ନଡ଼ିଆତେଲ ହେଉଛି ନିରୋଳା ବିଷ ! ହାର୍ଭାର୍ଡ ପ୍ରଫେସରଙ୍କ ଗବେଷଣାରୁ ଜଣାପଡ଼ିଛି ଏହି ତଥ୍ୟ

ନୂଆଦିଲ୍ଲୀ: ନଡ଼ିଆ ତେଲ ନିରୋଳା ବିଷ ବୋଲି ଜଣେ ହାର୍ଭାର୍ଡ ପ୍ରଫେସର କହିଛନ୍ତି। ଏ ସଂକ୍ରାନ୍ତରେ ପ୍ରଫେସର ମହୋଦୟା କରିଥିବା ଭିଡିଓ ଭାଷଣ ୟୁଟ୍ୟୁବ୍‌ରେ ଭାଇରାଲ୍‌ ହୋଇ ବୁଧବାର ସୁଦ୍ଧା ଏକ ନିୟୁତରୁ ଅଧିକ ଲୋକ ଦେଖିଲେଣି।

ବହୁଳାଂଶରେ ଭାରତ ସହ ସମ୍ପୃକ୍ତ ଥିବା ନଡ଼ିଆ ତେଲ ଶରୀରର ରୋଗପ୍ରତିରୋଧକ ଶକ୍ତି ଏବଂ ଓଜନ ହ୍ରାସ କରି ପାରୁ ଥିବାରୁ ୨୦୧୧ରେ ସୁପର୍‌ ଫୁଡ୍‌ ମାନ୍ୟତା ପାଇଥିଲା।

ଜର୍ମାନ୍‌ ଭାଷାରେ ନିଜ ଭାଷଣ ‘ନଡ଼ିଆ ତେଲ ଏବଂ ଅନ୍ୟାନ୍ୟ ପୋଷଣ ଭ୍ରମ’ରେ ହାର୍ଭାର୍ଡ ଫାକଲ୍‌ଟି ମେମ୍ବର୍‌ କରିନ୍‌ ମାଇକେଲ୍‌ସ୍‌ କହିଛନ୍ତି: ନଡ଼ିଆ ତେଲ ସମ୍ପର୍କରେ ମୁଁ ଆପଣମାନଙ୍କୁ ତୁରନ୍ତ ସତର୍କ କରାଇ ଦେଉଛି। ଆପଣମାନେ ଖାଉଥିବା ଖାଦ୍ୟମାନଙ୍କ ଭିତରୁ ଏଇଟା ସବୁଠୁ ବାଜେ। ତା’ପରେ ସେ କହୁଛନ୍ତି: ନଡ଼ିଆ ତେଲ ନିରୋଳା ବିଷ। ପୁଣି କଥା ଦୋହରାଇ କହୁଛନ୍ତି- ନିରୋଳା ବିଷ। ଏମିତି ଭାଷଣରେ ସେ ତିନି ଥର କହିଛନ୍ତି।

ମାଇକେଲ୍‌ସ୍‌ଙ୍କ ଯୁକ୍ତି ହେଲା ନଡ଼ିଆ ତେଲରେ ଅତ୍ୟଧିକ ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ବା ଚର୍ବି ଥାଏ। ଏହାକୁ ଖାଇଲେ କୋଲେଷ୍ଟେରୋଲ୍‌ ବୃଦ୍ଧି ହୋଇ ହୃଦ୍‌ରୋଗ ହୁଏ। ଲହୁଣିରେ ୬୩%, ଗୋମାଂସରେ ୫୦% ଓ ଘୁଷୁରି ଚର୍ବିରେ ୩୯% ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ଥିବାବେଳେ ନଡ଼ିଆତେଲରେ ୮୦% ରହୁଛି।

ବୁଧବାର ଦିନ ପ୍ରକାଶିତ ହାର୍ଭାର୍ଡ ହେଲ୍‌ଥ୍‌ ଲେଟର୍‌ରେ ଉଲ୍ଲେଖ ଅଛି ଯେ, ଏଲ୍‌ଡିଏଲ୍‌ କୋଲେଷ୍ଟେରୋଲ୍‌ ସ୍ତର ବଢ଼ାଉ ଥିବାରୁ ଅତ୍ୟଧିକ ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ଅସ୍ୱାସ୍ଥ୍ୟକର। କାରଣ ଏହା ହୃଦ୍‌ରୋଗ ବିପଦ୍‌ ବଢ଼ାଇଥାଏ। ତେଣୁ ମନେହୁଏ, ନଡ଼ିଆ ତେଲ ହୃତ୍‌ପିଣ୍ଡ ପାଇଁ ଖରାପ ଅଟେ।

କୌତୂହଳର କଥା ସେହି ହେଲ୍‌ଥ୍‌ ଲେଟର୍‌ରେ ହାର୍ଭାର୍ଡ ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥ୍‌ର ଡାକ୍ତର ଓ୍ଵାଲ୍‌ଟର୍‌ ସି. ଓ୍ଵିଲେଟ୍‌ ଲେଖିଛନ୍ତି ଯେ ନଡ଼ିଆ ତେଲ ଆଦୌ ଖରାପ ନୁହେଁ। ସେ କହିଛନ୍ତି ଯେ କଦବା କ୍ୱଚିତ୍‌ ନଡ଼ିଆ ତେଲ ବ୍ୟବହାର କରିବାରେ ସମସ୍ୟା ନାହିଁ, ଏବେ ମୁଁ ଅଳ୍ପ ପରିମାଣର ନଡ଼ିଆ ତେଲ ବ୍ୟବହାର କରିବି।

ସମ୍ବନ୍ଧିତ ଖବର