ଶ୍ରୀ ଜଗନ୍ନାଥଙ୍କ ଅଣସରଘରକୁ ‘ନୀଳାଦ୍ରି ମହୋଦୟ’ରେ କୁହାଯାଇଛି ‘ନିରୋଧନ ଗୃହ’। ଏହାର ଅର୍ଥ ରୁଦ୍ଧ ଗୃହ। କାରଣ ସ୍ନାନ ପୂର୍ଣ୍ଣିମା ରାତିରୁ ଆରମ୍ଭ ହେଉଥିବା ଅଣସର ନୀତିରେ ଶ୍ରୀଜଗନ୍ନାଥାଦି ଚତୁର୍ଦ୍ଧା ମୂର୍ତ୍ତି ଏକପକ୍ଷବ୍ୟାପୀ ବା ପନ୍ଦରଦିନ ଧରି ଏହି ଅଣସର ଘରେ ରୁଦ୍ଧ ହୋଇ ରହନ୍ତି। ସେହି ସମୟରେ ବିଶ୍ବାବସୁ ବଂଶର ଦଇତା ସେବକ ଏବଂ ବିଦ୍ୟାପତି ବଂଶର ପତିମହାପାତ୍ର ସେବକ ତାଙ୍କର ବିଭିନ୍ନ ପ୍ରକାରର ଗୁପ୍ତସେବା କରିଥାଆନ୍ତି।
‘ନୀଳାଦ୍ରି ମହୋଦୟ’ର ଚତୁର୍ଦ୍ଦଶ ଅଧ୍ୟାୟରେ ଏ ସଂପର୍କରେ ବର୍ଣ୍ଣନା ଅଛି। ଏକଦା ବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଯାହା କହିଥିଲେ, ଅନ୍ୟ ମୁନିମାନଙ୍କୁ ସୂତମୁନି ତାହା କହିଛନ୍ତି। ତାହା ହେଉଛି- ସେହି ‘ନିରୋଧନ ଗୃହ’ ବା ଅଣସର ଘର ବାଉଁଶତାଟିର ଦୃଢ଼ ଆବରଣ ଦ୍ବାରା ନିର୍ମିତ ହେବ। ତାହା ମଧ୍ୟରେ ଠାକୁରମାନେ ପନ୍ଦରଦିନ ଧରି ରହିବେ। ସେହି ସମୟରେ କେବଳ ଅଧିକୃତ ଦଇତା ଓ ପତି ସେବକଙ୍କ ଭିନ୍ନ ଅନ୍ୟ କେହି ସେମାନଙ୍କୁ ଦର୍ଶନ କରିବେ ନାହିଁ।
ଏହାର ମୂଳ ଉତ୍ସ ରହିଛି ‘ସ୍କନ୍ଦପୁରାଣ’ରେ। ଯେତେବେଳେ, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହସ୍ର ଅଶ୍ବମେଧ ଯଜ୍ଞର ଶେଷରେ ମହୋଦଧିରେ ଦିବ୍ୟଦାରୁ ଆବିର୍ଭୂତ ହେଲେ, ସେତେବେଳେ ଦିବ୍ୟବାଣୀ ଅନୁସାରେ ଜଣେ ବୁଢ଼ା ବଢ଼େଇ ଉପସ୍ଥିତ ହୋଇ ଚତୁର୍ଦ୍ଧା ବିଗ୍ରହଙ୍କର ନିର୍ମାଣ କରିଥିଲେ। ‘ସ୍କନ୍ଦପୁରାଣ’ର ଅଷ୍ଟାଦଶ ଅଧ୍ୟାୟ ଅନୁସାରେ, ସେ ଥିଲେ ସ୍ବୟଂ ନାରାୟଣ। ଶସ୍ତ୍ରଧାରୀ ବୃଦ୍ଧବର୍ଦ୍ଧକୀ ରୂପେ ଆସି ସେ ନିଜେ ନିଜର ମୂର୍ତ୍ତି ଗଢ଼ିଥିଲେ। ସେହି ଦାରୁମୂର୍ତ୍ତି ଗଠିତ ହୋଇଯିବା ପରେ ଆଉ ଏକ ଦିବ୍ୟବାଣୀ ହୋଇଥିଲା। ସେଥିରେ କୁହାଯାଇଥିଲା- ଏହି ନବନିର୍ମିତ ପ୍ରତିମାମାନେ ନିଜ ନିଜର ବର୍ଣ୍ଣରେ ରଂଜିତ ହୋଇ ନାହାନ୍ତି। ଗାତ୍ରଲେପ ନ ଥିଲେ ମଧ୍ୟ, ସେହି ଦିବ୍ୟମୂର୍ତ୍ତି ଚିରନ୍ତନ। ତଥାପି ବି ଗାତ୍ରଲେପ ନ ଥିବା ଅବସ୍ଥାରେ ତାଙ୍କୁ ଦର୍ଶନ କରିବା ପାପ। ସେପରି ଅବସ୍ଥାରେ ତାଙ୍କୁ ଦର୍ଶନ କଲେ ନର୍କବାସ ହୋଇଥାଏ।
ଏହି କାରଣରୁ, ଅଣସର ଘରେ ବା ନିରୋଧନ ଗୃହରେ ଥିବାବେଳେ ସେହି ଠାକୁରମାନଙ୍କୁ କେହି ଦର୍ଶନ କରନ୍ତି ନାହିଁ। ତାଙ୍କର ଦର୍ଶନ ଏବଂ ସମସ୍ତ ପୂଜା ଓ ଭୋଗ ନୈବେଦ୍ୟ ଆଦି ପଟିଦିଅଁଙ୍କ ମାଧ୍ୟମରେ ହିଁ ହୋଇଥାଏ।
‘ନିରୋଧନ ଗୃହ’ର ଗୋପନୀୟତା
ଶ୍ରୀ ଜଗନ୍ନାଥଙ୍କ ଅଣସରଘରକୁ ‘ନୀଳାଦ୍ରି ମହୋଦୟ’ରେ କୁହାଯାଇଛି ‘ନିରୋଧନ ଗୃହ’। ଏହାର ଅର୍ଥ ରୁଦ୍ଧ ଗୃହ। କାରଣ ସ୍ନାନ ପୂର୍ଣ୍ଣିମା ରାତିରୁ ଆରମ୍ଭ ହେଉଥିବା ଅଣସର ନୀତିରେ ଶ୍ରୀଜଗନ୍ନାଥାଦି ଚତୁର୍ଦ୍ଧା ମୂର୍ତ୍ତି ଏକପକ୍ଷବ୍ୟାପୀ...
/sambad/media/media_files/2025/06/13/ttgp62tAnepc6I7V29mZ.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)