ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟ ପ୍ରତି ଅବହେଳା, କାର୍ଯ୍ୟ ଚାପ ଓ ଅବସାଦ ଆମ ଅଜାଣତରେ ପ୍ରଜନନ କ୍ଷମତା ହ୍ରାସ ଭଳି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ଏ ବିଷୟରେ ଡାକ୍ତରଙ୍କ ସହିତ ସଂକ୍ଷିପ୍ତ ଆଲୋଚନା।
ପ୍ରଜନନ କ୍ଷମତା ହ୍ରାସ ପାଇବାର ମୂଳ କାରଣ କ’ଣ?
ମହିଳାଙ୍କ କ୍ଷେତ୍ରରେ ପ୍ରଜନନ କ୍ଷମତା ହ୍ରାସ ପାଇବାର ପ୍ରମୁଖ କାରଣ ହେଲା ବିଳମ୍ବରେ ବିବାହ ଏବଂ ମାତ୍ରାଧିକ ଫାଷ୍ଟଫୁଡ୍ ସେବନ। ଏହା ଓଭାରିରେ ସମସ୍ୟା ସୃଷ୍ଟି କରିଥାଏ। ଅଧିକ ମୋବାଇଲ ବ୍ୟବହାର, ଧୂମପାନ, ନିଶା ସେବନ, କାର୍ଯ୍ୟ ଚାପ ଓ ପ୍ରଦୂଷଣ ଯୋଗୁଁ ପୁରୁଷଙ୍କ ଶୁକ୍ରାଣୁ ମାନ ହ୍ରାସ ପାଉଛି। ଜଳବାୟୁ ପରିବର୍ତ୍ତନ, ବାରମ୍ବାର ଗର୍ଭପାତ, ଶାରୀରିକ ଶ୍ରମ ଓ ବ୍ୟାୟାମର ଅଭାବ ମଧ୍ୟ ପ୍ରଜନନ କ୍ଷମତାକୁ ପ୍ରଭାବିତ କରୁଛି।
ଗର୍ଭନିରୋଧକ ଔଷଧ ପ୍ରଜନନ କ୍ଷମତାକୁ ହ୍ରାସ କରାଉଛି କି?
ନା, ଗର୍ଭନିରୋଧକ ଔଷଧ ଏକ ସାମୟିକ ସମୟ ପାଇଁ ପ୍ରଜନନ କ୍ଷମତାକୁ କମାଇଥାଏ। ଯେତେବେଳେ ଆମେ ଔଷଧଟିକୁ ବନ୍ଦ କରିଦେଉ ସେହି ସମୟରେ ଶରୀର ପୂର୍ବ ଅବସ୍ଥାକୁ ଚାଲିଆସେ।
ପ୍ରଜନନ କ୍ଷମତାରେ ଚକଲେଟ୍ ସିଷ୍ଟ୍ର ଭୂମିକା କ’ଣ?
ଚକ୍ଲେଟ୍ ସିଷ୍ଟ୍ ମଧ୍ୟ ପ୍ରଜନନ କ୍ଷମତା ହ୍ରାସର କାରଣ ହୋଇପାରେ। ଏହା ଡିମ୍ବାଶୟରେ ସୃଷ୍ଟି ହେଉଥିବା ଏକ ସିଷ୍ଟ୍ ଯାହା ତରଳ ଚକଲେଟ୍ ପରି ଗାଢ଼ ଲାଲ୍-ବାଦାମୀ ରଙ୍ଗର ତରଳ ପଦାର୍ଥରେ ଭରି ରହିଥାଏ। ମାସିକ ଋତୁସ୍ରାବ ହେବା ସମୟରେ ୟୁଟେରସ୍ ସହିତ ଓଭାରିରୁ ରକ୍ତସ୍ରାବ ହୋଇଥାଏ। ଏହି କାରଣରୁ ସିଷ୍ଟ୍ଟି ବଢ଼ିଚାଲେ ଓ ପିରିଅଡ୍ ସମୟରେ ଭୀଷଣ ଯନ୍ତ୍ରଣା ହୁଏ। ଏହାର ପ୍ରତିକାର ପାଇଁ ଔଷଧ ସେବନ କରାଯାଇପାରିବ। ଯଦି ଔଷଧଦ୍ବାରା ଏହା ଭଲ ନ ହୁଏ ତେବେ ଅସ୍ତ୍ରୋପଚାର ଲୋଡ଼ା ହୁଏ।
ପ୍ରଜନନ କ୍ଷମତାକୁ ସନ୍ତୁଳିତ କରିବା ପାଇଁ କେଉଁ କେଉଁ ଉପାୟ ଅବଲମ୍ବନ କରିବା ଉଚିତ?
କିଶୋରାବସ୍ଥାରେ ଖାଦ୍ୟ ଶୈଳୀକୁ ପରିବର୍ତ୍ତନ କରି ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ। ଫାଷ୍ଟ୍ଫୁଡ୍ ଓ କାର୍ବୋହାଇଡ୍ରେଟ୍ କମ୍ କରିବା ଆବଶ୍ୟକ ଏବଂ ଫାଇବର ଓ ପ୍ରୋଟିନ୍ ଭଳି ଖାଦ୍ୟାଭ୍ୟାସ ସୃଷ୍ଟି କରିବା ଆବଶ୍ୟକ। ଦୈନିକ ଅଧଘଣ୍ଟା ବ୍ୟାୟାମ କରିବା ଉଚିତ।
ଆଇଭିଏଫ୍ ଚିକିତ୍ସା ଗର୍ଭ ସଞ୍ଚାର ଲାଗି କେତେ ସଫଳ ଓ ସୁରକ୍ଷିତ?
ନିୟନ୍ତ୍ରିତ ଓଭାରିଆନ୍ ହାଇପର୍ଷ୍ଟିମୁଲେସନ୍, ଏହାପରେ ଓଭାରିରୁ ଡିମ୍ବାଣୁ ପୁନରୁଦ୍ଧାର, ଲାବୋରେଟୋରିରେ ଶୁକ୍ରାଣୁ ସହିତ ଫର୍ଟିଲାଇଜେସନ୍, ଗର୍ଭାଶୟ ଭିତରେ ଭ୍ରୂଣଗୁଡ଼ିକର ସ୍ଥାନାନ୍ତରଣ ଆଦି ପ୍ରକ୍ରିୟାକୁ ନେଇ ଆଇଭିଏଫ୍ ଗଠିତ। ୩୫ ବର୍ଷରୁ କମ୍ ବୟସ୍କ ମହିଳାଙ୍କ େକ୍ଷତ୍ରରେ ଆଇଭିଏଫ୍ ଚିକିତ୍ସା ୩୦ରୁ ୪୦% ସଫଳ ହେବାର ସମ୍ଭାବନା ରହିଛି। ଅଧିକ ବୟସ୍କଙ୍କ କ୍ଷେତ୍ରରେ ଏହି ସମ୍ଭାବନା ହ୍ରାସ ପାଇଥାଏ।