ମୁମ୍ବାଇ: ଅକ୍ଟୋବର ୨ ତାରିଖ ଗାନ୍ଧୀଜୟନ୍ତୀ ଅବସରରେ ରେଲେଓ୍ଵ ପ୍ରୋଟେକ୍ସନ୍ ଫୋର୍ସ (ଆର୍ପିଏଫ୍) ଗାନ୍ଧୀଗିରିର ଏକ କାମ କରିଛନ୍ତି। କମ୍ପ୍ୟୁଟର ଦ୍ୱାରା ଟ୍ରାକ୍ କରି ଟ୍ରେନ୍ରେ ଛାଡ଼ି ଦେଇ ଯାଇଥିବା ଯାତ୍ରୀଙ୍କ ସୂଚନା ପାଇ ତାଙ୍କର ୨.୪ଲକ୍ଷ ଟଙ୍କାକୁ ସୁରକ୍ଷିତ ଭାବେ ଫେରାଇ ଦେଇଛନ୍ତି। ଏହି ବ୍ୟାଗ୍ ମାଲିକ ଜଣେ ଭାରତୀୟ ସେ ତାନ୍ଜାନିଆରେ କାମ କରନ୍ତି। ପାରିବାରିକ ଉତ୍ସବରେ ଯୋଗ ଦେବା ପାଇଁ ସେ ଆସିଥିଲେ ବୋଲି ଆର୍ପିଏଫଙ୍କୁ କହିଥିଲେ।
ବୋରିଭଲି ଷ୍ଟେସନ୍ର ପ୍ଲାଟଫର୍ମ ନମ୍ବର ୭ରେ ଥିବା ଅଜମେର୍-ଦଦ୍ଦାର୍ ଏକ୍ସପ୍ରେସ୍ରେ ଲଗେଜ ସେଲଫ୍ରେ ଏକ ଧୁସର ରଙ୍ଗର ବ୍ୟାଗ ଥିବା ଦେଖିବାକୁ ପାଇଥିଲେ ଆର୍ପିଏଫ୍ ପୁଲିସ। ଏହି ବ୍ୟାଗ୍ ଯାଞ୍ଚ କରିବା ସମୟରେ ଏହା ଭିତରୁ ଆରପିଏଫ୍ ପୁଲିସ ୨.୪ ଲକ୍ଷର ଭାରତୀୟ ଓ ବିଦେଶ ମୁଦ୍ରା ଥିବା ଦେଖିବାକୁ ପାଇଥିଲେ। ଏଥିସହିତ ତାଙ୍କର କିଛି ପୋଷାକ ସହିତ ଆଧାର କାର୍ଡ ରେଲେଓ୍ଵର ରିଜର୍ଭେସନ୍ ଟିକେଟ ବି ଥିଲା। ଏହି ବ୍ୟାଗ୍ର ମାଲିକ ୩୩ବର୍ଷର ପିୟୁଷ ଛୋଟାଲିଆ ବୋଲି କମ୍ପ୍ୟୁଟର ଟ୍ରାକିଂରୁ ଜଣାପଡ଼ିଲା। ଏହାପରେ ତାଙ୍କୁ ସମ୍ପର୍କ କରାଯାଇଥିଲା।
ଛୋଟାଲିଆ ଏହି ଘଟଣା ପ୍ରସଙ୍ଗରେ କହନ୍ତି, ସେ ନବସାରି ଷ୍ଟେସନ୍ରେ ଓହ୍ଲାଇ ପଡ଼ିଥିଲେ। ଏହାପରେ ସୁରଟ ଯାତ୍ରା କରିିଥିଲେ। ଏହି ସମୟରେ ସେ ସାଥୀରେ ଆଣିଥିବା ଟଙ୍କା ବ୍ୟାଗକୁ ଅଜମେର୍-ଦଦ୍ଦାର୍ ଏକ୍ସପ୍ରେସ୍ରେ ଛାଡ଼ି ଆସିଥିବା ଜାଣିବାକୁ ପାଇଥିଲେ। ସେତେବେଳେକୁ ଟ୍ରେନ୍ଟି ସେହି ଷ୍ଟେସନ୍ ପଳାଇ ସାରିଥିଲା ବୋଲି କହିଥଇଲେ ଛୋଟାଲିଆ।