ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ତାପମାତ୍ରା ବୃଦ୍ଧିଜନିତ ବିପଦ ଦିନକୁ ଦିନ ସଂକଟଜନକ ହେବାରେ ଲାଗିଛି। ଏହାର ମୁକାବିଲା ନିମନ୍ତେ ପ୍ରତିବର୍ଷ ବିଶ୍ବ ଜଳବାୟୁ ସମ୍ମିଳନୀ (କପ୍‌) ଆୟୋଜନ କରାଯାଉଛି। ୧୯୯୫ ମାର୍ଚ ମାସରେ ଜର୍ମାନିର ବର୍ଲିନ୍ ସହରରେ ସର୍ବପ୍ରଥମେ ଏହି ସମ୍ମିଳନୀ ଆରମ୍ଭ କରାଯାଇଥିଲା। ୨୦୦୨ରେ ଭାରତ ନୂଆଦିଲ୍ଲୀ କପ୍-୮ ଆୟୋଜନ କରିଥିଲା ଏବଂ ୨୦୨୮ରେ ମଧ୍ୟ କପ୍-୩୩ ସମ୍ମିଳନୀ ଆୟୋଜନ କରିବ। ଚଳିତ ନଭେମ୍ବର ୧୧ରୁ ୨୨ ପର୍ଯ୍ୟନ୍ତ ଅଜର୍‌ବୈଜାନ୍‌ର ବାକୁ‌ରେ ଅନୁଷ୍ଠିତ ହୋଇଥିଲା କପ୍-୨୯ ସମ୍ମିଳନୀ। ଓଡ଼ିଶା ଭଳି ଖଣିଜ ସଂପଦ ସମୃଦ୍ଧ ରାଜ୍ୟ ପାଇଁ ଯେତିକି ଗୁରୁତ୍ବ ବହନ କରୁଛି ସେତିକି ଆହ୍ବାନ ଓ ସମସ୍ୟା ମଧ୍ୟ ସୃଷ୍ଟି କରୁଛି। ଅତୀତରେ ଏହି ସମ୍ମିଳନୀରେ ବହୁ ବାର ଭାରତର ପ୍ରତିନିଧିତ୍ବ କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ବ ତାପମାତ୍ରା ନିୟନ୍ତ୍ରଣ ବିଶେଷଜ୍ଞ ତଥା ଭାରତୀୟ ସତତ ବିକାଶ ସଂସ୍ଥାନର ମହାନିର୍ଦ୍ଦେଶକ ଡକ୍ଟର ଶ୍ରୀକାନ୍ତ କୁମାର ପାଣିଗ୍ରାହୀ। କପ୍-୨୯ରେ ଆଲୋଚିତ ବିଭିନ୍ନ ପ୍ରସଙ୍ଗ ଓ ଆହ୍ବାନ ସମ୍ପର୍କରେ ‘ରବିବାର ସମ୍ବାଦ’ ପକ୍ଷରୁ ତାଙ୍କୁ ସାକ୍ଷାତ୍‌ କରିଛନ୍ତି ଆମ ବରିଷ୍ଠ ପ୍ରତିନିଧି ବିଭୂତି ପତି

Advertisment

କପ୍-୨୯ ସମ୍ମିଳନୀ ଭାରତକୁ ଅଙ୍ଗାରକ ଉତ୍ସର୍ଜନ ଓ ଜୀବାଶ୍ମ ଇନ୍ଧନ ବୃଦ୍ଧିକାରୀ ରାଷ୍ଟ୍ର ବୋଲି ଅଭିହିତ କରି ବିଭିନ୍ନ କଟକଣା ଲାଗୁ କରିବାର ଯଥାର୍ଥତା ରହିଛି କି?
