୨୦୧୪ରେ ମୋ ବାହାଘର ପରେ ମୁଁ କଟକ ଚାଲିଆସିଲି। ତା’ପୂର୍ବରୁ ପିଲାଦିନୁ ଆମେ ଦୀପାବଳି ବଡ଼ବାପାଙ୍କ ଘରେ ସବୁ ଭାଇଭଉଣୀ ମିଶି ଖୁବ୍ ଆନନ୍ଦରେ ପାଳନ କରୁଥିଲୁ। ବାହାଘର ପରେ ମୋ ନୂଆ ପରିବାରରେ ପର୍ବପର୍ବାଣି ସବୁ ମୁଁ କେମିତି ପାଳିବି ତାକୁ ନେଇ ମନରେ ଟିକେ ଆଶଙ୍କା ଥିଲା। କିନ୍ତୁ କିଛି ଦିନ ଭିତରେ ଶାଶୂଘରେ ଦୀପାବଳି ମୋ ପାଇଁ ଏମିତି ଏକ ପର୍ବ ପାଲଟିଗଲା, ଯାହାକୁ ମୁଁ ବର୍ଷ ତମାମ ଅପେକ୍ଷା କରିଥାଏ। ପ୍ରତିବର୍ଷ ଦୀପାବଳି ପାଳନର ଢଙ୍ଗ ପ୍ରାୟ ସମାନ ଥିଲା। ଘର ସଫାହେବା, ମିଠା ପ୍ୟାକେଟ୍ ଖୋଲିବା, ମିଠା ଖାଇବା, ପାରମ୍ପରିକ ପୋଷାକରେ ସଜେଇ ହେବା, ଘରର ଚାରିଆଡ଼ ରଙ୍ଗୋଲି ପକାଇବା, ଦୀପ ଜଳେଇବା, ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ବାଣ ଫୁଟାଇବା, ଟ୍ୱେଣ୍ଟି ନାଇନ୍ ଖେଳିବା, ରାତିରେ ସ୍ୱାଦିଷ୍ଠ ଭୋଜନ ସହ ପୁଣିଥରେ ମିଠା ଖାଇବା।
କଟକରେ ମୋର ପ୍ରଥମ ଦୀପାବଳି ସ୍ପଷ୍ଟ ମନେଅଛି। ଝାଞ୍ଜିରୀମଙ୍ଗଳା ଗଡ଼ାରେ ଆମ ଘର। ଆମେ ଗେଟ୍ ବାହାରକୁ ଯାଇ ରାସ୍ତା କଡ଼ରେ ବାଣ ଫୁଟାଉଥାଉ। ଅଗଣିତ ବାଣର ଅମାପ ଶବ୍ଦ ଆଉ ରଙ୍ଗିନ ଆଲୋକରେ କଟକ ଆକାଶ ଆଚ୍ଛାଦିତ ହୋଇଯାଇଥାଏ। ରାସ୍ତାରେ ଆଉ କୁକୁରମାନଙ୍କର ଦେଖା ମିଳୁ ନଥାଏ। ବାଣ ଭୟରେ ହୁଏତ ସେମାନେ କୋଉଠି କୋଉ ଗଳିକନ୍ଦିରେ ଯାଇ ଲୁଚିଯାଇଥିବେ। ଆମ ଘର ପାଖ ଅଣଓସାରିଆ ରାସ୍ତାର ଆରପାଖେ ଠିଆ ହୋଇଥାନ୍ତି ତିନି ଚାରି ଜଣ ଛୋଟ ପିଲା। କୁମ୍ପିଟେ ଫୁଲ ଝରେଇଲେ କିମ୍ବା ଚକ୍ରି ଚକ୍କର୍ କାଟିଲେ, ସେମାନେ ଖୁସିରେ ତାଳିମାରି ନାଚିଯାଉଥାଆନ୍ତି। ଆମେ କିଛି ବାଣ ପ୍ୟାକେଟ୍ ତାଙ୍କ ହାତରେ ଧରେଇଦେଲୁ। ତାଙ୍କ ଆଖିରେ ଖୁସିର ଚମକ ବାଣ ଆଲୋକରେ ରଙ୍ଗିନ ଆକାଶଠାରୁ ଆହୁରି ଉଜ୍ଜ୍ୱଳ ଦେଖାଗଲା। ଧୀରେ ଧୀରେ ଆହୁରି ଅନେକ ପିଲା ଆସି ସେମାନଙ୍କ ସାଙ୍ଗେ ମିଶିଗଲେ। ଆରପଟେ ଗୋଟେ ବସ୍ତି ଆଉ ସେ ବସ୍ତିରୁ ଆମ ରାସ୍ତାକୁ ଗୋଟେ ଛୋଟ ବାଟ ମେଲିଥିଲା। ଆମ ଘରେ ଦୀପାବଳି ଉପହାରରେ ମିଳିଥିବା ପ୍ରଚୁର ମିଠା ଆଉ ଚକଲେଟ୍ ଥାଏ। ସେଗୁଡିକ ବାହାରକୁ ଅଣାଗଲା ଆଉ ସବୁ ବସ୍ତି ପିଲାଙ୍କ ମଧ୍ୟରେ ବଣ୍ଟାଗଲା। ତା’ପରଠାରୁ ଏଇଟା ହିଁ ହୋଇଗଲା ଦୀପାବଳି ପାଳନର ପରମ୍ପରା। ଦୀପାବଳିର କିଛି ଦିନ ପୂର୍ବରୁ ଚକଲେଟ୍, ମିଠା, ବାଣ ପ୍ୟାକେଟ୍ ସବୁକୁ ଏକାଠି ଘରର ଗୋଟିଏ କୋଣରେ ସେଇ ବସ୍ତି ପିଲାମାନଙ୍କ ପାଇଁ ଯତ୍ନର ସହ ରଖାଯାଏ, ଯେଉଁ ପିଲାଙ୍କ ସଂଖ୍ୟା ବର୍ଷକୁ ବର୍ଷ ବଢ଼ିବାରେ ଲାଗିଥିଲା। ପ୍ରତ୍ୟେକ ବର୍ଷ ଆମେ ଏହି ମୁହୂର୍ତ୍ତକୁ ସେମାନଙ୍କ ସହ ରାସ୍ତା ଉପରେ ପାଳନ କରିବା ପାଇଁ  ଅପେକ୍ଷା କରିଥାଉ, ଯାହା ଆମ ଉଭୟଙ୍କର ପୃଥକ୍ ପୃଥିବୀକୁ କିଛି କ୍ଷଣପାଇଁ ଏକ କରିଦିଏ।
ଦୁଇ ବର୍ଷ ତଳେ ଆମେ କଟକରୁ ଭୁବନେଶ୍ବର ସ୍ଥାନାନ୍ତର ହେଇଗଲୁ। ଦୀପାବଳି ଆସିବ ଆସିବ ହେଉଥାଏ, ସ୍ୱାଭାବିକ ଭାବରେ ନୂଆ ଘରେ ଦୀପାବଳି ପାଳନ ପାଇଁ ଆମେମାନେ ଖୁବ୍‌ ଉତ୍ସୁକ ଥାଉ। ପାଳନର ତାଲିକା ସମାନ। ଘରଝଡ଼ା, ରଙ୍ଗୋଲି ଏବଂ ଅନ୍ୟାନ୍ୟ ପ୍ରସ୍ତୁତି। ହେଲେ କିଛି ତ ଅଭାବ ଥାଏ। ଆମେ ଜାଣିଥିଲୁ ସେଇ ଛୋଟ ପିଲାମାନେ ସବୁବର୍ଷ ପରି ଏଥର ବି ଆସିବେ, ହେଲେ ଆମ ଭିତରୁ କାହାକୁ ପାଇବେ ନାହିଁ। ଆମେ ଆଉ ସେଠି ରହୁନୁ ବୋଲି ସେମାନେ ବି କେମିତି ଜାଣିବେ! ମୋ ବଡ଼ ଯାଆ ବାଣ, ମିଠା ଆଉ ଚକଲେଟ୍‌ର ଗୋଟେ ବଡ଼ ପ୍ୟାକେଟ୍ ପ୍ରସ୍ତୁତ କରି କଟକ ଘରକୁ ପଠେଇଦେଲେ ଆଉ ପିଲାମାନେ ସନ୍ଧ୍ୟାରେ ଆସିଲେ ସେମାନଙ୍କୁ ବାଣ୍ଟିଦେବା ପାଇଁ ସିକ୍ୟୁରିଟିରେ ଜଣେଇଦେଲେ। ସେଦିନ ରାତିରେ ବାଣ ଫୁଟା ଆଦି ସରିବା ପରେ ଆମେ ମିଠା ଅଣ୍ଟିଲା କି ନାହିଁ ଜାଣିବା ପାଇଁ କଟକ ଘର ସିକ୍ୟୁରିଟି କର୍ମଚାରୀଙ୍କୁ ଫୋନ୍‌ କଲୁ। 
ସେମାନେ କହିଲେ- ଆଜ୍ଞା କେହି ଆସିଲେନି।
-ଆସିଲେନି! କାହିଁକି? 
