ଧାନ ଓ ଗହମ ହେଉଛି ଆମ ଦେଶର ମୁଖ୍ୟ ଖାଦ୍ୟଶସ୍ୟ, ଯାହା ଆମ ଖାଦ୍ୟ ସୁରକ୍ଷା ଓ ସାଂସ୍କୃତିକ ଐତିହ୍ୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ। ଏହି ଶସ୍ୟ ଦୁଇଟି ମଧ୍ୟ ଖାଦ୍ୟ-ଶର୍କରାର ପ୍ରାଥମିକ ଉତ୍ସ ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ଅତ୍ୟାବଶ୍ୟକ ଶକ୍ତି ଯୋଗାଇଥାଏ। ତେବେ ଦେଶରେ ବାୟୁ ପ୍ରଦୂଷଣ ଓ ଫସଲ ଉତ୍ପାଦନ ମଧ୍ୟରେ ଏକ ଦୁଃଖଦ ସମ୍ପର୍କ ରହିଥିବା ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକମାନେ ଆବିଷ୍କାର କରିଛନ୍ତି। 

Advertisment

ବିଶେଷ କରି କୋଇଲା ଚାଳିତ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ନିର୍ଗତ ନାଇଟ୍ରୋଜେନ ଡାଇ ଅକ୍ସାଇଡ୍‌ (ଏନ୍‌ଓ୨) ହିଁ ଧାନ ଓ ଗହମ ଉତ୍ପାଦନରେ କ୍ଷତି ପହଞ୍ଚାଉଥିବା ଜଣାଯାଇଛି। ବିଦ୍ୟୁତ୍‌ କେନ୍ଦ୍ରରେ କୋଇଲା ଜାଳିବା ଦ୍ବାରା ସୃଷ୍ଟ ପ୍ରାଥମିକ ଉତ୍ପାଦ ମଧ୍ୟରୁ ଏନ୍‌ଓ୨ ହେଉଛି ଗୋଟିଏ। ଏହି ଗ୍ୟାସ, ଉତ୍ସ ଠାରୁ ୧୦୦ କି.ମି. ଦୂରତା ଯାଏ  ଥିବା ଅଞ୍ଚଳକୁ ପ୍ରଭାବିତ କରିପାରେ। ବିଭିନ୍ନ ଦୃଷ୍ଟିରୁ ଏହା ଉଦ୍ଭିଦ ପାଇଁ କ୍ଷତିକାରକ। ଏହା ଉଦ୍ଭିଦର କୋଷୀୟ ତଥା ଏଞ୍ଜାଇମ୍‌ କାର୍ଯ୍ୟକଳାପରେ ବାଧା ଉପୁଜାଇବା ସହ ଓଜୋନ୍‌ ଓ କଣିକା ପଦାର୍ଥ ସୃଷ୍ଟି କରିଥାଏ ଯାହା ଶସ୍ୟକୁ ନଷ୍ଟ କରିଦିଏ। 

ଏହି ଅନୁଧ୍ୟାନରେ ବିଦ୍ୟୁତ୍‌ କେନ୍ଦ୍ରରୁ ଏନ୍‌ଓ୨ ନିର୍ଗମନ ଯୋଗୁଁ ଧାନ ଓ ଗହମ ଫସଲ ଅମଳରେ  ଉଲ୍ଲେଖନୀୟ କ୍ଷତି ହୋଇଥିବା ଅଞ୍ଚଳ ଚିହ୍ନଟ କରାଯାଇଥିଲା। ବିଶେଷ କରି ଅତ୍ୟଧିକ ଉନ୍ମୁକ୍ତ ଥିବା ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର କିଛି ଅଂଶରେ ବାର୍ଷିକ ଅମଳ କ୍ଷତି ୧୦ ପ୍ରତିଶତ ଡେଇଁଥିଲା। ଏହି କ୍ଷତି ଭାରତରେ ୨୦୧୧ରୁ ୨୦୨୦ ମଧ୍ୟରେ ହାରାହାରି ଅମଳର ପ୍ରାୟ ଛଅ ବର୍ଷର ବୃଦ୍ଧି ସହ ସମାନ। ଗବେଷକମାନେ ଅନୁଧ୍ୟାନ କରିଥିବା ୧୪୪ଟି ତାପଜ ବିଦ୍ୟୁତ୍‌ କେନ୍ଦ୍ର ମଧ୍ୟରୁ ୫୮ଟିର ପ୍ରଭାବ ଧାନ ଫସଲ ଉପରେ ବେଶୀ ପଡ଼ିଥିଲା। ସେହିପରି ୩୫ଟି କେନ୍ଦ୍ରର ପ୍ରଭାବ ଗହମ ଫସଲ ଉପରେ ପଡ଼ିଥିବା ନିରୀକ୍ଷଣ କରାଯାଇଥିଲା। ଏନ୍‌ଓ୨ ନିର୍ଗମନ ସମସ୍ୟାର ସମାଧାନ କରାଯାଇପାରିଲେ ଖାଦ୍ୟ ସୁରକ୍ଷା ଓ କୃଷିକୁ ଉଲ୍ଲେଖନୀୟ ଲାଭ ମିଳିପାରିବ, ଜନସ୍ବାସ୍ଥ୍ୟରେ ଉନ୍ନତି ଆସିପାରିବ ଏବଂ ସ୍ବଚ୍ଛ ତଥା ସବୁଜ ଶକ୍ତି ଉତ୍ସକୁ ପ୍ରୋତ୍ସାହିତ କରିପାରିବ ବୋଲି ଗବେଷକମାନେ ଗୁରୁତ୍ବାରୋପ କରିଛନ୍ତି।