ଠିକ୍ ବର୍ଷକ ପୂର୍ବର କଥା। ୨୦୨୩ ଅକ୍ଟୋବର ୩ ତାରିଖରେ ଏହି ମଞ୍ଚରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ଜନ୍ମବାର୍ଷିକୀ ପାଳନ ହୋଇଥିଲା। ଆପଣମାନେ ମଧ୍ୟ ଏଠାରେ  ଉପସ୍ଥିତ ଥିଲେ। ସେଦିନ ଏହି ହଲ୍‌ରେ ଠିଆ ହେବା ପାଇଁ ଇଞ୍ଚେ ବି ଜାଗା ନ ଥିଲା।
‘ସମ୍ବାଦ’ର ବାର୍ଷିକ ଉତ୍ସବରେ ସେଦିନ ମୋର ଉପସ୍ଥିତି କିଛି ନୂଆ କଥା ନ ଥିଲା। ହେଲେ ମୋ ବାପା ସୌମ୍ୟରଂଜନ ପଟ୍ଟନାୟକଙ୍କର ଅନୁପସ୍ଥିତି ସେଦିନ ସମସ୍ତଙ୍କୁ ବିଚଳିତ କରିଥିଲା, ମର୍ମାହତ ଓ ଭାବପ୍ରବଣ ବି କରିଥିଲା। କାରଣ, ମାତ୍ର ଗୋଟିଏ ଦିନ ପୂର୍ବରୁ ‘ସମ୍ବାଦ’ର ସଂପାଦକ ପଦରୁ ତାଙ୍କର ଇସ୍ତଫା ରାଜ୍ୟବାସୀଙ୍କୁ ଚକିତ କରିଦେଇଥିଲା।
ମୁଁ ୨୦୨୩ ଅକ୍ଟୋବର ୨ ତାରିଖରେ ‘ସମ୍ବାଦ’ର ନୂଆ ସଂପାଦକ ଭାବେ ଦାୟିତ୍ବ ନେଇଥିଲି ଏବଂ ଯେତେବେଳେ ଆମେ ଏଇ ମଞ୍ଚରେ ‘ସମ୍ବାଦ’ର ଜନ୍ମଦିବସ ପାଳିଥିଲୁ, ସେତେବେଳେ ସଂପାଦକ ଭାବରେ ମୋର ବୟସ ଥିଲା ମାତ୍ର ଗୋଟିଏ ଦିନ।
ଏଇ ଗୋଟିଏ ବର୍ଷ କେମିତି କଟିଗଲା ଜଣାପଡ଼ିଲା ନାହିଁ- ଆଜି ଏଭଳି କହିପାରୁଥିଲେ ମୁଁ ବହୁତ ଖୁସି ହୋଇଥାଆନ୍ତି। କିନ୍ତୁ ଏହି ଗୋଟିଏ ବର୍ଷ ଆଦୌ ସହଜରେ କଟି ନ ଥିଲା। ଆପଣମାନେ ସମସ୍ତେ ପରିବାରର ଲୋକ ଭଳି, ତେଣୁ ଆପଣମାନଙ୍କୁ କ’ଣ ବା ଲୁଚାଇବି ! ବ‌ର୍ଷର ପ୍ରତିଟି ଦିନ, ଗୋଟିଏ ବର୍ଷ, ପୂରା ୩୬୫ ଦିନ ମୋ ପାଇଁ ବହୁତ ସଂଘର୍ଷପୂର୍ଣ୍ଣ ଥିଲା।
‘ସମ୍ବାଦ’ର ସଂପାଦକ ହେବା ପରେ ଅନେକ ଶୁଭାକାଂକ୍ଷୀ ମୋତେ ଉତ୍ସାହିତ କରି କହୁଥିଲେ, ‘‘ବାଃ, ବଢ଼ିଆ ହେଲା, ତୁମେ ଏବେ ସବୁ ଦାୟିତ୍ବ ହାତକୁ ନେଇଗଲ! ଏବେ ପୂରା ଦାୟିତ୍ବ ତୁମ ଉପରେ।’’ ହେଲେ  ମୋ’ ମନକଥା ଆଉ କାହାକୁ ତ ଦୂରର କଥା, ନିଜେ ନିଜକୁ କହିବା ପାଇଁ ବି ମୋ ପାଖରେ ସମୟ, ସୁଯୋଗ ଓ ସାହସ ନ ଥିଲା। ପ୍ରତି ମୁହୂର୍ତ୍ତରେ ମୁଁ ନିଜ ଉପରେ ସନ୍ଦେହ କରୁଥିଲି, ନିଜକୁ ପ୍ରଶ୍ନ ପଚାରୁଥିଲି। ନିଜ ସାମର୍ଥ୍ୟକୁ ଓ ଯୋଗ୍ୟତାକୁ ସନ୍ଦେହ କରୁଥିଲି। ଭାବୁଥିଲି, ମୁଁ ଏ ଗୁରୁ ଦାୟିତ୍ବ ତୁଲାଇ ପାରିବି ତ ?
