ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଏବଂ ପରେ ମୃତ୍ୟୁ ଘଟଣା ଏବେ ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ବେଳେ ଘଟଣା ସାରା ଦେଶରେ ଚର୍ଚ୍ଚା ହେଉଛି । କାହିଁକି, କେମିତି ଓ କଣ ପାଇଁ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଦେଲେ ତାର ଉଣା ଅଧିକେ ଖବର ସମସ୍ତେ ଜାଣିଲେଣି । ଏବେ ପ୍ରକୃତ କାରଣର ତଦନ୍ତ ଚାଲିଛି, ଜିଇଁଥିଲା ବେଳେ ଯେଉଁ ଯୁବତୀଙ୍କୁ ନ୍ୟାୟ ଦେଇପାରିଲାନି ଏ ବ୍ୟବସ୍ଥା, ମୃତ୍ୟୁ ପରେ ନ୍ୟାୟ ଦେବାକୁ ପୂରା ଝାଳ ବୁହାଇ ଦେଲେଣି ସରକାର-ବିରୋଧୀ, ପୋଲିସ- ପ୍ରଶାସନ ଓ ପୂରା ବ୍ୟବସ୍ଥା..

Advertisment

ସତ ଧିରେ ଧିରେ ସାମ୍ନାକୁ ଆସୁଛି, ଖୋଲୁଛି ଛାତ୍ରୀ ମୃତ୍ୟୁର ଗୁମର.. ଇତି ମଧ୍ଯରେ ଘଟଣାକୁ ସପ୍ତାହେ ବିତିଲାଣି.. ନ୍ୟାୟ ମାଗି ମାଗି ନିଆଁରେ ପୋଡ଼ିଯାଇଥିବା ପୀଡିତା ବି ଜୁଇରେ ଜଳିଗଲେଣି.. କୁମ୍ଭୀର କାନ୍ଦଣା କାନ୍ଦୁଥିବା ଲୋକଙ୍କ ଆଖିରୁ ବି ଲୁହ ଶୁଖିଗଲାଣି.. ହେଲେ ଝିଅର ଅଭାବକୁ ଝୁରି ହେଉଛି ମାଆ.. ତା ବାୟାଣୀକୁ ପାଗେଳୀ ପରି ଖୋଜୁଛି.. ଆଉ ଯେବେ ତା ଦୁର୍ଗା ଦୁର୍ଗତିନାଶିନୀ ସାହସୀ ଝିଅକୁ ପାଉନି ସେବେ ମାଟିରେ ମଥା ପିଟି କାନ୍ଦୁଛି ମାଆ.. ଛାତ୍ରୀଙ୍କ ଅଭାବନୀୟ, ମର୍ମଦାହ ମୃତ୍ୟୁ ପାଇଁ ସମସ୍ତଙ୍କ ଛାତିରେ କୋହ, ସମସ୍ତଙ୍କ ଆଖିରେ ଲୁହ.. କାନ୍ଦିଛି ମାଆ, କାନ୍ଦିଛି ଗାଁ, କାନ୍ଦିଛି ବି କବି, ଲୁହରେ ବତୁରିଛି କବିର କବିତା ଖାତା.. ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଗଲା ଶନିବାରରୁ ଏ ଶନିବାର ଯାଏଁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଅନେକ ଲେଖା ଓ କବିତା । ଭାଇରାଲ ହୋଇଥିବା କିଛି କବିତାରୁ ଆଜି ଆପଣଙ୍କ ସାମ୍ନାରେ ରଖୁଛୁ.. 

ପୀଡିତାଙ୍କୁ ନିଜ ଝିଅ ସମ୍ବୋଧନ କରି ବୁଝାଇବାକୁ ଚେଷ୍ଟା କରିଛନ୍ତି କବି ଅପର୍ଣ୍ଣା ମହାନ୍ତି । କାହିଁକି ଏମିତି କଲୁ, କାହିଁକି ବୁଝି ନପାରିଲୁ.. କହି ନିଜ ବତୁରା ମନରେ ସାଦା କାଗଜ ଉପରେ କବି ବାଢି ଦେଇଛନ୍ତି ଶବ୍ଦର ଶ୍ରଦ୍ଧାଞ୍ଜଳି..ଝିଅଟି ପାଇଁ..


