ଭିଡ଼ିଓରେ ଦେଖନ୍ତୁ କିଭଳି ବିନା ମାସ୍କରେ ବୁଲୁଥିବା ଯୁବକଙ୍କୁ ଉଚିତ ଶିକ୍ଷା ଦେଲେ ପୁଲିସ ଅଧିକାରୀ

ଚେନ୍ନାଇ: ମାରାତ୍ମକ କରୋନାଭାଇରସର ପ୍ରସାରକୁ ହ୍ରାସ କରିବା ପାଇଁ ସାରା ଭାରତକୁ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନରେ ରଖାଯାଇଛି | ଭାରତୀୟ ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏବେବି କିଛି ଲୋକ ଲକଡାଉନ୍ ନିୟମ ଉଲ୍ଲଂଘନ କରି ବାହାରେ ବୁଲୁଥିବାର ଦେଖା ଯାଉଛି | ଯାହାଦ୍ୱାରା ଅନେକ ସ୍ଥାନରେ ସଂକ୍ରମଣ ବଢ଼ୁଥିବା ଘଟଣା ସାମ୍ନାକୁ ଆସୁଛି |

ତାମିଲନାଡୁରେ ମଧ୍ୟ କିଛି ଯୁବକ ଲକଡାଉନ୍ ନିୟମ ଉଲ୍ଲଂଘନ କରିଥିବା ଘଟଣା ସାମ୍ନାକୁ ଆସିଛି | ତିନି ଜଣ ଯୁବକ ଲକଡାଉନ୍ ନିୟମ ଉଲ୍ଲଂଘନ କରିବା ସହ ଗୋଟେ ଗାଡ଼ିରେ ୩ଜଣ ବିନା ମାସ୍କରେ ଯାଉଥିବା ବେଳେ ସେମାନଙ୍କୁ ପୁଲିସ ଅଟକାଇଥିଲା | ପରେ ସେମାନଙ୍କୁ କରୋନାର ଭୟାବହତା ଜଣାଇବା ପାଇଁ ପୁଲିସ ଯେଉଁ ବାଟ ଆପଣାଇ ଥିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ତାମିଲନାଡୁର ତିରୁପୁରରେ ଏହି ଘଟଣା ଘଟିଥିବା ବେଳେ ଘଟଣା ସମୟର ଭିଡ଼ିଓ ମଧ୍ୟ ଭାଇରଲ ହୋଇଛି |

ଭିଡ଼ିଓରେ ଦେଖାଯାଇଛି କି, ତିରୁପୁରର ଚେକ୍ ପୋଷ୍ଟରେ ଥିବା ପୁଲିସ ଅଧିକାରୀମାନେ ଲକଡାଉନ୍ ନିୟମ ଉଲ୍ଲଂଘନ କରିଥିବା ଯୁବକମାନଙ୍କୁ ଶିକ୍ଷା ଦେବା ପାଇଁ ଏକ ନିଆରା ଉପାୟ ଅବଲମ୍ବନ କରିଥିଲେ ଏବଂ ଦଣ୍ଡ ସ୍ୱରୂପ ସେମାନେ ଯୁବକମାନଙ୍କୁ ଆମ୍ବୁଲାନ୍ସ ପାଖକୁ ନେଇଥିଲେ। ପୁଲିସ ଅଧିକାରୀ ତିନି ଜଣଙ୍କୁ କହିଥିଲେ ଯେ, ଆମ୍ବୁଲାନ୍ସ ଭିତରେ ଜଣେ କରୋନାଭାଇରସ୍ ରୋଗୀ ଅଛନ୍ତି। ଏହା ଶୁଣିବା ପରେ ଯୁବକମାନେ ଡରରେ ଆମ୍ବୁଲାନ୍ସ ପାଖରୁ ଯିବାକୁ ଚେଷ୍ଟା କରୁଛନ୍ତି |

ଏହା ପରେ ତାଙ୍କୁ ଭିତରକୁ ଠେଲି ଦିଆଯାଉଛି | ପରେ ଭିତରେ ଥିବା ଜଣେ ନକଲି କରୋନାଭାଇରସ୍ ରୋଗୀ ତାଙ୍କୁ ସ୍ପର୍ଶ କରିବାକୁ ଚେଷ୍ଟା କରୁଛନ୍ତି | ଏହା ଦେଖି ୩ଜଣ ଯୁବକ ଗାଡି ଭିତରୁ ବାହାରକୁ ଆସିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ପୁଲିସ ଅଧିକାରୀ ସେମାନଙ୍କୁ ଭିତରେ ରହିବ ପାଇଁ କହୁଛନ୍ତି | ଡରରେ ୩ଜଣ କାନ୍ଦିବା ଅବସ୍ଥାକୁ ଚାଲି ଆସିବା ପରେ ପୁଲିସ ଅଧିକାରୀ ସେମାନଙ୍କୁ ସତ ଜଣାଉଛନ୍ତି | ଏହା ସହ ଘରେ ରହିବାକୁ ଉପଦେଶ ଦେଉଛନ୍ତି |

ଭିଡିଓରେ ଥିବା ଅଧିକାରୀମାନେ କହିଛନ୍ତି ଯେ,  ଘର ଭିତରେ ରହିବାର ମହତ୍ତ୍ୱକୁ ଆଲୋକିତ କରିବା ଏବଂ ଦରକାର ନଥିଲେ ବାହାରକୁ ନବାହାରିବା ପାଇଁ ଉପଦେଶ ଦେବାକୁ ଏହି ଭିଡ଼ିଓ ପ୍ରସ୍ତୁତ କରାଯାଇଛି। ଏହି ବାର୍ତ୍ତା ସହ ଭିଡ଼ିଓଟି ଶେଷ ହେଉଛି |

ସମ୍ବନ୍ଧିତ ଖବର