ଆପଣମାନଙ୍କର ମନେଥିବ, ଗତବର୍ଷ ସଂପାଦକ ଭାବରେ ମୋର ପ୍ରଥମ ବକ୍ତବ୍ୟର ଶେଷରେ ମୁଁ ଆପଣମାନଙ୍କୁ କିଛି ମାଗିଥିଲି। କହିଥିଲି, ଏଇ ଗୁରୁଦାୟିତ୍ବ ତୁଲାଇବା ପାଇଁ ମୋତେ ଆଶୀର୍ବାଦ କରନ୍ତୁ, ମୋତେ ସାହସ ଦିଅନ୍ତୁ। ‘ସମ୍ବାଦ’ ପ୍ରତି ଆପଣଙ୍କର ଭଲପାଇବା ପୂର୍ବ ପରି ଅତୁଟ ରଖନ୍ତୁ।
ଅ‌ାଶୀର୍ବାଦର କୌଣସି ରୂପ ବା ରଙ୍ଗ ନ ଥାଏ। ଆଶୀର୍ବାଦ ଓ ଭଲପାଇବା ସବୁବେଳେ ଅଦୃଶ୍ୟ ହୋଇଥାଏ। ତାକୁ କେବଳ ଅନୁଭବ କରିହୁଏ। କିନ୍ତୁ ମୁଁ  ନିଶ୍ଚିତ, ଶତପ୍ରତିଶତ ନିଶ୍ଚିତ ଯେ ଆପଣମାନେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’କୁ ଭଲ ପାଉଥିବା ଲକ୍ଷ ଲକ୍ଷ ପାଠକପାଠିକା, ଦର୍ଶକ ଓ ଶୁଭେଚ୍ଛୁ ମୋ’ ଉପରେ ହୃଦୟରୁ ଭଲପାଇବା ଓ ଆଶୀର୍ବାଦ ଢାଳିଦେବାରେ କୌଣସି କାର୍ପଣ୍ୟ କରିନାହାନ୍ତି। ଏହାର କୌଣସି ପ୍ରମାଣର ଆବଶ୍ୟକତା ବି ନାହିଁ। ମୁଁ ଯେ ବର୍ଷଟିଏ ତିଷ୍ଠି ରହି ପାରିଛି, ଏହା ତାହାର ପ୍ରମାଣ।
ଏହି ବର୍ଷକ ଭିତରେ ମୋ ମନକୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରଶ୍ନ ଆସିଛି ଏବଂ ଏହାର ଉତ୍ତର ବି ମୁଁ ନିଜଠାରୁ ପାଇଛି।  
ମୋତେ କଷ୍ଟ ହୋଇଛି? ହଁ।
ଅନେକ ସମୟରେ ମନେହୋଇଛି- ନା ଆଉ ପାରିବିନି? ହଁ।
ଏ ସହର ଛାଡ଼ି କୁଆଡ଼େ ଉଭାନ୍ ହୋଇଯିବା ଲାଗି ଇଚ୍ଛା ହୋଇଛି? ହଁ।
ଯଦିଓ ଏହିସବୁ ପ୍ରଶ୍ନର ଉତ୍ତର ‘ହଁ’, କିନ୍ତୁ ଆଉ କିଛି ଏଭଳି ପ୍ରଶ୍ନକୁ ବି ଅଣଦେଖା କରିହେବ ନାହିଁ।
ମୋର ଆତ୍ମବିଶ୍ବାସ ବଢ଼ିଛି? ହଁ।
ମୋର ଡର କମିଛି? ହଁ।
ମୋର ସ୍ବପ୍ନର ଆକାର ବଢ଼ିଛି? ହଁ।
