ଜେଲରେ ବାପା ସହ ରହୁଥିଲା କୁନି ଝିଅ, ଜିଲ୍ଲାପାଳ ଜେଲରୁ ଆଣି ଦେଲେ ନୂଆ ଭବିଷ୍ୟତ

ବିଳାସପୁର: ଜିଲ୍ଲା ପାଇଁ ଅନେକ ବିକାଶମୂଳକ କାର୍ଯ୍ୟର ଦାୟିତ୍ୱ ଜଣେ ଜିଲ୍ଲାପାଳଙ୍କୁ ଦିଆଯାଇଥାଏ | ଆଉ ଆପଣ ମଧ୍ୟ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କୁ ଜାଣିଥିବେ | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଜିଲ୍ଲାପାଳଙ୍କ କାହାଣୀ କହିବୁ ଯିଏ ଜଣେ କୁନି ଝିଅର ଭବିଷ୍ୟତ ସଜାଡିବାରେ ଲାଗିପଡିଛନ୍ତି | ଝିଅଟିକୁ ସହରର ସବୁଠାରୁ ଭଲ ସ୍କୁଲରେ ପଢ଼ାଇବା ସହ ତାହାର ସମସ୍ତ ଭରଣପୋଷଣ ଦାୟିତ୍ୱ ନିଜେ ନେଇଛନ୍ତି |

ଛତିଶଗଡ଼ ବିଳାସପୁରର ଜିଲ୍ଲାପାଳ ଡ. ସଞ୍ଜୟ ଅଲଂଗ ଯେତେବେଳେ କେନ୍ଦ୍ରୀୟ ଜେଲର ନିରୀକ୍ଷଣ କରିବାକୁ ଯାଇଥିଲେ, ସେତେବେଳେ ସେ ଦେଖିଥିଲେ ଯେ ୬ ବର୍ଷର କୁନି ଝିଅଟିଏ ନିଜ ବାପାଙ୍କୁ ଜାବୁଡି ଧରି କାନ୍ଦୁଥିଲା | ଜିଲ୍ଲାପାଳ ଏହି ଦୃଶ୍ୟ ଦେଖି ଯେତେବେଳେ ଝିଅଟି କିଏ ବୋଲି ପଚାରିଥିଲେ ସେତେବେଳେ ଜାଣିବାକୁ ପାଇଥିଲେ ଯେ କୁନି ଝିଅଟିର ବାପା ଏକ ଅପରାଧରେ ସଜ୍ଜା କାଟୁଛନ୍ତି | ଝିଅଟିକୁ ଯେତେବେଳେ ମାତ୍ର ୧୫ ଦିନ ହୋଇଥିଲା, ସେତେବେଳେ ତାହାର ମା’ ଙ୍କର ମୃତ୍ୟୁ ହୋଇଯାଇଥିଲା | କୁନି ଝିଅଟିର ଲାଳନପାଳନ ପାଇଁ ଘରେ କେହି ନଥିବାରୁ ଜନ୍ମହେବାର ୧୫ ଦିନ ପରଠାରୁ ସେ ଜେଲରେ ରହିଆସୁଥିଲା |

ଜିଲ୍ଲାପାଳ ସଞ୍ଜୟ ଅଲଂଗ ତୁରନ୍ତ ଝିଅର ବାପାଙ୍କୁ ଭେଟିଥିଲେ ଓ ଝିଅଟିର ଭବିଷ୍ୟତ ଗଢିବାକୁ ପ୍ରତିଶୃତି ଦେଇଥିଲେ | କଏଦୀ ଜଣକ ରାଜି ହେବାରୁ ସେ ଝିଅଟିକୁ ନିଜ କାରରେ ବସାଇ ନେଇଆସିଥିଲେ | ୬ ବର୍ଷର ଝିଅଟିକୁ ସହରର ସବୁଠାରୁ ଭଲ ସ୍କୁଲ ଜୈନ ଇଣ୍ଟରନ୍ୟାସନାଲରେ ଆଡ଼ମିସନ କରାଇବା ସହ ହଷ୍ଟେଲରେ ମଧ୍ୟ ଆଡ଼ମିସନ କରାଇଛନ୍ତି | ଝିଅଟି ପାଇଁ ସ୍ୱତନ୍ତ୍ର କେଆରଟେକରର ବ୍ୟବସ୍ଥା କରାଇ ତାହାର ସମସ୍ତ ଖର୍ଚ୍ଚ ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି |

ସମ୍ବନ୍ଧିତ ଖବର