ଟିକା ପ୍ରସ୍ତୁତିକୁ ନେଇ ଶୀତଳ ଯୁଦ୍ଧ ଆରମ୍ଭ

ତଥ୍ୟ ଚୋରି ଅଭିଯୋଗ, ସନ୍ଦେହରେ ରୁଷିଆ, ଚୀନ୍‌

କରୋନା ଭାଇରସ୍ ଯୋଗୁଁ ବିଶ୍ବରେ ପ୍ରାୟ ୬ ଲକ୍ଷ ଲୋକ ପ୍ରାଣ ହରାଇଲେଣି। ମହାମାରୀକୁ ପ୍ରା‌ୟ ୮ ମାସ ପୂରିଗଲାଣି। କିନ୍ତୁ ଏଯାଏଁ କୋଭିଡ୍‌ ଟିକା ବାହାରିପାରିନି। ଟିକା‌ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଜୋରଦାର ପ୍ରତିଦ୍ବନ୍ଦ୍ବିତା ଲାଗି ରହିଛି। ବିଭିନ୍ନ ଦେଶରେ ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ରହିଛି। ଏବେ ସବୁଠାରୁ ବଡ଼ ସଙ୍କଟ ହୋଇଛି ଟିକା ପ୍ରସ୍ତୁତି ପାଇଁ ହେଉଥିବା ଗବେଷଣା ଜନିତ ତଥ୍ୟ ଚୋରି । ରୁଷ୍‌ର ସାଇବର ଆକ୍ରମଣକୁ ନେଇ ଆମେରିକା, କାନାଡ଼ା ଏବଂ ବ୍ରିଟେନ୍‌ ଚିନ୍ତା ପ୍ରକଟ କରିଛନ୍ତି। ରୁଷ୍‌ ଇଣ୍ଟେଲିଜେନ୍ସ ଅନ୍ତର୍ଜାତୀୟ ଗବେଷଣା କେନ୍ଦ୍ରର କୋଭିଡ୍‌ ତଥ୍ୟ ଚୋରି କରିଥିବା ଅଭିଯୋଗ ହୋଇଛି। ମେ’ ମାସଠାରୁ ସାଇବର ଅପରାଧ ଗତବର୍ଷ ତୁଳନାରେ ୩୦୦ ପ୍ରତିଶତ ବୃଦ୍ଧି ପାଇଛି। ଏଫ୍‌ବିଆଇ ପକ୍ଷରୁ ଏହା ଚେତାବନୀ ଦେଇ କୁହାଯାଇଛି ଯେ, ଚୀନ୍‌ ସରକାରଙ୍କ ସହ କାମ କରୁଥିବା ହ୍ୟାକରମାନେ କରୋନା ଟିକା ସଂକ୍ରାନ୍ତ ଗବେଷଣା ଚୋରି କରିବାକୁ ଚେଷ୍ଟା କରୁଛନ୍ତି। ରୁଷ୍‌ କୌଣସି ସ୍ବତନ୍ତ୍ର ଉଦ୍ୟମ ନଥାଇ ଆମେରିକା, ବ୍ରିଟେନ୍‌, ଚୀନ୍ ଏବଂ ଅନ୍ୟ ରାଷ୍ଟ୍ରମାନଙ୍କ ପରି ଏତେ ଶୀଘ୍ର କିଭଳି ଟିକା ପ୍ରସ୍ତୁତିରେ ସଫଳ ହେଲା ବୋଲି ପ୍ରଶ୍ନ ଉଠିଛି। ଏହାକୁ ନେଇ ଏବେ ଶୀତଳ ଯୁଦ୍ଧର ଅୟମାରମ୍ଭ ହୋଇଯାଇଛି।

ଆଷ୍ଟ୍ରାଜେନେକା ସହ ଚୁକ୍ତି ସ୍ବାକ୍ଷର କଲା ରୁଷ୍‌ର ଆର୍‌-ଫାର୍ମ‌୍‌
ରୁଷ୍‌ ସମର୍ଥିତ ହ୍ୟାକରମାନେ ବ୍ରିଟେନ୍‌, କାନାଡ଼ା ଏବଂ ଆମେରିକାର କୋଭିଡ-ଟିକା ପ୍ରସ୍ତୁତିଜନିତ ଗବେଷଣା ତଥ୍ୟ ଚୋରି କରିଛନ୍ତି ବୋଲି ଅଭିଯୋଗ ହେବାପରେ ରୁଷ୍‌ ଏବେ କୋଭିଡ୍‌ ଟିକା ପ୍ରସ୍ତୁତ କରିବା ପାଇଁ ବ୍ରିଟେନ୍‌ର ଆଷ୍ଟ୍ରାଜେନେକା ସହ ଏକ ଚୁକ୍ତି ସ୍ବାକ୍ଷର କରିଛି। ରୁଷ୍‌ର ଔଷଧପ୍ରସ୍ତୁତକାରୀ କମ୍ପାନି ଆର୍‌-ଫାର୍ମ କୋଭିଡ୍‌ ଟିକା ପ୍ରସ୍ତୁତ କରିବାକୁ ଆଷ୍ଟ୍ରାଜେନେକା ସହ ଚୁକ୍ତି ସଂପାଦନ କରି ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ଟିକା ଉପଲବ୍ଧ କରାଇବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି। ରୁଷ୍‌ର ଅର୍ଥ ବିଭାଗ ମୁଖ୍ୟ କହିଛନ୍ତି, ଏଥିରୁ ସ୍ପ‌ଷ୍ଟ ପ୍ରମାଣ ହୋଇଯାଇଛି ଯେ, ରୁଷ୍‌ କାହାର ତଥ୍ୟ ଚୋରାଇନାହିଁ।

ସମ୍ବନ୍ଧିତ ଖବର