ଭୁବନେଶ୍ବର: ମାନ ଅଭିମାନ ପ୍ରେମ... ଯାହା ଦେବ ଢାଳି... ହସି ହସି ସବୁ ଦେବି ଦେହେ ମୁଁ ଯେ ବୋଳି... ହଁ ଆଜ୍ଞା ରଙ୍ଗ ଏମିତି ଏକ ଜିନିଷ ଯାହା ଦେହରେ ଲାଗିଲେ ସବୁ ରାଗ, ସବୁ ରୁଷା, ସବୁ ଅଭିମାନ ଉଭେଇଯାଏ । ହୋଲି ଆଣେ ଉତ୍ସାହ ଓ ଉତ୍ସବର ପର୍ବ । ହୋଲି ଭାଇଚାରାର ପର୍ବ । ହିନ୍ଦୁ ମୁସଲମାନ, ବିଭିନ୍ନ ଧର୍ମର ଲୋକେ ପରସ୍ପର ଦେହରେ ରଙ୍ଗ ବୋଳି ଶୁଭେଚ୍ଛା ଜଣାନ୍ତି, ଅଭିନନ୍ଦନ ଜ୍ଞାପନ କରନ୍ତି । ଗାଁରୁ ସହର, ଗଳିକନ୍ଦିରେ ଏବେ ରଙ୍ଗର ମେଳଣ, ଅବିର, ପିଚକାରୀର ରାଜୁତି । ସମସ୍ତଙ୍କ ହାତରେ ରଙ୍ଗ, ସମସ୍ତଙ୍କ ଗାରଲେ ରଙ୍ଗ, ସମସ୍ତଙ୍କ ମଥାରେ ଅବିର... ଏହା ହିଁ ତ ଆମ ପରମ୍ପରା ଆମ ସଂସ୍କୃତି, ଯାହା କୁହେ ଏକତାର କଥା, ଦିଏ ଭାଇଚାରାର ବାର୍ତ୍ତା ।

Advertisment

ଅଲଗା ଅଲଗା ସମୟରେ ଯାହାର ଯାହା ଉପରେ ଯେତେ ରାଗ ରୁଷା ଥାଉ ନା କାହିଁକି ହୋଲିରେ ସମସ୍ତେ ହୃଦୟ ଦିଆନିଆ ହୁଅନ୍ତି । ଅଲଗା ସମୟରେ ରାଜନେତାମାନେ ବିଭିନ୍ନ ପ୍ରସଙ୍ଗରେ ତୁତୁ ମେଁ ମେଁ ହୁଅନ୍ତି । ଦଳୀୟ ଭାବନା ନେଇ ମୁହାଁମୁହିଁ ହୁଅନ୍ତି ମାତ୍ର ହୋଲିରେ ସବୁ କିଛିକୁ ଭୁଲି ରଙ୍ଗ ମାଖି ହୁଅନ୍ତି । କାରଣ  ରଙ୍ଗର ପର୍ବ ସବୁ ରାଜନୀତିରୁ ଉପରେ । ଦଳଗତ ନିର୍ବିଶେଷରେ ଏଠି ସମସ୍ତେ ଭାଇଭାଇ । ତେଣୁ ବିଭିନ୍ନ ସ୍ଥାନରେ ରାଜନେତାମାନେ ବିପକ୍ଷ ଦଳର ନେତାଙ୍କ ସହ ଧୁମଧାମରେ ରଙ୍ଗ ଖେଳୁଥିବା ଦେଖିବାକୁ ମିଳିଛି ।

ଖାଲି କଣ ରାଜନୀତି, ପ୍ରେମ-ପ୍ରଣୟ ଏବଂ ପତି-ପତ୍ନୀଙ୍କ ସମ୍ପର୍କରେ ବି ଏ ରଙ୍ଗ ଅନେକ ଗୁରୁତ୍ବ ବହନ କରେ । ଅଭିମାନୀ ପ୍ରିୟା ଗାଲରେ ପ୍ରେମର ଗୋଲାପୀ ରଙ୍ଗ ମାଖି ତା ଜିଦିଆ ପ୍ରେମିକାର ମାନ ଭଞ୍ଜନ କରେ ପ୍ରେମିକ । ରାଧାକୃଷ୍ଣଙ୍କ ପ୍ରେମ ପରି ରଙ୍ଗରେ ରଙ୍ଗିନ ହୁଏ ପ୍ରେମିକ-ପ୍ରେମିକାଙ୍କ ପ୍ରେମ କାହାଣୀ ।