କବି ଅପର୍ଣ୍ଣା ମହାନ୍ତିଙ୍କ କବିତା-

POET Aparna Mohanty

ସେହିପରି କବି ପ୍ରସନ୍ନ କୁମାର ସ୍ବାଇଁ ବି ରେବତୀର ଉଦାହରଣ ଦେଇ ବାଢିଥିଲେ କିଛି ଶୋକର ଶବ୍ଦ- ଯାହା ବେଶ ମନଛୁଆଁ, ଯାହା ବ୍ୟବସ୍ଥା ଉପରେ ଉଠାଇଛି ପ୍ରଶ୍ନ ଚିହ୍ନ

ଆଃ.. ପୁଣି ରେବତୀ
-----------------------
ପୁଣି ଥରେ ରେବତୀର ଚିତ୍କାର
ଶୁଭିଲା।
ପାଦ ତଳ ମାଟି ଯଦି ଧସି ଯାଏ
ପାଦ ଆଉ କେଉଁଠି ଛିଡ଼ା ହେବ?
କିଏ ଲୁଚାଇ ଦେଲା ତା ଶବ୍ଦ
କଣ୍ଠସ୍ୱର, ଅଧିକାର, ?
ସେ ବି ଦିନେ ଗରିଷ୍ଠ ହୋଇଥାନ୍ତା
ହେଲେ ଆଜି
ରିକ୍ତ କେମିତି ?
ସେ ପ୍ରଣିପାତ କଲା ଅଗ୍ନିକୁ
ଆଉ ଅର୍ପଣ କଲା ତାର ସୁନ୍ଦର ପୃଥିବୀ
କାହା ପାଇଁ?
କିଏ ସେହି କ୍ଷୁଧା?
କିଏ ଯିଏ ପଢି ପାରିଲା ନାହିଁ
ତା ମୁହଁର ବ୍ୟାକରଣ?
କିଏ ଚିରିଦେଲା
ତା ଅନୁନୟ
ତା ଦରଖାସ୍ତ
ତା ସ୍ବପ୍ନ
ତା ସ୍ପନ୍ଦନ?
କେଉଁମାନେ ଆତତାୟୀ
ବିଦ୍ୱେଷର ବିଭୀଷିକା ଧରି ବୁଲୁଛନ୍ତି
ରେନ୍ କୋଟ ପିନ୍ଧି?
ରେବତୀ ମାନେ କଣ
ସବୁବେଳେ ପରାସ୍ତ ହେବାକୁ ବାଧ୍ୟ
ଅସହଯୋଗ, ଭର୍ତ୍ସନା, ଅଵସୋସରେ ?
ହଇଜା, ସନ୍ନିପାତ, ନଖ, ଛୁରୀ ,ଦନ୍ତ
କଣ ସବୁବେଳେ ପିନ୍ଧିବେ ବିଜୟ ମୁକୁଟ?
ସ୍ତୁପୀକୃତ ଏ ପ୍ରଶ୍ନ
ନିଶ୍ଚିହ୍ନ କରି ଦେଉ
ସବୁ ଅବହେଳା କରିଥିବା
ସମୟର ଗଣନାକାରଙ୍କୁ।
ରେବତୀ !
ବାହାରିଆ ସେ ଦୁଃଖର ସୁଡ଼ଙ୍ଗ ଭିତରୁ
ତୋତେ ଅପେକ୍ଷା କରିଛି
ଗୋଟେ ନୂତନ ସକାଳ
ମାଆ ମୋର !
ଆତ୍ମଦାହ ନୁହେଁ
ଆତ୍ମ ସୁରକ୍ଷାର ମହାଯୁଦ୍ଧରେ
ନଚିକେତା ହେବାର
ଏବେ ବେଳ।
ସେଇ ମାନଙ୍କୁ ଏବେ ଜାଳିବାର ବେଳ
ଯେଉଁମାନେ ଲୁଚିଛନ୍ତି ଅନ୍ଧାରରେ ।

0_etEfReTrn0OE9X15


ବାଲେଶ୍ଵର ପୀଡିତାଙ୍କ ଆତ୍ମାହୁତି ଘଟଣାରେ ଖୁବ ଭାଙ୍ଗିପଡ଼ିଛନ୍ତି ଜଗତସିଂହପୁରଯୁବ ଲେଖିକା ତେଜସ୍ବୀନି ପଣ୍ଡା । ଘଟଣାରେ ଦାୟୀ କିଏ ? ଖିଅ ଖୋଜି ଖୋଜି ନିରାଶ ହେବା ପରେ ଶେଷରେ ଈଶ୍ବରଙ୍କୁ ପ୍ରଶ୍ନ କରିଛନ୍ତି ସେ, ଆଉ ଲେଖିଛନ୍ତି କବିତା..

