ନୂଆଦିଲ୍ଲୀ: ବିଶିଷ୍ଟ ଆମେରିକୀୟ ଶିଳ୍ପପତି ବିଲ ଗେଟ୍ସଙ୍କୁ ଚା’ପରିବେଷଣ କରିବାର ଏକ ଭିଡିଓ ଭାଇରାଲ ହେବା ଇଣ୍ଟରନେଟରେ ଛାଇ ଯାଇଥିଲେ ‘ଡଲି ଚାବାଲା’। ଆପଣ ଦିଲ୍ଳୀର ‘ବଡ଼ା ପାୱ ଗାର୍ଲ’ଙ୍କୁ ବି ଜାଣିଥିବେ। ନିକଟରେ ସେ ଦୁହେଁ ଦୁହିଁଙ୍କୁ ଭେଟିଛନ୍ତି। ‘ବଡ଼ା ପାୱ ଗାର୍ଲ’ଙ୍କ ନାମ ହେଉଛି ଚନ୍ଦ୍ରିକା ଗେରା ଦିକ୍ଷିତ। ଯିଏକି ସୈନିକ ବିହାରରେ ଏକ ବଡ଼ା ପାୱ ଦୋକାନ ଚଳାନ୍ତି ଓ ଦାବି କରନ୍ତି ଯେ ସେ ଦିଲ୍ଲୀର ସବୁଠାରୁ ସ୍ବାଦିଷ୍ଟ ବଡ଼ା ପାୱ ବିକ୍ରେତା। ଦିଲ୍ଲୀ ମହାନଗର ନିଗମର ଜଣେ ପ୍ରତିନିଧିଙ୍କଠାରୁ ଫୋନ୍ ଆସିବା ପରେ ତାଙ୍କୁ ଷ୍ଟଲ୍ ହଟାଇବାକୁ କୁହାଯାଇଥିଲା। ଯାହାକୁ ନେଇ ସେ ଭୋ ଭୋ ହୋଇ କାନ୍ଦିବା ବେଳେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲେ।
ଡଲି ଚାବାଲା ତାଙ୍କ ଭିଡିଓରେ ଚନ୍ଦ୍ରିକାଙ୍କ କାମକୁ ଖୁବ୍ ପ୍ରଶଂସା କରିଛନ୍ତି। ଶେଷରେ ତାଙ୍କୁ ଜଣେ ‘ରୋଲ୍ ମଡେଲ୍’ ବୋଲି ବି କହୁଛନ୍ତି। ସେ କିପରି ତାଙ୍କୁ ଭେଟିବାକୁ ଅତ୍ୟନ୍ତ ଉତ୍ସାହିତ ଥିଲେ ତାହା ବି ପ୍ରକାଶ କରିଛନ୍ତି।
''ଆମେ ରାସ୍ତାରେ ଠିଆ ହୋଇ ଆମର ବ୍ୟବସାୟ ଚଳାଉ। ଆମର କଠିନ ପରିଶ୍ରମ ଦ୍ୱାରା ସବୁକିଛି ହାସଲ କରିଛୁ। ଆମ ପାଇଁ କୌଣସି କାମ ଛୋଟ ନୁହେ" ବୋଲି ଡଲି ଭିଡିଓରେ କହିଛନ୍ତି।
ସେହିପରି ଚନ୍ଦ୍ରିକା ଡଲି ଚାୱାଲାଙ୍କ ସଂପର୍କରେ କହନ୍ତି, ‘‘ ସେ ମୋର ଆଦର୍ଶ। ମୋ ପରି ସେ ମଧ୍ୟ ବହୁତ କଷ୍ଟ ପାଇଛନ୍ତି। ସେ ମୋତେ ଭେଟିବାକୁ ଚାହୁଁଛନ୍ତି ବୋଲି ମୁଁ ଜାଣିବାକୁ ପାଇଲି ଯେତେବେଳେ ଏଠାକୁ ଚାଲିଅସିଲି’’।