ବହୁଦିନର ଅପେକ୍ଷା ପରେ ନିଜ ମନର ମଣିଷକୁ ହୃଦୟର କଥା କବହି ପାରୁନଥିବା ପ୍ରେମ ଯୋଡି ଏହି ହୋଲିକୁ ଅପେକ୍ଷା କରିଥାନ୍ତି । କାରଣ ରଙ୍ଗ ବେରଙ୍ଗ ଜୀବନରେ ପ୍ରେମଭରେ । ଅକୁହା କଥାକୁ କହିଦିଏ, ମନ ତଳର ପରିଭାଶାକୁ ଫଗୁ ବୋଳା ହାତର ସ୍ପର୍ଶରେ ଜାଣି ହୁଏ । ପ୍ରିୟାର ଗୋରା ଗାଲରେ ନୀଳ-ନାଲି ରଙ୍ଗ ବୋଳିଲା ବେଳେ ପ୍ରେମିକର ଆଖି ତା ମନକଥା କହିଦିଏ । ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କରେ ହୋଲି ଆଣେ ସଂସାରକୁ ଅଧିକ ରଙ୍ଗିନ କରିବାର ଏକ ସୁଯୋଗ ।

ବିଧୁରା ଜୀବନ କାଟୁଥିବା ବିଧବାମାନେ ବୃନ୍ଦାବନରେ ରଙ୍ଗ ଖେଳିବାର ସୁଯୋଗ ପାଆନ୍ତି । ଜୀବନରୁ ସ୍ବାମୀ ଚାଲିଯିବା ପରେ ଜୀବନ ଫିକାଫିକା ଲାଗେ, ସମାଜ ସେମାନଙ୍କୁ ରଙ୍ଗ ଖେଳିବାକୁ ଦିଏନି । ମାତ୍ର କୃଷ୍ଣଙ୍କ ପ୍ରେମରେ ଭିଜି ବୃନ୍ଦାବନରେ ବିଧାମମାନେ ରଙ୍ଗ ଖେଳିବାର ପରମ୍ପରା ରହିଛି । ଯାହା ସେମାନଙ୍କୁ ବେଶ ଆନନ୍ଦ ଦିଏ ।

ହୋଲିକୁ ଅନେକ ଲୋକ ନିଆରା କରିବାକୁ ବିଭିନ୍ନ ବୃଦ୍ଧାଶ୍ରମ ଏବଂ ଦିବ୍ୟାଙ୍ଗ ପିଲାଙ୍ଗ ଗହଣରେ ପାଳିବାକୁ ପସନ୍ଦ କରନ୍ତି । କାରଣ ସବୁଦିନ ନହେଲା ନାହିଁ ଦୁଃଖରେ ରହୁଥିବା ଏବଂ ଘରକୁ ପର କରି ଆସିଥିବା ମଣିଷଙ୍କ ପାଇଁ ଗୋଟେ ଦିନ ଖୁସିର ଦିନ ହେଉ , ଗୋଟେ ଦିନ ରଙ୍ଗର ଦିନ ହେଉ । ତେଣୁ ବିଭିନ୍ନ ରାଜନେତା ପିଲାଙ୍କ ସହ ପାଳନ୍ତି ହୋଲି । ଆଜି ଯେମିତି ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ଦୃଷ୍ଟିହୀନ ପିଲାଙ୍କ ସହ ହୋଲି ଖେଳି ସେମାନଙ୍କ ଫିକାଫିକା ଜୀବନରେ ରଙ୍ଗ ଭରିଛନ୍ତି ।