ମୁଁ ଯେତେବେଳେ ଜଳବାୟୁ ପରିବର୍ତ୍ତନ ଆଲୋଚନାରେ ଭାରତ ପକ୍ଷରୁ ଜଣେ ପ୍ରମୁଖ ମଧ୍ୟସ୍ଥ ଭୂମିକା ତୁଲାଇଲି, ସେତେବେଳଠାରୁ ଆମେ ଯୁକ୍ତି ବାଢ଼ିଆସିଛୁ ଯେ ମୁଣ୍ଡପିଛା ଉତ୍ସର୍ଜନ କଥା ବିଚାର କଲେ ଆମେ ହେଉଛୁ ବିଶ୍ବର ସର୍ବନିମ୍ନ ଉତ୍ସର୍ଜନକାରୀ ଦେଶ। ଆମ ବିଚାରରେ ପୃଥିବୀର ସମ୍ବଳ ଉପରେ ଦୁନିଆର ପ୍ରତ୍ୟେକ ନାଗରିକଙ୍କର ସମାନ ଅଧିକାର ରହିଛି। ଅତଏବ, ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ ହୋଇ ନଥିଲେ ମଧ୍ୟ ଏହାର ନିରାକରଣ ପାଇଁ ଭାରତ ନିଶ୍ଚୟ ଆଗଭର ହୋଇଛି ଏବଂ ଏହାର ସମାଧାନ କ୍ଷେତ୍ରରେ ନେତୃତ୍ବ ନେଇ ଅବଶିଷ୍ଟ ବିଶ୍ବ ପ୍ରତି ଦୃଷ୍ଟାନ୍ତ ସୃଷ୍ଟି କରିବାରେ ସମର୍ଥ ହୋଇଛି। ସବୁଜଗୃହ ବାଷ୍ପ ଉତ୍ସର୍ଜନ ଆଳରେ ଆମେ ଗୋଟାଏ ବିକାଶଶୀଳ ରାଷ୍ଟ୍ରର ପ୍ରଗତିକୁ ନିୟନ୍ତ୍ରଣ କରିବା ଅନ୍ୟାୟ।

କପ୍-୨୯ ଓଡ଼ିଶା ପାଇଁ ବଡ଼ ଆହ୍ବାନ ଓ ସମସ୍ୟା ଭାବେ ଉଭା ହୋଇଛି ବୋଲି କୁହାଯାଉଛି। କ’ଣ ରହିଛି ଏହି ଆହ୍ବାନ ଓ ସମସ୍ୟା?
ଅଙ୍ଗାରକ ଉତ୍ସର୍ଜନ/ନିର୍ଗମନକୁ ନେଇ କଠୋର ଆଇନ ପ୍ରଣୟନ କରି ଏହାକୁ ବିଭିନ୍ନ ରାଷ୍ଟ୍ର ଉପରେ ଲାଗୁ କରାଯିବାକୁ ଅନ୍ତର୍ଜାତୀୟ ସ୍ତରରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଉଲ୍ଲେଖନୀୟ ପ୍ରସଙ୍ଗ ହେଲା, ଅଙ୍ଗାରକ ସୀମା ସଂଶୋଧନ ବ୍ୟବସ୍ଥା (କାର୍ବନ୍‌ ବର୍ଡର ଆଡ୍‌ଜଷ୍ଟ୍‌ମେଣ୍ଟ୍‌ ମେକାନିଜିମ୍/ସି.ବି.ଏ.ଏମ୍.) ନୀତି ମାଧ୍ୟମରେ ଅଧିକ ଅଙ୍ଗାରକ ଉତ୍ସର୍ଜନ କରୁଥିବା ସାମଗ୍ରୀ ଓ ବସ୍ତୁର ଉତ୍ପାଦନ ଆଧାରରେ ଅଙ୍ଗାରକ କର ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଓଡ଼ିଶା ଭଳି ଖଣିଜ ସଂପଦ ସମୃଦ୍ଧ ରାଜ୍ୟ ଉପରେ ଅତ୍ୟଧିକ କର ବୋଝ ଲଦି ହୋଇପଡ଼ିବ। ଅର୍ଥନୈତିକ ଦୃଷ୍ଟିରୁ ଓଡ଼ିଶା ଭାରତର ଏକ ଗୁରୁତ୍ବପୂର୍ଣ୍ଣ ରାଜ୍ୟ। ଏହାଦ୍ବାରା ଆର୍ଥିକ ପ୍ରଗତି ଗୁରୁତର ପ୍ରଭାବିତ ହେବ। ସି.ଏ.ବି.ଏ.ଏମ୍.