ଭୁବନେଶ୍ବର: ଓଡ଼ିଆ ହେଉଛି ଏକ ବହୁତ ଭଲ ଓ ଚମତ୍କାର ଭାଷା। ଓଡ଼ିଶାରେ ସୁଯୋଗ ମିଳିଲେ ଏହି ଭାଷା ଉପରେ କାମ କରିବା ଆମ ପାଇଁ ଖୁସିର ବିଷୟ ହେବ ବୋଲି କଲେକ୍ଟିଭ୍ ନ୍ୟୁଜ୍ରୁମ୍ର ସିଇଓ ତଥା ଏଡିଟର୍ ଇନ୍ ଚିଫ୍ ରୁପା ଝା କହିଛନ୍ତି। ସମ୍ବାଦ ସିଇଓ କନ୍କ୍ଲେଭ୍ ୨୦୨୫ ପରିପ୍ରେକ୍ଷୀରେ ଆଲୋଚନା କରିବା ବେଳେ ସେ କହିଛନ୍ତି ବିବିସି ପାଇଁ ଆମେ ବିଭିନ୍ନ ଭାଷାରେ କାମ କରୁଛୁ। ଯଦି ଓଡ଼ିଆରେ ଆମକୁ କାମ କରିବାର ସୁଯୋଗ ମିଳିବ, ତାହା ବେଶ୍ ଆନନ୍ଦଦାୟକ ହେବ। ଓଡ଼ିଶାର କୌଣସି ସଂସ୍ଥା ସହଯୋଗିତା ସ୍ଥାପନ କରିବାକୁ ଚାହିଲେ, ଆମେ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି।
ଓଡ଼ିଶାର ବୋହୂ ଶ୍ରୀମତୀ ଝା ନିଜର ପେସାଦାର ଯାତ୍ରା ଉପରେ ଆଲୋକପାତ କରି କହିଥିଲେ ଯେ ୨୦୦୧ରେ ସେ ବିବିସିର ଲଣ୍ଡନ କାର୍ଯ୍ୟାଳୟରେ କାମ କରିବାର ସୁଯୋଗ ପାଇଥିଲେ। ସେଠାରେ କିଛି ବର୍ଷ କାମ କରିବା ପରେ ୨୦୦୬ରେ ସେ ଭାରତ ଫେରିଥିଲେ। ୨୦୧୬ ବେଳକୁ ସେ ବିବିସିର ଭାରତୀୟ ସଂସ୍ଥାର ମୁଖ୍ୟ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ପୂର୍ବରୁ ବିବିସି କେବଳ ଇଂରାଜି ଭାଷାରେ ଉପଲବ୍ଧ ହେଉଥିବା ବେଳେ ତାଙ୍କ ନେତୃତ୍ବରେ କମ୍ପାନି ହିନ୍ଦୀ, ତାମିଲ, ତେଲୁଗୁ, ପଞ୍ଜାବୀ ଓ ମରାଠି ଭାଷାରେ ଡିଜିଟାଲ୍ କଣ୍ଟେଣ୍ଟ ପ୍ରସ୍ତୁତ କରିଥିଲା। ୨୦୧୯-୨୦ରେ କିନ୍ତୁ ବହୁତ କିଛି ବଦଳିଯାଇଥିଲା।
ଭଲ କଣ୍ଟେଣ୍ଟ୍ର କୌଣସି ବିକଳ୍ପ ନାହିଁ: ରୁପା ଝା
ଡିଜିଟାଲ୍ ମିଡିଆ ମାଲିକାନାକୁ ନେଇ କେନ୍ଦ୍ର ସରକାର ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇ) ନୀତିକୁ ପରିବର୍ତ୍ତନ କରି ତାହାର ୨୬% ସୀମା ନିର୍ଧାରଣ କରିଥିଲେ। ସେତେବେଳକୁ ବିବିସି ଏକ ସମ୍ପୂର୍ଣ୍ଣ ବିଦେଶୀ କମ୍ପାନି ଭାବେ କାମ କରୁଥିଲା। ଏହି ନିୟମ ଆସିବା ପରେ ଏହାକୁ ଭାରତରେ କାର୍ଯ୍ୟ ଜାରି ରଖିବା ଲାଗି ଚିନ୍ତା କରିବାକୁ ପଡ଼ିଥିଲା। ଶ୍ରୀମତୀ ଝା ଓ ଅନ୍ୟ ଚାରି ଜଣ ମିଶି ‘କଲେକ୍ଟିଭ୍ ନ୍ୟୁଜ୍୍ରୁମ୍’ ଆରମ୍ଭ କରିଥିଲେ। ବିବିସି ନିଜ କଣ୍ଟେଣ୍ଟ ସହ କେବେ ସାଲିସ କରେ ନାହିଁ। ଯେହେତୁ ଆମେ ସମସ୍ତେ ଦୀର୍ଘଦିନ ପର୍ଯ୍ୟନ୍ତ ସେହି ସଂସ୍ଥାରେ କାମ କରିଥିଲୁ, ତେଣୁ ଆମକୁ କଣ୍ଟେଣ୍ଟ ପ୍ରସ୍ତୁତ କରିବାର ସୁଯୋଗ ମିଳିଥିଲା। ଏହିଭଳି ଭାବେ ଏକ ସ୍ବାଧୀନ ସଂସ୍ଥା ଭାବେ କଲେକ୍ଟିଭ୍ ନ୍ୟୁଜ୍୍ରୁମ୍ର ଯାତ୍ରା ଆରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି। ଚଳିତ ବର୍ଷ ଏପ୍ରିଲ୍ ୧୦ରେ କମ୍ପାନି ଏହାର ଏକ ବର୍ଷ ପୂର୍ତ୍ତି ପାଳନ କରିଥିଲା। ବର୍ତ୍ତମାନ କମ୍ପାନି ୭ଟି ଭାଷାରେ ବିଷୟବସ୍ତୁ ପ୍ରସ୍ତୁତ କରୁଛି। ସେଥିରେ ୩୦୦ ଲୋକ କାମ କରୁଛନ୍ତି।
କଲେକ୍ଟିଭ୍ ନ୍ୟୁଜ୍୍ରୁମ୍ର ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା କରି ଶ୍ରୀମତୀ ଝା କହିଥିଲେ ଯେ ଆମେ ଆଗାମୀ ଦିନରେ ତାଲିମ, ସଚେତନତା ଓ ରଣନୀତି ଆଦି କ୍ଷେତ୍ରରେ କାର୍ଯ୍ୟ କରିବାକୁ ଚାହୁଛୁ। ସେହିପରି, ଗଣମାଧ୍ୟମ ଉପରେ ଏଆଇର ପ୍ରଭାବ ସମ୍ପର୍କରେ ସେ କହିଥିଲେ ଯେ ଏହା ଏକ ମାଇଲ୍ଖୁଣ୍ଟ। କିନ୍ତୁ ଏଆଇର ନୈତିକ ବ୍ୟବହାର ଲାଗି ଫ୍ରେମ୍ୱର୍କ ପ୍ରସ୍ତୁତ କରିବାକୁ ହେବ। ଗଣମାଧ୍ୟମର କାମ କେବଳ ସୂଚନା ଦେବା ନୁହେଁ, ସମାଜରେ ପରିବର୍ତ୍ତନ ଆଣିବାରେ ମଧ୍ୟ ଏହାର ଭୂମିକା ରହିଛି। ସେଥିରେ ଏଆଇ ସହାୟକ ହୋଇପାରିବ। ଏଆଇ ଯୁଗରେ ସାମ୍ବାଦିକମାନେ କିଭଳି ନିଜକୁ ପ୍ରସ୍ତୁତ ରଖିବେ, ସେ ଉପରେ ଆଲୋଚନା କରି ସେ କହିଥିଲେ ନିଜ ଚାକିରିକୁ ନେଇ ସାମ୍ବାଦିକମାନେ ଭୟଭୀତ ହେବାର କୌଣସି କାରଣ ନାହିଁ। ଏଆଇ ହେଉଛି ଏକ ପ୍ରଯୁକ୍ତି। ତାହା ସେମାନଙ୍କ ଦକ୍ଷତାରେ ଉନ୍ନତି ଆଣିବ। ଆଉ ଗୋଟିଏ କଥା ସାମ୍ବାଦିକ ଭାବେ ଭୁଲିବା ଅନୁଚିତ ଯେ, ଭଲ ଲେଖା କିମ୍ବା ବିଷୟବସ୍ତୁର କୌଣସି ବିକଳ୍ପ ନାହିଁ।