ସେଦିନ ବିଳମ୍ବିତ ରାତି ଯାଏଁ ମୁଁ ଅଫିସ୍ରେ ବସି କାମ କରୁଥାଏ। ‘ପୁନଶ୍ଚ ପୃଥିବୀ ମହାସମ୍ମିଳନୀ’ ପାଇଁ ପ୍ରାକ୍ପ୍ରସ୍ତୁତି ଚାଲିଥାଏ। ହଠାତ୍ କନକ ନିଉଜ୍ର ଇନ୍ଫର୍ମେସନ୍ ଟେକ୍େନାଲୋଜି (ଆଇଟି) ବିଭାଗର ଦାୟିତ୍ବ ସମ୍ଭାଳୁଥିବା କର୍ମଚାରୀଜଣକ ମୋ ନିକଟକୁ ଆସି କହିଲେ, ‘‘ମ୍ୟାଡାମ୍, ଟିକେ କଥା ଅଛି। ସେଇ ଯୋଉ ଶହେ ଘଣ୍ଟାର ଚ୍ୟାଲେଞ୍ଜ୍ ଥିଲା...!’’
ଏଠାରେ ପ୍ରଥମେ ମୁଁ ‘ପ୍ରଥମ ସ୍ତମ୍ଭ’ର ପାଠକମାନଙ୍କୁ ‘ଶହେ ଘଣ୍ଟାର ଚ୍ୟାଲେଞ୍ଜ୍’ ସଂପର୍କରେ ଜଣାଇଦେବା ଉଚିତ ବୋଲି ଭାବୁଛି। ଆମେ ସମସ୍ତେ ଜାଣିଛେ, ଆମ ଦେଶରେ ସାଧାରଣ ନିର୍ବାଚନ କୌଣସି ମହୋତ୍ସବଠାରୁ କମ୍ ନୁହେଁ। ଏହି ସମୟର ପ୍ରତିଟି ମୁହୂର୍ତ୍ତ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଆଉ ଚଳିତବର୍ଷର ନିର୍ବାଚନ ଓଡ଼ିଶା ପାଇଁ ଦୁଇ ଦଶନ୍ଧି ଭିତରେ ସବୁଠାରୁ ଘଟଣାବହୁଳ ଓ ଉତ୍ସାହପୂର୍ଣ୍ଣ ଥିଲା। ଆରମ୍ଭରୁ ଶେଷଯାଏ ବାତାବରଣ ଥିଲା ଉଷ୍ମତାରେ ଭରପୂର। ଓଡ଼ିଶାରେ ଜାତୀୟସ୍ତରର ମାଳମାଳ ଆଗଧାଡ଼ିଆ ନେତାଙ୍କର ପ୍ରଚାର, ହାଇଭୋଲ୍ଟେଜ୍ ଭାଷଣ, ଅସରନ୍ତି ପ୍ରତିଶ୍ରୁତି, କଥା କଟାକଟି, ଶେଷରେ ଅନପେକ୍ଷିତ ପରିଣାମ। ନିର୍ବାଚନୀ ଘଟଣାବଳିର ଟିକିନିଖି ଖବର ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଆମେ କନକ ନିଉଜ୍ରେ ଶହେ ଘଣ୍ଟାର ଏକ ଚ୍ୟାଲେଞ୍ଜ୍ ନେଇଥିଲୁ। ଜୁନ୍ ୧ରୁ ୪ ତାରିଖଯାଏ, ଅର୍ଥାତ୍ ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣରୁ ଗଣତି ଶେଷ ହେବା ପର୍ଯ୍ୟନ୍ତ, ୧୦୦ ଘଣ୍ଟା ଧରି ଆମେ ଦିନରାତି କେବଳ ନିର୍ବାଚନ ସମ୍ବନ୍ଧୀୟ ବିସ୍ତୃତ ଖବର ପରିବେଷଣ କରିଥିଲୁ। ଏଥିପାଇଁ କନକ ନିଉଜ୍ର ପୂରା ଟିମ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା।