ତୁମେ କେଉଁଠି ଇଶ୍ଵର?

ତୁମେ କେଉଁଠି ଇଶ୍ଵର,
ମୋ ପୋଡ଼ା ଦେହର ଗନ୍ଧ କଣ 
ତୁମ ବେଢ଼ା ଅତିକ୍ରମ କରିପାରିନି,
ଏ ନିଆଁ କେବଳ ମୋ ଦେହରେ ନୁହେଁ,
ସବୁ ଝିଅଙ୍କ ଅସ୍ତିତ୍ବରେ ଲାଗିଛି।

ମୁଁ ଜାଣେ ଅନ୍ଧ ଦେଶରେ ଦର୍ପଣ ବିକ୍ରି ହୁଏ,
କିନ୍ତୁ ଆଖି ଥାଇ ବି ମଣିଷ ଅନ୍ଧ କେମିତି ହୁଏ,
ଉତ୍ତର ଦିଅ ଇଶ୍ଵର,
କାହିଁ ତୁମେ ନିରୁପାୟ,
କାହିଁ ମୃତ୍ୟୁ ହିଁ ପୀଡ଼ିତାର ଅନ୍ତିମ ଆଶ୍ରୟ!

ମନେରଖ,
ଭୀଷ୍ମ ସାଜି ସତକୁ ଲୁଚାଇପାର
କିନ୍ତୁ ନାରୀର ଅତୃପ୍ତ ଆତ୍ମାକୁ ନୁହେଁ,
ଦୁଃଶାସନ ସାଜି ତାକୁ ବିବସ୍ତ୍ର କରିପାର
କିନ୍ତୁ ତାର ଧୈର୍ଯ୍ଯକୁ ନୁହେଁ,
ଅଧର୍ମ, ପାପ, ଅନ୍ୟାୟର ମୁଖଶାଳାରେ
କେତେ ନାରୀର ରକ୍ତ ସେଠି ହୁଏ ଚିତ୍ରିତ,
ଚତୁର୍ଦ୍ଦିଗରୁ କଣ ଶୁଭେ ଜାଣ?
ବଞ୍ଚାଅ ,ରକ୍ଷାକର, ମାରନା ମାରନା ମତେ, 
ମତେ ନ୍ୟାୟ ଦିଅ
ମତେ ନ୍ୟାୟ ଦିଅ ....

କୁଆଡେ ଗଲା ତୁମ,
“ୟଦା ୟଦା ହି ଧର୍ମସ୍ୟ
ଗ୍ଲାନିର୍ଭବତି ଭାରତ, 
ଅଦ୍ଭ୍ୟୁଥାନମ ଅଧର୍ମସ୍ୟ
ତଦାତ୍ମାନ ସୃଜନ୍ମ୍ୟହମ୍‌।

ତମେ ସତରେ ଇଶ୍ଵର!
ଯଦି ଇଶ୍ଵର ତାହାଲେ 
ଏଠି ନାରୀଜାତି ଅସୁରକ୍ଷିତ କିପରି,
ବଳାତ୍କାର,ଶୋଷଣର ଯୁଦ୍ଧର ନିଆଁକୁ 
ଲିଭାଇବାକୁ ହେବ ତୁମକୁ,
ମୋ ଦେହରୁ ପଛେ ପୋଡ଼ାଗନ୍ଧ ଆସୁ,
କିନ୍ତୁ ଅନ୍ୟ ଝିଅଙ୍କ ଦେହରେ 
ସାମାନ୍ଯ କ୍ଷତ ନ ହେଉ,
ମୁଁ ଜାଣେ ଶେଷରେ ତମେ ମୋ 
ଚିତାର ନିଆଁ ଦେଖି ଆସିବ,
ଜୀବିତ ଅବସ୍ଥାରେ ନୁହେଁ
ମରଣ କାଳେ ତ ମତେ ନ୍ୟାୟ ଦେବ ନା!
ଆସିବ ନା ?
ସତ କୁହ ତୁମେ କେଉଁଠି 
ମର୍ତ୍ତ୍ୟରେ ନା ସ୍ଵର୍ଗରେ,
ପିଶାଚର ଆତ୍ମାରେ ନା ଶ୍ରେଣୀକୋଠରୀରେ,
ନା ମୋ ଭଳି ପୀଡ଼ିତାର ଶବ ନିକଟରେ !
ତୁମେ କେଉଁଠି ଇଶ୍ଵର?