ସେମାନେ ପୁଣି ଉତ୍ତର ଦେଲେ- ବସ୍ତିରୁ ଆମ ରାସ୍ତାକୁ ଆସିବା ପାଇଁ ଯୋଉ ବାଟଟା ଥିଲା, ସେଠି ଗୋଟେ ବଡ଼ ଗେଟ୍ ଲାଗି ଗଳିଟା ବନ୍ଦ ହେଇଯାଇଛି।
ଦୀପାବଳି ସରିଯାଇଥିଲା। ତା’ ପରଠାରୁ ସେ ପିଲାଙ୍କ ସହ ଅବଶ୍ୟ ଆଉ ଦେଖା ହୋଇପାରିନି। 
କନକ ନିଉଜ୍‌ରେ କିଛି ବର୍ଷ ତଳେ ଦୀପାବଳି ଉପଲକ୍ଷେ ‘ହସ ଫୁଟାନ୍ତୁ’ ନାମରେ ଅଭିଯାନଟିଏ ଆରମ୍ଭ କରିଥିଲୁ। ଏ ଅଭିଯାନ ସମ୍ବନ୍ଧରେ ଆଲୋଚନା ବେଳେ ମତେ ସବୁବେଳେ ଆମ ଝାଞ୍ଜିରମଙ୍ଗଳା ଗଡ଼ା ପାଖ ବସ୍ତି ପିଲାଙ୍କ କଥା ମନେପଡ଼େ। ଖାଲି ଦୀପାବଳି କାହିଁକି, କୌଣସି ପର୍ବପର୍ବାଣି, ଉତ୍ସବ କିମ୍ବା ଖୁସିର ଅବସରରେ ଯଦି ଆମେ ଆମ ପରିବାର ସହ ସେମାନଙ୍କୁ ସାମିଲ କରିପାରିବା, ସେମାନଙ୍କୁ ଖୁସି ବାଣ୍ଟି ସେଥିରେ ସାମିଲ ହେଇ ପାରିବା, ତା’ଠାରୁ ବଡ଼ କଥା ଆଉ କିଛି ନାହିଁ। ଆମ ଘରେ କାମ କରୁଥିବା ଲୋକ, ଡେଲିଭରି ଏଜେଣ୍ଟ, ଅଫିସ୍‌ରେ ସିକ୍ୟୁରିଟି କର୍ମଚାରୀ, କ୍ୟାବ୍ ଡ୍ରାଇଭର୍, ଆମ ସାଙ୍ଗସାଥୀ ବା ଆମ ପିଲାଙ୍କ ସାଙ୍ଗସାଥୀ; ଯଦି ଆମ ସାଧ୍ୟମତେ ଏମାନଙ୍କ ଓଠରେ ସାମାନ୍ୟ ହସ ଫୁଟାଇପାରିବା, ମିଠା କଥା ପଦେ ହେଇପାରିବା, ତା’ହେଲେ ସେ ମିଠାପଣର ବିକଳ୍ପ ନାହିଁ। 
ଦୁନିଆକୁ ଦେଖିବା ଭଗବାନଙ୍କ ଦାୟିତ୍ବ। ହେଲେ ଆମ ଚାରିପାଖକୁ ଦେଖି ମଣିଷପଣିଆର ମହକରେ ମହକାଇବା ଆମ କର୍ତ୍ତବ୍ୟ।

Advertisment

ତନୟା ପଟ୍ଟନାୟକ
ସଂପାଦକ