟା ପ୍ରସ୍ତୁତ କରିଛି, ଯାହା ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଶୋଷିନେଇ ସ୍ଥାୟୀ ଭାବରେ ସଂରକ୍ଷଣ କରିପାରୁଛି। ସେଫିଲ୍‌ଡ ଟେକ୍ନୋଲୋଜି ପାର୍କରେ ଅବସ୍ଥିତ ‘ଆର୍ଥ୪ଆର୍ଥ’ ନାମକ କମ୍ପାନି କହିଛି ଯେ, ସଂପୃକ୍ତ ଇଟାଗୁଡ଼ିକ ଚାରିପାଖରେ ଥିବା ବାୟୁରୁ ଅଙ୍ଗାରକାମ୍ଳକୁ ଧରି ରଖିବାରେ ସମର୍ଥ। ଏଥି ସହିତ ଏହି ଇଟା ନିର୍ମାଣରେ ଆଦୌ ଅଙ୍ଗାରକାମ୍ଳ ଉତ୍ପନ୍ନ ହୁଏନାହିଁ। ସମ୍ପ୍ରତି ଏହି ଇଟାକୁ ପାଇଲଟ୍ ପ୍ରକଳ୍ପରେ ବ୍ୟବହାର କରାଯାଉଛି। 

Advertisment

ନିର୍ମାଣ ସ୍ଥଳମାନଙ୍କରୁ ସଂଗ୍ରହ କରାଯାଇଥିବା ବର୍ଜ୍ୟବସ୍ତୁରୁ ଏହି ଇଟା ତିଆରି କରାଯାଇଛି। ସାଧାରଣ ଇଟା ପ୍ରସ୍ତୁତିରେ ଉଚ୍ଚ ତାପମାତ୍ରାରେ ଜୀବାଶ୍ମ ଇନ୍ଧନ ଜାଳିବାକୁ ପଡ଼ିଥାଏ। ମାତ୍ର ‘ଆର୍ଥ୪ଆର୍ଥ’ର ବିଶେଷଜ୍ଞମାନେ ସାଧାରଣ ତାପମାତ୍ରାରେ ଇଟା ପ୍ରସ୍ତୁତ କରିବାର ଉପାୟ ବିକଶିତ କରିଛନ୍ତି। ଏହା ଅଙ୍ଗାରକାମ୍ଳକୁ ବାଷ୍ପ ବଦଳରେ କଠିନ ରୂପରେ ନିର୍ଗତ କରିଥାଏ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଇଟାଗୁଡ଼ିକ ସମ୍ପୂର୍ଣ୍ଣ ପୁନଃବ୍ୟବହାରକ୍ଷମ। ଉଲ୍ଲେଖଯୋଗ୍ୟ, ଅନ୍ୟ ଯେକୌଣସି ଶିଳ୍ପ ଅପେକ୍ଷା ନିର୍ମାଣ ଶିଳ୍ପରେ ଅଧିକ ସମ୍ବଳ ବ୍ୟବହାର ସହ ଅଧିକ ବର୍ଜ୍ୟବସ୍ତୁ ମଧ୍ୟ ଉତ୍ପାଦିତ ହୋଇଥାଏ। ସୁତରାଂ ‘ଆର୍ଥ୪ଆର୍ଥ’ କମ୍ପାନି ଦ୍ବାରା ବିକଶିତ ଏହି ଅଭିନବ ଇଟା ପରିବେଶ ପ୍ରଦୂଷଣକୁ ଯଥେଷ୍ଟ କମାଇପାରିବ ବୋଲି ଆଶା କରାଯାଉଛି।