ତେବେ କିଛି ହେଉ କି ନ ହେଉ, ମୋ’ର ୩୫ ବର୍ଷର ଜୀବନରେ ଗୋଟିଏ କଥା ମୁଁ ଖୁବ୍ ଶୀଘ୍ର ବୁଝିବାରେ ଓ ଶିଖିବାରେ ସଫଳ ହୋଇଛି; ଏବଂ ତାହା ହେଲା- “ହ୍ବାଟ୍‌ ଡଜଣ୍ଟ୍‌ କିଲ୍‌ ୟୁ, ମେକ୍‌ସ୍‌ ୟୁ ଷ୍ଟ୍ରଙ୍ଗର୍” ( ଯାହା ତୁମକୁ ନିଃଶେଷ କରିପାରେ ନାହିଁ, ତାହା ତୁମକୁ ଶକ୍ତିଶାଳୀ କରେ)।
ଅନେକ ସମୟରେ ମୁଁ ଶୁଣିଛି; ମୋ ବାପାଙ୍କୁ ଯେତେବେଳେ ତାଙ୍କ ସଫଳତା ସଂପର୍କରେ ପଚରାଯାଏ, ସେ କହିଥାଆନ୍ତି- ମୁଁ ଭାଗ୍ୟବାନ୍‌,  ମୋତେ ଭଲ ସହଯୋଗୀ ମିଳିଛନ୍ତି। ଭଲ ସହଯୋଗୀ ମିଳିଲେ ସଫଳତା ସମ୍ଭବ ହେଇଥାଏ । ଆଜି ନିର୍ଦ୍ବନ୍ଦ୍ବରେ ମୁଁ ଦାବି କରିପାରିବି- ମୁଁ ମଧ୍ୟ ବହୁତ ଭଲ ସହଯୋଗୀମାନଙ୍କୁ ପାଇଛି। ତା’ ନ ହୋଇଥିଲେ ମୁଁ ଆଜି ଏଠି ଆପଣମାନଙ୍କ ସାମ୍ନାରେ ଠିଆ ହୋଇପାରି ନ ଥାନ୍ତି।
ଏହି ଅବସରରେ ମୋ ବାପା, ମାଆ ଓ ଭଉଣୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଛି। ଏଠି ମୋ ସ୍ବାମୀ, ଶାଶୂଶଶୁର, ଘନିଷ୍ଠ ବନ୍ଧୁ ଓ ପରିବାରର ଅନେକ ଉପସ୍ଥିତ ଅଛନ୍ତି; ମୋ’ ପୁଅ ବି ଅଛି। ଗୋଟିଏ ବର୍ଷ ଧରି ମୁଁ ଯେଉଁ ଅସ୍ବାଭାବିକ ରୁଟିନ୍‌ ଭିତର ଦେଇ ଗତି କରିଛି, ତାହା କେବଳ ସେମାନଙ୍କର ସମର୍ଥନ ଯୋଗୁଁ ସମ୍ଭବ ହୋଇଛି। ଯିବା ସମୟର ଠିକଣା ନ ଥାଏ, ଆସିବା ସମୟର  ବି ଠିକ୍‌ଠିକଣା ନ ଥାଏ। ସେମାନେ ମୋତେ ବହୁତ ସହିଛନ୍ତି, ତେଣୁ ଏଇ ବର୍ଷକ ଭିତରେ ଯେତିକି ବି କରିଛି, ସେଥିରେ ସେମାନଙ୍କର ବଡ଼ ଭୂମିକା ରହିଛି।  
ଏବେ ତ କେବଳ ବର୍ଷଟିଏ ହିଁ ବିତିଛି। ଆଗକୁ ଅନେକ ବାଟ ବାକି ଅଛି। ଆସନ୍ତା ୧୨ ବର୍ଷ ଭିତରେ ଆମକୁ ‘ପୁନଶ୍ଚ ପୃଥିବୀ’ ଜନଆନ୍ଦୋଳନକୁ ଘରେ ଘରେ ପହଞ୍ଚାଇବାର ଅଛି। ଘରେ ଘରେ ପରିବେଶ-ଯୋଦ୍ଧା ସୃଷ୍ଟି କରିବାର ଅଛି। ଓଡ଼ିଶାର କୋଣ ଅନୁକୋଣରେ ୫୦୦ରୁ ଅଧିକ ପରିବେଶ-ସାମ୍ବାଦିକ ବି ସୃଷ୍ଟି କରିବାର ଅଛି। ଏ ସବୁ ନିମନ୍ତେ ମୁଁ ପୂର୍ବବର୍ଷ ପରି ଏ ବର୍ଷ ପାଇଁ, ଏବଂ ଆଗାମୀ ବର୍ଷଗୁଡ଼ିକ ପାଇଁ ଆପଣମାନଙ୍କ ଆଶୀର୍ବାଦ କାମନା କରୁଛି।
‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀରେ ଯୋଗ ଦେଇଥିବା ଦେଶର ବିଭିନ୍ନ ଅଞ୍ଚଳର ୪୨ ଜଣ ବକ୍ତା ଓ ବିଶେଷଜ୍ଞ ମତ ରଖିଥିଲେ ଯେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ କୌଣସି ଗଣମାଧ୍ୟମ ସଂସ୍ଥା ଏଭଳି ଆୟୋଜନ କରିବା ପୃଥିବୀରେ ପ୍ରଥମ। ଏହା ଆମ ପାଇଁ ଅତ୍ୟନ୍ତ ଆନନ୍ଦ ଓ ଗୌରବର ବିଷୟ।  
ଆଉ ଗୋଟିଏ କଥା।  ଆମେ ଜନ୍ମଦିନରେ ରକ୍ତଦାନ କରି ଉତ୍ସବ ପାଳନର ପରମ୍ପରା ଆରମ୍ଭ କରିଥିଲୁ। ଖୁସିର କଥା, ଏବେ ଅନେକେ ଏହାଦ୍ବାରା ପ୍ରେରିତ, ପ୍ରଭାବିତ ହୋଇ ବି‌ଶେଷ ଦିନଗୁଡ଼ିକରେ ପାରିବାରିକ ଓ ସାମୂହିକ ରକ୍ତଦାନ କାର୍ଯ୍ୟକ୍ରମମାନ ଆୟୋଜନ କରି ଏହାକୁ ପାଳନ କରୁଛନ୍ତି।  କିନ୍ତୁ ଏବେ ଆମେ କିପରି ଜନ୍ମଦିନ ପାଳନ କରିବା? ଆସନ୍ତା ୧୨ ବର୍ଷ ପର୍ଯ୍ୟନ୍ତ ଆମେ ‘ପୁନଶ୍ଚ ପୃଥିବୀ’ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ହିଁ ଜନ୍ମଦିନ ପାଳିବାକୁ ମୁଁ  ସମସ୍ତଙ୍କୁ ଅନୁରୋଧ କରୁଛି।  
ଏହି ଅବସରରେ ସମସ୍ତଙ୍କୁ ହୃଦୟରୁ ମୋର କୃତଜ୍ଞତା। ବିଶେଷ କରି ‘ସମ୍ବାଦ’, ‘କନକ ନ୍ୟୁଜ୍‌’, ‘ରେଡିଓ ଚକ୍‌ଲେଟ୍‌’, ‘ସମ୍ବାଦ ଡିଜିଟାଲ୍‌’ ଓ ବୃହତ୍ତର ‘ସମ୍ବାଦ ପରିବାର’ର ସମସ୍ତ ସହଯୋଗୀଙ୍କୁ ଆନ୍ତରିକ ଧନ୍ୟବାଦ।
(ଅକ୍ଟୋବର ୪ ତାରିଖରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ଜନ୍ମବାର୍ଷିକୀ ପାଳନ ଅବସରରେ ପ୍ରଦତ୍ତ ଅଭିଭାଷଣର ସଂପାଦିତ ଅଂଶ)