517985233_122219298068056407_5080186840825322735_n

ସେଦିନ ସିନା ପାଟପୁରର ରେବତୀ କଥା କହିଥିଲେ କଥାକାର ଫକୀର ମୋହନ ସେନାପତି । ହେଲେ ଆଜି ଯେତେବେଳେ ତାଙ୍କରି ମାଟିରେ, ତାଙ୍କରି ନାଁରେ ନିର୍ମିତ କଲେଜରେ, ତାଙ୍କରି ପଥରର ପ୍ରତିମୂର୍ତ୍ତି ଆଗରେ ଆଜିର ରେବତୀଟିଏ ନିଆଁରେ ଜଳିଯାଉଛି, ଆତ୍ମାହୁତି ଦେଉଛି- ସେତେବେଳେ କାନ୍ଦି ଉଠିଛି କବିପ୍ରାଣ, ଜଣେ ନାରୀକୁ ଲାଗିଛି ନାରୀ ଜଳିବାର ନିଆଁ ଧାସ.. ବ୍ୟାସେଙ୍କୁ ନେଇ ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି ଲେଖିଛନ୍ତି ମର୍ମଭେଦୀ କବିତା ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି..

ବ୍ୟାସେ ଶୁଣି ପାରୁଛ ?

ତୁମେ ଲେଖିଥିଲ ଦେଢ଼ଶହ ବର୍ଷ ତଳେ
ପାଟପୁର ଗାଁ ରେବତୀର କଥା
ତା ଭାଗ୍ୟରେ ତମେ ଭରିଥିଲ ଦୁଃଖ,
ଦେଇଥିଲ ମହଣ ମହଣ ବ୍ୟଥା...
ମୁଣ୍ଡ ଉପରୁ ହଟେଇଲ ମା ପଣତ
ବାପ ଛେଉଣ୍ଡ କରିଦେଇ ଝିଅଟାକୁ
ତା ବାସୁ ଭାଇକୁ ନେଇଗଲ ଆରପାରିକୁ
ଶେଷକୁ... ନିରୀହ ହତଭାଗୀ ଝିଅଟାକୁ
ଛାଡ଼ିଦେଲ ଏକୁଟିଆ ମରିବାକୁ
କଣ ଭୁଲ ଥିଲା ତାର ?
ପାଠ ଦୁଇ ଅକ୍ଷର ପଢ଼ି ଭିଜିବା ସ୍ୱପ୍ନରେ ?
ଶ୍ୟାମବନ୍ଧୁ ମହାନ୍ତିର ପରିବାରଟା କଣ
ଧୂଳିସାତ ହେଇଥିଲା ଏଇ ଅପରାଧରେ ?

ହେଲେ ବ୍ୟାସେ,
ଦେଢ଼ଶହ ବର୍ଷ ପରେ
ତୁମରି ମାଟିର ଧୂଳିକଣାରେ
ରୁନ୍ଧି ହେଇ ଯାଉଛି ଏ କାହା ଦୀର୍ଘଶ୍ୱାସ ?
କେହି ଜଣେ ଜଳି ଯାଉଛି ହୁତୁହୁତ ହେଇ
ବହିଖାତା ସବୁ ଦୂରକୁ ଫିଙ୍ଗି ଦେଇ,
ବସ୍ତାନୀରୁ ବାହାର କରୁଛି ପେଟ୍ରୋଲ
ଦେଖି ପାରୁଛ ତାକୁ ବ୍ୟାସେ ?
ଘୋର ବର୍ଷାକାଳକୁ ସେ ମାନୁନି
ବିଜୁଳି ଘଡ଼ଘଡ଼ି ତାକୁ ଡରେଇ ପାରୁନି
ତୁମ ମାଟିଉପର ବାୟୁମଣ୍ଡଳରେ
ଆଜି କୁଢ଼କୁଢ଼ ନିଆଁର ଝୁଲ
ବାଜୁଛି କେଉଁ ସୈତାନର ବିଜୟ ବିଗୁଲ
ଦୂର ଅନ୍ଧାରରୁ ରେବୀର ବୁଢୀମା
ଆଜି ପୁଣି କହୁଛି, ଲୋ ନିଆଁ ଲୋ ଚୁଲି...
ଯାହା ଆପଣାକିଆ, ତହିଁକା ଇଲାଜ କିଆଁ ଲୋ
(ତୁ ପାଠ ପଢ଼ିବାରୁ ସବୁ ହେଲା,
ମୁଁ କଣ କରିବି ?)

