ଏମିତି ଆମ ସାଇବର ଅପରାଧ ମୁକାବିଲା?

କାହା ପାଇଁ ସାଇବର କମ୍ପଲେକ୍ସ? ଉଦ୍‌ଘାଟନକୁ ପୂରିଲାଣି ସାଢ଼େ, ୧୦ ମାସ, ଏବେ ବି ଅଚଳ

ମାତ୍ର ୩ ଜିଲ୍ଲାରେ ସାଇବର ଥାନା, ଭୁବନେଶ୍ବରରେ କେବେ?

ସାଇବର ଅପରାଧୀଙ୍କ ସଫ୍ଟ ଟାର୍ଗେଟରେ ରହିଛି ଓଡ଼ିଶା। ବିଗତ ବର୍ଷର ସାଇବର ଅପରାଧ ମାମଲାରୁ ଏହା ସ୍ପଷ୍ଟ ହୋଇଯାଇଛି। ଖାଲି ସେତିକି ନୁହେଁ ନ୍ୟାସନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ(ଏନସିଆରବି)-୨୦୨୦ ତଥ୍ୟ ଅନୁସାରେ ସାଇବର ଅପରାଧରେ ଓଡ଼ିଶା ୬ ନମ୍ବରରେ ରହିଛି। ଯାହା ଏବେ ଚିନ୍ତାର କାରଣ ସାଜିଛି ଓ ପୁଲିସ ପାଇଁ ଚ୍ୟାଲେଞ୍ଜ ମଧ୍ୟ ପାଲଟିଛି। ଏଭଳି ସ୍ଥିତିରେ ସାଇବର ଅପରାଧ ମୁକାବିଲାରେ ଓଡ଼ିଶା ପୁଲିସର ଦକ୍ଷତାକୁ ନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଛି। ତେବେ ଓଡ଼ିଶା ପୁଲିସ କେତେ ସକ୍ଷମ, ତାହାର ଏକାଧିକ ଉଦାହରଣ ମଧ୍ୟ ସାମ୍ନାକୁ ଆସିଛି।

ପରିତାପର କଥା ରାଜଧାନୀ ଭୁବନେଶ୍ବରରେ ସର୍ବାଧିକ ସାଇବର ଅପରାଧ ଓ ଠକେଇ ହେଉଥିବା ବେଳେ ଏଯାଁଏ ଥାନା ପ୍ରତିଷ୍ଠା ହୋଇପାରିଲା ନାହିଁ। ରାଜ୍ୟରେ ମାତ୍ର ୩ଟି ପୁଲିସ ଜିଲ୍ଲା ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ସାଇବର ଥାନା ରହିଛି। ଭୁବନେଶ୍ବର, ପୁରୀ, ଯାଜପୁର, ବାଲେଶ୍ବର ସମେତ ୨୫ଟି ପୁଲିସ ଜିଲ୍ଲାରେ ସାଇବର ଥାନା ନାହିଁ। ଏସବୁ ଜିଲ୍ଲାରେ ସାଇବର ଥାନା ଖୋଲିବା ଲାଗି କ୍ରାଇମବ୍ରାଞ୍ଚ ପକ୍ଷରୁ ରାଜ୍ୟ ସରକାରଙ୍କ ପାଖକୁ ପ୍ରସ୍ତାବ ପଠାଯାଇଛି। କିନ୍ତୁ ଅନ୍ୟ ଖୋଦ୍‌ ରାଜଧାନୀରେ ମାମଲା ବଢ଼ୁଥିବା ସତ୍ତ୍ବେ ସାଇବର ଥାନା କେବେ ଖୋଲିବ, ତାହା ଏବେ ପ୍ରଶ୍ନବାଚୀ ହୋଇରହିଛି।