ର ଅନୁପାଳନ ନିମନ୍ତେ ସେମାନଙ୍କ ଉତ୍ପାଦନ ପ୍ରକ୍ରିୟା ପ୍ରସ୍ତୁତି କରିବାକୁ ଭାରତର ଶିଳ୍ପାନୁଷ୍ଠାନଗୁଡ଼ିକୁ ୪ ବର୍ଷ ଅବ୍ୟାହତି ଦେବାକୁ ଭାରତ ସରକାର ଇଉରୋପିଆନ୍‌ ୟୁନିୟନ୍‌କୁ ପ୍ରସ୍ତାବ ଦେଇଛନ୍ତି। ତେଣୁ, କପ୍-୨୯ ଓଡ଼ିଶା ପାଇଁ ସମସ୍ୟା ଓ ଆହ୍ବାନ ଭାବେ ଉଭାହୋଇଛି।

୨୪ ବର୍ଷ ଧରି ଓଡ଼ିଶାକୁ ଶାସନ କରିଥିବା ବିଜେଡି ସରକାରଙ୍କର ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ କାର୍ଯ୍ୟକ୍ରମ କିପରି ଥିଲା?
ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ବିପଦର ପ୍ରଭାବ ଅତ୍ୟନ୍ତ ତୀବ୍ର ଭାବରେ ଅନୁଭୂତ ହେଉଛି। ଓଡ଼ିଶା ଉପକୂଳବର୍ତ୍ତୀ ରାଜ୍ୟ ହୋଇଥିବାରୁ ଏଠାରେ ବାତ୍ୟା ଏକ ପ୍ରମୁଖ ବିପର୍ଯ୍ୟୟ। ଏହାସହିତ ସମୁଦ୍ରପତ୍ତନ ଓ ସାମୁଦ୍ରିକ ତାପମାତ୍ରା ବୃଦ୍ଧି କାରଣରୁ ଆଗାମୀ ଦିନରେ ବାତ୍ୟା ସଂଖ୍ୟା ଆହୁରି ବଢ଼ିବ। ବିଶ୍ବ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ କାରଣରୁ ଏସବୁର ପ୍ରଭାବ ଦିନକୁ ଦିନ ଉଗ୍ର ହେବ। ଏହାର ମୁକାବିଲା କରିବାକୁ ବିଗତ ବିଜେଡି ସରକାର ଯଥେଷ୍ଟ  ଭିତ୍ତିଭୂମି ବିକାଶ କରିଛନ୍ତି। କିନ୍ତୁ, ଏସବୁ ପ୍ରାକୃତିକ ଦୁର୍ବିପାକର ବାସ୍ତବ ମୁକାବିଲା କରିବାକୁ ପୂର୍ବ ସରକାର କୌଣସି ଦୃଷ୍ଟାନ୍ତମୂଳକ ବିପର୍ଯ୍ୟୟ ପ୍ରଶମନ ନୀତି ଓ ଯୋଜନା ନିର୍ଦ୍ଦିଷ୍ଟ ସ୍ତରରେ ଗ୍ରହଣ କରିନାହାନ୍ତି। କେବଳ କେନ୍ଦ୍ର ସରକାରଙ୍କୁ ଉପରଠାଉରିଆ ଭାବରେ ଏକ କନ୍‌ସଲଟାଣ୍ଟ ରିପୋର୍ଟ ଦେଇଛନ୍ତି। ଏଥିରେ ଓଡ଼ିଶାର ଜନସାଧାରଣଙ୍କର ଦୈନନ୍ଦିନ ଜୀବନ-ଜୀବିକା ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ କିପରି ପଡୁଛି ଏବଂ ଭବିଷ୍ୟତରେ ଏହା ସହିତ ଖାପଖୁଆଇ କିପରି ଚଳିବାକୁ ପଡ଼ିବ ସେ ସଂପର୍କରେ ବିସ୍ତୃତ ଓ ବାସ୍ତବ କାର୍ଯ୍ୟକ୍ରମ ପରିଚାଳନା କଥା ନାହିଁ। ଏ ସଂକ୍ରାନ୍ତ ପରିଚାଳନା ନୀତି ମଧ୍ୟ ସ୍ପଷ୍ଟ ନୁହେଁ। ଓଡ଼ିଶାରେ ଅକ୍ଷୟଶକ୍ତିର ବିକାଶ ପାଇଁ ବ୍ୟାପକ ସୁଯୋଗ ଥିବା ସତ୍ତ୍ୱେ ଅଙ୍ଗାରକ ଉତ୍ସର୍ଜନ ଏବଂ ଜୀବାଶ୍ମ ଇନ୍ଧନ ହ୍ରାସ କରିବାକୁ ବିଜେଡି ସରକାର କୌଣସି ପଦକ୍ଷେପ ଗ୍ରହଣ କରିବାକୁ ସକ୍ଷମ ହୋଇନାହାନ୍ତି।

