ଶ୍ରୀମନ୍ଦିରର ରତ୍ନବେଦୀରେ ପୂଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କର ରଙ୍ଗ ମଧ୍ୟ ଚାରି । କଳା, ଧଳା, ଲାଲ ଓ ହଳଦି । ଶ୍ରୀଜଗନ୍ନାଥଙ୍କର ରଙ୍ଗ କଳା, ଶ୍ରୀବଳଭଦ୍ରଙ୍କର ଧଳା, ଦେବୀ ସୁଭଦ୍ରାଙ୍କର ହଳଦି ଓ ଶ୍ରୀସୁଦର୍ଶନଙ୍କର ଲାଲ । କିନ୍ତୁ ଦେବୀ ସୁଭଦ୍ରାଙ୍କର ବର୍ଣ୍ଣ ହଳଦି ବୋଲି କୁହାଗଲେ ମଧ୍ୟ ପ୍ରକୃତରେ ଏହା କୁଙ୍କୁମବର୍ଣ୍ଣ ବା ରକ୍ତାଭ ହଳଦି । ଏହି ତିନଟି ରଙ୍ଗ କୃଷ୍ଣ, ଶ୍ୱେତ ଓ ଲୋହିତକୁ ନେଇ ସାଧାରଣତଃ କୁହାଯାଇଥାଏ ଯେ ଏହା ସମଗ୍ର ବିଶ୍ୱ ମାନବର ପ୍ରତୀକ । ଶ୍ୱେତକାୟ, କୃଷ୍ଣକାୟ ଓ ଲୋହିତାଙ୍ଗଙ୍କର ପ୍ରତୀକ ରୂପ ।

Advertisment

ଏହି ପରିପ୍ରେକ୍ଷୀରେ ମନକୁ ଆସେ ଠାକୁରମାନଙ୍କର ‘ବନକଲାଗି ନୀତି’ । ‘ବର୍ଣ୍ଣକ’ରୁ ଏହି ‘ବନକ’ ଶବ୍ଦର ସୃଷ୍ଟି ହୋଇଛି । ଏହାର ଅର୍ଥ ଚିତ୍ରାୟନ ବା ବର୍ଣ୍ଣାୟନ । ପୁରୀରେ ପାରମ୍ପରିକ ଭାବରେ ଦୁଇ ପ୍ରକାରର ଚିତ୍ରକର ଏହି ବର୍ଣ୍ଣାୟନ ବା ରଙ୍ଗକାମ କରିଥାଆନ୍ତି । ଏଥିପାଇଁ ‘ଚିତ୍ରକାର’ ସେବାର ବ୍ୟବସ୍ଥା ଅଛି । ଏଥିରେ ମଧ୍ୟ ‘ବାହାର ବନକ’ ଓ ‘ଭିତର ବନକ’ ସେବକ ଅଛନ୍ତି । ‘ଚିତ୍ରକାର’ ବାହାର ବନକ ସେବା କରୁଥିବା ବେଳେ ‘ଦତ୍ତ ମହାପାତ୍ର’ ଭିତର ବନକ ସେବା କରିଥାଆନ୍ତି ।

publive-image

ଭିତର ବନକ ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ । ଏହା ମୁଖ୍ୟତଃ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖର ବର୍ଣ୍ଣାୟନ ବା ଶୃଙ୍ଗାର । ଏଣୁ ଏହି ସେବକଙ୍କୁ ‘ଶ୍ରୀମୁଖ ସିଂହାରୀ’ ବା ‘ଶ୍ରୀମୁଖ ଶିଙ୍ଗାରୀ’ କୁହାଯାଏ । ଏମାନେ ଲଳିତା-ବିଦ୍ୟାପତି ବଂଶର ଏବଂ ପ୍ରଭୁଙ୍କର ଶ୍ରୀଅଙ୍ଗ ସେବା ଦୃଷ୍ଟିରୁ ଏମାନଙ୍କୁ ‘ପରମେଶ୍ୱରଙ୍କ ଅଙ୍ଗିଲା ସେବକ’ ମଧ୍ୟ କୁହାଯାଇଥାଏ ।