ସେଦିନ ସମଗ୍ର ଆର୍ଯ୍ୟବ୍ରତର
ପ୍ରତ୍ୟେକ କ୍ଷମତାଶାଳୀ ପୁରୁଷକୁ
ଅଗ୍ନିସମ୍ଭୂତା ଦ୍ରୌପଦୀ କରିଥିଲେ ଆହ୍ୱାନ
ଉଦ୍ଧାରିଥିଲେ ତାଙ୍କୁ ଗୋପୀଜନ ବଲ୍ଲଭ କୃଷ୍ଣ
ହେଲେ ହାୟ ଏକବିଂଶ ଶତାବ୍ଦୀର ରେବୀ !!
ତୁମେ ଡାକି ଡାକି ନୟାନ୍ତ ହେଲ
ତୁମ ପାଇଁ କିନ୍ତୁ ମୋହନ ମୂରଲୀ ଶୁଭିଲାନି
ତୁମେ ଉଠେଇଲ ଅସ୍ତ୍ର...ଆଗ୍ନେୟାସ୍ତ୍ର !!
ଆତ୍ମାହୁତି ଦେଲ ନିଜେ ସୃଷ୍ଟି କରି ଯଜ୍ଞକୁଣ୍ଡ...
ପ୍ରମାଣିତ କରିବାକୁ ଚାହୁଁଥିଲ କି,
ଏ ଯୁଗରେ ମୃତ୍ୟୁ ପରେ ନ୍ୟାୟ ମିଳେ ବୋଲି ?
ଭୁଲ କଲ ଭୁଲ କଲ
ଏଠି ମୃତ୍ୟୁ ପରେ କାନ ସବୁ ଠିଆ ହେଇଯାଏ
ଦୋହଲି ଯାଏ ପାଟପୁରରୁ ପାର୍ଲାମେଣ୍ଟ
ଚାଲେ ରାଜନୀତିର ପଶାପାଲି ଖେଳ
ବସେ କମିଟି ପରେ କମିଟି
ଚାଲେ ତଦନ୍ତ ତଦନ୍ତ ଆଉ ଖାଲି ତଦନ୍ତ
ଝିଅଟିର ଘରଲୋକ ଯାହା ହୀନିମାନ
ପୁଣି ଥରେ ନ ଯିବା ଯାଏ
ଆଉ ଏକ ରେବୀର ଜୀବନ
ତୁମେ ଭାବିଲକି ତୁମ ବଳିଦାନ ପରେ
ବଦଳିଯିବ ସବୁକିଛି ?
ସେଦିନ ବ୍ୟାସେ ବି ସେଇଆ ଭାବିଥିଲେ
ଜାଣି ନଥିଲେ ଦେଢ଼ଶହ ନୁହଁ
ଦେଢ଼ ହଜାର ବର୍ଷ ପରେ ବି
ବଦଳିବନି ରେବତୀଙ୍କ ଭାଗ୍ୟ
କେଉଁଠି ସେ ଜଳୁଥିବ କଲେଜ ସାମ୍ନାରେ ,
କେଉଁଠି ଓହଳି ପଡ଼ୁଥିବ ଫ୍ୟାନ ତଳୁ
ନିଶ୍ଚଳ ହେଇ ହଷ୍ଟେଲ ରୁମ ଭିତରେ
କେଉଁଠି ବନ୍ଦ କୋଠରୀରେ ହେଉଥିବ ଧର୍ଷଣ
ପୁଣି ଚାଲିବ ତଦନ୍ତ, ଜଳିବ ରାସ୍ତାରେ ନିଆଁ
ଚମ ଧୁଡୁଧୁଡୁ ବୁଢୀଟିଏ ସେମିତି କହିହେଉଥିବ
ଲୋ ନିଆଁ ଲୋ ଚୁଲି
ଯାହା ଆପଣାକିଆ, ତହିଁକା ଇଲାଜ କିଆଁ...

New Project (15)

ନାରୀର କଥା, ବ୍ୟଥା ଓ ବେଦନାକୁ ହାଡ଼େ ହାଡ଼େ ବୁଝିଥିବା ଯୁବକବି ଶ୍ରୀମା ଶତପଥୀ ବି ପୀଡିତାଙ୍କ ଜୀବନକୁ ନେଇ ଲେଖିଛନ୍ତି କେଇପଦ ଧାଡ଼ି ଯାହା ଅଳ୍ପରେ ଅନେକ କଥା କହୁଛି । ବାଲେଶ୍ବର ଘଟଣାରେ ଆରମ୍ଭରୁ ଏଯାଏଁ ଖବର ଉପରେ ନଜର ରଖିଥିବା ଜଣେ ମହିଳା ସାମ୍ବାଦିକା ଭାବେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଖବରକୁ ସେ ଯେତିକି ଗୁରୁତ୍ବ ଦେଇଛନ୍ତି କବି ଭାବେ ବି ଖବରର ଭିଡ଼ରୁ ବାହାରି କେଇ ପଦ ଲୁହର ବତୁରା ଶବ୍ଦ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି..

ଜାମିନରେ ଜୀବନ ଜୀଉଁଥିବା ଝିଅକୁ
ପଚାରନା ତୁମେ ଅଧିକାର କ'ଣ !
ସେ ଖାଲି ଏତକ ଜାଣିଛି
ଗୋଟେ ସର୍ତ୍ତରେ ଜୀବନଟେ ପାଇଛି ।
ଗର୍ଭରୁ ବାହାରି ଆସିଥିଲା
ଖୁବ କଷ୍ଟରେ ଦିନେ
ଏବେ କେବଳ
ଗର୍ଭଟେ ହୋଇ ବଞ୍ଚି ରହିଛି ।
ଶ୍ରୀମା

521590109_3332119136931322_6417528450494725384_n

ଆଉ ଜଣେ ମହିଳା ସାମ୍ବାଦିକା ରାଜଶ୍ରୀ ଶତପଥୀ, ଢେଙ୍କାନାଳରେ ଦୀର୍ଘବର୍ଷ ଧରି ସାମ୍ବାଦିକତା କରୁଥିବା ବେଳେ ନାରୀ ନିର୍ଯାତନାର ଖବର, ଦୁଷ୍କର୍ମ ଓ ବଧୂହତ୍ୟାର ଖବର ଅନେକ ସମୟରେ ସେ ଗ୍ରାଉଣ୍ଡ ଜିରୋରୁ ସଂଗ୍ରହ କରିଥିବେ । ନାରୀଟିଏ ହୋଇ ନାରୀର ଖବର ପରିବେଷଣ କଲା ବେଳେ ହୁଏତ ତାଙ୍କ ମନରେ ଆଘାତ ଅନେକ ଥର ଲାଗିଥିବ କିନ୍ତୁ ବାଲେଶ୍ବର ଘଟଣାରେ ତାଙ୍କ ପରି ଜଣେ ଦାମ୍ଭିଲା ମନର ନାରୀ ବି ଦୋହଲି ଯାଇଛନ୍ତି ଆଉ ସେ ଏ ରୁଗ୍ଣ ସମାଜର ରୋଗାଗ୍ରସ୍ତ ବ୍ୟବସ୍ଥାକୁ ପ୍ରଶ୍ନ କରି ଲେଖିଛନ୍ତି କବିତା...

rajashree

ଆପଣ ବି ଯଦି ବାଲେଶ୍ବର ଘଟଣା ଉପରେ କବିତା ଲେଖିଛନ୍ତି- ସରକାର, ବ୍ୟବସ୍ଥା ଓ ଛାତ୍ରୀଙ୍କ ପାଇଁ ଶବ୍ଦର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି  ତାହାଲେ କମେଣ୍ଟ ବକ୍ସରେ ଉକ୍ତ କବିତାକୁ ପୋଷ୍ଟ କରନ୍ତୁ ଆମେ ଆପଣଙ୍କ କବିତାକୁ ଏଥିରେ ସ୍ଥାନିତ କରିବୁ..