ସେ ମୋତେ ସେଇ କଥା ମନେପକାଇଦେଇ କହିଲେ, ‘‘ଆମର ଯେଉଁ ଶହେ ଘଣ୍ଟାର ଚ୍ୟାଲେଞ୍ଜ୍ ହୋଇଥିଲା..., ତା’ର କିଛିଦିନ ପରେ ନିଉଜ୍ ରୁମ୍ରେ ସମସ୍ତେ ଏକାଠି ହୋଇଥିଲେ। ଆପଣ ସେଦିନ ନଥିଲେ। ଶହେ ଘଣ୍ଟା କାର୍ଯ୍ୟକ୍ରମର ସଫଳତା ପାଇଁ ସବୁ ବିଭାଗକୁ ପ୍ରଶଂସା କରାଗଲା। ରିପୋର୍ଟର ଓ କପିଡେସ୍କରୁ ନେଇ ଇନ୍ପୁଟ, ଆଉଟ୍ପୁଟ, ଭିଜୁଆଲ୍ ଏଡିଟିଙ୍ଗ୍, ଗ୍ରାଫିକ୍ସ, ପିସିଆର୍ ଓ ଏମ୍ସିଆର୍ ପର୍ଯ୍ୟନ୍ତ ସମସ୍ତେ ପରସ୍ପରର ପ୍ରଶଂସା କଲେ। ଆମେ ବି ଅପେକ୍ଷା କରିଥିଲୁ ଆଇଟି ବିଭାଗର ନାଁ କେତେବେଳେ ଆସିବ। ହେଲେ ଆମ କଥା କେହି ମନେପକାଇଲେନି। ଶେଷରେ ଜଣେ ବଡ଼ଭାଇ କହିଲେ, ଆମେ ଆଉ କିଛି ଲୋକଙ୍କୁ ଭୁଲିଯାଇଛୁ। ଆମେ ଭାବିଲୁ, ଯାହା ହେଉ ଭାଇ ଆମକୁ ମନେ ରଖିଛନ୍ତି। ଏଥର ଆଇଟି ପିଲାଙ୍କ ପାଳି ପଡ଼ିବ। କିନ୍ତୁ ସେ ଭାଇ ଜଣକ କହିଲେ, ବିଦୁ, ରମା ଓ ରାଜୀବ ବହୁତ ପରିଶ୍ରମ କରିଛନ୍ତି। ସମୟ ଅସମୟରେ, ଅଧରାତିରେ ଚା’ପାଣି, ଖାଇବା, ସବୁ କଥା ବୁଝିଛନ୍ତି। ସେମାନଙ୍କୁ ଅନେକ ଧନ୍ୟବାଦ। ବାସ୍। କୃତଜ୍ଞତା ସଭାଟି ସେଇଠି ସରିଗଲା। ମ୍ୟାଡାମ୍, ଆପଣ କହନ୍ତୁ। ଆମର କ’ଣ କିଛି ଭୂମିକା ନାହିଁ? ନିରବଚ୍ଛିନ୍ନ ଭାବେ ଶହେ ଘଣ୍ଟା କାର୍ଯ୍ୟକ୍ରମ ପ୍ରସାରଣର ସଫଳତା ପାଇଁ ସମସ୍ତେ ସବୁ କରିଛନ୍ତି, ଆମେ କିଛି କରିନୁ? ଆମକୁ କେମିତି ଭୁଲିଯିବେ? ବଢ଼ିଆ ମ୍ୟାଡାମ୍, ବହୁତ ବଢ଼ିଆ।’’
ସେ ପୁଣି କହିଲେ, ‘‘ଦରମା ବଢ଼ିବା ବେଳ ହେଉ କି ପ୍ରଶଂସା ସଭା, ସବୁଠି ସବୁବେଳେ ଆମେ ଅବହେଳିତ। ଆମର ଯେମିତି କିଛି ଅସ୍ତିତ୍ବ ହିଁ ନାହିଁ। କେବେକେବେ ଏ ଆଲୋଚନା ବି ଆମ କାନରେ ପଡ଼ିଛି କି ଏ ଆଇଟିବାଲାଙ୍କର କିଛି କାମ ନାହିଁ ବୋଧେ, ଯେତେବେଳେ ଦେଖ ବାହାରେ ବୁଲୁଛନ୍ତି। ଆପଣ ତ ଜାଣିଛନ୍ତି ମ୍ୟାଡାମ୍, ଆଇଟିର ମେଣ୍ଟେନାନ୍ସ କାମ ସବୁ ରାତିରେ ହୁଏ। ସେତେବେଳେ ଆମ କାମ କିଏ ଦେଖୁଛି? ଏମାନଙ୍କୁ କିଏ ବୁଝେଇବ ମ୍ୟାଡାମ୍, ଆମେ ବାହାରେ ବୁଲୁଛୁ ମାନେ ଶହଶହ ଲୋକ ଏଠି ନିର୍ଭୟରେ କାମ କରୁଛନ୍ତି। ସବୁ କିଛି ଠିକ୍ଠାକ୍ ଚାଲିଛି। ଯୋଉଦିନ ଆମେ ଦିନରେ କାମ କରିବୁ, ଜାଣିବେ ସେଦିନ ଶହଶହ ଲୋକ ହାତଗୋଡ଼ ବାନ୍ଧି ଠିଆ ହେଇ କେବଳ ଆମ କାମ ଦେଖୁଥିବେ। ସବୁ କାମ ଠପ୍ ହୋଇ ପଡ଼ିଥିବ। ଆପଣଙ୍କୁ ଏ ସବୁ କଥା କହିବିନି ବୋଲି ଭାବିଥିଲି। ହେଲେ କନକ ନିଉଜ୍ ଆଉ ଆପଣଙ୍କୁ ନିଜର ଭାବୁଛୁ ବୋଲି ଏତେ ଦିନ ହେଲା ଏଇଠି କାମ କରୁଛୁ। ତେଣୁ ନକହି ବି ରହିପାରିଲିନି। ଆମ ବିଭାଗର ସବୁ ପିଲା ଆପଣଙ୍କ ଉପରେ ଅଭିମାନ କରିଛନ୍ତି। ଆପଣ ଆମକୁ ଖାଇବାକୁ ଦେବେ ଆଉ କହିବେ, ସତରେ ଆମର କିଛି ଭୂମିକା ଅଛି କି ନାହିଁ ।’’
ଅତ୍ୟନ୍ତ ଭାବବିହ୍ବଳ ହୋଇ ସେ ଏସବୁ ମୋତେ କହିଗଲେ। ମୁଁ ତାଙ୍କୁ କ’ଣ କହିବି ଭାବି ପାରୁ ନଥିଲି। ଶେଷରେ ବୁଝାଇବା ପାଇଁ କହିଲି, ‘‘କେହି ତୁମର ଉପସ୍ଥିତି ଅନୁଭବ କରୁନାହାନ୍ତି ମାନେ ତମେ ତମ କାମ ସବୁ ଠିକ୍ ଭାବରେ କରିଛ। ଆଉ ପୁଣି କି ପ୍ରମାଣ ଦରକାର?’’ ଏମିତି କହି ବୁଝେଇଦେଲି ସିନା, ହେଲେ ମୁଁ ଠିକ୍ ଜାଣିଥିଲି, ସେ ଯାହା ସବୁ କହିଗଲେ ତାହା ଅକ୍ଷରେ ଅକ୍ଷରେ ସତ। ପରଦା ପଛପଟେ କାମ କରୁଥିବା ଲୋକମାନେ ଅନେକ ସମୟରେ ଅପରିଚିତ, ଅପ୍ରଶଂସିତ ଆଉ ଅବହେଳିତ ରହିଯାଆନ୍ତି। ଆମ ସମାଜରେ ସବୁବେଳେ ସଫଳତାର ଶ୍ରେୟ ଶୀର୍ଷରେ ଥିବା ଲୋକମାନଙ୍କୁ ମିଳିଯାଏ, ଆମେ ସେମାନଙ୍କ ଗୌରବ ଗାନ କରିବାରେ ବ୍ୟସ୍ତ ରହିଯାଉ। ହେଲେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିରବରେ ନିରନ୍ତର ସେମାନଙ୍କ କାମ କରିଚାଲନ୍ତି; ଅନୁଷ୍ଠାନର ମୂଳଦୁଆ ସେମାନଙ୍କ ପାଇଁ ମଜଭୁତ ଥାଏ, ସେମାନେ କେବେ ନଜରକୁ ଆସନ୍ତି ନାହିଁ ଏବଂ ସମସ୍ତଙ୍କ ପାଇଁ ଅଜଣା ରହିଯାଆନ୍ତି।
ତନୟା ପଟ୍ଟନାୟକ
ସଂପାଦକ