ଲକ୍‌ଡାଉନ୍‌ରେ ଚାଲିଗଲା ଚାକିରି: ସମସ୍ୟାକୁ ବେଖାତିର୍‌ କରି ପରିବାର ଚଳାଇବାକୁ ଗାଡ଼ି ମେକାନିକ୍‌ ସାଜିଲେ ଆସିଷ୍ଟାଣ୍ଟ୍‌ ପ୍ରଫେସର୍‌

ଖମାମ୍‌: କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ଲାଗୁ‌ ହୋଇଥିବା ଲକ୍‌ଡାଉନ୍‌ ହେତୁ ଅନେକ ଲୋକ ନିଜର ଜୀବିକା ଅର୍ଜନର ପନ୍ଥା ହରାଇଛନ୍ତି। ଅନେକ ଲୋକ କିଛି ଭିନ୍ନ କରି ଉଦାହରଣ ବି ସୃଷ୍ଟି କରିଛନ୍ତି। ଏହି ପରିସ୍ଥିତିରେ ଚର୍ଚ୍ଚାକୁ ଆସିଛନ୍ତି ତେଲେଙ୍ଗାନାର ଏକ କଲେଜର ଆସିଷ୍ଟାଣ୍ଟ୍‌ ପ୍ରଫେସର୍‌। ହାଇଦ୍ରାବାଦ୍‌ର ଏକ ବେସରକାରୀ କଲେଜରେ ପ୍ରଫେସର୍‌ ଥିବା ଭମ୍‌କୁଦୋତ୍‌ ରବିନ୍ଦର ନିଜର ଚାକିରି ହରାଇବା ପରେ ଜଣେ ବାଇକ୍‌ ମେକାନିକ୍‌ ଭାବେ ତାଙ୍କ ପରିବାର ପୋଷିବା କଥା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

ବଞ୍ଜାରା କଲୋନିରେ ରହୁଥିବା ୩୩ ବର୍ଷିଅ ରବିନ୍ଦର ପ‌ାଲ୍‌ଭୋଞ୍ଜାରେ ତାଙ୍କର ବିଟେକ୍‌ ପାଠ ପୂରା କରିଥିବା ବ‌େଳେ ଏମ୍‌ଟେକ୍‌ କରିଛନ୍ତି ଖମାମ୍‌ର ସ୍ବର୍ଣ୍ଣ ଭାରତୀ ଇଞ୍ଜିନିୟରିଂ କଲେଜ୍‌ରେ।


New Indian Express

ମଧିରାରେ ଏକ ବେସରକାରୀ କଲେଜ୍‌ରେ ୧ ବର୍ଷ ଚାକିରି କରିବା ପରେ ସେ ମାସକୁ ୨୪ ହଜାର ଦରମାରେ ହାଇଦ୍ରାବାଦ୍‌ର ଏକ ‌ବେସରକାରୀ କଲେଜରେ ଆସିଷ୍ଟାଣ୍ଟ୍‌ ପ୍ରଫେସର୍‌ ଭାବେ ‌ଯୋଗ ଦେଇଥିଲେ। ତାଙ୍କ ପତ୍ନୀ ମଧ୍ୟ ଜ‌ଣେ ଏମ୍‌ଟେକ୍‌ ଛାତ୍ରୀ। ରବିନ୍ଦରଙ୍କର ଦୁଇଟି ଝିଅ ଅଛନ୍ତି। ଜଣଙ୍କୁ ୭ ବର୍ଷ ହୋଇଥିବା ବେଳେ ସାନ ଝିଅକୁ ୪ ବର୍ଷ।

ଲକ୍‌ଡାଉନ ହେତୁ ଉପୁଜିଥିବା ଆର୍ଥିକ ସମସ୍ୟା କାରଣରୁ କଲେଜ୍‌ ମ୍ୟାନେଜ୍‌ମେଣ୍ଟ୍‌ ପକ୍ଷରୁ ତାଙ୍କୁ କିଛି ଦିନ ଛୁଟିରେ ରହିବାକୁ କୁହାଯାଇଥିଲା। ବିନା ଚାକିରିରେ ହାଇଦ୍ରାବାଦ୍‌ରେ ତିଷ୍ଠି ରହିବା ଆସମ୍ଭବ ହୋଇ ପଡ଼ିବାରୁ ସେ ତାଙ୍କ ପତ୍ନୀ ଓ ପିଲାଙ୍କୁ ଧରି ମାର୍ଚ ମାସରେ ନିଜ ଗାଁ ମଧିରାକୁ ଫେରି ଯାଇଥିଲେ।

ଗାଁରେ ରହି ଦୀର୍ଘ ଦିନ ପର୍ଯ୍ୟନ୍ତ ରବିନ୍ଦର ଚାକିରି ଖୋଜିଥିଲେ ମଧ୍ୟ ଚାକିରି ମିଳି ନଥିଲା।  ଶେ‌ଷରେ ସେ ଜଣେ ଗାଡ଼ି ମେକାନିକ୍‌ ଭାବେ ରୋଜଗାର କରିବା ଆରମ୍ଭ କରି ଚାରିଆଡ଼େ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ସେ ଏକ ଛୋଟ ଗ୍ୟାରେଜ୍‌ରେ ଦିନକୁ ୨୦୦ ଟଙ୍କା ମଜୁରିରେ କାମ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.