ସଂକ୍ଷେପରେ ଶ୍ରୀକାନ୍ତ
ବଲାଙ୍ଗୀର ଜିଲ୍ଲା ଟିକ୍ରିପଡ଼ାରେ ଜନ୍ମିତ ଡକ୍ଟର ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ବିଶ୍ୱର ୨୯ଟି ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟରେ ଅତିଥି ଅଧ୍ୟାପକ ଭାବେ ଶିକ୍ଷାଦାନ କରିଛନ୍ତି। ମାସାଚୁସେଟ୍‌ସ, କେମ୍ବ୍ରିଜ୍‌, ଡ୍ରେସ୍‌ଡେନ୍‌ ଓ ଜେ.ଏନ୍‌.ୟୁ. ଭଳି ବିଶ୍ୱବିଖ୍ୟାତ ବିଶ୍ୱବିଦ୍ୟାଳୟକୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ହୋଇ ଗବେଷକ ଭାବରେ କାର୍ଯ୍ୟ କରି ସଫଳତା ଲାଭ କରିଛନ୍ତି। ବିଶ୍ୱବିଖ୍ୟାତ ଗଣମାଧ୍ୟମ ସଂସ୍ଥା ବିବିସି ତାଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରିଛି। ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପମାତ୍ରା ବୃଦ୍ଧିଜନିତ ବିପଦ ପ୍ରଶମନ ତଥା ଏହା ସହିତ ଖାପଖୁଆଇ ଚଳିବା ମାଧ୍ୟମ ଉପରେ କାର୍ଯ୍ୟକରି ସେ ଅନେକ ସୁନାମ ଅର୍ଜନ କରିଛନ୍ତି। ଭାରତରେ ଅକ୍ଷୟ ଶକ୍ତିର ସଫଳ ବିକାଶ ଓ ପରିଚାଳନାରେ ସେ ଅନ୍ୟତମ ମୁଖ୍ୟ ପୁରୋଧା ଭାବେ ସୁପରିଚିତ। ଭାରତୀୟ ଅଙ୍ଗାରକ ବଜାର ନିୟନ୍ତ୍ରଣ କରିବା କ୍ଷେତ୍ରରେ ଅବଦାନ ଯୋଗୁଁ ତାଙ୍କୁ ‘ଚିଫ୍‌ ଆର୍କିଟେକ୍ଟ‌୍ ଅଫ୍‌ ଇଣ୍ଡିଆନ୍‌ କାର୍ବନ୍‌ ମାର୍କେଟ୍‌’ କୁହାଯାଏ। ୟୁ.ଏନ୍‌.ଇ.ପି. ଓ ୟୁନେସ୍କୋ ଅନୁଷ୍ଠାନ ତାଙ୍କୁ ସର୍ବଦା ବିଶେଷ ଗବେଷଣା ଦାୟିତ୍ୱ ଦେଇଥାଏ। ଏତେ ସବୁ ଅବଦାନ ପାଇଁ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ମଧ୍ୟ ତାଙ୍କୁ ସମ୍ମାନିତ କରିଛି।

ଏହି ପରିପ୍ରେକ୍ଷୀରେ ବର୍ତ୍ତମାନର ରାଜ୍ୟ ସରକାରଙ୍କ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ କ’ଣ ରହିବ?  