ଶ୍ରୀମନ୍ଦିର ପରମ୍ପରା ଅନୁସାରେ, ନିର୍ଦ୍ଦିଷ୍ଟ ବିଧାନରେ ଠାକୁରମାନଙ୍କର ଶ୍ରୀମୁଖ ଶୃଙ୍ଗାର କରାଯାଏ । ଏଥିରେ ଲାଲ ରଙ୍ଗ ପାଇଁ ହିଙ୍ଗୁଳ, ହଳଦି ରଙ୍ଗପାଇଁ ହରିତାଳ, ଧଳା ରଙ୍ଗପାଇଁ ଶଙ୍ଖ ଏବଂ କଳାରଙ୍ଗପାଇଁ ଦୀପକଳା ବ୍ୟବହୃତ ହୁଏ । ପାରଦବହୁଳ ଗାଢ଼ ଲୋହିତ ବର୍ଣ୍ଣର ଖଣିଜ ପଦାର୍ଥ ହେଉଛି ହିଙ୍ଗୁଳ । ଗନ୍ଧକ ମିଶ୍ରିତ ପୀତବର୍ଣ୍ଣର ଧାତୁ ହେଉଛି ହରିତାଳ । ଏଥିରୁ ଯଥାକ୍ରମେ ଲାଲ ଓ ହଳଦି ରଙ୍ଗ ପ୍ରସ୍ତୁତ ହେଉଥିବା ବେଳେ, ଛୋଟ ଛୋଟ ଶଙ୍ଖରୁ ସ୍ୱତନ୍ତ୍ର ପଦ୍ଧତିରେ ଧଳା ରଙ୍ଗ ଏବଂ ରାଶି ତେଲର ଦୀପକଳାରୁ କଳାରଙ୍ଗ ପ୍ରସ୍ତୁତ ହୋଇଥାଏ । ଠାକୁରମାନଙ୍କର ଶ୍ରୀମୁଖ ଶୃଙ୍ଗାରପାଇଁ କୌଣସି ବାହାରର ରାସାୟନିକ ରଙ୍ଗ ବ୍ୟବହାର କରାଯାଏ ନାହିଁ । ଏହାର ତୂଳୀ ମଧ୍ୟ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥାଏ ।

ବରିଷ୍ଠ ଦତ୍ତ ମହାପାତ୍ର ସେବକଙ୍କ ସୂତ୍ରର ସୂଚନା ଅନୁସାରେ, ବନକ ଲାଗି ପାଇଁ ଯେଉଁ ତୂଳୀ ବ୍ୟବହାର କରାଯାଏ, ତାହା ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ହୋଇଥାଏ । ମଇଁଷି କାନ୍ଧ ଉପରର କେଶକୁ ବାଉଁଶ କାଠିରେ ଲାଖ ଓ ଜରଦ୍ୱାରା ବନ୍ଧାଯାଇ ଏହି ତୂଳୀ ତିଆରି ହୁଏ । ବନକଲାଗିରେ ବିଭିନ୍ନ ଆକାର ପ୍ରକାରର ପ୍ରାୟ ୧୫ଟି ତୂଳୀ ଲାଗିଥାଏ ।