berhampur.gov.in

ଅନ୍ୟପକ୍ଷରେ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅପରାଧ, ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରି ବିଶୃଙ୍ଖଳା ସୃଷ୍ଟି କରାଯିବା ଘଟଣାର ସ୍ବତନ୍ତ୍ର ତଦନ୍ତ ପାଇଁ ରାଜଧାନୀରେ ସାଇବର କମ୍ପଲେକ୍ସ ଖୋଲଗଲା। ଏପରିକି ସେଠାରେ କାମ କରିବାକୁ ଥିବା କର୍ମଚାରୀଙ୍କୁ ପର୍ଯ୍ୟାୟକ୍ରମେ ତାଲିମ୍‌ ପ୍ରଦାନ କରାଗଲା। ଗତବର୍ଷ ନଭେମ୍ବରରେ ଏହି କୋଠାକୁ ପୁଲିସ ମୁଖିଆ ଉଦ୍‌ଘାଟନ କଲେ। କିନ୍ତୁ ସାଢ଼େ ୧୦ ମାସ ବିତି ଯାଇଥିଲେ ମଧ୍ୟ ଅଚଳ ହୋଇ ପଡ଼ିରହିଛି ଏହି କମ୍ପଲେକ୍ସ। ତେଣୁ ସାଇବର ଠକେଇ ଓ ଅପରାଧ ସମ୍ପର୍କରେ ଯାଉଥିବା ଅଭିଯୋଗକାରୀ ନିରାଶ ହୋଇ ଫେରୁଛନ୍ତି। ଜଣେ, ଦୁଇ ଜଣ କର୍ମଚାରୀ ଉପସ୍ଥିତ ରହି କେବଳ ଏହି କୋଠାକୁ ଜଗି ବସିଛନ୍ତି। ସାଇବର ଠକେଇ ମୁକାବିଲା ଦିଗରେ ରାଜ୍ୟ ପୁଲିସର ଏହା ଆଉ ଏକ ବିଫଳତା ବୋଲି ସ୍ପଷ୍ଟ ହୋଇଛି।

ଏଠାରେ ପ୍ରଶ୍ନ ଉଠୁଛି ତରବରିଆ ଭାବେ କାହିଁକି ଏହି କମ୍ପଲେକ୍ସକୁ ଉଦ୍‌ଘାଟନ କରାଗଲା? ଥାନା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିଲେ ମଧ୍ୟ ଥାନା ଚାଲିବ ବୋଲି ପୁଲିସ ମୁଖିଆ ଓ ବରିଷ୍ଠ ଅଧିକାରୀମାନେ ଗଣମାଧ୍ୟମକୁ କେଉଁ ଆଧାରରେ ପ୍ରତିକ୍ରିୟା ଦେଇଥିଲେ? ବଢ଼ୁଥିବା ସାଇବର ଅପରାଧରୁ ଜନସାଧାରଣଙ୍କ ନଜର ହଟାଇବା ପାଇଁ କମ୍ପଲେକ୍ସକୁ ତରବରିଆ ଉଦ୍‌ଘାଟନ କରାଯାଇଥିଲା କି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହି ସାଇବର କମ୍ପଲେକ୍ସ କେବେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ, ତାହାର ଉତ୍ତର ଏବେ ସୁଦ୍ଧା କାହା ପାଖରେ ନାହିଁ।

New York Post

ଦୁଇ ବର୍ଷରେ ୫୧ କୋଟି ଲୁଟ୍; ୭୦୮ ଗିରଫ, ୨ ଜଣଙ୍କୁ ଦଣ୍ଡାଦେଶ
ରାଜ୍ୟରୁ କୋଟି କୋଟି ଟଙ୍କା ଠକି ନେଉଛନ୍ତି ସାଇବର ଅପରାଧୀ। ୨୦୧୯ ଓ ୨୦୨୦, ଏହି ଦୁଇ ବର୍ଷରେ ସାଇବର ଠକମାନେ ରାଜ୍ୟରୁ ୫୧ କୋଟିରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ୨୦୧୯ରେ ରାଜ୍ୟରେ ୧୪୭୫ଟି ମାମଲାରେ ୧୬ କୋଟି ୮ ଲକ୍ଷ ୮ ହଜାର ୭୪୬ ଟଙ୍କା ଲୁଟ୍‌ ହୋଇଥିବା ବେଳେ ୨୦୨୦ରେ ୧୯୩୧ଟି ମାମଲାରେ ୩୫ କୋଟି ୭ ଲକ୍ଷ ୨୦ ହଜାର ୧୩୫ ଟଙ୍କା ଲୁଟ୍‌ ହୋଇଥିବା ରେକର୍ଡ କରାଯାଇଛି। ଗତ ଦୁଇ ବର୍ଷରେ ୫୧ କୋଟି ୧୫ ଲକ୍ଷ ୨୮ ହଜାର ୮୮୧ ଟଙ୍କା ଲୁଟ୍‌ ହୋଇଥିବା ବେଳେ ୭୦୮ ଜଣ ଗିରଫ ହୋଇଛନ୍ତି। ୨୦୧୯ରେ ଦୁଇ ଜଣଙ୍କୁ ଦଣ୍ଡାଦେଶ ହୋଇଥିବା ବଳେ ୨୦୨୦ରେ ଗୋଟିଏ ବି ମାମଲାରେ ଦଣ୍ଡାଦେଶ ହୋଇନାହିଁ।

