 ଭ୍ୟାରିକୋଜ୍ ଭେନ୍‌ସ କ’ଣ? 
ଭ୍ୟାରିକୋଜ୍ ଭେନ୍‌ସ ହେଉଛି ଗୋଡ଼ର ଶିରାଗୁଡ଼ିକରେ ହେଉଥିବା ଏକ ରୋଗ। ଏଥିରେ ଆକ୍ରାନ୍ତ ଶିରାଗୁଡ଼ିକ ମୋଟା ମୋଟା ହୋଇ ଫୁଲିଯାଏ ଏବଂ ଠିକ୍ ଏକ ସ୍ପ୍ରିଂ ଭଳି ବଙ୍କା ହୋଇଯାଏ। ଏଥିପାଇଁ ଗୋଡ଼ରେ ଯନ୍ତ୍ରଣା ହୋଇଥାଏ ଓ ଅନେକ କ୍ଷେତ୍ରରେ ଗୋଡ଼ରେ ଘା’ ହେବା ସହିତ ରକ୍ତସ୍ରାବ ହୋଇଥାଏ।
 ଭ୍ୟାରିକୋଜ୍ ଭେନ୍‌ସ ହେବାର କାରଣ କ’ଣ?
ଅଧିକ ସମୟ ଧରି ଛିଡ଼ା ହୋଇ କାମ କଲେ, ଗର୍ଭାବସ୍ଥାରେ ପେଟର ଚାପ ଅଧିକ ଥିଲେ ପରବର୍ତ୍ତୀ ସମୟରେ ଭ୍ୟାରିକୋଜ୍ ଭେନ୍‌ସ ହୋଇପାରେ। ପୂର୍ବରୁ ଗୋଡ଼ରେ ଡିପ୍ ଭେନ୍ ଥ୍ରମ୍ବୋସିସ୍ ରୋଗ ଥିଲେ ଓ କେତେକ କ୍ଷେତ୍ରରେ ବଂଶଗତ ସମସ୍ୟା ଥିଲେ ଏହି ରୋଗ ହେବାର ଆଶଙ୍କା ରହିଥାଏ।
 ଭ୍ୟାରିକୋଜ୍ ଭେନ୍‌ସର ଲକ୍ଷଣ କ’ଣ?
ପ୍ରାଥମିକ ଲକ୍ଷଣ ଭାବରେ ଗୋଡ଼ ବା ଜଙ୍ଘର ସରୁ ଶିରାଗୁଡ଼ିକ ନୀଳରଙ୍ଗ ବା ଡାକ୍ତରୀ ଭାଷାରେ ‘ସ୍ପାଇଡର୍‌ ଭେନ୍‌ସ’ ଭଳି ଦେଖାଯାଏ। ରୋଗ ବଢ଼ିଗଲେ ଶିରାଗୁଡ଼ିକ ସ୍ପ୍ରିଂ ଭଳି ଅଙ୍କାବଙ୍କା ହୋଇଯିବା, ଅପରାହ୍‌ଣ ଓ ରାତିରେ ଗୋଡ଼ର ପେଣ୍ଡା ଓ ପାଦରେ ଘୋଳାବିନ୍ଧା ହେବା, ପାଦ ଓ ଗଣ୍ଠି ପାଖରେ ଚର୍ମରେ ମାଟିଆ ବା କଳା ରଙ୍ଗର ଦାଗ ଦେଖାଯିବା ଏବଂ ଏହି ସ୍ଥାନର ଚର୍ମ ଶୁଷ୍କ ହୋଇଯିବା, ଘା’ ହୋଇ ସହଜରେ ନ ଶୁଖିବା ଓ ରକ୍ତସ୍ରାବ ହେବା ଏହାର କେତେକ ମୁଖ୍ୟ ଲକ୍ଷଣ।
 ଭ୍ୟାରିକୋଜ୍ ଭେନ୍‌ସ ନିରୂପଣ କିପରି କରାଯାଏ ଓ ଏହାର ପ୍ରତିଷେଧକ କ’ଣ?