publive-image ନବଯୌବନ ବେଶରେ ଚତୁର୍ଦ୍ଧାମୂର୍ତ୍ତି

ଅଣସର ଗୁପ୍ତନୀତିର ପରିଶେଷରେ ଠାକୁରମାନେ ଭକ୍ତଙ୍କୁ ‘ନବଯୌବନ’ରେ ଦର୍ଶନ ଦେଇଥାଆନ୍ତି । ‘ନୀଳାଦ୍ରି ମହୋଦୟ’ରେ ଏହି ନବଯୌବନ ଦର୍ଶନ ପୂର୍ବର ବନକଲାଗି ବିଧିର ବର୍ଣ୍ଣନା ଅଛି । ସେଥିରେ କୁହାଯାଇଛି- ବନକଲାଗି ପୂର୍ବରୁ ସେବକମାନେ ଶ୍ରୀବିଗ୍ରହମାନଙ୍କର ଶ୍ରୀଅଙ୍ଗରେ ଅତି କଠିନ କରି କର୍ପୂର ଲେପ ଦେବେ । ତାହାପରେ ତ୍ରୟୋଦଶୀ ଦିନ ବିଚକ୍ଷଣ ଚିତ୍ରକାର ସେମାନଙ୍କର ଶ୍ରୀଅଙ୍ଗକୁ ନାନା ବର୍ଣ୍ଣରେ ରଂଜିତ କରି ସେଥିରେ ଲୋମ କଳ୍ପନା କରିବେ ଏବଂ ଏପରି ଭାବରେ ଚିତ୍ର କରିବେ ଯେ ସେଥିରୁ ସେମାନଙ୍କର ସ୍ୱରୂପ ପ୍ରକଟିତ ହେବ । ଅର୍ଥାତ୍ ଏହି ବନକଲାଗି ପରେ ଠାକୁରମାନେ ନିଜ ନିଜର କଳା, ଧଳା, ଲାଲ ଓ ହଳଦି ରଙ୍ଗ ଧାରଣ କରିଥାଆନ୍ତି ।

ତେବେ ଆଲୋକ ବା ବର୍ଣ୍ଣାଳିର ବୈଜ୍ଞାନିକତା ଦୃଷ୍ଟିରୁ ଏହାର ତାତ୍ତ୍ୱିକ ବ୍ୟାଖ୍ୟା ମଧ୍ୟ କରାଯାଇଛି । ଏହି ବ୍ୟାଖ୍ୟାରେ କୁହାଯାଇଛି- କଳା, ହେଉଛି ଅନନ୍ତ ଶୂନ୍ୟତାର ପ୍ରତୀକ ଏବଂ ଏ ଦୃଷ୍ଟିରୁ ଏହା ଶ୍ରୀଜଗନ୍ନାଥଙ୍କର ରଙ୍ଗ । ମହାଜାଗତିକ ବ୍ୟାଖ୍ୟାରେ ତାଙ୍କର ଆଖିକୁ ମଧ୍ୟ କୃଷ୍ଣଗହ୍ୱର (ବ୍ଲାକ୍ ହୋଲ୍) ସହ ତୁଳନା କରାଯାଇଥାଏ । ସେହିପରି ଆଲୋକର ସଂପୂର୍ଣ୍ଣତା ହେଉଛି ଧଳା । ଏହା ଶ୍ରୀବଳଭଦ୍ରଙ୍କର ରଙ୍ଗ । ହଳଦି ଏକ ଯୌଗିକ ରଙ୍ଗ । ବର୍ଣ୍ଣାଳି ଦୃଷ୍ଟିରୁ ଏହା ସବୁଜ ଓ ରକ୍ତାଲୋକର ମିଶ୍ରଣ । ଏହାର ସବୁଜ ରଙ୍ଗ ଉଦ୍ଭିଦ ଜଗତ ଓ ଲାଲ ବା ରକ୍ତ ରଙ୍ଗ ପ୍ରାଣୀଜଗତର ପ୍ରତୀକ । ଏହା ଦେବୀ ସୁଭଦ୍ରାଙ୍କର ରଙ୍ଗ । ସେହିପରି ଶ୍ରୀ ସୁଦର୍ଶନଙ୍କର ରଙ୍ଗ ମଞ୍ଜିଷ୍ଠା ପରି ରକ୍ତାଭ । ଏହା ଆତ୍ମିକ ପରିପୂର୍ଣ୍ଣତା ଦିଗରେ ମାନବର ଅଗ୍ରଗତିକୁ ସୂଚାଏ ।

ତେବେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କର ରଙ୍ଗର ବ୍ୟାଖ୍ୟା ବିଭିନ୍ନ ବ୍ୟକ୍ତି ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ କରିଛନ୍ତି । କିନ୍ତୁ ସାଧାରଣ ଭାବରେ ବିଚାର କଲେ- ଏହା ହେଉଛି କଳା, ଧଳା, ଲାଲ ଓ ହଳଦି ରଙ୍ଗର ଏକ ସୁନ୍ଦର ଖେଳ । ଏହି ରଙ୍ଗରଖେଳ କାଳେକାଳେ ସମସ୍ତଙ୍କୁ ମୁଗ୍ଧ ଓ ଆକର୍ଷିତ କରିଆସିଛି ।