ଠକେଇରୁ ରକ୍ଷା କରିବ ସଚେତନତା
ସାଇବର ଠକଙ୍କ କବଳରୁ ରକ୍ଷା ପାଇବାକୁ ହେଲେ ସଚେତନତା ସବୁଠୁ ଅଧିକ ଜରୁରି। କୌଣସି ଅଜଣା ଲିଙ୍କ୍‌କୁ କ୍ଲିକ୍ ନ କରିବା ସହ ଅଚିହ୍ନା ଫେସ୍‌ବୁକ୍ ଆଇଡିରୁ ଆସୁଥିବା ଫ୍ରେଣ୍ଡ ରିକ୍ୟୁଏଷ୍ଟକୁ ଆକ୍‌ସେପ୍ଟ କରନ୍ତୁ ନାହିଁ। ଫୋନ୍ କଲ୍, ମେସେଜ୍ କିମ୍ବା ମେଲ୍‌ରେ ଆସୁଥିବା ଲୋଭନୀୟ ଲଟେରି, ସ୍କିମ୍‌କୁ ବିଶ୍ବାସ କରନ୍ତୁ ନାହିଁ। ଅନ୍‌ଲାଇନ୍ ବ୍ୟାଙ୍କିଙ୍ଗ୍‌ କାରବାର ସମୟରେ ଅଧିକ ସତର୍କ ରହିବା ଜରୁରି। ଯଦି କେହି ଠକାମିର ଶିକାର ହୁଅନ୍ତି ତାହେଲେ ତୁରନ୍ତ ସାଇବର ହେଲ୍ପ ଡେସ୍କକୁ ଫୋନ୍‌ କରି ଜଣାନ୍ତୁ। ଠକେଇ ସଂକ୍ରାନ୍ତୀୟ ଆସୁଥିବା ଫୋନ୍ ନମ୍ବରକୁ ହେଳ୍ପ ଡେକ୍ସ ନମ୍ବର (୭୪୪୦୦୦୬୭୦୯)କୁ ମଧ୍ୟ ଜଣାଇବାକୁ ନିବେଦନ।
ଉମାଶଙ୍କର ଦାଶ, ଭୁବନେଶ୍ବର ଡିସିପି

ଅଧିକରୁ ଅଧିକ ପୁଲିସ ଅଧିକାରୀଙ୍କୁ ତାଲିମ,ଥାନା ସ୍ତରରେ ଭିତ୍ତିଭୂମି ସଜାଡ଼ିବାକୁ ପଡ଼ିବ
ସବ୍‌ଇନ୍ସପେକ୍ଟର କିମ୍ବା ଉପର ପାହ୍ୟାର ଅଧିକରୁ ଅଧିକ ପୁଲିସ ଅଧିକାରୀଙ୍କୁ ତାଲିମ ଦିଆଯିବାର ଆବଶ୍ୟକତା ରହିଛି। ସେହିପରି ପ୍ରତ୍ୟେକ ପୁଲିସ ଜିଲ୍ଲାରେ ସାଇବର ଥାନା ଖୋଲାଯିବା ଦରକାର। ଏହା ସହିତ ଆଇପି ଟ୍ରାକିଂ ସର୍ଭର ଲଗାଗଲେ ଠକଙ୍କୁ ଟ୍ରାକ୍ କରାଯାଇ ପାରିବ। ଯେଉଁମାନେ ନୂଆ ନୂଆ ଡୋମେନ୍ ଖୋଲୁଛନ୍ତି, ସେମାନଙ୍କର ସମସ୍ତ ତଥ୍ୟ ରହିବା ଜରୁରି। ଉଚ୍ଚଶିକ୍ଷାରେ ସାଇବର ସୁରକ୍ଷା ଉପରେ ଏକ ପାଠ୍ୟକ୍ରମ ରହିଲେ ଛାତ୍ରଛାତ୍ରୀମାନେ ଅଧିକ ସଚେତନ ହୋଇପାରିବେ। ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଗଲେ ଲୋକ ଠକେଇରୁ ରକ୍ଷା ପାଇପାରିବେ।
ଚନ୍ଦ୍ରଶେଖର ବିଶ୍ବାଳ, ସାଇବର ବିଶେଷଜ୍ଞ

ସମ୍ବନ୍ଧିତ ଖବର