ସାଧାରଣତଃ ରୋଗୀଙ୍କୁ ଦେଖି ଡାକ୍ତର ଏହି ରୋଗ ନିରୂପଣ କରନ୍ତି। ତେବେ ଡପ୍‌ଲର୍‌ ପରୀକ୍ଷା କରି ଏହି ରୋଗ ସହଜରେ ନିରୂପଣ କରାଯାଇଥାଏ। ଯଦି ଆପଣଙ୍କର ଗୋଡ଼ରେ ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ରହିଛି ତେବେ ଛିଡ଼ା ହୋଇ କାମ କରିବା ବେଳେ ଭ୍ୟାରିକୋଜ୍ ଭେନ୍‌ସ ଷ୍ଟକିଙ୍ଗ୍(ଏକ ସ୍ୱତନ୍ତ୍ର ଧରଣର ମୋଜା) ବ୍ୟବହାର କରିପାରିବେ।
 ଭ୍ୟାରିକୋଜ୍ ଭେନ୍‌ସ ଚିକିତ୍ସା କିପରି କରାଯାଏ?
ଭ୍ୟାରିକୋଜ୍ ଭେନ୍‌ସ ଅସ୍ତ୍ରୋପଚାର ଉପଚାର ଲୋଡ଼ୁଥିବା ରୋଗ। ଔଷଧ ଦ୍ୱାରା ଏହାର ସମ୍ପୂର୍ଣ୍ଣ ଚିକିତ୍ସା ସମ୍ଭବ ନୁହେଁ। ଏଣୁ ଅପରେସନ୍ ଦ୍ୱାରା ଏହାର ସମ୍ପୂର୍ଣ୍ଣ ଉପଶମ ସମ୍ଭବ। ଏହାର ବିଭିନ୍ନ ପ୍ରକାରର ସର୍ଜିକାଲ ଚିକିତ୍ସା ଉପଲବ୍ଧ। ଯଥା:
 ଭ୍ୟାରିକୋଜ୍ ଭେନ୍‌ସ ଅପରେସନ୍- ଏହା ଏକ ଛୋଟ ଅପରେସନ୍, ଯେଉଁଥିରେ ପ୍ରାୟ ଶତ ପ୍ରତିଶତ ଉପଶମ ହୋଇଥାଏ। 
 ଲେଜର ଏବଂ ରେଡିଓଫ୍ରିକ୍ୱେନ୍‌ସି ଆବ୍‌ଲେସନ୍‌- ଏହି ଅପରେସନ୍‌ରେ ଲେଜର କିମ୍ବା ରେଡିଓଫ୍ରିକ୍ୱେନ୍‌ସି କ୍ୟାଥେଟର ବ୍ୟବହାର କରି ଭ୍ୟାରିକୋଜ୍‌ ଭେନ୍‌ସ ସୃଷ୍ଟି କରୁଥିବା ଗୋଡ଼ର ଗ୍ରେଟ୍ ସାଫେନସ୍ ଭେନକୁ ଭିତରେ ଭିତରେ ନଷ୍ଟ କରି ଦିଆଯାଇଥାଏ। 
 ସ୍କେଲୋରୋଥେରାପି- ଏହି ପଦ୍ଧତିରେ ଭ୍ୟାରିକୋଜ ଭେନ୍‌ସ ମଧ୍ୟରେ ଏକ ଇଞ୍ଜେକସନ୍ ଦିଆଯାଇ ଏହାକୁ ବନ୍ଦ କରିଦିଆଯାଇଥାଏ।
 ହାଇବ୍ରିଡ ଅପରେସନ୍- ଏହି ପଦ୍ଧତି ଏକାଧିକ ଧରଣର ଚିକିତ୍ସା ଯଥା ଲେଜର ଓ ସ୍କେଲୋରୋଥେରାପି ସମ୍ମିଶ୍ରଣରେ ଚିକିତ୍ସା କରାଯାଇଥାଏ।