ଜଳବାୟୁ ପରିବର୍ତ୍ତନଜନିତ ବିପଦ ମୁକାବିଲା କରିବାକୁ ଓଡ଼ିଶାର ନୂତନ ବିଜେପି ସରକାର ବଜେଟ୍‌ରେ ସ୍ବତନ୍ତ୍ର ଭାବେ ଆର୍ଥିକ ବ୍ୟୟବରାଦ ରଖିବା  ଆବଶ୍ୟକ। ଜଳବାୟୁ ପ୍ରଶମନ ନୀତି ଓ ଯୋଜନା ପରିଚାଳନା କରିବା ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଆରମ୍ଭ କରିବା ଦରକାର। ଅକ୍ଷୟ ଓ ସବୁଜ ଶକ୍ତି ବିକାଶ ପାଇଁ ଓଡ଼ିଶାରେ ଯେଉଁ ବ୍ୟାପକ ସୁଯୋଗ ରହିଛି ସେଥିପ୍ରତି ଧ୍ୟାନଦେଇ ସେ ଦିଗରେ କାର୍ଯ୍ୟ କରିବା ନିତାନ୍ତ ଜରୁରି।

ବିଶ୍ବର ତିନିଟି ସର୍ବାଧିକ ମିଥେନ୍ ଉତ୍ସର୍ଜନକାରୀ ରାଷ୍ଟ୍ର ମଧ୍ୟରେ ଭାରତ ଅନ୍ୟତମ। ଏହା ସତ୍ତ୍ବେ ଭାରତ କାହିଁକି ବୈଶ୍ବିକ ମିଥେନ୍ ଶପଥକୁ ପ୍ରତ୍ୟାଖ୍ୟାନ କଲା?
ଚୀନ୍ ହେଉଛି ବିଶ୍ବର ସର୍ବାଧିକ ମିଥେନ୍ ଉତ୍ସର୍ଜନକାରୀ ରାଷ୍ଟ୍ର। ଯୁକ୍ତରାଷ୍ଟ୍ର ଆମେରିକା ଦ୍ବିତୀୟ ସ୍ଥାନରେ ଏବଂ ଭାରତ ତୃତୀୟ ସ୍ଥାନରେ ରହିଛି। ଏମାନଙ୍କ ପଛକୁ ରୁଷ୍‌ ଓ ଇରାନ୍ ଅଛନ୍ତି। ମିଥେନ୍ ଉଭୟ ପ୍ରାକୃତିକ ଉତ୍ସ ତଥା ମାନବୀୟ କାର୍ଯ୍ୟକଳାପରୁ ଉତ୍ସର୍ଜିତ ହୋଇଥାଏ। ମାନବୀୟ କାର୍ଯ୍ୟକଳାପରୁ ପ୍ରାୟ ୬୦% ମିଥେନ୍ ଉତ୍ସର୍ଜିତ ହୋଇଥାଏ। ମାନବକୃତ ସବୁଜଗୃହ ବାଷ୍ପ ଦ୍ବାରା ଘଟୁଥିବା ବୈଶ୍ବିକ ତାପନର ପ୍ରାୟ ଏକ-ତୃତୀୟାଂଶ ସକାଶେ କେବଳ ମିଥେନ୍ ଦାୟୀ। ୨୦୨୧ କପ୍-୨୬ରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇଉରୋପୀୟ ୟୁନିଅନ୍ ନେତୃତ୍ବରେ ଏହି ମିଥେନ୍ ଶପଥ ଆରମ୍ଭ କରାଯାଇଥିଲା। ମାତ୍ର, ଭାରତ ଏହି ବୈଶ୍ବିକ ମିଥେନ୍ ଶପଥର ଅଂଶବିଶେଷ ନୁହେଁ। ସାମ୍ପ୍ରତିକ ପରିସ୍ଥିତିରେ ଭାରତରେ ମିଥେନ୍ ଉତ୍ସର୍ଜନ ‘ବଞ୍ଚି ରହିବା’ ସକାଶେ ଏକ ବାଧ୍ୟବାଧକତା, ବିଳାସ ପାଇଁ ନୁହେଁ। କିନ୍ତୁ, ପାଶ୍ଚାତ୍ୟ ରାଷ୍ଟ୍ରରେ ବିଳାସ ସକାଶେ ମିଥେନ୍ ଉତ୍ସର୍ଜନ ଘଟୁଛି। ମିଥେନ୍ ଉତ୍ସର୍ଜନ ଶପଥ ଲାଗୁକଲେ ଭାରତର କୃଷି ଓ ପଶୁପାଳନ ଭଳି ଜୀବିକା ପ୍ରଭାବିତ ହେବ। ଭାରତ ଭଳି ଦେଶ ପାଇଁ ଏହାକୁ ଲାଗୁ କରିବା ମଧ୍ୟ ଅସମ୍ଭବ। ଭାରତ ୟୁ.ଏନ୍.ଏଫ୍.ସି.ସି. ଓ ପ୍ୟାରିସ୍ ରାଜିନାମାର ସ୍ବାକ୍ଷରକାରୀ ଏବଂ ମିଥେନ୍ ଶପଥ ଏହି ରାଜିନାମା ପରିସର ବାହାରେ। ମିଥେନ୍ ଶପଥରେ ସାମିଲ ହେଲେ ଭାରତର ବାଣିଜ୍ୟ ଏବଂ ଆର୍ଥିକ ଅଭିବୃଦ୍ଧି ହ୍ରାସ ପାଇବ।

କପ୍-୨୯ ଅଙ୍ଗାରକ ସୀମା କର ବିବାଦ କ’ଣ। ଏହା ଇଉରୋପୀୟ ୟୁନିଅନ୍‌କୁ ଭାରତର ରପ୍ତାନି ଉପରେ କିପରି ପ୍ରଭାବିତ କରିବ?
ଇଉରୋପୀୟ ୟୁନିଅନ୍ (ଇ.ୟୁ.)ର ଅଙ୍ଗାରକ ସୀମା ସଂଶୋଧନ ବ୍ୟବସ୍ଥା ହେଉଛି ଏପରି ଏକ ବ୍ୟବସ୍ଥା, ଯାହା ଇ.ୟୁ. ସୀମାକୁ ପ୍ରବେଶ କରୁଥିବା ଅଧିକ ଅଙ୍ଗାରକ ଉତ୍ସର୍ଜନକାରୀ ସାମଗ୍ରୀ (ଉତ୍ପାଦନ ବେଳେ ଉତ୍ସର୍ଜିତ ହେଉଥିବା ଅଙ୍ଗାରକ) ବାବଦକୁ ନ୍ୟାେୟାଚିତ କର ଆଦାୟ କରିଥାଏ। ଏହି ବ୍ୟବସ୍ଥା ଅଣ-ଇ.ୟୁ. ରାଷ୍ଟ୍ରଗୁଡ଼ିକରେ ପ୍ରଦୂଷଣମୁକ୍ତ ଶିଳ୍ପ ଉତ୍ପାଦନକୁ ପ୍ରୋତ୍ସାହିତ କରିଥାଏ। ଏହାଦ୍ବାରା ଭାରତର ରପ୍ତାନିର ପ୍ରାୟ ୫୪% ପ୍ରଭାବିତ ହେବ। କାରଣ, ଏସବୁ ଉତ୍ପାଦନ ପାଇଁ ଭାରତ ମୁଖ୍ୟତଃ କୋଇଲା ଆଧାରିତ ବିଦ୍ୟୁତ୍ ଉପରେ ନିର୍ଭର କରିଥାଏ। ଉପରୋକ୍ତ କର ମୁଖ୍ୟତଃ ଭାରତର ଲୌହ ଓ ଇସ୍ପାତ, ସିମେଣ୍ଟ, ରସାୟନିକ ସାର, ଆଲୁମିନିଅମ୍, ରସାୟନ ଓ ପେଟ୍ରୋଲିଅମ୍ କ୍ଷେତ୍ରକୁ ପ୍ରଭାବିତ କରିବ।